ସୋସିଆଲ୍‌ ମିଡିଆ ଓ ସାହିତ୍ୟ

ଭୁବନେଶ୍ୱର (ଜିତେନ୍ଦ୍ର ଗଡ଼ନାୟକ): ଡିଜିଟାଲ୍ ମିଡିଆ ସାହିତ୍ୟ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା, ତାହା ଭୁଲ୍ ପ୍ରମାଣିତ ହୋଇଛି। ଡିଜିଟାଲ୍ ମିଡିଆ ସାହିତ୍ୟ ପ୍ରତି ବିପଦ ସୃଷ୍ଟି କରିନି, ବରଂ ଏହାର ଅଭିବୃଦ୍ଧିରେ ସହାୟକ ହୋଇଛି। ସାହିତ୍ୟ ଏବେ ଡିଜିଟାଲ୍‌ ମିଡିଆକୁ ମାଧ୍ୟମ କରି ନେଇଛି। ସାହିତ୍ୟିକମାନେ ନିଜ ସୃଷ୍ଟିକୁ ପାଠକପାଠିକାଙ୍କ ନିକଟରେ ପହଞ୍ଚାଇବାକୁ ଏହାକୁ ମାଧ୍ୟମ ଭାବେ ଆପଣାଇ ନେଇଛନ୍ତି। ଯେଉଁମାନେ କଂପ୍ୟୁଟର୍, ସ୍ମାର୍ଟଫୋନ୍ ଓ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ତଥା ଫେସ୍‌ବୁକ୍, ଟ୍ୱିଟର ଏବଂ ହ୍ୱାଟ୍ସ ଆପ୍ ପରି ସୋସିଆଲ୍ ମିଡିଆର ସଦସ୍ୟ ଅଛନ୍ତି ସେମାନେ ଏହାକୁ ନିଶ୍ଚୟ ହୃଦୟଙ୍ଗମ କରିଥିବେ।

ପୂର୍ବରୁ କବିତାଟିଏ ଅବା ଗଳ୍ପଟିଏ ପ୍ରକାଶ କରିବାକୁ ହେଲେ କୌଣସି ପତ୍ରପତ୍ରିକାକୁ ପଠାଇବାକୁ ପଡୁଥିଲା। ପ୍ରତିଷ୍ଠିତ ଲେଖକଙ୍କ କଥା ଛାଡ଼ି ଦିଅନ୍ତୁ, ଅନ୍ୟମାନଙ୍କର ଲେଖା କେବେ ପ୍ରକାଶିତ ହେବ ସେନେଇ କୌଣସି ସୂଚନା ମିଳୁ ନ ଥିଲା। ତେଣୁ ବେଳେ ବେଳେ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଥିଲା। ଅନେକ ସମୟରେ ପ୍ରକାଶ ମଧ୍ୟ ପାଉ ନ ଥିଲା। କିନ୍ତୁ ଏବେ ସେ ସମସ୍ୟା ନାହିଁ। ଯଦି ଆପଣ ଫେସ୍‌ବୁକ୍, ଟ୍ୱିଟର ଏବଂ ହ୍ୱାଟ୍ସ ଆପ୍‌ ଏକାଉଣ୍ଟ ଖୋଲିଛନ୍ତି, ତା’ହେଲେ କବିତା ଅବା ଗପଟିଏ ଲେଖି ସଙ୍ଗେ ସଙ୍ଗେ ପୋଷ୍ଟ୍ କରି ପାରିବେ। କବିତା ଅବା ଗପଟିଏ ଭଲ ହେଉ ଅବା ଖରାପ ସଙ୍ଗେ ସଙ୍ଗେ ପ୍ରକାଶିତ ହୋଇପାରିବ। ଏହାର ଆଉ ଏକ ଭଲ ଦିଗ ହେଉଛି ପାଠକପାଠିକାମାନେ ପଢ଼ି ସଙ୍ଗେ ସଙ୍ଗେ ମତାମତ ମଧ୍ୟ ଦିଅନ୍ତି। ତେଣୁ ପାଠକପାଠିକାଙ୍କ ସହ ସ୍ରଷ୍ଟାଙ୍କର ସିଧାସଳଖ ଯୋଗାଯୋଗ ସ୍ଥାପନ ହୋଇପାରେ। ହଁ, ଫେସ୍‌ବୁକ୍‌ ଭଳି ଟ୍ୱିଟରରେ ଆପଣ ଯେତେ ପାରି ସେତେ ଲେଖିପାରିବେ ନାହିଁ। ଫେସ୍‌ବୁକ୍‌ରେ ଲେଖିବା ପାଇଁ ଶବ୍ଦର ସଂଖ୍ୟା ଉପରେ କିଛି କଟକଣା ନାହିଁ। କିନ୍ତୁ ଟ୍ୱିଟରରେ ଯାହା ବି ଲେଖିବେ ୧୪୦ଟି କ୍ୟାରେକ୍ଟର ଭିତରେ ରହିବା ଆବଶ୍ୟକ। ତେବେ ଆବଶ୍ୟକ ସ୍ଥଳେ ଜଣେ କାଗଜରେ ଛୋଟ କବିତାଟିଏ ବା ଗପଟିଏ ଲେଖି ମୋବାଇଲରେ ତା’ର ଫଟୋ ଉଠାଇ ଟ୍ୱିଟରରେ ପୋଷ୍ଟ କରିପାରିବେ। ବେଳେ ବେଳେ ଜଣେ ଜଣେ ଏମିତି କରୁଥିବା ଦେଖିବାକୁ ମିଳେ।  ହ୍ୱାଟସ୍ ଆପ୍‌ରେ ମଧ୍ୟ ଶବ୍ଦ ଉପରେ କିଛି କଟକଣା ନାହିଁ।

ଯେଉଁମାନେ ଫେସ୍‌ବୁକ୍, ଟ୍ୱିଟର ଏବଂ ହ୍ୱାଟ୍ସ ଆପରେ ଅଭ୍ୟସ୍ତ ନୁହଁନ୍ତି, ସେମାନେ କହିପାରନ୍ତି ଯେ କେବଳ ଆଜିକାଲିକା ପିଲାଏ (ଲେଖାଲେଖିରେ ରୁଚି ରଖୁଥିବା) ହିଁ ଏହାକୁ ମାଧ୍ୟମ କରି ନେଇଛନ୍ତି। କିନ୍ତୁ ସେମିତି ନୁହେଁ। ମୁଁ ଏଠାରେ ଏହାର ଏକ ଉଦାହରଣ ଦେଉଛି। ଦୁଇ ବର୍ଷରୁ ଅଧିକ ସମୟ ହେଲା ଦଶ ବାର ଧାଡ଼ିର ଛୋଟ ଛୋଟ ଗପ ଲେଖି ଫେସ୍‌ବୁକ୍‌ରେ ପୋଷ୍ଟ୍ କରି ଆସୁଛନ୍ତି ଯୁବ ସାମ୍ୱାଦିକ ତଥା ଗାଳ୍ପିକ ପତିତପାବନ ସାହୁ। ଅନ୍ୟପକ୍ଷରେ ୧୭୦ରୁ ଅଧିକ ପୁସ୍ତକ ପ୍ରକାଶ କରି ସାରିଥିବା ତଥା ଦୁଇ ଥର ଜାତୀୟ ଶିଶୁ ସାହିତ୍ୟ ପୁରସ୍କାର ପାଇଥିବା କୃତ୍ତିବାସ ନାୟକ ନିୟମିତ ବ୍ୟବଧାନରେ ଫେସ୍‌ବୁକ୍‌ରେ ଦଶ ଅବା ବାର ଧାଡ଼ିର କବିତା ପୋଷ୍ଟ୍‌ କରନ୍ତି। ବେଳେ ବେଳେ ୧୪ ଧାଡ଼ିର କବିତା ବି ସେ ପୋଷ୍ଟ୍‌ କରନ୍ତି। ପତିତପାବନଙ୍କଠାରୁ ସେ ଅଧିକ ସକ୍ରିୟ ଫେସ୍‌ବୁକ୍‌ରେ ଲେଖା ପୋଷ୍ଟ୍‌ କରିବାରେ।

patitapabana
ଫେସ୍‌ବୁକ୍‌ରେ ପତିତପାବନଙ୍କ ଦ୍ୱାରା ପୋଷ୍ଟ୍ ହୋଇଥିବା ଏକ ଗପ

“ହିସାବ”,“ବଞ୍ଚିବାର ଫର୍ମୁଲା”, “ଖୁସି”, “ପୂଜା ଟ୍ରେଣ୍ଡ”, “ଶେଷରେ ଅନିମଶେ”, “ପ୍ରେମର ଭୂଗୋଳ”, “ବର୍ଷାର ଲୁହ”, “ଭିନ୍ନ ଜଣେ ସାବିତ୍ରୀ”, “ମୌସୁମୀ”,“ସ୍ୱାମୀ”, “ଅନିମେଶର ସ୍ୱେଟର”, “କଷ୍ଟ” ଓ “ଲୁହ” ଭଳି ଅନେକ ଗପ ଲେଖି କେବଳ ଫେସ୍‌ବୁକ୍‌ ପୃଷ୍ଠାରେ ପୋଷ୍ଟ୍‌ କରିଛନ୍ତି ପତିତପାବନ। ପ୍ରେମ, ପଣୟ ଓ ବିରହକୁ ନେଇ ଲିଖିତ ୧୦ରୁ ୧୨ ଧାଡ଼ିର ଏହି ଗପଗୁଡ଼ିକ ବେଶ ମନଛୁଆଁ। ୟାଙ୍କ ଗପଗୁଡ଼ିକରେ ଦୁଇଟି ମୁଖ୍ୟ ଚରିତ୍ରର ନାଁ ସମାନ। ଗୋଟିଏ ଅନିମେଶ ଓ ଅନ୍ୟଟି ଜାହ୍ନବୀ। ପ୍ରତି ଗପରେ ଏହି ନାଁ ଦୁଇଟି ଥିଲେ ହେଁ କାହାଣୀ ଓ ଚରିତ୍ରର ସ୍ୱଭାବ ଅଲଗା ଅଲଗା ଥାଏ।

ସେହିଭଳି କୃତ୍ତିବାସ ନାୟକ ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି କବିତା ପୋଷ୍ଟ୍ କରନ୍ତି କହିଲେ ଭୁଲ୍ ହେବ ନାହିଁ। ପ୍ରସଙ୍ଗ ଭିତ୍ତିକଠାରୁ ଆରମ୍ଭ କରି ବ୍ୟଙ୍ଗ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କବିତା ଲେଖନ୍ତି ସେ। ବିମୁଦ୍ରାକରଣ ପରେ ସେ ଏକ କବିତା ଲେଖି ଫେସ୍‌ବୁକ୍‌ରେ ପୋଷ୍ଟ୍ କରିଥିଲେ। ତାର ପ୍ରଥମ ଦୁଇ ଧାଡ଼ି ହେଉଛି- ଜାଲ୍ ଟଙ୍କା ସବୁ ଖତ ଖାଇ ଯିବ କଳା ଟଙ୍କା ହେବ ଧରା, ଜନସାଧାରଣ ପ୍ରଶଂସା କରନ୍ତି ହେଉ ପଛେ ଟାଣ ଖରା…’’। “ଦିବ୍ୟବାଣୀ” ଶୀର୍ଷକ ଏକ କବିତାକୁ ସେ ଫେସ୍‌ବୁକ୍‌ରେ ସିରିଜ୍ ଭାବେ ଲେଖିଛନ୍ତି।

ସୋସିଆଲ୍‌ ମିଡିଆରେ ଲେଖିବାର କାରଣ କ’ଣ ବୋଲି ପଚାରିବାରୁ ଭିନ୍ନ ଭିନ୍ନ ପିଢ଼ିର କୃତ୍ତିବାସ ନାୟକ ଓ ପତିତପାବନ ସାହୁ ସମାନ ମତାମତ ଦେଇଥିଲେ। ଉଭୟ କହିଥିଲେ,“ସୋସିଆଲ୍ ମିଡିଆରେ ପାଠକପାଠିକାଙ୍କ ସହ ସିଧାସଳଖ ସଂପର୍କ ସ୍ଥାପନ ହୋଇପାରୁଛି। ଗପଟିଏ ଅବା କବିତାଟିଏ ପୋଷ୍ଟ୍ କରିବା ପରେ ସଙ୍ଗେ ସଙ୍ଗେ ମତାମତ ମିଳିପାରୁଛି। ଜଣେ ଲେଖକ ପାଇଁ ପାଠକର ମତାମତ ସବୁଠୁ ବଡ଼ ପୁରସ୍କାର।’’

କୃତ୍ତିବାସ ନାୟକ କହିଥିଲେ,“୧୦୦ଟି ପୁସ୍ତକ ବିକ୍ରି ହେଲେ ଦୁଇ ତିନି ଜଣଙ୍କ ମତାମତ ମିଳିଥାଏ। କିନ୍ତୁ ଫେସ୍‌ବୁକ୍‌ରେ କବିତାଟିଏ ପୋଷ୍ଟ୍ କରିବା ମାତ୍ରେ ଦେଢ଼ ଶହରୁ ଦୁଇ ଶହ ମତାମତ ମିଳିଥାଏ।’’

ପତିତପାବନ କହିଛନ୍ତି,“କୌଣସି ପତ୍ରପତ୍ରିକାକୁ ମୁଁ ଗପ ପଠାଇବାକୁ ଆଗ୍ରହୀ ନୁହେଁ। ଯାହା ଲେଖିବି ଫେସ୍‌ବୁକ୍‌ରେ ପୋଷ୍ଟ କରିବି। ଏଠାରେ ମତାମତ ମିଳିପାରୁଛି। କେବଳ ପ୍ରଶଂସା ନୁହେଁ, ମୋ ଗପରେ ରହୁଥିବା ତ୍ରୁଟି ଓ ଦୁର୍ବଳତା ସଂପର୍କରେ ବି ମୋତେ ମତାମତ ମିଳିପାରୁଛି। ଏହା ମୋର ବେଶ କାମରେ ଲାଗୁଛି। ଆହୁରି ଭଲ ଲେଖିବାକୁ ପ୍ରେରଣା ଦେଉଛି।’’

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସୋସିଆଲ୍ ମିଡିଆ ଅନେକ ନୂଆ ଲେଖକ ସୃଷ୍ଟି କରିବାରେ ସହାୟକ ହୋଇଛି। ସୋସିଆଲ୍ ମିଡିଆରେ ଲେଖାଲେଖି କରି ଲେଖକର ପରିଚୟ ପାଇଥିବା କିଛି ଯୁବକଯୁବତୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମାନସ ପଢ଼ିଆରୀ। ପ୍ରାରମ୍ଭରେ ସେ ଗପ ଲେଖି ବିଭିନ୍ନ ପତ୍ରପତ୍ରିକାକୁ ପଠାଉ ଥିଲେ। କିନ୍ତୁ କୌଣସି ଥିରେ ତାଙ୍କ ଗପ ପ୍ରକାଶିତ ହେଉ ନ ଥିଲା। ତେଣୁ ସେ ଫେସ୍‌ବୁକ୍‌ରେ ଏକାଣ୍ଟ୍‌ ଖୋଲି ଲେଖିବା ଆରମ୍ଭ କଲେ। ଧୀରେ ଧୀରେ ଫେସ୍‌ବୁକ୍‌ରେ ତାଙ୍କ ଗଳ୍ପର ପାଠକପାଠିକାଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା। ପରେ ଏକ ଖବର କାଗଜରେ ଗପ ଲେଖିବା ପାଇଁ ତାଙ୍କୁ ସୁଯୋଗ ମିଳିଥିଲା। ଏଥିପାଇଁ ସେ ପାରିଶ୍ରମିକ ମଧ୍ୟ ପାଉଥିଲେ।  ସୋସିଆଲ୍‌ ମିଡିଆରେ ତାଙ୍କର ସୁନ୍ଦର ସୁନ୍ଦର ଛୋଟ ଛୋଟ ଗପ ତାଙ୍କୁ ଏକ ରେଡିଓ ଚ୍ୟାନେଲରେ ଚାକିରି କରିବାର ସୁଯୋଗ ମଧ୍ୟ ଦେଇଛି।

ସାହିତ୍ୟକୁ ନେଇ ଆଉ ଗୋଟିଏ କଥା ବି ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି। ପତ୍ରପତ୍ରିକାରେ ବାହାରୁ ଥିବା ଲେଖାଗୁଡ଼ିକର ଫଟୋ ଉଠାଇ ଲେଖକମାନେ ନିଜ ନିଜ ଫେସ୍‌ବୁକ୍‌ ଏକାଉଣ୍ଟରେ ପୋଷ୍ଟ୍‌ କରୁଛନ୍ତି। କହିବାକୁ ଗଲେ ଗୋଟିଏ କବିତା ବା ଗପକୁ ଦୁଇ ଥର ପ୍ରକାଶିତ କରିପାରୁଛନ୍ତି। ଫଳରେ ଉକ୍ତ ଲେଖକ ଫେସ୍‌ବୁକ୍‌ ବନ୍ଧୁମାନଙ୍କ ମଧ୍ୟରୁ ଯେଉଁମାନେ ସାହିତ୍ୟ ଅନୁରାଗୀ ହୋଇଥିବେ ଓ  ସଂପୃକ୍ତ ପତ୍ରପତ୍ରିକାରେ ତାଙ୍କର କବିତା ବା ଗପ ପଢ଼ି ପାରି ନ ଥିବେ ସେମାନେ ଖୁବ୍ ସହଜରେ ପଢ଼ିପାରିନ୍ତି। ଏଥିରେ ସଂପୃକ୍ତ ପତ୍ରପତ୍ରିକାର ବି ଅଭିଯୋଗ କରିବାର କିଛି ନ ଥାଏ। କାରଣ ଲେଖକମାନେ କେଉଁ ଖବରକାଗଜ ଅବା ପତ୍ରିକାରେ ତାଙ୍କର ଲେଖାଟି ପ୍ରକାଶିତ ହୋଇଛି ତାହା ଲେଖିବାକୁ ଭୁଲନ୍ତି ନାହିଁ। କିନ୍ତୁ ଗୋଟିଏ ସମ୍ବାଦପତ୍ର ବା ପତ୍ରିକାରେ କବିତା ବା ଗପଟିଏ ପ୍ରକାଶିତ ହେଲେ ଅନ୍ୟ ସମ୍ବାଦପତ୍ର ବା ପତ୍ରିକାରେ ସାଧାରଣତଃ ଆଉ ଛପେ ନାହିଁ। ଅମରେଶ ବିଶ୍ୱାଳ ପତ୍ରପତ୍ରିକାରେ ପ୍ରକାଶିତ ହେଉଥିବା ତାଙ୍କର ପ୍ରାୟ ସବୁ ଗଳ୍ପ ଓ କବିତାକୁ ଫେସ୍‌ବୁକ୍‌ରେ ପୋଷ୍ଟ୍‌ କରନ୍ତି। ଯୁବକବି ସନ୍ତୋଷ କୁମାର ବି ପତ୍ରପତ୍ରିକାରେ ପ୍ରକାଶିତ ହେଉଥିବା ତାଙ୍କର କବିତାଗୁଡ଼ିକୁ ଫେସ୍‌ବୁକ୍‌ରେ ପୋଷ୍ଟ୍ କରୁଥିବା ଦେଖାଯାଏ।

aa
ଫେସ୍‌ବୁକ୍‌ରେ ରମାକାନ୍ତ ମିଶ୍ରଙ୍କ ଦ୍ୱାରା ଲିଖିତ ଏକ କବିତା

ଫେସ୍‌ବୁକ୍‌ ବନ୍ଧୁମାନେ ଲେଖକଙ୍କ ଲେଖା ପଢ଼ି କେବଳ ଲାଇକ୍ ବା କମେଣ୍ଟ୍ ଦିଅନ୍ତି ନାହିଁ, ଅନେକ ସେୟାର ମଧ୍ୟ କରନ୍ତି। ତା’ର ମଧ୍ୟ ସୁଫଳ ରହିଛି। ଯେଉଁ ଲୋକମାନେ ଉକ୍ତ ଲେଖକ ଓ ତାଙ୍କ ବନ୍ଧୁଙ୍କର କମନ୍ ଫେସ୍‌ବୁକ୍ ଫ୍ରେଣ୍ଡ୍‌ ହୋଇ ନ ଥିବେ ସେମାନେ ବି ଉକ୍ତ ଲେଖାକୁ ପଢ଼ିବାର ସୁଯୋଗ ପାଆନ୍ତି।

ଫେସ୍‌ବୁକ୍‌ରେ ଏକାଧିକ ଲେଖକ ମିଶି ଗୋଟିଏ ଗୋଟିଏ ଗ୍ରୁପ୍ ଗଠନ କରିଛନ୍ତି। ଯେପରିକି ଓଡ଼ିଆ ରାଇଟର୍ସ ଗ୍ରୁପ୍, ଅନ୍ୱେଷା, କୋଣାର୍କ ସାହିତ୍ୟ ସଂସଦ, ହାସ୍ୟ କଥା ଘୂରେ ମଥା, କାବ୍ୟମୃତ, ମୋ ଲେଖା ମୋ କବିତା, ଦୁଷ୍ଟ ପ୍ରଜାପତି କବି ଓ କବି କବିତାକୁ ଭଲପାଆନ୍ତୁ। ଏ ସବୁ ଗ୍ରୁପ୍ ଅନ୍‌ଲାଇନ୍‌ ଖବର କାଗଜ ପୃଷ୍ଠା ପରି। ଲେଖକମାନେ ଏଥିରେ ସିଧାସଳଖ କିମ୍ବା ବେଳେବେଳେ ଆଡ୍‌ମିନ୍‌ଙ୍କ ଜରିଆରେ ଲେଖା ପୋଷ୍ଟ କରିପାରୁଛନ୍ତି। ଫଳରେ ଏ ପେଜ୍‌କୁ ଲାଇକ୍ କରିଥିବା ଶହ ଶହ ବ୍ୟକ୍ତି ଲେଖାଟି ପଢ଼ିପାରିବେ। କିଛି କିଛି ଫେସ୍‌ବୁକ୍ ଗ୍ରୁପ୍ ବାର୍ଷିକ ଉତ୍ସବ ବା ବନ୍ଧୁ ମିଳନ ମଧ୍ୟ କରିଥା’ନ୍ତି।

ହ୍ୱାଟ୍ସ ଆପ୍‌ରେ ମଧ୍ୟ ଏମିତିକା ଗ୍ରୁପ୍ ସବୁ ଅଛି, ଯେଉଁଥିରେ ସାହିତ୍ୟ ଚର୍ଚ୍ଚା ହୋଇଥାଏ। ସାହିତ୍ୟ ସଂପର୍କିତ ଖବର ଆଦି ଏହା ମାଧ୍ୟମରେ ସହଜରେ ଗ୍ରୁପ୍‌ର ସଦସ୍ୟମାନେ ଜାଣିପାରନ୍ତି। ଏମିତି କିଛି ଗ୍ରୁପ୍ ହେଉଛି- ଓଲ୍ଡ ବସ୍‌ଷ୍ଟାଣ୍ଡ ଖଟି ଗ୍ରୁପ୍, ଲିଟରେଚର୍ ଟାଇମ୍ ଓ କ୍ରିଏଟିଭ୍ ୱାର୍ଲଡ୍।

ଟ୍ୱିଟରରେ ସୀମିତ ଶବ୍ଦର ବ୍ୟବହାର ହେଉଥିଲେ ହେଁ ଏଥିରେ କବିଙ୍କ ସଂଖ୍ୟା କିଛି କମ୍ ନୁହେଁ। ଚାରି ଧାଡ଼ିର ଛୋଟ ଛୋଟ ଅଥଚ ଅତି ସୁନ୍ଦର ସୁନ୍ଦର କବିତା ପଢ଼ିବାକୁ ମିଳେ ଏହି ସୋସିଆଲ୍ ମିଡିଆରେ। “ମନ ନେଇଥିଲ ହୃଦୟ ଭାଙ୍ଗିଲ, ଆଉ କିବା ଅଛି ମୋ ପାଖରେ, ଜୀବନଟା କାହିଁ ଛାଡ଼ି ଦେଇଗଲ, ପ୍ରେମ ବିରହର ମଝିରେ।” ଏହି ଚାରିଧାଡ଼ି କବିତାକୁ ନିଜ ଟ୍ୱିଟର ପୃଷ୍ଠାରେ ପୋଷ୍ଟ୍ କରିଛନ୍ତି ଦେବସ୍ମିତା ତ୍ରିପାଠୀ। ଏମିତି ଅନେକ ଛୋଟ ଛୋଟ କବିତାକୁ ସେ ନିଜ ଟ୍ୱିଟର ପେଜ୍‌ରେ ପୋଷ୍ଟ୍ କରିଛନ୍ତି। କିଛି ଖବରକାଗଜରେ ବାହାରିଥିବା କବିତାକୁ ଫଟୋ ଉଠାଇ ମଧ୍ୟ ସେ ତାଙ୍କ ଟ୍ୱିଟର ପୃଷ୍ଠାରେ ପୋଷ୍ଟ୍ କରିଛନ୍ତି।

ବିଶ୍ୱଜିତ ମହାନ୍ତି ଓ ଶ୍ୱେତପଦ୍ମା ଶତପଥୀଙ୍କ ଭଳି ଆହୁରି ଅନେକ ନିଜ ଟ୍ୱିଟର ପୃଷ୍ଠାରେ ଚାରି ଧାଡ଼ିର ଛୋଟ ଛୋଟ କବିତା ଲେଖନ୍ତି। ସେମାନେ ପରସ୍ପରର କବିତାକୁ ରିଟ୍ୱିଟ୍ ମଧ୍ୟ କରୁଥିବା ଦେଖିବାକୁ ମିଳେ।

ନିଜର ପ୍ରଶଂସକମାନଙ୍କୁ ସୋସିଆଲ୍ ମିଡିଆ ଜରିଆରେ ସିଧାସଳଖ କବିତା ଶୁଣାଇବାର ଅପୂର୍ବ ସୁଯୋଗ ରହିଛି କବିମାନଙ୍କ ପାଖରେ। ମୋବାଇଲ୍‌ ସମ୍ମୁଖରେ କବିତା ଆବୃତ୍ତି କରି ତା’ର ଭିଡିଓକୁ ଫେସ୍‌ବୁକ୍‌ରେ ପୋଷ୍ଟ୍ କରିପାରିବେ କବିମାନେ। କେତେକ କବି ଏଭଳି କରୁଛନ୍ତି ମଧ୍ୟ। ସେମାନଙ୍କ ମଧ୍ୟରେ ଅଛନ୍ତି ଅମରେନ୍ଦ୍ର ମାଧବ ଦାଶ। ତାଙ୍କ ଫେସ୍‌ବୁକ୍ ଆକାଉଣ୍ଟକୁ ଯାଇ ଆପଣ ତାଙ୍କ କବିତାଗୁଡ଼ିକୁ ଶୁଣି ପାରିବେ।

ସୋସିଆଲ୍ ମିଡିଆରେ ଲେଖକମାନେ ସେମାନଙ୍କ ବହି ଉନ୍ମୋଚନ କରିପାରିବେ। ନିଜ ପୁସ୍ତକର ପ୍ରଚାରପ୍ରସାର ଦିଗରେ ଏହା ଏକ ବଢ଼ିଆ ମାଧ୍ୟମ। ଏ ସବୁ କରାଯାଉଛି ମଧ୍ୟ। ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ।

ପ୍ରଶ୍ନ ଉଠିପାରେ କେବଳ କବିତା ଅବା ଗପ କ’ଣ ସାହିତ୍ୟ? ଏହାକୁ ସିନା ଫେସ୍‌ବୁକ୍‌ରେ ପୋଷ୍ଟ୍ କରି ହେବ ଓ ପଢ଼ି ହେବ, କିନ୍ତୁ ଉପନ୍ୟାସଟିଏ କ’ଣ ଫେସ୍‌ବୁକ୍‌ରେ ପୋଷ୍ଟ୍ କରି ହେବ? ହୋଇପାରିବ। ଯେଉଁମାନେ ଉପନ୍ୟାସ ଲେଖିଛନ୍ତି କିନ୍ତୁ କେଉଁଠି ପ୍ରକାଶ କରିପାରି ନାହାନ୍ତି, ସେମାନେ ଚାହିଁଲେ ନିଜ ଫେସ୍‌ବୁକ୍‌ ପୃଷ୍ଠାରେ ପ୍ରତିଦିନ ଗୋଟିଏ ଲେଖାଏଁ ପୃଷ୍ଠା ପୋଷ୍ଟ୍ କରିପାରିବେ। ପ୍ରାରମ୍ଭ ଭଲ ଥିଲେ ପାଠକମାନେ ପରପୃଷ୍ଠାଗୁଡ଼ିକ ପାଇଁ ଅପେକ୍ଷା କରିବେ ନିଶ୍ଚୟ। ହୋଇପାରେ କେହି କେହି ପ୍ରକାଶକ ବି ଏହାକୁ ଛାପିବା ନେଇ ଆଗ୍ରହ ଦେଖାଇ ପାରନ୍ତି।

କେହି କେହି କହିପାରନ୍ତି ସୋସିଆଲ୍ ମିଡିଆର ସ୍ୱାଧୀନତା ଯୋଗୁଁ ଅନେକ ଖରାପ ଲେଖା ମଧ୍ୟ ପ୍ରକାଶ ପାଉଛି। କାରଣ ଯିଏ ଚାହୁଁଛି ସିଏ ଲେଖୁଛି। ଆମର ଯୁକ୍ତି ହେଉଛି ସମସ୍ତଙ୍କ ଭିତରେ କିଛି ନା କିଛି ଭାବନା ରହିଛି। ଯଦି ସୋସିଆଲ୍ ମିଡିଆ ସେମାନଙ୍କୁ ଲେଖିବାକୁ ଉତ୍ସାହିତ କରୁଛି ତା’ହେଲେ ସେମାନଙ୍କୁ ସ୍ୱାଗତ କରାଯାଉ। ଭଲ ଲେଖା ସହିତ ଖରାପ ଲେଖା ମଧ୍ୟ ଆସିବ। କିନ୍ତୁ ସମୟକ୍ରମେ ଖରାପ ଲେଖା ଆଉ ଆସିବ ନାହିଁ। ସେଗୁଡ଼ିକ ବଳେ ବଳେ ଦୂରେଇ ଯିବେ। ସେଇଟା ବଡ଼ କଥା ନୁହେଁ। ତେଣୁ ପ୍ରଥମେ ଅଧିକରୁ ଅଧିକ ଲେଖକ ଓ ପାଠକ ସୃଷ୍ଟି କରାଯାଉ। ଯଦି ସୋସିଆଲ୍ ମିଡିଆ ମାଧ୍ୟମରେ ଏହା ହୋଇପାରୁଛି, ତା’ହେଲେ ତାହାକୁ ଉତ୍ସାହିତ କରାଯାଉ। ଆଗାମୀ ଦିନରେ ସାହିତ୍ୟ କ୍ଷେତ୍ରରେ ସୋସିଆଲ୍ ମିଡିଆ ଏକ ବଡ଼ ଧରଣର ପରିବର୍ତ୍ତନ ନ ଆଣିବ ବୋଲି କି ନିର୍ଭରୋକ୍ତି ଅଛି?

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More