ପୂର୍ଣ୍ଣ ଦର୍ଶକ କ୍ଷମତାରେ ଖେଳାଯିବ ବାରବାଟୀ ଟି-୨୦

ନୂଆଦିଲ୍ଲୀ: ପୂର୍ଣ୍ଣ ଦର୍ଶକ କ୍ଷମତାରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌। ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ଉପରେ ରହିଥିବା ସମସ୍ତଙ୍କ କଟକଣାକୁ ଆଜି ବିସିସିଆଇ ହଟାଇ ଦେଇଛି। ଏହାର ଅର୍ଥ ବାରବାଟୀରେ ମଧ୍ୟ ପୂର୍ଣ୍ଣ ଦର୍ଶକ କ୍ଷମତାରେ ଅନୁଷ୍ଠିତ ହେବ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌। ଷ୍ଟାଡିୟମର ସିଟିଂ କ୍ଷମତା ଯେତିକି, ସେତିକି ସଂଖ୍ୟକ ଲୋକଙ୍କୁ ମ୍ୟାଚ୍‌ ଦେଖିବାକୁ ଅନୁମତି ମିଳିବ। ପୂର୍ବରୁ କରୋନା ପାଇଁ କଟଣକଣା ମଧ୍ୟରେ ଦର୍ଶକଙ୍କୁ ଷ୍ଟାଡିୟମକୁ ଛଡ଼ା ଯାଉଥିଲା। ଏବେ […]

bb

bb

Hemant Lenka
  • Published: Thursday, 19 May 2022
  • Updated: 19 May 2022, 04:50 PM IST

ନୂଆଦିଲ୍ଲୀ: ପୂର୍ଣ୍ଣ ଦର୍ଶକ କ୍ଷମତାରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌। ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ଉପରେ ରହିଥିବା ସମସ୍ତଙ୍କ କଟକଣାକୁ ଆଜି ବିସିସିଆଇ ହଟାଇ ଦେଇଛି। ଏହାର ଅର୍ଥ ବାରବାଟୀରେ ମଧ୍ୟ ପୂର୍ଣ୍ଣ ଦର୍ଶକ କ୍ଷମତାରେ ଅନୁଷ୍ଠିତ ହେବ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌।
ଷ୍ଟାଡିୟମର ସିଟିଂ କ୍ଷମତା ଯେତିକି, ସେତିକି ସଂଖ୍ୟକ ଲୋକଙ୍କୁ ମ୍ୟାଚ୍‌ ଦେଖିବାକୁ ଅନୁମତି ମିଳିବ।

ପୂର୍ବରୁ କରୋନା ପାଇଁ କଟଣକଣା ମଧ୍ୟରେ ଦର୍ଶକଙ୍କୁ ଷ୍ଟାଡିୟମକୁ ଛଡ଼ା ଯାଉଥିଲା। ଏବେ ସଂକ୍ରମଣ ହ୍ରାସ ପାଇଥିବାରୁ କ୍ରିକେଟ ପ୍ରେମୀମାନେ ନିଜ ପସନ୍ଦର ଖେଳାଳିଙ୍କୁ ସିଧାସଳଖ ମୈଦାନରେ ଦେଖିବାର ସୁଯୋଗ ପାଇବେ।

ଜୁନ୍‌ ୯ରୁ ୧୯ ଯାଏ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ ଦିଲ୍ଲୀରେ ଖେଳାଯିବାକୁ ଥିବା ବେଳେ ୧୨ ତାରିଖରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ବାରବାଟୀରେ ଅନୁଷ୍ଠିତ ହେବ। ଜୁନ୍‌ ୧୪ରେ ବିଶାଖାପଟନମରେ ତୃତୀୟ, ଜୁନ୍‌ ୧୭ରେ ଗୁଜରାଟରେ ୪ର୍ଥ ଓ ୫ମ ମ୍ୟାଚ୍‌ଟି ଜୁନ୍‌ ୧୯ରେ ବେଙ୍ଗାଲୁରୁରେ ଖେଳଯିବ।

ତେବେ ବାରବାଟୀରେ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ନେଇ ସାମାନ୍ୟ ବିବାଦ ଦେଖାଯାଇଛି। ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ଏଚଆରପିସି ନିକଟରେ ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ କରିଛନ୍ତି। ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ପରେ ହିଁ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବାରବାଟୀରେ ଏପର୍ଯ୍ୟନ୍ତ ମାତ୍ର ଦୁଇଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯାଇଛି। ୨୦୧୫ ଅକ୍ଟୋବର ୫ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା। ହେଲେ ଏହି ମ୍ୟାଚରେ ଭାରତ ଶୋଚନୀୟ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକା ନିକଟରୁ ୬ ୱିକେଟରେ ପରାସ୍ତ ହୋଇଥିଲା। ଏହା ପରେ ୨୦୧୭ ମସିହା ଡିସେମ୍ବର ୨୦ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରି ୯୩ ରନରେ ବିଜୟ ଲାଭ କରିଥିଲା। ଏବେ ବାରବାଟୀରେ ତୃତୀୟ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଖେଳାଯିବ।


ଆଇସିସି ଟି-୨୦ ବିଶ୍ୱକପ ପରେ ଦକ୍ଷିଣ ଆଫ୍ରିକା ପ୍ରଥମଥର ପାଇଁ କୌଣସି ଟି-୨୦ ସିରିଜ୍‌ ଖେଳିବାକୁ ଭାରତ ଆସୁଛି। ଚଳିତ ବର୍ଷ ଶେଷ ଭାଗରେ ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ସମାନ ପୁଲରେ ଦକ୍ଷିଣ ଆଫ୍ରିକା ଓ ଭାରତ ରହିଛନ୍ତି। ତେଣୁ ଉଭୟ ଦେଶ ପାଇଁ ଏହି ଟି-୨୦ ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos