ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ତୃତୀୟ ଥର ପାଇଁ ସମ୍ମାନଜନକ ମାରୁତୀ ସୁଜୁକି ଇଏସପିଏନ୍ କ୍ରିକ୍ଇନ୍ଫୋ ପୁରସ୍କାର ଜିତିଛନ୍ତି। ସେହିପରି ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରାଣ୍ଡନ୍ ମ୍ୟାକ୍କୁଲମ୍ ‘କ୍ୟାପ୍ଟେନ୍ ଅଫ୍ ଦି ଇୟର’ ପୁରସ୍କାର ହାତେଇଛନ୍ତି। ୨୦୧୫ ବର୍ଷରେ କ୍ରିକେଟର ୩ଟି ଫର୍ମାଟରେ ଉତ୍କର୍ଷତା ଲାଭ କରିଥିବା କ୍ରିକେଟରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।
ରୋହିତ ୨୦୧୩ରେ ଦ୍ୱିଶତକ ମାରି ଏହି ପୁରସ୍କାର ହାତେଇଥିଲେ। ୨୦୧୪ରେ ‘ଟି-ଟ୍ୱେଣ୍ଟି ଇନିଂସ ଅଫ୍ ଦି ଇୟର’ ହୋଇଥିଲେ।
ଧର୍ମଶାଳାରେ ଦକ୍ଷିଣଆଫ୍ରିକା ବିପକ୍ଷରେ ୧୦୬ ରନ କରି ଜୁରିଙ୍କ ଦୃଷ୍ଟିକୁ ଆସିଥିଲେ ସେ। ଜୁରି ପ୍ୟାନେଲ୍ରେ ଥିବା ପୂର୍ବତନ ଅନ୍ତର୍ଜାତୀୟ ଅଧିନାୟକ ଇଆନ୍ ଚାପେଲ୍, ସି. ୱାଲ୍ସ, ଜନ ରାଇଟ୍ ଓ ମହେଲା ଜୟବର୍ଦ୍ଧନେ ଏହାକୁ ରୋହିତଙ୍କ ସବୁଠୁ ଭଲ ବ୍ୟାଟିଂ ପ୍ରଦର୍ଶନ ବୋଲି ଦର୍ଶାଇଥିଲେ।
ଅନ୍ୟପକ୍ଷରେ ମ୍ୟାକକୁଲମ୍ ଚଳିତବର୍ଷ ଟେଷ୍ଟରେ ଦ୍ରୁତତମ ଶତକ ହାସଲ କରି ଭିଭି ରିଚାର୍ଡଙ୍କ ୩୦ ବର୍ଷର ରେକର୍ଡକୁ ଭାଙ୍ଗିଛନ୍ତି। ଏହାସହ ତାଙ୍କ ନେତୃତ୍ୱରେ ଦଳ ଆଇସିସି ବିଶ୍ୱକପ୍ ଫାଇନାଲକୁ ମଧ୍ୟ ଯାଇଥିବାରୁ ସେ ‘କ୍ୟାପ୍ଟେନ୍ ଅଫ୍ ଦି ଇୟର’ ହୋଇଛନ୍ତି।
ଇଂଲଣ୍ଡର ଫାଷ୍ଟ ବୋଲର ଷ୍ଟୁଆର୍ଡ ବ୍ରୋଡ ‘ବେଷ୍ଟ ଟେଷ୍ଟ ବୋଲର’ ପୁରସ୍କାର ଜିତିଛନ୍ତି। ଏହାସହ ‘ବେଷ୍ଟ ଟେଷ୍ଟ ଇନିଂସ’ ପୁରସ୍କାର ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମ୍ସନ୍ ଜିତିଛନ୍ତି। ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି ଭିଲର ‘ଓଡିଆଇ ଇନିଂସ ଅଫ୍ ଦି ଇୟର ଆୱାର୍ଡ’ ହାତେଇଛନ୍ତି। ସେହିପରି ଟିମ୍ ସାଉଥୀ ‘ଓଡିଆଇ ବେଷ୍ଟ ବୋଲର’ ପୁରସ୍କାର ଜିତିଥିବା ବେଳେ ଡେଭିଡ୍ ୱେସୀ ଟି-୨୦ରେ ‘ବେଷ୍ଟ ବୋଲର’ ପୁରସ୍କାର ଜିତିଛନ୍ତି। ଏମ୍. ରେହମାନ୍ ଓଡିଆଇରେ ‘ବେଷ୍ଟ ଡେବ୍ୟୁଟାଣ୍ଟ ବୋଲର’ ପୁରସ୍କାର ଜିତିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।