ଯାଜପୁର(ଅଭୟ ପତି):ପ୍ରଦୂଷଣ ବିଷ ବଳୟରେ ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ। ଜଳ ପ୍ରଦୂଷଣ ସାଙ୍ଗକୁ ବାୟୁ ପ୍ରଦୂଷଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଫଳରେ ଦୁର୍ବିସହ ହୋଇପଡିଛି ଦୈନଦିନ ଜୀବନ। ସେପଟେ ଏଠାକାର ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥାକୁ ନିକଟରେ ଦେଶର ପ୍ରଥମ ସ୍ଥାନର ମାନ୍ୟତା ମିଳିଛି। ପ୍ରଦୂଷଣର ସ୍ଥିତି ଓ ପ୍ରଭାବ ଦେଖିଲେ ଏହାର ନିୟନ୍ତ୍ରଣ ବ୍ୟବସ୍ଥା କେତେ ଉନ୍ନତ ତାହା ଏଥିରୁ ପ୍ରମାଣିତ ହୁଏ । ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
କଳିଙ୍ଗନଗର ଶିଳ୍ପାଞ୍ଚଳରେ ମାତ୍ରାଧିକ ଜଳ ଓ ବାୟୁ ପ୍ରଦୂଷଣ ଯୋଗୁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। କାରଣ ସାରା ଅଞ୍ଚଳ ଏବେ ପ୍ରଦୂଷଣର ଶିକାର ହୋଇଛି । ପ୍ରଦୂଷଣ ଯୋଗୁଁ ଲୋକେ ବିଭିନ୍ନ ରୋଗର ଆକ୍ରାନ୍ତ ହେଉଛନ୍ତି। ଏମିତିକି ଗଣ୍ଡାନାଳରେ ପ୍ରବାହିତ କାରଖାନାର ବିଷାକ୍ତ ଜଳର ପ୍ରଭାବରେ ଫସଲ ମଧ୍ୟ ନଷ୍ଟ ହୋଇଯାଉଛି। ଏବେ ନିକଟରେ ସାରା ଦେଶରେ ସ୍ଥାନୀୟ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର କାର୍ଯ୍ୟଦକ୍ଷତାକୁ ପ୍ରଥମ ସ୍ଥାନ ଦିଆଯାଇଛି। ଏହାକୁ ନେଇ ଏବେ ପରିବେଶପ୍ରେମୀଙ୍କ ଠାରୁ ଆରମ୍ଭ କରି ସୂଚନା ଅଧିକାର କର୍ମୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ବାୟୁ ପ୍ରଦୂଷଣ ଯୋଗୁଁ ସ୍ଥାନୀୟ ଲୋକମାନେ କିଡନି ଓ ଚର୍ମରୋଗ ଆଦିର ଶିକାର ହେଉଛନ୍ତି । ଯଥାଶୀଘ୍ର ସରକାରଙ୍କ ଦ୍ୱାରା ଏଭଳି ପ୍ରଦୂଷଣକୁ ତୁରନ୍ତ ନିୟନ୍ତ୍ରଣ କରାନଗଲେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ବୋଲି ପରିବେଶପ୍ରେମୀ ମନ୍ତବ୍ୟ ଦେଇଛନ୍ତି। ସେପଟେ ଜିଲ୍ଲା ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ଏହାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ବିଭିନ୍ନ ସମୟରେ ଅଭିଯୋଗ ଆଧାରରେ ଇ-ଡେସପାଚ୍ କରାଯାଉଛି। ରୀତିମତ ଅନୁସନ୍ଧାନ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।