ରେସଲର୍ ବବିତାଙ୍କ ଜମାତ୍ ଟ୍ୱିଟକୁ ନେଇ ହଙ୍ଗାମା, ଭିଡିଓ ଜରିଆରେ ଦେଲେ ଦୃଢ଼ ଜବାବ

ନୂଆଦିଲ୍ଲୀ: ଭାରତ ବର୍ତ୍ତମାନ କରୋନାଭାଇରସ୍ ଭଳି ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଛି, କିନ୍ତୁ ଏହା ମଧ୍ୟରେ ସୋଶାଲ ମିଡିଆରେ ଏକ ଟ୍ୱିଟ୍ ପାଇଁ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଭାରତର ଷ୍ଟାର୍ ରେସଲର୍ ବବିତା ଫୋଗାଟ୍ କିଛିଦିନ ତଳେ ତବଲିଗି ଜମାତକୁ ନେଇ ଏକ ଟ୍ୱିଟ୍ କରିଥିଲେ, ଯାହାକୁ ନେଇ ଖୁବ୍ ବିବାଦ ଦେଖା ଦେଇଛି। ଏବେ ସୋଶାଲ ମିଡିଆରେ ତାଙ୍କର ଟ୍ୱିଟର୍ ଆକାଉଣ୍ଟକୁ ସସପେଣ୍ଡ୍ କରିବା ନେଇ ଦାବି ଉଠୁଛି, ଯାହା ପରେ ବବିତା ଏକ […]

babita

babita

Ranjit Kumar Jena
  • Published: Friday, 17 April 2020
  • Updated: 17 April 2020, 06:11 PM IST

ନୂଆଦିଲ୍ଲୀ: ଭାରତ ବର୍ତ୍ତମାନ କରୋନାଭାଇରସ୍ ଭଳି ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଛି, କିନ୍ତୁ ଏହା ମଧ୍ୟରେ ସୋଶାଲ ମିଡିଆରେ ଏକ ଟ୍ୱିଟ୍ ପାଇଁ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଭାରତର ଷ୍ଟାର୍ ରେସଲର୍ ବବିତା ଫୋଗାଟ୍ କିଛିଦିନ ତଳେ ତବଲିଗି ଜମାତକୁ ନେଇ ଏକ ଟ୍ୱିଟ୍ କରିଥିଲେ, ଯାହାକୁ ନେଇ ଖୁବ୍ ବିବାଦ ଦେଖା ଦେଇଛି। ଏବେ ସୋଶାଲ ମିଡିଆରେ ତାଙ୍କର ଟ୍ୱିଟର୍ ଆକାଉଣ୍ଟକୁ ସସପେଣ୍ଡ୍ କରିବା ନେଇ ଦାବି ଉଠୁଛି, ଯାହା ପରେ ବବିତା ଏକ ଭିଡିଓ ପୋଷ୍ଟ କରି ଏହାର ଜବରଦସ୍ତ ଜବାବ ଦେଇଛନ୍ତି।

ଭିଡିଓରେ ବବିତା କହିଛନ୍ତି, ମୁଁ ଜାଏରା ୱାସିମ୍ ନୁହେଁ ଏବଂ ମୁଁ କୌଣସି ଧମକକୁ ଡରେ ନାହିଁ। ବବିତା ଗୁରୁବାର ତବଲିଗି ଜମାତ୍ ଉପରେ ଜୋରଦାର ଆକ୍ରମଣ କରିଥିଲେ। ନିଜ ଟ୍ୱିଟରେ ଯେ ଯେଉଁ ହ୍ୟାଶଟ୍ୟାଗ୍ ବ୍ୟବହାର କରିଥିଲେ, ତାହା ଖୁବ୍ ଭାଇରାଲ୍ ହୋଇଥିଲା। ଏହି ଟ୍ୱିଟ୍ ପରେ ତାଙ୍କୁ କିଛି ବିରୋଧ କରିଥିବା ବେଳେ ଅନେକ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ। ଦୁଇଟି ଯାକ ହ୍ୟାଶଟ୍ୟାଗ୍ ଶୁକ୍ରବାର ଟପ୍ ଟ୍ରେଣ୍ଡରେ ରହିଛି।

ବବିତା ଶୁକ୍ରବାର ଯେଉଁ ଭିଡିଓ ପୋଷ୍ଟ କରିଛନ୍ତି, ସେଥିରେ ସେ ସମ୍ପୂର୍ଣ୍ଣ ନୀର୍ଭିକତାର ସହ ସମାଲୋଚକଙ୍କୁ ଜବାବ ଦେଇଛନ୍ତି। ବବିତା କହିଛନ୍ତି, "ଦୁଇ ଦିନ ତଳେ ମୁଁ ଏକ ଟ୍ୱିଟ୍ ପୋଷ୍ଟ କରିଥିଲି, ଯାହା ପରେ ମୋତେ ଲଗାତର ଧମକ ମିଳୁଛି। କିଛି ଲୋକେ ସୋଶାଲ ମିଡିଆରେ ମୋତେ ଗାଳିଗୁଲଜ ମଧ୍ୟ କରୁଛନ୍ତି ଏବଂ କିଛି ଲୋକେ ମଧ୍ୟ ମୋତେ ଫୋନ୍ କରି ଧମକାଉଛନ୍ତି। ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ଯେ, କାନ ଖୋଲିକି ଗୋଟିଏ କଥା ଶୁଣି ରଖ ଯେ ମୁଁ ଜାଏରା ୱାସିମ୍ ନୁହେଁ, ଯିଏ ତୁମମାନଙ୍କ ଧମକରେ ଘରେ ବସିକି ରହିବି। ମୁଁ ତୁମମାନଙ୍କ ଧମକରେ ଆଦୌ ଭୟଭୀତ ହେବା ଝିଅ ନୁହେଁ। ମୁଁ ଅସଲ ବବିତା ଫୋଗାଟ୍।"


ବବିତା କହିଛନ୍ତି, "ମୁଁ ସର୍ବଦା ନିଜ ଦେଶ ପାଇଁ ଲଢ଼ିଛି ଏବଂ ଆଗକୁ ମଧ୍ୟ ଏହି ଲଢ଼େଇ ଜାରି ରଖିବି। ଆଉ ମୁଁ ଯେଉଁ ଟ୍ୱିଟ୍ କରିଛି, ସେଥିରେ କିଛି ବି ଭୁଲ ନାହିଁ। ମୁଁ ନିଜ ଟ୍ୱିଟ୍ ଉପରେ ଏବେବି କାଏମ୍ ଅଛି। କାରଣ ମୁଁ କେବଳ ସେହିମାନଙ୍କ କଥା କହିଛି, ଯେଉଁମାନେ କରୋନା ସଂକ୍ରମଣକୁ ବଢ଼ାଇଛନ୍ତି। ମୁଁ ଆପଣଙ୍କୁ ଗୋଟିଏ ପ୍ରଶ୍ନ କରିବାକୁ ଚାହୁଁଛି, କ'ଣ ତବଲିଗି ଜମାତ୍ ଏବେବି ନମ୍ବର-୧ରେ ନାହାନ୍ତି। କାରଣ ଯଦି ତବଲିଗି ଜମାତମାନେ କରୋନା ସଂକ୍ରମଣକୁ ବଢ଼ାଇ ନଥାନ୍ତେ, ତାହେଲେ ଏପର୍ଯ୍ୟନ୍ତ ଲକଡାଉନ୍ ଉଠିଯାଇଥାନ୍ତା ଏବଂ ଭାରତଠାରୁ କରୋନା ହାରିଯାଇଥାନ୍ତା।"

ବବିତା ଆହୁରି କହିଛନ୍ତି, "ଯେଉଁମାନଙ୍କୁ ସତ ଶୁଣିବାକୁ କଷ୍ଟ ହେଉଛି, ମୁଁ ସର୍ବଦା ସତ କହିବି ଏବଂ ସତ ଲେଖିବି। ଯଦି ଆପଣମାନେ ସତ ଶୁଣିବାକୁ ପସନ୍ଦ କରୁନାହାନ୍ତି, ତାହେଲେ ହୁଏତ ନିଜ ଅଭ୍ୟାସ ବଦଳାନ୍ତୁ, ନଚେତ୍ ସତ ଶୁଣିବାକୁ ପ୍ରସ୍ତୁତ ରୁହନ୍ତୁ।"


ସୂଚନାଯୋଗ୍ୟ, ଅର୍ଜୁନ ପୁରସ୍କାର ବିଜେତା ୩୦ ବର୍ଷୀୟା ବବିତା ନିଜ ଟ୍ୱିଟର୍ ଆକାଉଣ୍ଟରେ ପୋଷ୍ଟ କରିଥିଲେ, କରୋନାଭାଇରସ୍ ଭାରତର ଦ୍ୱିତୀୟ ବଡ଼ ସମସ୍ୟା। ଜମାତ୍ ଏବେବି ପ୍ରଥମ ସ୍ଥାନରେ କାଏମ ରହିଛି। ବବିତାଙ୍କ ଏହି ଟ୍ୱିଟ୍ ପରେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି ହୋଇଥିଲା। ବବିତାଙ୍କ ଏହି ଟ୍ୱିଟକୁ ଭାରତର ଅନେକ କ୍ରୀଡ଼ାବିତ୍ ସମର୍ଥନ କରିଥିଲେ। ଭାରତର ଷ୍ଟାର୍ ରେସଲର୍ ବଜରଙ୍ଗ ପୁନିଆ, ଯୋଗେଶ୍ୱର ଦତ୍ତ, ଯୁବ ଶୁଟର୍ ମନୁ ଭାକର, ବବିତାଙ୍କ ବଡ଼ ଭଉଣୀ ଗୀତା ଫୋଗାଟ୍ ସମର୍ଥନ କରିଛନ୍ତି।

କିଏ ଜାଏରା ୱାସିମ୍‌?: କଶ୍ମୀରର ବାସିନ୍ଦା ଜାଏରା ୱାସିମ୍ ୨୦୧୬ରେ ଆମୀର ଖାନ୍ ଫିଲ୍ମ ଦଙ୍ଗଲରେ ଗୀତା ଫୋଗାଟଙ୍କ ପିଲାଦିନର ଚରିତ୍ରରେ ଅଭିନୟ କରିଥିଲେ। ତେବେ ସେ ହଠାତ୍ ଅଭିନୟ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ସେ କହିଥିଲେ, "ଅଭିନୟ କ୍ଷେତ୍ରକୁ ଆସିବାର ନିଷ୍ପତ୍ତି ମୋ ଜୀବନକୁ ବଦଳାଇ ଦେଲା। ମୋତେ ଏଥିପାଇଁ ବହୁତ ସାରା ଭଲପାଇବା ଏବଂ ଖ୍ୟାତି ମିଳିଲା। ତେବେ ମୋତେ ଏସବୁ ମିଳିବାର ଆବଶ୍ୟକ ନଥିଲା। ହୁଏତ ମୁଁ ଫିଟ୍ ଅଛି, କିନ୍ତୁ ମୁଁ ଏଠାକାର ନୁହେଁ। ଏହା ମୋତେ ମୋ ଧର୍ମଠାରୁ ଦୂରେଇ ଦେଉଛି।" ଜାଏରା ଧାର୍ମିକ ଚାପରେ ଆସି ଆକ୍ଟିଂ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଥିଲା। କିଛି ଲୋକେ ମଧ୍ୟ ଏଥିପାଇଁ ଜାଏରାଙ୍କୁ ଖୁବ୍ ବିରୋଧ ମଧ୍ୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos