ଇନ୍ଦୋରରେ ଟିମ୍ ଇଣ୍ଡିଆର ଇନିଂସ୍ ବିଜୟ

ଇନ୍ଦୋର: ଏଠାରେ ଚାଲିଥିବା ଭାରତ ଓ ବାଂଲାଦେଶ ପ୍ରଥମ ଟେଷ୍ଟ ମାତ୍ର ଅଢ଼େଇ ଦିନରେ ଶେଷ ହୋଇଛି। ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନକୁ ଆଧାର କରି ବିରାଟ୍ ବ୍ରିଗେଡ୍ ବାଂଲାଦେଶକୁ ଇନିଂସ୍ ଓ ୧୩୦ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ନଭେମ୍ବର ୨୨ ତାରିଖରୁ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଆରମ୍ଭ ହେବ। ଇଡେନରେ ଭାରତ ତା’ର ପ୍ରଥମ ଦିବାରାତ୍ର […]

india

india

Ranjit Kumar Jena
  • Published: Saturday, 16 November 2019
  • Updated: 16 November 2019, 04:15 PM IST

Sports

Latest News

ଇନ୍ଦୋର: ଏଠାରେ ଚାଲିଥିବା ଭାରତ ଓ ବାଂଲାଦେଶ ପ୍ରଥମ ଟେଷ୍ଟ ମାତ୍ର ଅଢ଼େଇ ଦିନରେ ଶେଷ ହୋଇଛି। ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନକୁ ଆଧାର କରି ବିରାଟ୍ ବ୍ରିଗେଡ୍ ବାଂଲାଦେଶକୁ ଇନିଂସ୍ ଓ ୧୩୦ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ନଭେମ୍ବର ୨୨ ତାରିଖରୁ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଆରମ୍ଭ ହେବ। ଇଡେନରେ ଭାରତ ତା'ର ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବ। ଏହା ପୂର୍ବରୁ ଭାରତୀୟ ବୋଲର ଓ ବ୍ୟାଟ୍ସମ୍ୟାନମାନେ ଦମଦାର ପ୍ରଦର୍ଶନ କରି ଦିବାରାତ୍ର ଟେଷ୍ଟ ପାଇଁ ଭଲ ପ୍ରସ୍ତୁତି କରିଛନ୍ତି।

ବାଂଲାଦେଶର ପ୍ରଥମ ଇନିଂସ୍ ସ୍କୋର ୧୫୦ ରନ୍ ଜବାବରେ ଭାରତ ୬ ୱିକେଟ୍ ହରାଇ ୪୯୩ ରନ୍ କରି ପାଳି ଘୋଷଣା କରିଥିଲା। ଦ୍ୱିତୀୟ ଇନିଂସରେ ମୁଶଫିକର ରହିମ (୬୪) ଙ୍କୁ ଛାଡ଼ି ଦେଲେ ବାଂଲାଦେଶର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠିପାରିନଥିଲେ। ଯାହା ଫଳରେ ଭ୍ରମଣକାରୀ ଟିମ୍ ଦ୍ୱିତୀୟ ଇନିଂସରେ ୨୧୩ ରନ୍ କରି ଅଲଆଉଟ୍ ହୋଇଛି। ଭାରତର ସଫଳ ବୋଲର ଭାବେ ମହମ୍ମଦ ଶାମି ୩୧ ରନ୍ ଦେଇ ୪ଟି ୱିକେଟ୍ ନେଇଛନ୍ତି। କ୍ୟାରିୟରର ଦ୍ୱିତୀୟ ଦ୍ୱିଶତକ ମାରିଥିବା ମୟଙ୍କ ଅଗ୍ରୱାଲ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଶନିବାର ତୃତୀୟ ଦିବସରେ ଭାରତ ତା'ର ପୂର୍ବଦିନର ସ୍କୋର ୪୯୩/୬ ରନରେ ପ୍ରଥମ ଇନିଂସ୍ ଘୋଷଣା କରିଥିଲା। ୩୪୩ ରନରେ ପଛୁଆ ଥିବା ବାଂଲାଦେଶୀ ବ୍ୟାଟ୍ସମ୍ୟାନ୍ ପୁଣିଥରେ ଭାରତୀୟ ବୋଲରଙ୍କ ଆଗରେ ମୁଣ୍ଡ ନୁଆଁଇଥିଲେ । ଓପନିଂ ବ୍ୟାଟ୍ସମ୍ୟାନ୍ ଇମରୁଲ୍ କାୟେସ୍ (୬)ଙ୍କୁ ଉମେଶ ଯାଦବ କ୍ଲିନ୍ ବୋଲ୍ଡ କରିଥିବା ବେଳେ ଶାଦମାନ୍ ଇସଲାମ୍ (୬)ଙ୍କୁ ଈଶାନ୍ତ ଶର୍ମା ବୋଲ୍ଡ କରିଥିଲେ। କ୍ୟାପଟେନ୍ ମୋମିନୁଲ୍ ହକ୍ (୭) ପୁଣିଥରେ ନିରାଶ କରିଥିଲେ । ତାଙ୍କୁ ମହମ୍ମଦ ଶାମି ଏଲବିଡବ୍ଲ୍ୟୁ ଆଉଟ୍ କରି ଭାରତକୁ ତୃତୀୟ ସଫଳତା ଦେଇଥିଲେ।

ମଧ୍ୟକ୍ରମରେ ମହମ୍ମଦ ମିଥୁନ୍ (୧୮) ଓ ମହମଦୁଲ୍ଲା (୧୫)ଙ୍କଠାରୁ ବଡ଼ ଇନିଂସ୍ ଆଶା କରାଯାଉଥିଲେ ହେଁ, ଦୁହେଁ ଏଥିରେ ବିଫଳ ରହିଥିଲେ। ଫଳରେ ଭ୍ରମଣକାରୀ ଦଳ ତା'ର ଅଧା ବ୍ୟାଟ୍ସମ୍ୟାନଙ୍କୁ ୭୨ ରନ୍ ଭିତରେ ହରାଇ ସଙ୍କଟରେ ପଡ଼ିଥିଲା। ସପ୍ତମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ୱିକେଟକିପର ବ୍ୟାଟ୍ସମ୍ୟାନ୍ ଲିଟନ୍ ଦାସ ଆକ୍ରମଣାତ୍ମକ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ଉପରେ ଚାପ ପକାଇବାକୁ ପ୍ରୟାସ କରିଥିଲେ। ସେ ରହିମଙ୍କ ସହ ମିଶି ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ଦୁହିଁଙ୍କ ମଧ୍ୟରେ ଭଲ ପାର୍ଟରନଶିପ୍ ହୋଇଆସୁଥିବା ବେଳେ ଭାରତର ସବୁଠାରୁ ଅଭିଜ୍ଞ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଲିଟନଙ୍କୁ ଆଉଟ୍ କରି ଏହି ସେଟ୍ ଯୋଡ଼ିକୁ ଭାଙ୍ଗିଥିଲେ। ଲିଟନ୍ ୩୯ ବଲରେ ୬ ଚୌକା ସହ ୩୫ ରନର ଇନିଂସ୍ ଖେଳିଥିଲେ।

ଏହା ପରେ ରହିମ୍ ଓ ମେହିଦୀ ହାସନ୍ ମିରାଜ ସପ୍ତମ ୱିକେଟ୍ ପାଇଁ ୫୯ ରନର ଭାଗୀଦାରୀ କରିଥିଲେ ହେଁ, ତାହା ଯଥେଷ୍ଟ ନଥିଲା। ମେହିଦୀଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସରେ ବ୍ରେକ୍ ଲଗାଇଥିଲେ ଉମେଶ ଯାଦବ। ସେ ୩୮ ରନ୍ କରି ଋଦ୍ଧିମାନ ସାହାଙ୍କୁ କ୍ୟାଚ୍ ଦେଇ ବସିଥିଲେ। ରହିମ୍ ଅର୍ଦ୍ଧଶତକ ମାରିଥିବା ବେଳେ ତାଙ୍କୁ ଅନ୍ୟପଟୁ ସହଯୋଗ ମିଳିନଥିଲା। ଦଳର ସ୍କୋର ୨୦୮ ଥିବା ବେଳେ ରହିମଙ୍କୁ ଅଶ୍ୱିନ୍ ପ୍ୟାଭିଲିୟନ୍ ପଠାଇ ବାଂଲାଦେଶର ଆଶା ଧୂଳିସାତ୍ କରିଦେଇଥିଲେ। ରହିମ୍ ନିଜର ଅର୍ଦ୍ଧଶତକୀୟ ଇନିଂସ୍ ମଧ୍ୟରେ ୧୫୦ ବଲରେ ୭ ଚୌକା ମାରିଥିଲେ। ତାଇଜୁଲ୍ ଇସଲାମ୍ ୬ ରନ୍ କରି ଆଉଟ୍ ହୋଇଥିବା ବେଳେ ଅନ୍ତିମ ୱିକେଟ୍ ଭାବେ ଇବାଦତ୍ ହୁସେନ୍ (୧)ଙ୍କୁ ଅଶ୍ୱିନ୍ ନିଜର ଶିକାର ବନାଇଥିଲେ। ଭାରତର ଅନ୍ୟ ବୋଲରଙ୍କ ମଧ୍ୟରେ ଅଶ୍ୱିନ୍ ୪୨ ରନ୍ ଦେଇ ୩ଟି, ଉମେଶ ୫୧ ରନ୍ ଦେଇ ୨ଟି ଓ ଈଶାନ୍ତ ଗୋଟିଏ ୱିକେଟ୍ ହାସଲ କରିଥିଲେ।

ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ପ୍ରଥମ ଇନିଂସ୍ ୧୫୦
ଭାରତ ପ୍ରଥମ ଇନିଂସ୍ ୪୯୩/୬ (ଘୋଷିତ)
ବାଂଲାଦେଶ ଦ୍ୱିତୀୟ ଇନିଂସ୍ ୨୧୩ (ମୁଶଫିକର୍ ରହିମ୍ ୬୪, ମେହିଦୀ ହାସନ୍ ମିରାଜ ୩୮, ଲିଟନ୍ ଦାସ ୩୫, ମହମ୍ମଦ ମିଥୁନ୍ ୧୮, ମହମଦୁଲ୍ଲା ୧୫, ମହମ୍ମଦ ଶାମି ୪/୩୧, ରବିଚନ୍ଦ୍ରନ୍ ଅଶ୍ୱିନ୍ ୩/୪୨, ଉମେଶ ଯାଦବ ୨/୫୧)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos