ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉପକୂଳ ଓଡ଼ିଶାର ଜଣେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଏବେ କୁଆଡ଼େ ସମ୍ପୂର୍ଣ୍ଣ ବାନପ୍ରସ୍ଥରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି। ବିଜେଡିର ଏହି କୁହାଳିଆ ନେତାଙ୍କୁ ଏବେ ଆଉ ନିଜ ଅଞ୍ଚଳ କି ଦଳର ସାଂଗଠନିକ କାର୍ଯ୍ୟରେ ଦେଖିବାକୁ ମିଳୁନି। ଶୁଣିବାକୁ ମିଳୁଛି, ଏହି ବାବୁ କୁଆଡ଼େ ଏବେ ନିଜର ଅଧିକାଂଶ ସମୟ ରାଜ୍ୟ ବାହାରେ ବିତାଉଛନ୍ତି।
ନିଜ ନିର୍ବାଚନମଣ୍ଡଳୀରେ ଜଣେ ପ୍ରତିନିଧିଙ୍କ ମାଧ୍ୟମରେ ସମସ୍ତ କାର୍ଯ୍ୟ କରାଇ ଏବେ ସେ ହାଇଦ୍ରାବାଦ, ଗୋଆ, କେରଳ ଓ କୋଲାକାତାରେ ସମୟ ବିତାଉଛନ୍ତି। ବେଳେବେଳେ ସାଙ୍ଗରେ କୁଆଡ଼େ ନିଜର ‘ଅଘୋଷିତ ବାନ୍ଧବୀ’ଙ୍କୁ ନେବାକୁ ଭୁଲୁନାହାନ୍ତି ବୋଲି ଦଳ ଭିତରେ ଟୁପୁରୁ ଟାପୁରୁ ଶୁଣିବାକୁ ମିଳୁଛି।
ଚର୍ଚ୍ଚା ହେଉଛି, ପୂର୍ବରୁ ବିଜେଡି ସୁପ୍ରିମୋଙ୍କର ଇଏ କୁଆଡ଼େ ଅତ୍ୟନ୍ତ ଖାସ୍ ଥିଲେ। ମାତ୍ର ଏବେ ଟିକେଟ୍ ମିଳିଲେ ବି ଜିତିବା କଷ୍ଟକର ହେବାକୁ ଥିବାରୁ , ସିଏ କୁଆଡ଼େ ଏବେ ଆଉ ବିଧାୟକ ପ୍ରାର୍ଥୀ ନହୋଇ ରାଜ୍ୟସଭାକୁ ଯିବା ପାଇଁ ଆଶା ବାନ୍ଧିଛନ୍ତି।
ଏଥର ନିର୍ବାଚନରେ ତାଙ୍କୁ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସେ ଆଶଙ୍କା କରୁଛନ୍ତି। ତେଣୁ ଆଉ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବା ସପକ୍ଷରେ ବାବୁ ନାହାନ୍ତି ବୋଲି ତାଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳୁଛି।
ପୂର୍ବରୁ ଏହି ବାବୁଙ୍କୁ ବିଭିନ୍ନ ଟିଭି ଚ୍ୟାନେଲରେ ଦେଖିବାକୁ ମିଳୁଥିଲା। ଦଳର ମତ ଓ ତାଙ୍କ ମତ ଭିତରେ ଆକାଶପାତାଳ ପାର୍ଥକ୍ୟ ବି ରହୁଥିଲା। ମାତ୍ର ଏବେ ଆଉ ସେ କୌଣସି ଟିଭି ଚ୍ୟାନେଲକୁ ବି ଯାଉନାହାନ୍ତି।
ଚର୍ଚ୍ଚା ହେଉଛି, ବାବୁ କୁଆଡ଼େ ଯେବେଠୁ ଗୋଟିଏ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ପାଇଲେଣି ସେବେଠୁ ଟିକେଟ୍ କରାଇ ଦେବା ଆଳରେ ବେଶ ଲାଭରେ ଅଛନ୍ତି। ଅବଶ୍ୟ ଏଥିରେ ସତ କେତେ, ତାହା ଜଣାପଡ଼ିନି। ମାତ୍ର ସେ ଯେଉଁ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ ନେଇଛନ୍ତି ସେଠାକୁ କୁଆଡ଼େ ସେ ମାସକୁ ଦିନେ-ଦୁଇଦିନ ଯାଇ କେବଳ ପାଣ୍ଠି ସଂଗ୍ରହ କାର୍ଯ୍ୟ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।