ଶୁଆର ଉପକାର

ଥରେ ଚିଣ୍ଟୁ ସ୍କୁଲକୁ ଯାଉଥାଏ। ସେତେବେଳେ ଖରାଦିନ। ବହୁତ ଜୋର୍‌ରେ ଟାଣଖରା ହେଉଥାଏ। ଯାଉ ଯାଉ ସେ ଦେଖିଲା ଗୋଟିଏ ଛଞ୍ଚାଣ ଶୁଆଛୁଆଟିକୁ ଖୁବ୍‌ ଜୋର୍‌ରେ ଖୁମ୍ପୁଛି। ସେଥିପାଇଁ ଶୁଆଛୁଆଟି ଖଣ୍ଡିଆ ଖାବରା ହୋଇ ଚେଁ ଚେଁ ହେଉଛି। ଏହା ଦେଖି ଚିଣ୍ଟୁର ମନରେ ଦୟା ଆସିଲା। ସେ ତା’ ପାଖକୁ ଦୌଡ଼ିଗଲା। ଛଞ୍ଚାଣ ତା’ କୁ ଦେଖି ପଳାଇଗଲା। ତା’ ପରେ ଚିଣ୍ଟୁ ଶୁଆଛୁଆଟିକୁ ନେଇ ତା’ ବାପାଙ୍କର ଜଣେ ଚିହ୍ନା ପଶୁଡାକ୍ତରଙ୍କ ପାଖକୁ ଗଲା। ଡାକ୍ତର ଶୁଆଛୁଆଟିର ଡେଣାରେ ଓ ଦେହରେ ଔଷଧ ଲଗାଇ ପଟି ବାନ୍ଧିଦେଲେ। ଏହାର ଠିକ୍‌ ଭାବରେ ଯତ୍ନ ନେବାକୁ ଚିଣ୍ଟୁକୁ କହିଲେ। ସେତେବେଳକୁ ବିଳମ୍ବ ହୋଇ ସାରିଥାଏ। ସ୍କୁଲକୁ ଯିବା ପାଇଁ ଚିଣ୍ଟୁର ଆଉ ମନ ବଳୁ ନଥାଏ। ସେ ଖାଲି ଶୁଆଛୁଆଟି କଥା ଚିନ୍ତା କରୁଥାଏ। ସେଦିନ ସେ ସ୍କୁଲକୁ ନଯିବା ପାଇଁ ସ୍ଥିର କଲା। ଏହାପରେ ସେ ଶୁଆ ଛୁଆଟିକୁ ନେଇ ଘରକୁ ଫେରିଲା।

ଘରେ ପହଞ୍ଚୁ ପହଞ୍ଚୁ ମାଆ ପଚାରିଲେ, “କିରେ ଚିଣ୍ଟୁ! କ’ଣ ସ୍କୁଲକୁ ଗଲୁନି ?” ଚିଣ୍ଟୁ ତା’ ମାଆଙ୍କୁ ବୁଝାଇ ସବୁକଥା କହିଲା। ଚିଣ୍ଟୁ କହିଲା, “ମାଆ, ଆମେ ଏଣିକି ଏ ଶୁଆଛୁଆଟିକୁ ଘରେ ରଖି ପାଳିବା। ତା’ର ଯତ୍ନ ନେବା। ତୁ ଦେଖିବୁ ବଡ଼ହେଲେ ଏ ଶୁଆଛୁଆଟି ନିଶ୍ଚୟ ଆମର ଉପକାର କରିବ ।” ମାଆ ଖୁସି ହୋଇ କହିଲେ, “ ଠିକ୍‌ ଅଛି ଚିଣ୍ଟୁ, ଏହାହିଁ ହେବ।”

ସେହି ଦିନରୁ ଶୁଆଛୁଆଟି ଚିଣ୍ଟୁଙ୍କ ଘରେ ରହିଲା। ଚିଣ୍ଟୁର ବାପା ଓ ମାଆଙ୍କ ସହିତ ଚିଣ୍ଟୁ ବି କୁନି ଶୁଆଛୁଆଟିର ସେବାରେ ଲାଗି ଲାଗିପଡ଼ିଲା। କ୍ରମେ ଛୁଆଟି ଖାଇପିଇ ସୁସ୍ଥ ହୋଇ ବଢ଼ିବାକୁ ଲାଗିଲା। ଚିଣ୍ଟୁର ବୟସ ମଧ୍ୟ ବଢ଼ି ଚାଲିଲା। ଚିଣ୍ଟୁ ଶୁଆଟିର ନାଁ ଦେଲା ଟିଟୁ। ଚିଣ୍ଟୁ ଯେତେବେଳେ ଡାକିଦେବ ଟିଟୁ, ଟିଟୁ ଆସି ହାଜର। ଚିଣ୍ଟୁ ଯୁଆଡ଼େ ଯାଏ, ଟିଟୁକୁ ସାଙ୍ଗରେ ନେଇ ଯାଏ। ଯଦି ଟିଟୁକୁ ସେ କେବେ ସାଙ୍ଗରେ ଆଣିବାକୁ ଭୁଲିଯାଇଥିବ, ତେବେ ଟିଟୁ ରାତିସାରା ଘରେ କାହାକୁ ଶୁଆଇ ଦେବନି।

 

ଥରେ ମାଆ ଓ ଚିଣ୍ଟୁ ବଜାରକୁ ଯାଇଥିଲେ। ସାଙ୍ଗରେ ଟିଟୁକୁ ବି ନେଇଥିଲେ। ଚିଣ୍ଟୁର ମା’ ଗୋଟିଏ ସୁନାହାର ବେକରେ ପକାଇଥିଲେ। ଦୂରରୁ ଗୋଟିଏ ଚୋରର ସେହି ସୁନାହାର ଉପରେ ନଜର ଥିଲା। ଏକଥା କେହି ଜାଣି ନଥିଲେ। ଏମିତିକି ଟିଟୁ ବି ନୁହେଁ। ଛକିଛକି ସେ ଚୋରଟି ମାଆଙ୍କର ନିକଟବର୍ତ୍ତୀ ହୋଇଗଲା। ଟିଟୁ ତ ପଛେ ପଛେ ଚାଲୁଥାଏ। ସେ ଚୋର କିନ୍ତୁ ଏକଥା ଜାଣି ନଥାଏ। ସେ ମାଆଙ୍କ ବେକରୁ ହାରଟିକୁ ଝିଙ୍କି ନେବାକୁ ବସିଛି, ଟିଟୁ ଦେଖିନେଲା ଓ ଚେଁ ଚେଁ ଶବ୍ଦ କରି ଚୋରର ମୁଣ୍ଡକୁ ଜୋର୍‌ରେ ଖୁମ୍ପିବାକୁ ଲାଗିଲା। ଶବ୍ଦ ଶୁଣି ମାଆ ଓ ଚିଣ୍ଟୁ ପଛକୁ ବୁଲିପଡ଼ି ଦେଖିଲେ ଚୋରର ମୁଣ୍ଡକୁ ଟିଟୁ ଖୁମ୍ପୁଛି। ଚୋର ଯେ ତାଙ୍କ ବେକରୁ ସୁନାହାର ଝିଙ୍କିବାକୁ ବସିଥିଲା, ଏକଥା କାହାକୁ ଅଛପା ରହିଲା ନାହିଁ। ସଙ୍ଗେ ସଙ୍ଗେ ମାଆ ପୋଲିସ୍‌କୁ ଖବର ଦେଲେ। ପୋଲିସ ମଧ୍ୟ ଆସି ପହଞ୍ଚି ଚୋରକୁ ବାନ୍ଧି ନେଇଗଲା।

ତା’ପରେ ଚିଣ୍ଟୁ କହିଲା- “ଦେଖିଲୁ ମାଆ, ମୁଁ କହିଥିଲି ନା, ଟିଟୁ ଆମର ବଡ଼ ହୋଇ ଉପକାର କରିବ।”

ମାଆ କହିଲେ, “ହଁ, ତୋ’ ଭଳି ବୁଦ୍ଧିଆ ପୁଅ ଓ ଟିଟୁ ଭଳି ଚାଲାକ୍ ଶୁଆ ଆଉ କିଏ ହେବ।”

ପଞ୍ଚମ ଶ୍ରେଣୀ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସିଡିଏ, ସେକ୍ଟର-୬, କଟକ