ଭଗବାନ ମୋତେ ହାତ ଗୋଡ଼ ଦେଲେନି...। ଇଏ ଦୁଃଖ ନା କ୍ଷୋଭ? ଏହାର ଉତ୍ତର ଖୋଜୁଛନ୍ତି ଦିବ୍ୟାଙ୍ଗ ଶୁଭଦ୍ରା। ସେପଟେ ନିଜର ହାତ ଗୋଡ଼ ନାହିଁ ବୋଲି ପୂଜା ପାର୍ବଣରେ ସାଙ୍ଗମାନେ ଡାକିଲେ ଯାଇପାରୁ ନାହାନ୍ତି। ଯିବାକୁ ମନ ଥିଲେ ମଧ୍ୟ ଅସହାୟତା ପ୍ରକାଶ କରନ୍ତି। ଆଉ ମନ ଭିତରେ ଉଠୁଥିବା କ୍ଷୋଭକୁ ବାପା-ମାଆଙ୍କ ପାଖରେ ପ୍ରକାଶ କରନ୍ତି। ଝିଅର ଅବୁଝା ମନକୁ ବୁଝାଇ ଦିଅନ୍ତି ଜନ୍ମଦାତ୍ରୀ। ବାପା ଓ ମାଆଙ୍କଠାରୁ ମିଳିଥିବା ଆଶ୍ୱାସନା ତାଙ୍କୁ ଆଗକୁ ବଢ଼ିବା ପାଇଁ ଦେଖାଇଛି ରାସ୍ତା।
କଟକ ଜିଲ୍ଲା କନ୍ଦରପୁର ପଞ୍ଚାୟତ ବମ୍ବୁରି ଗାଁର ବାବୁଲି ଭୋଇ ଓ ବେବୀ ଭୋଇଙ୍କ ଝିଅ ହେଉଛନ୍ତି ଶୁଭଦ୍ରା। ନା ଅଛି ହାତ ନା ଅଛି ଗୋଡ଼। ବିନା ହାତ ଓ ଗୋଡରେ କରି ପାରୁଛନ୍ତି ସବୁ କାର୍ଯ୍ୟ। ଘର ଅଗଣାରେ ଚିତା ପକାଉଛନ୍ତି। ଘର କାମ ମଧ୍ୟ କରିପାରୁଛନ୍ତି। ଭଲ ପାଠ ମଧ୍ୟ ପଢ଼ୁଛନ୍ତି। ଶୁଭଦ୍ରା ଏବେ ସିଦ୍ଧେଶ୍ୱରପୁର ଅଥଙ୍ଗା ସ୍ଥିତ ଚିନ୍ତାମଣି ସ୍ମୃତି ବାଳିକା ବିଦ୍ୟାପୀଠରେ ଦଶମ ଶ୍ରେଣୀ ପାଠ ପଢ଼ୁଛନ୍ତି। ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ଦେବେ। ୩ କିମି ଦୂରରେ ସ୍କୁଲ ଥିବାରୁ ପ୍ରତିଦିନ ବଡ଼ ଭଉଣୀଙ୍କ ସହିତ ଯାଉଛନ୍ତି। ଆଉ ସ୍କୁଲ ଛୁଟି ହେଲେ ସାଙ୍ଗଙ୍କ ସହିତ ଘରକୁ ଫେରୁଛନ୍ତି।
ଦିବ୍ୟାଙ୍ଗ ହେଲେ କ’ଣ ହେଲା ଶୁଭଦ୍ରାଙ୍କର ପାଠ ପଢ଼ିବାକୁ ଭାରି ଇଚ୍ଛା। ତାଙ୍କୁ କହିବାକୁ ପଡ଼ୁ ନାହିଁ। ସକାଳେ ଓ ସନ୍ଧ୍ୟା ବେଳେ ଘରେ ବାପା-ମାଆ ଥାଆନ୍ତୁ ବା ନଥାଆନ୍ତୁ ବସ୍ତାନୀ ଖୋଲି ପାଠ ପଢ଼ୁଛନ୍ତି। ପାଠ ପଢ଼ି ଜଣେ ଆଇଏଏସ୍ ଅଫିସର ହେବାକୁ ଲକ୍ଷ୍ୟ ରଖିଛନ୍ତି। ନିଜର ତଥା ନିଜ ବାପା ଓ ମାଆଙ୍କ ସ୍ୱପ୍ନ ସାକାର କରିବାର କରିବେ ବୋଲି ଶୁଭଦ୍ରା କହିଛନ୍ତି।
ଶୁଭଦ୍ରାଙ୍କ ବାପା ବାବୁଲି ଭୋଇ କହିଛନ୍ତି, ଆମେ ଗରିବ ଲୋକ। କାମ ଦାମ କଲେ ଘରେ ୮ ପ୍ରାଣୀ କୁଟୁମ୍ୱ ଚଳୁଛି। ଏପରିସ୍ଥିତିରେ ଶୁଭଦ୍ରା ପାଇଁ ଟ୍ରାଏ ସାଇକେଲ କେମିତି କିଣିବି? ମୋର କିଛି ଦରକାର ନାହିଁ। ସରକାର ତା’ର ସ୍କୁଲ ଯିବା ଆସିବାର ବ୍ୟବସ୍ଥା ଟିକେ କରିଦେଲେ ଭଲ ହୁଅନ୍ତା ବୋଲି ବାବୁଲ କହିଛନ୍ତି।
ଶୁଭଦ୍ରାଙ୍କୁ କେବଳ ପରିବାର ଲୋକ ନୁହେଁ ସ୍ଥାନୀୟ ବାସିନ୍ଦା ତଥା ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ସାଙ୍ଗ ପିଲା ସମସ୍ତେ ଢେର ଭଲ ପାଆନ୍ତି। କାରଣ ସେ ଖୁବ ସ୍ନେହି ଓ ମେଳାପି। ସେ ଜଣେ ଦିବ୍ୟାଙ୍ଗ ହୋଇଥିଲେ ସୁଦ୍ଧା କାହାରି ଉପରେ ସେ କେବେ ନିର୍ଭର କରନ୍ତିନାହିଁ। ବରଂ ନିଜେ ଆତ୍ମ ନିର୍ଭରଶୀଳ ହେଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସରକାରଙ୍କ ସାହାଯ୍ୟ ମିଳିଲେ ସେ ଭଲ ପାଠପଢି ନିଜ ବାପା ଓ ମାଆଙ୍କ ନାଁ ରଖି ପାରିବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ରିପୋର୍ଟ- କଟକରୁ ବିଶ୍ୱଜିତ ଆଚାର୍ଯ୍ୟ
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।