ସଞ୍ଜୟ ଓ ଅରୁଣଙ୍କ ବୀରୁ ଓ ଜୟ ଷ୍ଟାଇଲ୍

ଭୁବନେଶ୍ୱର: ‘ଶୋଲେ’ ଫିଲ୍ମ ତ ଆପଣମାନେ ଦେଖିଥିବେ ନିଶ୍ଚୟ! ଏଥିରେ ‘ୟେ ଦୋସ୍ତି ହମ୍ ନହିଁ ଛୋଡେଙ୍ଗେ….’ ବୋଲି ଗୀତଟିଏ ଅଛି। ସେଥିରେ ବୀରୁ (ଧର୍ମେନ୍ଦ୍ର) ଓ ଜୟ (ଅମିତାଭ ବଚ୍ଚନ) ଯେମିତି ଗାଡ଼ିରେ ବସି ଗୀତ ଗାଉଥିଲେ ତାହା ବି ମନେ ଥିବ ନିଶ୍ଚୟ। ଆଉ ଆଜି ରାଜଧାନୀର ରାଜରାସ୍ତାରେ ହଠାତ୍ ବୀରୁ ଓ ଜୟଙ୍କୁ ଦେଖିବାକୁ ମିଳିଥିଲା। ଓହୋ… ଧର୍ମେନ୍ଦ୍ର ଓ ଅମିତାଭ ବଚ୍ଚନ ଆସି ନ ଥିଲେ ମ। ‘ସୋଲେ ଗାଡ଼ି’ ଭଳି ଏକ ଗାଡ଼ିରେ ବସି ଥିଲେ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁ। ଦୁହେଁ ବାହାରିଥିଲେ ହୋଲି ଖେଳିବାକୁ। ଆଉ ଏମାନଙ୍କୁ ଦେଖି ଆମର ମନେ ପଡ଼ିଗଲା ‘ଶୋଲେ’ର ଜୟ ଓ ବୀରୁଙ୍କ କଥା। ଗାଡ଼ି ଚଲାଉଥିଲେ ସଞ୍ଜୟ। ତହୁଁ ଜଣେ ପଚାରିଲେ କିଏ ବୀରୁ ଓ କିଏ ଜୟ? ଆମ୍ଭେ କହିଲୁ ସଞ୍ଜୟଙ୍କ ହାଇଟ୍ ଧର୍ମେନ୍ଦ୍ର ପାଖାପାଖି ଲାଗୁଛି! ତେଣୁ ସେ ବୀରୁ। ବାବୁ ଅରୁଣ ଅମିତାଭଙ୍କ ଭଳି ଛାଁଟ୍‌ ଛାଁଟ୍ ଡେଙ୍ଗା। ତେଣୁ ସେ ଜୟ।

‘ଶୋଲେ’ରେ ବୀରୁ ଓ ଜୟଙ୍କ ସହିତ ଆଉ କେହି ଗାଡ଼ିରେ ନ ଥିଲେ। ଏ ବୀରୁ ଓ ଜୟଙ୍କ ସହିତ କିନ୍ତୁ ଆଉ ଜଣେ ଥିଲେ। ସଞ୍ଜୟଙ୍କ ପଛରେ ବସିଥିଲେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ। ଆଉ ଗୋଟେ କଥା। ‘ଶୋଲେ’ରେ ବୀରୁ ବୁଲେଟ୍ ଚଲାଉଥିଲେ। କିନ୍ତୁ ଏ ବୀରୁ (ସଞ୍ଜୟ) ସ୍କୁଟି ଚଲାଉଥିଲେ।

ତିନିହେଁ ଗୀତ ସିନା ଗାଉ ନ ଥିଲେ, କିନ୍ତୁ ହସହସ ମୁହଁରେ ଦୁହେଁ ମାଡ଼ି ଯାଉଥିଲେ ଲକ୍ଷ୍ୟ ସ୍ଥଳ ଆଡ଼େ। ବିଭିନ୍ନ ସ୍ଥାନକୁ ଯାଇ ଖେଳି ଥିଲେ ହୋଲି। ଏମାନଙ୍କ ଫିଲ୍ମ ଷ୍ଟାଇଲ୍ ହୋଲି ଖେଳ ଦେଖଣାହାରୀଙ୍କ ମନକୁ ପାଇଲା!