ଧର୍ମଶାଳା: ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଆଜି ଧର୍ମଶାଳାରେ ଖେଳାଯାଇଥିବା ମ୍ୟାଚ୍ରେ ଇଂଲାଣ୍ଡଠାରୁ ୨ ୱିକେଟରେ ପରାଜିତ ହୋଇଛି ଭାରତ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ଏହା ଦ୍ୱିତୀୟ ପରାଜୟ। ପୂର୍ବରୁ ଭାରତ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ୨ ରନ୍ରେ ପରାଜିତ ହୋଇଥିଲା।
ଆଜିର ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ କରିଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୯୦ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମିଥାଲି ରାଜ୍ ୩୩ ବଲରୁ ୨୦ ରନ୍, ହରମନପ୍ରୀତ କୌର ୨୫ ବଲରୁ ୨୬ ଓ ଅନୁଜା ପାଟିଲ୍ ୧୩ ବଲରୁ ୧୩ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ଏଚ୍. ନାଇଟ୍ ୩ଟି, ଅନ୍ୟା ଶୁରୁବ୍ସୋଲେ ୨ଟି ଓ ଏନ୍. ସ୍କାଇଭର ଗୋଟିଏ ୱିକେଟ ନେଇଥିଲେ।
୯୧ ରନକୁ ପିଛା କରି ଇଂଲଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ପକ୍ଷରୁ ଟମ୍ମି ୧୮ ବଲରୁ ୨୦ ରନ୍, ଶାରାହ ଟେଲର ୧୧ ବଲରୁ ୧୬ ଓ ସ୍କାଇଭର ୨୪ ବଲରୁ ୧୯ ରନ୍ କରିଥିଲେ। ଭାରତ ପକ୍ଷରୁ ଏକତା ବିଷ୍ଟ ୪ଟି ଓ ହରମିନ୍ପ୍ରୀତ ୨ଟି ୱିକେଟ ନେଇଥିଲେ।
ଇଂଲଣ୍ଡର ବୋଲର ହତର ନାଇଟ୍କୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ପ୍ରଦାନ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।