Advertisment

ବଦଳିଗଲା ଆମ ଚାଲିଚଳନ, ଆଉ ନା ଅଛି 'ହଗ୍' ନା 'ଚୁମ୍ବନ'

ଓଡ଼ିଶା ରିପୋର୍ଟର(ପ୍ରଜ୍ଞା ଚୌଧୁରୀ): କରୋନା ଆସିଲାନି ଯାହା ଏକ ନୂଆ ଯୁଗ ନିଜ ସାଙ୍ଗରେ ନେଇ ଆସିଲା। ବହୁତ କିଛି ବଦଳିଗଲା। ଆଧୁନିକ ଯୁଗର ଆଧୁନିକ ଚାଲିଚଳନ ଓ ପରମ୍ପରାକୁ ହଜେଇ ଦେବାକୁ ଯେପରି ଦୁନିଆରେ ଉଭା ହେଲା ନୋଭେଲ କରୋନା ଜନିତ କୋଭିଡ୍-୧୯ ବ୍ୟାଧି। ଆଧୁନିକ ଜୀବନଶୈଳୀରେ ଲକ୍ଷ୍ମଣରେଖା ଟାଣି ଦେଇଥିବା ବେଳେ ଚିରାଚରିତ ପରମ୍ପରା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଲା। ଏଭଳି ପରିସ୍ଥିତିରେ ସମସ୍ତେ ଏଥିରୁ ମୁକୁଳିବାର ବିକଳ୍ପ ଖୋଜୁଛନ୍ତି। କରୋନା ପରିସ୍ଥିତି […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଭାରତକୁ ଭେଣ୍ଟିଲେଟର ଦେବ ଆମେରିକା, ମୋଦି କହିଲେ ଧନ୍ୟବାଦ

trumph_modi

ଓଡ଼ିଶା ରିପୋର୍ଟର(ପ୍ରଜ୍ଞା ଚୌଧୁରୀ): କରୋନା ଆସିଲାନି ଯାହା ଏକ ନୂଆ ଯୁଗ ନିଜ ସାଙ୍ଗରେ ନେଇ ଆସିଲା। ବହୁତ କିଛି ବଦଳିଗଲା। ଆଧୁନିକ ଯୁଗର ଆଧୁନିକ ଚାଲିଚଳନ ଓ ପରମ୍ପରାକୁ ହଜେଇ ଦେବାକୁ ଯେପରି ଦୁନିଆରେ ଉଭା ହେଲା ନୋଭେଲ କରୋନା ଜନିତ କୋଭିଡ୍-୧୯ ବ୍ୟାଧି। ଆଧୁନିକ ଜୀବନଶୈଳୀରେ ଲକ୍ଷ୍ମଣରେଖା ଟାଣି ଦେଇଥିବା ବେଳେ ଚିରାଚରିତ ପରମ୍ପରା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଲା। ଏଭଳି ପରିସ୍ଥିତିରେ ସମସ୍ତେ ଏଥିରୁ ମୁକୁଳିବାର ବିକଳ୍ପ ଖୋଜୁଛନ୍ତି।

Advertisment

କରୋନା ପରିସ୍ଥିତି ଲାଗି ଜୀବନ ଜୀଇଁବାର ତଥାକଥିତ ଶୈଳୀକୁ କାହିଁ କେତେ ଦୂରରେ ଆମେ ଛାଡ଼ି ଆସିଲେ। କାହାକୁ ଭେଟିଲେ ମନଖୋଲା ହସିବା, ହାତ ମିଶାଇବା, ଆଲିଙ୍ଗନ କରିବା, ଖୁସି ଖବର ଦେଲାବେଳ ପରସ୍ପର ପ୍ରତି ସ୍ନେହ, ଭଲ ପାଇବା ଢ଼ାଳିଦେବା କିମ୍ବା ଦୁଃଖରେ ସାନ୍ତ୍ୱନା ଆଉ ସାହାରା ଲାଗି କାନ୍ଧଟିଏ ଖୋଜିବା। ସବୁକିଛିରେ ପୂର୍ଣ୍ଣଚ୍ଛେଦ ପକାଇଦେଲା କରୋନା ଭୟ।

ଏଭଳି ଭାବ ବିନିମୟ ପ୍ରାଚୀନ ଭାରତର ପରମ୍ପରାରେ ନ ଥିଲେ ମଧ୍ୟ ଆଧୁନିକତାର ଛାପରେ ଭାରତୀୟମାନଙ୍କ ଦ୍ୱାରା ଏହା ବେଶ ଆଦୃତ ହୋଇପାରିଥିଲା। ତେବେ ପାଶ୍ଚାତ୍ୟ ସଂସ୍କାର ଅନୁଯାୟୀ ଏହା ପରସ୍ପର ପ୍ରତି ଭଲ ପାଇବା, ସମ୍ମାନ, ଆତିଥ୍ୟ, ସାନ୍ତ୍ୱନା ଦେବାର ପରମ୍ପରା ଭାବେ ଦୀର୍ଘଦିନରୁ ଚାଲିଆସିଥିଲା। ହେଲେ ଏବେ ସେ ଯୁଗ ଆଉ ନାହିଁ। ବଦଳି ଗଲା କାହାକୁ ଦେଖିଲେ ହ୍ୟାଣ୍ଡଶେକ୍ କରିବା ପ୍ରଥା। ଅତୀତ ହୋଇଗଲା ପରସ୍ପରକୁ ଆଲିଙ୍ଗନ ପୂର୍ବକ ସ୍ୱାଗତ କରିବାର ଅଭ୍ୟାସ। କାରଣ, ମଣିଷକୁ ଏବେ ଖାଉଛି ସଂକ୍ରମଣର ଭୟ...

Advertisment

trumph-and-his-wife

କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ନିୟମାବଳୀ ପ୍ରସ୍ତୁତ ହୋଇଛି। ଯେପରି ହାତ ମିଶାଇବା ନାହିଁ, ଶାରୀରିକ ଦୂରତ୍ୱ ବଜାୟ ରଖିବା, କାହାକୁ ଛୁଇଁଲେ ଭଲ ଭାବରେ ହାତ ଧୋଇବା, ଏହି କ୍ରମରେ ଆଲିଙ୍ଗନ କରିବାର ପ୍ରଶ୍ନ ହିଁ ଉଠୁନି, ଖୋଲାରେ ଛିଙ୍କିବା ନାହିଁ, ସର୍ବଦା ମାସ୍କ ପିନ୍ଧି ରହିବା। ତା'ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ। ଏଭଳି ପରିସ୍ଥିତିରେ ଅନେକ ଲୋକଙ୍କୁ ନିଜ ଆତ୍ମୀୟମାନଙ୍କଠାରୁ ଦୂରେଇ ଯିବାର ଆଶଙ୍କା ସୃଷ୍ଟି ହୋଇଛି।

ତେବେ ଭାରତୀୟ ସମାଜ ଓ ପରମ୍ପରା ଅନୁଯାୟୀ ଏ ସବୁ କଟକଣା ଦ୍ୱାରା ସମ୍ପର୍କ ଭାଙ୍ଗିଯିବାର ଯଦିଓ ବିଶେଷ ଭୟ ନାହିଁ। ହେଲେ ପାଶ୍ଚାତ୍ୟ ଦେଶରେ ଏହା ମୁଣ୍ଡବିନ୍ଧାର କାରଣ ହୋଇପାରେ। ଏଭଳି ପରିସ୍ଥିତି ପରସ୍ପରର ସ୍ୱାସ୍ଥ୍ୟ ଆଉ ଉପସ୍ଥିତିକୁ ନେଇ ହିଁ ନିଜର ଖୁସି ଦେଖିବା ଉଚିତ୍। ପରସ୍ପର ପ୍ରତି ଥିବା ପ୍ରେମ, ସ୍ନେହ ଓ ସହାନୁଭୂତି ଅନ୍ୟ ବିଭିନ୍ନ ଉପାୟରେ ପହଞ୍ଚାଯାଇ ପାରିବ।

ଭଲ ପାଇବାରେ ଗାଲକୁ ଗାଲ ମିଶାଇବା, ଗେହ୍ଲା ହେବା କିମ୍ବା ଦୀର୍ଘ ସମୟ ଧରି ଆଲିଙ୍ଗନ କରି ରହିବା ଯଦିଓ ସମ୍ପର୍କକୁ ନିବିଡ଼ କରିଥାଏ। ତଥାପି ସାମ୍ପ୍ରତିକ ସ୍ଥିତିରେ ପ୍ରକୃତ ପ୍ରେମ ଦୂରତ୍ୱରେ ହିଁ ମିଳିବ। ହୃଦୟର ସମ୍ପର୍କ ଆଉ ଶାରୀରିକ ସମ୍ପର୍କକୁ ନେଇ ଦୀର୍ଘ କାଳରୁ ତର୍କ ବିତର୍କ ଚାଲି ଆସିଥିବା ବେଳେ ଏହି ଦୁଃଖଦ ସମୟରେ କେବଳ ହୃଦୟର ସମ୍ପର୍କ ହିଁ ବାଜି ମାରିଛି। କରୋନା ଆମ ଜୀବନରେ ମହତ୍ୱ ରଖୁଥିବା ବିଭିନ୍ନ ସମ୍ପର୍କକୁ କେବଳ ଶାରୀରିକ ଭାବେ ଦୂରକୁ ନେଇଯାଇଛି। ହେଲେ ଆତ୍ମୀୟମାନଙ୍କୁ ସେ କେବେ ବି ହୃଦୟରୁ ଦୂରେଇ ଦେଇପାରିବ ନାହିଁ।

Friendship

ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୪୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ କରୋନା ଭୂତାଣୁ ସଂକ୍ରମିତ ହୋଇସାରିଛନ୍ତି। ଭାରତ ସମେତ ଅନେକ ଦେଶରେ ଲକଡାଉନ ଜାରି ରହିଛି। ତେବେ କେତେକ ଦେଶରେ ସ୍ଥିତି ସାମାନ୍ୟ ହେବାରୁ ଲକଡାଉନ ହଟାଇ ଦିଆଯାଇଛି। ତଥାପି ପରିସ୍ଥିତି ଆଗ ଭଳି ଆଉ ନାହିଁ। ଖୁବ୍ କମ କଥାବାର୍ତ୍ତା, ମନଇଚ୍ଛା କେଉଁ ବସ୍ତୁ, ପୃଷ୍ଠ କିମ୍ବା ମନୁଷ୍ୟକୁ ନ ଛୁଇଁବା, ଶାରୀରିକ ଦୂରତା ଥାଇ ଆଲୋଚନା ବା ଭାବର ଆଦାନ ପ୍ରଦାନ, ଅଧିକାଂଶ ସମୟ ବାହାରେ ନ ରହିବା ଏବଂ ସର୍ବଦା ସତର୍କ ରହିବା ଆଦି ହେଉଛି କରୋନା ପରର ସାମାଜିକ ଚଳଣୀର ଦୃଶ୍ୟ।

ତେବେ ଲକଡାଉନ ଭିତରେ ବି ଗୋଟିଏ ଘରେ ରହି ପରିବାର ସଦସ୍ୟ ପରସ୍ପରଠାରୁ ଶାରୀରିକ ଭାବେ ଦୂରେଇ ଗଲେଣି। ଘରେ ବୟସ୍କ ଲୋକଙ୍କୁ ଛୁଇଁବାକୁ ଡର ଲାଗୁଥିଲା ବେଳେ, ବୟସ୍କମାନେ ପିଲାଙ୍କୁ କୋଳେଇ ନେବାକୁ ଡରୁଛନ୍ତି। ସେହିପରି ଘରର କୌଣସି ସଦସ୍ୟ କର୍ମକ୍ଷେତ୍ରକୁ ଯାଉଥିଲେ, ଫେରିବା ପରେ ସନ୍ଦେହ ରଖି ନିଜକୁ ଅନ୍ୟ ସଦସ୍ୟଙ୍କଠାରୁ ଦୂରେଇ ରଖୁଥିବା ବେଳେ ଅନ୍ୟମାନେ ମଧ୍ୟ ତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବା ସ୍ୱାଭାବିକ। ଅଳ୍ପରେ କହିବାକୁ ଗଲେ ପରସ୍ପର ଉପରେ ସନ୍ଦେହ ସୃଷ୍ଟି କରିଛି ଏହି କରୋନା କାଳ। ଲାଗୁଛି ଆଗକୁ ଏହିଭଳି ଭାବରେ ହି ଆମକୁ ଦିନ, ରାତି କାଟିବାକୁ ହେବ।

france govt banned kissing

ସାମ୍ପ୍ରତିକ ପରିସ୍ଥିତିରେ ଆମ ଜୀବନଶୈଳୀରେ ଘଟିଥିବା ପରିବର୍ତ୍ତନଗୁଡ଼ିକ ପ୍ରକୃତରେ ଅକଳ୍ପନୀୟ। ପ୍ରାନ୍ସ ସଂସ୍କୃତି ଅନୁସାରେ ଚୁମ୍ବନ କରିବା ତାଙ୍କର ପରମ୍ପରା। ମାର୍ଚ୍ଚ ମାସରେ କୋଭିଡ୍-୧୯ ଆତଙ୍କରେ ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ଚୁମ୍ବନ କରିବା ଉପରେ ରୋକ୍ ଲଗାଇଛନ୍ତି। ଅପରପକ୍ଷେ ଶାରୀରିକ ଓ ସାମାଜିକ ଦୂରତ୍ୱକୁ ନିଜ ଜୀବନଶୈଳୀରେ ଆପଣାଇବା ସହ ଅନେକ କ୍ଷେତ୍ରରେ ଲୋକେ ଏହାକୁ ନେଇ ମାନସିକ ଭାବେ ପ୍ରଭାବିତ ହୋଇପଡ଼ନ୍ତି। ଫଳରେ ବିବେକହୀନତା ଭଳି ଉଦାହରଣମାନ ଦେଖିବାକୁ ମିଳିଥାଏ। କୋଭିଡ୍-୧୯ ରୋଗୀଙ୍କୁ ଘୃଣା କରିବା, ପ୍ରତ୍ୟେକ ଛିଙ୍କୁଥିବା, କାଶୁଥିବା ବ୍ୟକ୍ତିଙ୍କୁ କୋଭିଡ୍-୧୯ ସଂକ୍ରମିତ ବୋଲି ଭାବି ଅପମାନ କରିବା, ସଂକ୍ରମଣ ପରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କୁ ସାମାଜିକ ଓ ମାନସିକ ଭାବେ ଗ୍ରହଣ ନ କରିବା ଆଦି। ଅତୀତରେ ଏଭଳି ସବୁ ବୀପରିତ ପରିସ୍ଥିତି ଏଡସ୍, ଟିଭି, କୁଷ୍ଠ ରୋଗୀମାନଙ୍କ ପ୍ରତି ମଧ୍ୟ ଦେଖିବାକୁ ମିଳିଛି, ଯାହା ଅମାନବୀୟ।

ପରସ୍ପର ପ୍ରତି ପ୍ରଚୂର ସ୍ନେହ, ଭଲ ପାଇବା ଏବଂ ସହାନୁଭୂତି ପୂର୍ବକ ଆମକୁ ଏହି ନୂଆ ଧାରାକୁ ନିଜ ଜୀବନରେ ଆପଣାଇବାକୁ ପଡ଼ିବ। ହୁଏତ କାଲି କୋଭିଡ୍-୧୯ର କୌଣସି ଠିକ୍ ଉପଚାର ବୈଜ୍ଞାନିକମାନେ ଖୋଜି ବାହାର କରିବାରେ ସକ୍ଷମ ହେବେ ଏବଂ ପୁଣି ପରିସ୍ଥିତି ପୂର୍ବଭଳି ଫେରିପାରେ।