ପ୍ରଧାନମନ୍ତ୍ରୀଙ୍କୁ ଭୂରିଭୂରି ପ୍ରଶଂସା, ଗେରୁଆ ପ୍ରେମରେ ଗୁଲାମ୍!

ଶ୍ରୀନଗର: ବଢ଼ୁଛି କଂଗ୍ରେସରେ କନ୍ଦଳ। ୨୩ ହେବିଓ୍ୱେଟଙ୍କ ହାବଭାବ ବଢ଼ାଇଲା ସୋନିଆଙ୍କ ଟେନସନ। ପ୍ରଥମେ ଦିଲ୍ଲୀରୁ ଯାଇ କଶ୍ମୀରରେ ଗେରୁଆ ପଗଡ଼ି ପିନ୍ଧି ଶକ୍ତି ପ୍ରଦର୍ଶନ ଆଉ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍। ରବିବାର ଗୁଲାମ୍ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ମୋଦି ନିଜ ମୂଳ ସ୍ଥିତିକୁ ଭୁଲି ନାହାନ୍ତି। ଏବେ ବି ନିଜକୁ ‘ଚା […]

gulam-nabi-azad

gulam-nabi-azad

Subhransu Sekhar
  • Published: Sunday, 28 February 2021
  • Updated: 28 February 2021, 08:03 PM IST

ଶ୍ରୀନଗର: ବଢ଼ୁଛି କଂଗ୍ରେସରେ କନ୍ଦଳ। ୨୩ ହେବିଓ୍ୱେଟଙ୍କ ହାବଭାବ ବଢ଼ାଇଲା ସୋନିଆଙ୍କ ଟେନସନ। ପ୍ରଥମେ ଦିଲ୍ଲୀରୁ ଯାଇ କଶ୍ମୀରରେ ଗେରୁଆ ପଗଡ଼ି ପିନ୍ଧି ଶକ୍ତି ପ୍ରଦର୍ଶନ ଆଉ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍।

ରବିବାର ଗୁଲାମ୍ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ମୋଦି ନିଜ ମୂଳ ସ୍ଥିତିକୁ ଭୁଲି ନାହାନ୍ତି। ଏବେ ବି ନିଜକୁ 'ଚା ବାଲା' ବୋଲି କହୁଛନ୍ତି। ଜମ୍ମୁରେ ଗୁରୁଜର ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରିବା ବେଳେ ଗୁଲାମ ନବୀ ଆଜାଦ ଏହା କହିଛନ୍ତି।

ସେ କହିଛନ୍ତି, ମୋଦିଙ୍କଠାରୁ ଲୋକମାନେ ଅନେକ କିଛି ଶିଖିବା ଉଚିତ୍। ଯିଏ ପ୍ରଧାନମନ୍ତ୍ରୀ ହେବା ସତ୍ତ୍ୱେ ନିଜ ମୂଳ ସ୍ଥିତିକୁ ଭୁଲି ନାହାନ୍ତି। ଏବେ ସେ ଗର୍ବର ସହିତ ନିଜକୁ 'ଚା ବାଲା' ବୋଲି କୁହନ୍ତି। ଯଦିଓ ନରେନ୍ଦ୍ର ମୋଦିଙ୍କ ସହ ମୋର ରାଜନୀତିକ ମତଭେଦ ରହିଛି ହେଲେ ମୋଦି ଜଣେ ତୃଣମୂଳ ସ୍ତରର ବ୍ୟକ୍ତି।

ଆଜାଦ ଆହୁରି କହିଛନ୍ତି ଯେ ମୁଁ ଅନେକ ନେତାଙ୍କ ଅନେକ ଜିନିଷ ପସନ୍ଦ କରେ। ମୁଁ ଏବେ ଗାଁରେ। ଆଉ ଗାଁକୁ ନେଇ ଚିନ୍ତିତ। ଆମ ପ୍ରଧାନମନ୍ତ୍ରୀ ମଧ୍ୟ ଗାଁକୁ ନେଇ ଚିନ୍ତିତ। ରାଜନୀତିକ ଦୃଷ୍ଟିରୁ ଆମେ ସେମାନଙ୍କ ବିପକ୍ଷରେ, କିନ୍ତୁ ବାସ୍ତବତାକୁ ଲୁଚାନ୍ତି ନାହିଁ ମୋଦି।

ଅନ୍ୟପଟେ ଗତକାଲି ଗୁଲାମ ନବୀ, କପିଲ ସିବଲ, ମନୀଷ ତିଓ୍ୱାରୀ, ଭୁପେନ୍ଦ୍ର ସିଂହ ହୁଡ୍ଡାଙ୍କ ଭଳି ୨୩ ହେବିଓ୍ୱେଟ୍ ‘ଶାନ୍ତି ସମ୍ମିଳନୀ’ ଆଳରେ ଶକ୍ତି ପ୍ରଦର୍ଶନ କରିଥିଲେ। ଏହି ୨୩ ନେତା ସମସ୍ତ ଧର୍ମକୁ ସେମାନେ ସମ୍ମାନ କରନ୍ତି ବୋଲି କହିଥିଲେ। ଏଥିସହ ଏହି ସମ୍ମିଳନୀର ଅର୍ଥ କଂଗ୍ରେସ ବିରୋଧରେ ନୁହେଁ ବୋଲି କହିଥିଲେ ବରଂ ଦଳକୁ ଏକାଠି କରିବା ଉଦ୍ଦେଶ୍ୟ ବୋଲି କହିଥିଲେ।

[caption id="attachment_623142" align="aligncenter" width="650"] ଜମ୍ମୁରେ କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ମେଳି[/caption]

ହେଲେ ଏହି ସମୟରେ କପିଲ ସିବଲ ବଖାଣିଥିଲେ ଦଳ ଭିତରର ଗହନ କଥା। ଯାହାକୁ କଂଗ୍ରେସ ଗ୍ରହଣ କରିବାକୁ ନାରାଜ। ଏଥିସହ ଗୁଲାମଙ୍କୁ ଅଭିଜ୍ଞତାକୁ କଂଗ୍ରେସ ବ୍ୟବହାର କରିବାର ଆବଶ୍ୟକତା ଅଛି ବୋଲି କହିଥିଲେ। ତେବେ ବୈଠକରେ ଅନେକ ପ୍ରସଙ୍ଗରେ କେନ୍ଦ୍ରକୁ ମଧ୍ୟ ସମାଲୋଚନା କରିଥିଲେ।

ଆଉ ଏହାର ଜବାବ ଦେବାକୁ ଯାଇ ଅଭିଷେକ ମନୁ ସିଂହ ଭୀ ହିସାବ ଦେଇ କହିଥିଲେ କଂଗ୍ରେସ ଗୁଲାମଙ୍କୁ ବିଭିନ୍ନ ରାଜ୍ୟରେ ପର୍ଯ୍ୟବେକ୍ଷକ, ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ, କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ କରାଇଛି। ହେଲେ ଏତେ ପରେ ବି ଜମ୍ମୁରେ ଏକାଠି ହେବା ପରିବର୍ତ୍ତେ ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ଶ୍ରମ ଦେବାର ଆବଶ୍ୟକତା ରହିଛି।

ଗୁଲାମ ଜମ୍ମୁ କଶ୍ମୀର ବାବଦରେ ଅନେକ କିଛି କହିଥିଲେ। ଜମ୍ମୁ କଶ୍ମୀରର ବେକାରୀ ସମସ୍ୟା, ରାଜ୍ୟ ମାନ୍ୟତା ଦାବି, ଶିଳ୍ପ ଏବଂ ଶିକ୍ଷା ଆଦି ଭୁଶୁଡ଼ି ପଡ଼ିଛି। ସେହିପରି ଜିଏସଟି ଲାଗୁ ହେବା ନେଇ ସଂସଦରେ ସ୍ୱର ଉଠାଇଛନ୍ତି।

ସେ କହିଛନ୍ତି, ଅନେକ ବର୍ଷ ପରେ ବି ଆମେ ଏବେ ରାଜ୍ୟର ଅଂଶ ନୁହଁ। ଆମର ପରିଚୟ ହଜିଯାଇଛି। ରାଜ୍ୟର ମାନ୍ୟତା ପାଇବା ପାଇଁ ଆମ ସଂସଦ ଭିତରେ ଓ ବାହାରେ ସଂଗ୍ରାମ ଜାରି ରହିବ। ବିଜେପିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଜମ୍ମୁକୁ ରାଜ୍ୟର ମାନ୍ୟତା ମିଳିବ ବୋଲି ଘୋଷଣା କରିସାରିଛନ୍ତି। ହେଲେ ଗୁଲାମ ଧାରା ୩୭୦କୁ ପୁନଃ ଲାଗୁ କରିବା କଥା କହିନଥିଲେ। ଯାହାକି କଂଗ୍ରେସର ଏଜେଣ୍ଡା ରହିଛି।

ନିକଟରେ ଗୁଲାମ ନବୀ ଆଜାଦ ରାଜ୍ୟସଭା ଛାଡିଛନ୍ତି। ବିଦାୟ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ପ୍ରଶଂସା କରିଥିଲେ। ଏମିତିକି ଏକ ମୁହୂର୍ତ୍ତକୁ ମନେ ପକାଇବାକୁ ଯାଇ ମୋଦି ଭାବପ୍ରବଣ ହୋଇଥିଲେ।

ସୂଚନାଯୋଗ୍ୟ, ଏହି ୨୩ ନେତା ଗତବର୍ଷ ସୋନିଆଙ୍କୁ ଚିଠି ଲେଖି ଦଳରେ ଆମୁଳଚୁଳ ପରିବର୍ତ୍ତନ କରିବାକୁ ଦାବି କରିଥିଲେ। ନହେଲେ ସ୍ଥିତି ଆହୁରି ଖରାପ ହେବ ବୋଲି ସେ କହିଥିଲେ। ପରେ ଗୁଲାମଙ୍କ ସମେତ ଅନେକ ନେତା ଦଳରେ କୋଣଠେସା ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos