ବିଶ୍ୱ ମଶା ଦିବସ: ମହଙ୍ଗା ପଡ଼ିପାରେ ମଶା ମାରିବା ଉପାୟ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ବିଶ୍ୱ ମଶା ଦିବସ। ସେ ଗାଁ ହେଉ କି ସହର ଦୈନନ୍ଦିନ ଜୀବନରେ ମଶାଙ୍କ ଦାଉ ଅଳ୍ପ ବହୁତେ ସମସ୍ତେ ଭୋଗୁଛନ୍ତି। ଦିନକୁ ଦିନ ମଶାଙ୍କ ବଂଶ ବିସ୍ତାର ବୃଦ୍ଧି ପାଉଥିବା ବେଳେ ଏମାନଙ୍କ ଜନିତ ରୋଗ ବ୍ୟାଧି ମଧ୍ୟ ବଢ଼ିବାରେ ଲାଗିଛି। ଏକାଧିକ ଘାତକ ରୋଗର ବାହକ ହେଉଛି ମଶା। ଏଣୁ ଆମେ ସମସ୍ତେ ମଶା ଦାଉରୁ ନିଜକୁ ରକ୍ଷା କରିବାକୁ ବିଭିନ୍ନ ଉପାୟ ଆପଣାଇଥାଉ। ଏହି କ୍ରମରେ ବହୁ ଘାତକ ରାସାୟନିକ ପଦାର୍ଥ ମଶାକୁ ହଟାଇବା ପାଇଁ ଆମ ସାହାରା ହୋଇ ଜୀବନରେ ନିଜ ସ୍ଥାନ ଅକ୍ତିଆର କରିଛି।

mosqito

ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ବ୍ୟବହୃତ ମଶାରୀ ଏବେ ଆଉ ସେହି ମାତ୍ରାରେ ଚାହିଦା ଆଉ ନାହିଁ। ଏହାର ସ୍ଥାନ ମସ୍କିଟୋ ରିରପ୍ଲେଣ୍ଟ ଲିକ୍ୱିଡ୍ ମେସିନ୍, ମଶା ଧୂପକାଠି ତଥା କଏଲ୍ ନେଇସାରିଛନ୍ତି। କେତେକେ ମଶା ମାରିବାକୁ ବ୍ୟାଟେରି ଚାଳିତ ରାକେଟ୍ ବ୍ୟାଟ୍ ମଧ୍ୟ ବ୍ୟବହାର କରିଥାନ୍ତି। ଏଗୁଡ଼ିକର ଆଜିକାଲି ବେଶୀ ଚାହିଦା ରହିଛି।

ମଶା ହଟାଇବାକୁ ବା ମାରିବାକୁ ଏସବୁର ବ୍ୟବହାର କିନ୍ତୁ ପ୍ରତିକୂଳ ପ୍ରଭାବ ମଧ୍ୟ ପକାଇପାରେ। ଯଦିଓ ଲୋକେ ବନ୍ଦ କୋଠରୀରେ ମଶାଙ୍କ ପ୍ରକୋପରୁ ମୁକ୍ତି ପାଇବାକୁ ମସ୍କିଟୋ ରିପ୍ଲେଣ୍ଟ କିମ୍ବା ମଶା ଧୂପ ଜଳାଇ ଶାନ୍ତିର ନିଦ ଉପଭୋଗ କରିଥାନ୍ତି। ହେଲେ ପରଦିନ ସକାଳୁ ସେମାନେ ନିଦରୁ ଉଠିବା ପରେ ସତେଜ ଅନୁଭବ କରି ନ ଥାନ୍ତି। ଯଥେଷ୍ଟ ବିଶ୍ରାମ ନେବା ପରେ ମଧ୍ୟ ଆଖି ଜଳାପୋଡ଼ା କରିଥାଏ। ଅସୁସ୍ଥ ଅନୁଭବ ହେବା ସହ ମୁଣ୍ଡ ବୁଲାଇବା ଭଳି ଲକ୍ଷଣମାନ ଦେଖାଦେଇଥାଏ। ତେବେ ଆପଣଙ୍କୁ ଏହା ଜାଣିବା ଆବଶ୍ୟକ ଯେ, ଏ ସବୁ ଲକ୍ଷଣ ଦେଖାଯିବା ପଛରେ ଯଥେଷ୍ଟ ରାସାୟନିକ ପଦାର୍ଥଯୁକ୍ତ ମସ୍କିଟୋ ରିପ୍ଲେଣ୍ଟ ହିଁ କେବଳ କାରଣ।

mosquito

ଆମ ଦେଶରେ ଲୋକେ ପ୍ରାୟତଃ ଏହି ବିଷୟକୁ ଅଣଦେଖା କରିଦେଇଥାନ୍ତି। ଅନ୍ୟପଟେ ମସ୍କିଟୋ ରିପ୍ଲେଣ୍ଟରେ କେତେ ପ୍ରକାରର କ୍ଷତିକାରକ ରାସାୟନିକ ଦ୍ରବ୍ୟ ମିଶାଯାଇଥାଏ ସେନେଇ ଲୋକଙ୍କୁ ସ୍ପଷ୍ଟ ସୂଚନା ମଧ୍ୟ ଦିଆଯାଇ ନ ଥାଏ। କେବଳ ମସ୍କିଟୋ ରିପ୍ଲେଣ୍ଟ ନୁହେଁ, ଘରେ ବ୍ୟବହୃତ ଅନେକ କୀଟନାଶକ ସ୍ପ୍ରେ ଆଦିରେ ମଧ୍ୟ କ୍ଷତିକାରଣ ରାସାୟନିକ ଦ୍ରବ୍ୟର ମିଶ୍ରଣ ରହିଥାଏ, ଯାହାର ଦୀର୍ଘଦିନ ଧରି ବ୍ୟବହାର ଦ୍ୱାରା ଅନେକ କ୍ଷତି ହୋଇପାରେ।

ତେବେ ଅନ୍ୟ ଦେଶଗୁଡ଼ିକ ଏ ଦିଗରେ ଖୁବ୍ ସତର୍କ ବୋଲି ଜଣାପଡ଼ିଛି। କିଛି ବର୍ଷ ତଳେ ଆମେରିକା ଡ୍ୟୁକ୍ ୟୁନିଭର୍ସିଟିର ଫାର୍ମାକ୍ଲୋଜିଷ୍ଟ ମହମ୍ମଦ ଅବୁ ଡୋନିୟା ମସ୍କିଟୋ ରିପ୍ଲେଣ୍ଟ ନିର୍ମାଣରେ ବ୍ୟବହୃତ ରାସାୟନକୁ ମୂଷା ଉପରେ ପ୍ରୟୋଗ କରି ଗବେଷଣା କରିଥିଲେ। ସମାନ ରାସାୟନ ଦ୍ରବ୍ୟଗୁଡ଼ିକ ମୂଷାର ମସ୍ତିଷ୍କ କୋଷଗୁଡ଼ିକୁ ଅକ୍ଷମ କରିଦେଇଥିଲା। ମୂଷାଙ୍କ ବ୍ୟବହାର ଆକ୍ରମଣାତ୍ମକ ହୋଇଗଲା ଏବଂ ସେମାନଙ୍କ ତ୍ୱଚାରେ ଅନେକ ପ୍ରକାର ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଥିଲା।

mosqito

ଘରେ, ଅଫିସ ବା ଦୋକାନ-ବଜାରରେ ଯେପରି ମସ୍କିଟୋ ରିପ୍ଲେଣ୍ଟ ବ୍ୟବହାର କରାଯାଇଥାଏ। ଠିକ୍ ସେହିପରି ମୂଷା ଉପରେ ଏହାର ପ୍ରୟୋଗ କରାଯାଇଥିଲା। ଏହି ଅନୁଧ୍ୟାନ ରିପୋର୍ଟରେ ଅବୁ ଡୋନିୟା ଲେଖିଛନ୍ତି ଯେ, ଘରୋଇ କୀଟନାଶକ ବ୍ୟବହାରରୁ ମନୁଷ୍ୟମାନେ ନିବୃତ୍ତ ରହିବା ଭଲ। କାରଣ ଏହାର ବ୍ୟବହାର ଦ୍ୱାରା ମଣିଷର ମସ୍ତିଷ୍କ କୋଷଗୁଡ଼ିକ ନିଷ୍କ୍ରିୟ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି।

ଏଭଳି ସର୍ଭେ ରିପୋର୍ଟ ସାମ୍ନାକୁ ଆସିବା ପରେ ଆମେରିକା, କାନାଡା ଏବଂ ୟୁରୋପରେ ମସ୍କିଟୋ ରିପ୍ଲେଣ୍ଟ ସମେତ ଅନ୍ୟ ଘରୋଇ କୀଟନାଶକ ପଦାର୍ଥଗୁଡ଼ିକରେ ବ୍ୟବହୃତ ରାସାୟନିକ ଦ୍ରବ୍ୟର ପରିମାଣକୁ କମାଇବା ଲାଗି କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଦିଆଯାଇଛି। ସେଠାରେ ମସ୍କିଟୋ ରିପ୍ଲେଣ୍ଟ ଏବଂ ଅନ୍ୟ କୀଟନାଶକ ସ୍ପ୍ରେ ଇତ୍ୟାାଦିରେ ଶିଶୁ ଏବଂ ଗର୍ଭବତୀମାନେ ବ୍ୟବହାର ନ କରିବାକୁ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଥାଏ। ଏପରି କି ଦକ୍ଷିଣ କୋରିଆରେ କୀଟନାଶକର ବ୍ୟବହାରକୁ ଏକ ଷଡ଼ଯନ୍ତ୍ର ବୋଲି ମନେକରାଯାଏ। ସେଠାରେ ରସାୟନ ବିକ୍ରି କରୁଥିବା ଏକ କମ୍ପାନୀକୁ ବ୍ୟାନ୍ ମଧ୍ୟ କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।