Advertisment

'କଚାତିବୁ' ଦ୍ୱୀପ କଥା ଉଠାଇ କଂଗ୍ରେସକୁ ଘେରିଲେ ପ୍ରଧାନମନ୍ତ୍ରୀ

୧୯୭୪ ମସିହାରେ କଂଗ୍ରେସ ଶାସନ ସମୟରେ ଶ୍ରୀଲଙ୍କାକୁ ହସ୍ତାନ୍ତର ହୋଇଥିବା 'କଚାତିବୁ' ଦ୍ୱୀପ କଥା ଉଠାଇ ସୋଶାଲ ମିଡିଆ ପୋଷ୍ଟରେ କଂଗ୍ରେସକୁ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି...

author-image
Debibandita Barick
PM Modi

PM Modi

ନିର୍ବାଚନୀ ମାହୋଲ ମଧ୍ୟରେ ରାଷ୍ଟ୍ର ସ୍ୱାର୍ଥ ଉଠାଇ କଂଗ୍ରେସକୁ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁଣି 'କଚାତିବୁ' ଦ୍ୱୀପ କଥା ଉଠାଇ ସୋଶାଲ ମିଡିଆରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ। କଂଗ୍ରେସ ଭାରତର ଗୁରୁତ୍ୱପୂର୍ଣ୍ଣ ଦ୍ୱୀପ କଚାତିବୁକୁ ଶ୍ରୀଲଙ୍କା ହାତକୁ ଟେକି ଦେଇଛି, କଂଗ୍ରେସ ଦେଶର ଏକତା ଅଖଣ୍ଡତା ଓ ସ୍ୱାର୍ଥକୁ ଦୁର୍ବଳ କରୁଛି ବୋଲି ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟେର ଲେଖିଛନ୍ତି।

Advertisment

ସୂଚନା ଅଧିକାର(RTI) ପ୍ରକାଶ କରିଥିବା କିଛି ତଥ୍ୟକୁ ନେଇ କଂଗ୍ରେସକୁ ଘେରିଛନ୍ତି ପ୍ରଧାନମନ୍ତ୍ରୀ। RTI ତଥ୍ୟ ଅନୁସାରେ, ୧୯୭୪ ମସିହାରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଭାରତର 'କଚାତିବୁ' ଦ୍ୱୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରିଥିଲେ। ପୂର୍ବରୁ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗ ଉଠାଇ ଲୋକସଭାରେ କଂଗ୍ରେସକୁ ଘେରିଥିଲେ। ନିଜ ରାଜନୈନିକ ସ୍ୱାର୍ଥ ପାଇଁ କଂଗ୍ରେସ ଦେଶକୁ ୩ ଭାଗରେ ଭାଙ୍ଗି ଦେଇଥିବା କହିଥିଲେ ମୋଦି। 

ବର୍ତ୍ତମାନ ଏକ ଏକ୍ସ ପୋଷ୍ଟରେ ଏହାକୁ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ। ସେ ପୋଷ୍ଟରେ ଲେଖିଛନ୍ତି, "କଂଗ୍ରେସ ଅତି ନିର୍ଦ୍ଦୟ ଭାବରେ କଚାତିବୁକୁ ପରିତ୍ୟାଗ କରିଛି। ପ୍ରତ୍ୟେକ ଭାରତୀୟ ଏଥିପାଇଁ କ୍ଷୁବ୍ଧ, ଲୋକଙ୍କୁ ଲାଗୁଛି ଯେ, ଆମେ କଂଗ୍ରେସ ଉପରେ କେବେବି ବିଶ୍ୱାସ କରିପାରିବୁ ନାହିଁ! 75 ବର୍ଷ ଧରି କଂଗ୍ରେସ ଦେଶର ଏକତା ଅଖଣ୍ଡତା ଓ ସ୍ୱାର୍ଥକୁ ଦୁର୍ବଳ କରିଛି।"

Advertisment

'କଚାତିବୁ' ଦ୍ୱୀପ ବିବାଦ କ'ଣ?
ଭାରତ ପାଇଁ ବେଶ୍ ଗୁରୁତ୍ୱବହନ କରେ କଚାତିବୁ ଦ୍ୱୀପ। ଏହି ଦ୍ୱୀପକୁ ନେଇ ବିବାଦ ଆଜି କି କାଲିର ନୁହେଁ, ଦେଶ ସ୍ୱାଧୀନ ହେବା ପୂର୍ବରୁ ଏହି ଦ୍ୱୀପକୁ ଉଭୟ ଭାରତ ଓ ଶ୍ରୀଲଙ୍କା ନିଜର ବୋଲି ଦାବି କରିଛନ୍ତି। ବିଶେଷ ଭାବେ ରାମେଶ୍ୱରମ ଦ୍ୱୀପର ବେଶ୍ ନିକଟରେ ରହିଛି ଏହି ଦ୍ୱୀପ। ତେଣୁ ବର୍ଷ ବର୍ଷ ଧରି ଏଠାକୁ ଭାରତୀୟମାନେ ଯା'ଆସ କରନ୍ତି। 

ତାମିଲନାଡ଼ୁର ମତ୍ସଜୀବୀମାନେ ଏହା ଉପରେ ନିର୍ଭରଶୀଳ। ଦେଶ ସ୍ୱାଧୀନ ହେବା ପୂର୍ବରୁ ରାମନାଥ ସାମ୍ରାଜ୍ୟରେ ଥିଲା କଚାତିବୁ। ଏପରିକି ୧୯୨୧ ମସିହାରେ ଏହାକୁ ମାଡ୍ରାସ ପ୍ରେସିଡେନସି ଅଧିନରେ ରଖାଯାଇଥିଲା। ପରେ ପରେ ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ତେଜିବାରେ ଲାଗିଥିଲା। ତେବେ ୧୯୭୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଭାରତ-ଶ୍ରୀଲଙ୍କା ସୀମା ଚୁକ୍ତିରେ ଏହି ଦ୍ୱୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରିଥିଲେ।

ଭାରତୀୟ ମୁଖ୍ୟ ଭୂଖଣ୍ଡଠାରୁ ମାତ୍ର ୨୦ କିଲୋମିଟର ଦୂରରେ କଚାତିବୁ ଦ୍ୱୀପ ରହିଛି। ଏଠାରେ ବହୁ ସଂଖ୍ୟାରେ ତାମିଲ ଲୋକେ ବସବାସ କରନ୍ତି। ଆଜି ବି ମାଛ ଧରିବା ପାଇଁ ଏହାର ଆଖପାଖକୁ ଲୋକେ ଯାଆନ୍ତି। ହେଲେ ସବୁଠୁ ବଡ଼ ସମସ୍ୟା ହେଉଛି, ସମୁଦ୍ର ମଝିରେ କୌଣସି ନିର୍ଦ୍ଦିଷ୍ଟ ସୀମା ନଥିବାରୁ ବହୁ ସମୟରେ ମତ୍ସଜୀବୀମାନେ କଚାତିବୁକୁ ଚାଲି ଯାଆନ୍ତି। ଗଲା ୫ ବର୍ଷରେ ୬୦୦ରୁ ଅଧିକ ମତ୍ସଜୀବୀ ଅନୁପ୍ରବେଶ କରିଥିବା ଅଭିଯୋଗରେ ଶ୍ରୀଲଙ୍କାରେ ଗିରଫ ବି ହୋଇଛନ୍ତି।   

Katchatheevu Island PM Modi PM Modi Attack Congress India Sri Lanka Dispute