କୋଲକାତା: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଯେତେବେଳେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଆଗରେ ଦିବାରାତ୍ର ଟେଷ୍ଟ ମ୍ୟାଚର ପ୍ରସ୍ତାବ ରଖିଲେ। ଏହା ଉପରେ ବିଚାର କରିବା ପାଇଁ ବାଂଲାଦେଶ ସମୟ ମାଗିଥିଲା। ଯେତେବେଳେ ବାଂଲାଦେଶ ଟିମ୍ ଢ଼ାକାରୁ ଭାରତ ଗସ୍ତ ପାଇଁ ବାହାରୁଥିଲା, ଏହାର ଦିନ ପୂର୍ବରୁ ବିସିବି ତା'ର ଖେଳାଳିମାନଙ୍କୁ ଏହି ଫର୍ମାଟରେ ଖେଳିବା ପାଇଁ ରାଜି କରାଇଥିଲା। ସେତେବେଳେ ମ୍ୟାଚକୁ କେବଳ ତିନି ସପ୍ତାହ ସମୟ ବାକି ଥିଲା। ବାଂଲାଦେଶ ଟିମ୍ ମଧ୍ୟ ଭାରତ ଗସ୍ତରେ ଐତିହାସିକ ଦିବାରାତ୍ର ଖେଳିବାକୁ ରାଜି ହୋଇଥିଲେ। ଏହି ମ୍ୟାଚ୍ ଶୁକ୍ରବାର ଇଡେନ୍ ଗାର୍ଡେନ୍ସରେ ଦିବାରାତ୍ର ଫର୍ମାଟରେ ଖେଳାଯିବ। ଆସନ୍ତୁ ଜାଣିବା ଏହି ମ୍ୟାଚ୍ ପାଇଁ କାହିଁକି ଇଡେନକୁ ବଛା ଗଲା।
କ୍ୟୁରେଟରଙ୍କ କଠିନ ପରିଶ୍ରମ: ଘୂର୍ଣ୍ଣିବାତ୍ୟା 'ବୁଲବୁଲ୍' ଯୋଗୁ କୋଲକାତା ସହରରେ ଏହି ଟେଷ୍ଟ ମ୍ୟାଚର ପ୍ରସ୍ତୁତିରେ ବାଧା ସୃଷ୍ଟି ହୋଇଥିଲା। ପିଚ୍ କ୍ୟୁରେଟର୍ ସୁଜନ୍ ମୁଖାର୍ଜୀ ଏବଂ ତାଙ୍କ ଟିମ୍ ତିନିବର୍ଷ ତଳେ ଦେଶର ପ୍ରଥମ ଆନୁଷ୍ଠାନିକ ପିଙ୍କ୍ ବଲ୍ ମ୍ୟାଚ୍ ସିଏବି ସୁପର୍ ଲିଗ୍ ଫାଇନାଲ୍ ପାଇଁ ମଇଦାନ ପ୍ରସ୍ତୁତ କରିଥିଲେ। ଏହି ଟିମକୁ ମଧ୍ୟ ପ୍ରଥମ ଅନ୍ତର୍ଜାତୀୟ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ପାଇଁ ପିଚ୍ ପ୍ରସ୍ତୁତ କରିବାର ଥିଲା, ଯେଉଁମାନେ କଠିନ ପରିଶ୍ରମ କରି କାମକୁ ପୂରଣ କରିଥିଲେ। ଏବେ ଇଡେନ୍ ଗାର୍ଡେନ୍ସ ଭାରତର ପ୍ରଥମ ପିଙ୍କ୍ ବଲ୍ ଟେଷ୍ଟ ମ୍ୟାଚ୍ ପାଇଁ ପ୍ରସ୍ତୁତ ହୋଇସାରିଛି, ଯାହା ଶୁକ୍ରବାରଠାରୁ ଆରମ୍ଭ ହେବ। ବିସିସିଆଇର ମୁଖ୍ୟ କ୍ୟୁରେଟର୍ ଆଶିଷ ଭୌମିକ୍ ପିଚକୁ ଦେଖିବା ପାଇଁ ସପ୍ତାହକ ପୂର୍ବରୁ କୋଲକାତା ଆସିଛନ୍ତି।
କାହିଁକି ଇଡେନକୁ ବାଛିଲେ ଗାଙ୍ଗୁଲି: କିଛି ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଗାଙ୍ଗୁଲି ପିଙ୍କ୍ ବଲ୍ ଟେଷ୍ଟ ପାଇଁ ସବୁଠାରୁ ଉପଯୁକ୍ତ ଭେନ୍ୟୁ ବାଛିଛନ୍ତି, କାରଣ ଏହାକୁ ସଫଳ କରାଇବା ପାଇଁ ଇଡେନ୍ ଗାର୍ଡେନ୍ସରେ ସବୁ ସୁବିଧା ଅଛି। ପିଙ୍କ୍ ବଲ୍ ଏବେବି ଅଧିକ ତିଆରି କରାଯାଉନାହିଁ। ସେମିତି ଦେଖିବାକୁ ଗଲେ ଭାରତରେ ଏହାର ପ୍ରଚଳନ ଆଦୌ ନାହିଁ। ଏଥିପାଇଁ ଏବେବି କିଛି କଥାକୁ ନେଇ ଚିନ୍ତା ରହିଛି। ଦୁଲୀପ ଟ୍ରଫି ଦିବାରାତ୍ର ମ୍ୟାଚର ତିନୋଟି ଯାକ ସେସନରେ କୋକାବୁରା ବଲର ବ୍ୟବହାର କରାଯାଇଥିଲା, କିନ୍ତୁ ଆଗାମୀ ଟେଷ୍ଟ ମ୍ୟାଚ୍ ପାଇଁ ଏସଜି ବଲର ଉପଯୋଗ କରାଯିବ।
କଳା ମାଟି: ପିଙ୍କ୍ ବଲ ସହ ମୁଖ୍ୟ ସମସ୍ୟା ହେଉଛି ଏହାର ଦୀର୍ଘାୟୁ (ଖେଳିବାର ସମୟ)। ପାରମ୍ପରିକ୍ ଲାଲ୍ ବଲକୁ ଚମଡ଼ାରୁ ଅଧିକ ରଙ୍ଗ ମିଳିଥିଲା। ଅନ୍ୟପକ୍ଷରେ ପିଙ୍କ୍ ବଲ୍ ମୂଳ ରୂପରେ ଏକ ରଙ୍ଗୀନ ଉତ୍ପାଦ। ପିଙ୍କ୍ ବଲରେ ଯେତେ ଅଧିକ ଉପଯୋଗ କରାଯିବ, ତାହାର ମୂଳ ରଙ୍ଗ ହରାଇ ବସିଥାଏ। ଲାଲ୍ ବଲ୍ ତୁଳନାରେ ପିଙ୍କ୍ ବଲର ବାହାର ଅଧିକ ଚମକ ରହିଥାଏ ଏବଂ ଏଥିରେ ଘାସ ପ୍ରମୁଖ ଭୂମିକା ବହନ କରିଥାଏ। ଇଡେନର ପିଚରେ ପୂର୍ବରୁ ଏକ ଭଲ ଗ୍ରାସ୍ କଭର୍ (ଘାସ) ରହିଛି। ଯେତେତୁ ଏଠାକାର ଆଉଟଫିଲ୍ଡରେ ଅଧିକ ଘାସ ରହିଛି, ତେଣୁ ବଲଟି ସହଜରେ ପୁରୁଣା ହେବନି। ଏହାବ୍ୟତୀତ ଏଠାକାର କଳା ମାଟି ଅନ୍ୟ ପିଚ୍ ତୁଳନାରେ ଅଧିକ ଚିକ୍କଣ, ଯାହା ବଲକୁ ଅଧିକ ସମୟ ଧରି ଖେଳିବାରେ ସହାୟକ ହେବ।
ଇଡେନର ପିଚ୍ ସବୁଠାରୁ ଭିନ୍ନ: ଦୁଲୀପ୍ ଟ୍ରଫି ମ୍ୟାଚ୍ ବେଳେ ବଲ୍ ତା'ର ରଙ୍ଗ ଏବଂ ଆକାର ଜଲଦି ହରାଇବା ନେଇ ଅଭିଯୋଗ ମିଳିଥିଲା, କିନ୍ତୁ ବିଶେଷଜ୍ଞଙ୍କ ମତରେ, ଇଡେନରେ ଏମିତି କିଛି ହେବାର ସମ୍ଭବନା ନାହିଁ। ଜଣେ ଗ୍ରାଉଣ୍ଡସମ୍ୟାନ୍ କହିଛନ୍ତି, ଉତ୍ତର ଭାରତର ମାଟି ଇଡେନ୍ ଗାର୍ଡେନ୍ସ (କୋଲକାତା)ଠାରୁ ବହୁତ ଅଲଗା। ପିଙ୍କ୍ ବଲ୍ ଟେଷ୍ଟ ମ୍ୟାଚ୍ ପାଇଁ ଇଡେନ୍ ଗାର୍ଡେନ୍ସ ସବୁଠାରୁ ଉପଯୁକ୍ତ ସ୍ଥାନ।
ମଇଦାନରେ ମିଳିପାରେ ଅତିରିକ୍ତ ବାଉନ୍ସ: ଇଡେନରେ ଜଳ ସନ୍ତୁଳନକୁ କାଏମ ରଖିବା କ୍ୟୁରେଟର ମୁଖାର୍ଜୀ ଓ ତାଙ୍କ ଟିମର ସଦସ୍ୟଙ୍କ ପାଇଁ ସବୁଠାରୁ କଠିନ ଥିଲା। ଗତ କିଛି ଦିନ ହେବ ପାଣି ନ ଢ଼ାଳିବା ଦ୍ୱାରା ସୂର୍ଯ୍ୟଙ୍କ କିରଣ ଉପରିଭାଗକୁ ଶୁଖିଲ କରିଦେଇଛି। କିନ୍ତୁ ଦେଶର ଏହି ଭାଗରେ ଦୀର୍ଘଦିନ ଧରି ମୌସୁମୀ ରହିବା ଏବଂ 'ବୁଲବୁଲ୍' ପ୍ରଭାବରୁ ପୃଷ୍ଠ ତଳେ ପାଣି ରହିଥାଇପାରେ, ଯାହା ପଳରେ ମଇଦାନରେ ଅତିରିକ୍ତ ବାଉନ୍ସ ଦେଖିବାକୁ ମିଳିପାରେ। ଶୀତଦିନରେ ଇଡେନରେ କାକର ମୁଖ୍ୟ ସସମ୍ୟା ହୋଇଥାଏ। ତେବେ ଗ୍ରାଉଣ୍ଡସମ୍ୟାନଙ୍କ ପାଖରେ ଆଣ୍ଟି ଡ୍ୟୁ ସ୍ପ୍ରେ ରହିଛି, ଯାହା ଆବଶ୍ୟକ ପଡ଼ିଲେ ବ୍ୟବହାର କରାଯିବ। କାକର ଦ୍ୱାରା ବ୍ୟାଟ୍ସମ୍ୟାନଙ୍କୁ ଖେଳିବାରେ ସହଜ ହେବ। ଯଦି ଆଉଟଫିଲ୍ଡ ଶୁଖିଲା ରୁହେ, ତାହେଲେ ବ୍ୟାଟିଂ କରିବା କଷ୍ଟକର ହୋଇପାରେ।
ନିର୍ଣ୍ଣାୟକ ଭୂମିକା ତୁଲାଇବା ଟସ୍: ସାଧାରଣତଃ ଟେଷ୍ଟ କ୍ରିକେଟରେ ଟସର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଇଡେନରେ ହେବାକୁଥିବା ମ୍ୟାଚରେ ଯେଉଁ ଦଳ ଟସ୍ ଜିତିବ, ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବ, କାରଣର ଏଠାରେ ମ୍ୟାଚ୍ ଅପରାହ୍ଣ ୧ଟା ବେଳେ ଆରମ୍ଭ ହେବ। ଇଡେନରେ ମଧ୍ୟାହ୍ନ ଭୋଜନ ଏବଂ ଚା'ପାନ ବିରତି ସମୟରେ ବ୍ୟାଟିଂ କରିବା ସବୁଠାରୁ ଭଲ ସମୟ। ଏଠାକାର ପିଚରେ ରିଭର୍ସ ସୁଇଂ ସେତେଟା ହେବ ନାହିଁ। ଏପରିକି ପିଚ୍ ମଧ୍ୟ ସ୍ପିନରଙ୍କୁ ସୁହାଇବ ନାହିଁ। ଯଦି ବଲର ଗୋଟିଏ ପାଶ୍ୱର୍ ଖରାପ ହୋଇଯାଏ, ତାହେଲେ ଏହା ରିଭର୍ସ ସୁଇଂ କରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।