ବାଲି ମାଫିଆଙ୍କ ଫାର୍ମହାଉସକୁ ଯାଉଥିବା ପ୍ରଭାବଶାଳୀ ବିଜେଡି ନେତା କିଏ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବୁ ନୀତିନିୟମକୁ ଜଳାଞ୍ଜଳି ଦେଇ କୁଆଖାଇ ଓ କୁଶଭଦ୍ରା ନଦୀରୁ ବେଆଇନ ଭାବେ ବାଲିଖନନ ଓ ଚାଲାଣ ହେଉଛି । ଲିଜ୍ ସର୍ତ୍ତାବଳୀକୁ ଖୋଲାଖୋଲି ଉଲ୍ଲଘଂନ ହେଉଛି । ବାଲି ଉଠାଇବାକୁ ଲିଜ୍ ନେଇଥିବା ବ୍ୟକ୍ତିଙ୍କ ଫାର୍ମହାଉସକୁ ରାଜ୍ୟର ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ବିଜେଡି ନେତା ଯା’ଆସ କରୁଥିବାରୁ ସମ୍ପୃକ୍ତ ଲିଜଧାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ସମ୍ଭବପର ହୋଇପାରୁନି। ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବଢ଼ୁଛି, ସରକାର ତୁରନ୍ତ ରୋକ୍ ଲଗାନ୍ତୁ ନଚେତ୍ ପରିଣାମ ଭଲ […]

aparajitha

aparajitha

Ordigital Desk
  • Published: Friday, 19 August 2022
  • Updated: 19 August 2022, 09:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବୁ ନୀତିନିୟମକୁ ଜଳାଞ୍ଜଳି ଦେଇ କୁଆଖାଇ ଓ କୁଶଭଦ୍ରା ନଦୀରୁ ବେଆଇନ ଭାବେ ବାଲିଖନନ ଓ ଚାଲାଣ ହେଉଛି । ଲିଜ୍ ସର୍ତ୍ତାବଳୀକୁ ଖୋଲାଖୋଲି ଉଲ୍ଲଘଂନ ହେଉଛି । ବାଲି ଉଠାଇବାକୁ ଲିଜ୍ ନେଇଥିବା ବ୍ୟକ୍ତିଙ୍କ ଫାର୍ମହାଉସକୁ ରାଜ୍ୟର ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ବିଜେଡି ନେତା ଯା’ଆସ କରୁଥିବାରୁ ସମ୍ପୃକ୍ତ ଲିଜଧାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ସମ୍ଭବପର ହୋଇପାରୁନି।

ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବଢ଼ୁଛି, ସରକାର ତୁରନ୍ତ ରୋକ୍ ଲଗାନ୍ତୁ ନଚେତ୍ ପରିଣାମ ଭଲ ହେବନି । ଆଜି ଏଭଳି ଢଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ତେବେ ବେଆଇନ ଭାବେ ବାଲି ଖନନ କରୁଥିବା ଲିଜଧାରୀଙ୍କ ଫାର୍ମହାଉସକୁ ନିୟମିତ ଯାଉଥିବା ପ୍ରଭାବଶାଳୀ ବିଜେଡି ନେତା କିଏ ଓ ସେହି ଫାର୍ମହାଉସରେ ସମ୍ପୃକ୍ତ ବିଜେଡି ନେତା କ’ଣ କରନ୍ତି ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ଜୟଦେବ ନିର୍ବାଚନମଣ୍ଡଳୀର ବାଲିଅନ୍ତା ଓ ବାଲିପାଟଣାରେ କୁଆଖାଇ ଓ କୁଶଭଦ୍ରା ନଦୀରେ ବେଆଇନ ଭାବେ ବାଲି ଖନନ ଓ ଚାଲାଣ ହେଉଛି । ଏଥିରେ ବିଜେଡିର ଜଣେ ଅନ୍ତତଃ ପ୍ରଭାବଶାଳୀ ନେତାଙ୍କ ହାତ ରହିଛି । ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଭାବଶାଳୀ ନେତାଙ୍କ ଛତ୍ରଛାୟାରେ ରହି ଏଠାରୁ ହଜାର ହଜାର ଟନ୍ ବାଲି ଖନନ ଓ ଚାଲାଣ ହେଉଛି । ଦିନରାତି ସବୁବେଳେ ଏଠାରେ ଜେସିବି ଲଗାଇ ବାଲି ଖନନ ଓ ଚାଲାଣ କରାଯାଉଛି।

ଶ୍ରୀମତୀ ଷଡ଼ଙ୍ଗୀ ଏହି ବେଆଇନ ବାଲି ଖନନର ଫଟୋ ଓ ଭିଡିଓ ମଧ୍ୟ ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି । ଏହି ବେଆଇନ ବାଲି ଖନନ ସମ୍ପର୍କରେ ସେ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି । ପ୍ରମାଣସ୍ୱରୂପ ଫଟୋ ଓ ଭିଡିଓ ମଧ୍ୟ ଦେଇଛନ୍ତି । କିନ୍ତୁ ସମ୍ପୃକ୍ତ ବାଲିମାଫିଆଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରୁନି । ସମ୍ପୃକ୍ତ ବିଜେଡି ନେତାଙ୍କ ଛତ୍ରଛାୟାରେ ଲିଜଧାରୀ ମାସମାସ ଧରି ଏହି ବାଲି ଖନନ ଓ ଚାଲାଣ ଜାରି ରଖିଛନ୍ତି । ଏବେ ବନ୍ୟା ଜଳ ଆସିଥିବାରୁ ବାଲି ଖନନ ଓ ଚାଲାଣ ବନ୍ଦ ରହିଛି । ସେ ଗତକାଲି ମଧ୍ୟ ଏହି ସ୍ଥାନକୁ ଯାଇଥିଲେ ଓ ସ୍ଥାନୀୟ ଲୋକମାନେ ଏନେଇ ତାଙ୍କୁ ଅଭିଯୋଗ କରିଛନ୍ତି । ଲିଜ୍ ସର୍ତ୍ତାବଳୀ ଅନୁସାରେ ମେସିନ୍ କିମ୍ବା ଜେସିବି ଲଗାଇ ବାଲି ଖନନ କରାଯାଇ ପାରିବ ନାହିଁ । ସୂର୍ଯ୍ୟାସ୍ତ ପରେ ବାଲି ଉଠାଣ ହେବନି । କିନ୍ତୁ ଏସବୁକୁ ସମ୍ପୃକ୍ତ ଲିଜଧାରୀ ମାନୁନାହାନ୍ତି । ପ୍ରଭାବଶାଳୀ ବିଜେଡି ନେତାଙ୍କ ସମ୍ପୃକ୍ତି ଯୋଗୁ ଲିଜ୍‌ଧାରୀ ବେଆଇନ ବାଲି ଖନନ ଓ ଚାଲାଣ ଜାରି ରଖିଛନ୍ତି । ଯଦି ସରକାର ତୁରନ୍ତ ଏଥିରେ ରୋକ୍ ନଲଗାଇବେ ତା’ହେଲେ ପରିଣାମ ଭଲ ହେବ ନାହିଁ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ଚେତାବନୀ ଦେଇଛନ୍ତି।


ଅନ୍ୟପକ୍ଷରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଯେଉଁ ପ୍ରଭାବଶାଳୀ ବିଜେଡି ନେତାଙ୍କୁ ଇଙ୍ଗିତ କରୁଛନ୍ତି ସେ କିଏ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବାଲି ମାଫିଆଙ୍କ ଫାର୍ମହାଉସକୁ କାହିଁକି ନିୟମିତ ଭାବେ ଏହି ବିଜେଡି ନେତା ଯାଉଛନ୍ତି ଓ ସେଠାରେ ତାଙ୍କର କ’ଣ କାମ ତାହା ମଧ୍ୟ ରହସ୍ୟଘେରରେ । ବିଜେଡିର ଏହି ନେତାଜଣକ ନିଜକୁ ପ୍ରଭାବଶାଳୀ ବୋଲାଉଥିବାବେଳେ ବିବାଦୀୟ ବାଲି ଲିଜଧାରୀଙ୍କ ଫାର୍ମହାଉସରେ ଘଂଟା ଘଂଟା ବିତାଇବାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos