ଦିବାରାତ୍ର ଟେଷ୍ଟ: ଅଷ୍ଟ୍ରେଲିଆ ସବୁଠାରୁ ସଫଳ ଟିମ୍‌

ନୂଆଦିଲ୍ଲୀ: କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଭାରତ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟରେ ବାଂଲାଦେଶକୁ ଭେଟିବାକୁ ଯାଉଛି। ଏଥିପାଇଁ ଭାରତ ଜୋରଦାର ପ୍ରସ୍ତୁତି ଚଳାଇଛି। ଇନ୍ଦୋରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଇନିଂସ୍ ଓ ୧୩୦ ରନରେ ଜିତି ଭାରତ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ୨୨ ତାରିଖରୁ ଆରମ୍ଭ ହେବ। ୨୦୧୫ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ପ୍ରଥମଥର ପାଇଁ ଦିବାରାତ୍ର ମ୍ୟାଚର ଆୟୋଜନ କରାଯାଇଥିଲା। ଏହା ଭିତରେ […]

aus

aus

Ranjit Kumar Jena
  • Published: Tuesday, 19 November 2019
  • Updated: 19 November 2019, 06:47 PM IST

Sports

Latest News

ନୂଆଦିଲ୍ଲୀ: କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଭାରତ ତା'ର ପ୍ରଥମ ଦିବାରାତ୍ର ଟେଷ୍ଟରେ ବାଂଲାଦେଶକୁ ଭେଟିବାକୁ ଯାଉଛି। ଏଥିପାଇଁ ଭାରତ ଜୋରଦାର ପ୍ରସ୍ତୁତି ଚଳାଇଛି। ଇନ୍ଦୋରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଇନିଂସ୍ ଓ ୧୩୦ ରନରେ ଜିତି ଭାରତ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ୨୨ ତାରିଖରୁ ଆରମ୍ଭ ହେବ। ୨୦୧୫ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ପ୍ରଥମଥର ପାଇଁ ଦିବାରାତ୍ର ମ୍ୟାଚର ଆୟୋଜନ କରାଯାଇଥିଲା। ଏହା ଭିତରେ ମୋଟ ୧୧ଟି ଦିବାରାତ୍ର ମ୍ୟାଚ୍ ଖେଳାଯାଇଥିବା ବେଳେ ଭାରତ ଓ ବାଂଲାଦେଶ ମଧ୍ୟରେ ଇଡେନରେ ଦ୍ୱାଦଶ ମ୍ୟାଚ୍ ଖେଳାଯିବ।

ଟେଷ୍ଟ କ୍ରିକେଟର ଲୋକପ୍ରିୟତା ହ୍ରାସ ପାଉଥିବାର ଦେଖି ଆଇସିସି ଦିବାରାତ୍ର ଟେଷ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି । ପିଙ୍କ୍ ବଲ୍ ଟେଷ୍ଟ ମ୍ୟାଚ୍ ଆୟୋଜନ ଦ୍ୱାରା ଦର୍ଶକ ହୁଏତ ଷ୍ଟାଡିୟମକୁ ମ୍ୟାଚ୍ ଦେଖିବାକୁ ଆସିପାରନ୍ତି। ଆରମ୍ଭରୁ ଭାରତ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବାକୁ ମନା କରିଆସୁଥିଲା। କିନ୍ତୁ ଗତମାସରେ ସୌରଭ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ହେବା ପରେ ଭାରତର ଦିବାରାତ୍ର ଖେଳିବା ବାଟ ଫିଟିଥିଲା। ଦିବାରାତ୍ର ଟେଷ୍ଟ ମ୍ୟାଚ୍ ପାଇଁ ଗାଙ୍ଗୁଲି ପ୍ରଥମେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ମତ ନେଇଥିଲେ ଏବଂ ପରେ ସେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)ଠାରୁ ସହମତି ନେଇଥିଲେ।

ଅଷ୍ଟ୍ରେଲିଆ ସଫଳ: ଦିବାରାତ୍ର ଟେଷ୍ଟରେ ଅଷ୍ଟ୍ରେଲିଆ ସବୁଠାରୁ ସଫଳ ଦଳ ଭାବେ ୫ଟି ମ୍ୟାଚ୍ ଜିତିଛି। ଏହି ତୁଳନାରେ ୱେଷ୍ଟଇଣ୍ଡିଜ୍ ତା'ର ୩ଟି ଯାକ ପିଙ୍କ୍ ବଲ୍ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଛି। ୨୦୧୫, ନଭେମ୍ବର ୨୭ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆଡିଲେଡରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ୩ ୱିକେଟରେ ବିଜୟୀ ହୋଇଥିଲା। ଏହା ପରେ ଅଷ୍ଟ୍ରେଲିଆ ନଭେମ୍ବର ୨୦୧୬ ଏବଂ ଡିସେମ୍ବର ୨୦୧୭ରେ ଯଥାକ୍ରମେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ଏବଂ ଇଂଲଣ୍ଡକୁ ୧୨୦ ରନରେ ପରାସ୍ତ କରିଥିଲା। ଡିସେମ୍ବର, ୨୦୧୬ରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ୩୯ ରନରେ ଏବଂ ଚଳିତ ବର୍ଷ ଜାନୁଆରୀରେ ଅଷ୍ଟ୍ରେଲିଆ ଶ୍ରୀଲଙ୍କାକୁ ଇନିଂସ୍ ଓ ୪୦ ରନରେ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆ ବ୍ୟତୀତ ପାକିସ୍ତାନ, ଇଂଲଣ୍ଡ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ଗୋଟିଏ ଲେଖାଏ ମ୍ୟାଚ୍ ଜିତିଛନ୍ତି।

ଆଝାର ଅଲୀଙ୍କ ନାଁରେ ସର୍ବାଧିକ ରନ୍‌: ଦିବାରାତ୍ର ଟେଷ୍ଟରେ ବ୍ୟାଟିଂରେ ପାକିସ୍ତାନ ଆଗରେ ରହିଛି। ପାକିସ୍ତାନର ଆଝାର ଅଲୀ ୬ଟି ଇନିଂସ୍ ଖେଳି ୯୧ ହାରରେ ୪୫୬ ରନ୍ କରି ଶୀର୍ଷରେ ରହିଛନ୍ତି। ତାଙ୍କ ପରେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଅନ୍ୟତମ ବ୍ୟାଟ୍ସମ୍ୟାନ୍ ଭାବେ ଟେଷ୍ଟରେ ୪୦୦ରୁ ଅଧିକ ରନ୍ କରିଛନ୍ତି। ସେ ୪ଟି ଟେଷ୍ଟରେ ୫୦.୬୨ ହାରରେ ୪୦୫ ରନ୍ କରିଛନ୍ତି, ଯେଉଁଥିରେ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ରହିଛି। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପାକିସ୍ତାନର ଅସଦ୍ ସଫିକ୍ ୨ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ୩୩୫ ରନ୍ କରିଥିବା ବେଳେ ଅଷ୍ଟ୍ରେଲିଆର ଉସମାନ୍ ଖୱାଜା ୩୦୭ ରନ୍ ଏବଂ ଇଂଲଣ୍ଡର ଆଲିଷ୍ଟର୍ କୁକ୍ ୩୦୩ ରନ୍ କରିଛନ୍ତି। ଦିବାରାତ୍ର ଟେଷ୍ଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଆଝାରଙ୍କ ନାଁରେ ରହିଛି। ଆଝାର ୨୦୧୬ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅପରାଜିତ ୩୦୨ ରନର ମାରାଥନ୍ ଇନିଂସ୍ ଖେଳିଥିଲେ।

ବୋଲିଂରେ ଷ୍ଟାର୍କ ଶ୍ରେଷ୍ଠ: ଅଷ୍ଟ୍ରେଲିଆ ପେସ୍ ବୋଲର ମିଚେଲ୍ ଷ୍ଟାର୍କ ଦିବାରାତ୍ର ଟେଷ୍ଟର ସବୁଠାରୁ ସଫଳ ବୋଲର। ସେ ୫ଟି ଟେଷ୍ଟ ମ୍ୟାଚ୍ ଖେଳି ୨୩ ହାରରେ ୨୬ ୱିକେଟ୍ ଅକ୍ତିଆର କରିଛନ୍ତି, ଯେଉଁଥିରେ ଗୋଟିଏ ୫ ୱିକେଟ୍ ସାମିଲ୍ ଅଛି। ଅଷ୍ଟ୍ରେଲିଆର ଅନ୍ୟତମ ପେସର୍ ଜୋଶ ହେଜଲଉଡ୍ ୨୧ ୱିକେଟ୍ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପାକିସ୍ତାନର ୟାସିର୍ ଶାହ ୧୮ ୱିକେଟ୍ ସହ ତୃତୀୟ, ଅଷ୍ଟ୍ରେଲିଆର ନେଥନ ଲାୟନ୍ ୧୭ ୱିକେଟ୍ ସହ ଚତୁର୍ଥ ଏବଂ ନ୍ୟୁଜିଲ୍ୟାଣ୍ଡର ଟ୍ରେଣ୍ଟ ବୋଲ୍ଟ ୧୬ ୱିକେଟ୍ ସହ ପଞ୍ଚମ ସ୍ଥାନରେ ରହିଛନ୍ତି। ଦିବାରାତ୍ର ଟେଷ୍ଟରେ ସର୍ବଶ୍ରେଷ୍ଠ ଫିଗରର ରେକର୍ଡ ୱେଷ୍ଟଇଣ୍ଡିଜର ଦେବେନ୍ଦ୍ର ବିଶୁଙ୍କ ନାଁରେ ରହିଛି। ୨୦୧୬ରେ ପାକିସ୍ତାନ ବିପକ୍ଷ ଦୁବାଇ ଟେଷ୍ଟରେ ସେ ୪୯ ରନ୍ ଦେଇ ୮ଟି ୱିକେଟ୍ ନେଇଥିଲେ । ତାଙ୍କ ପରେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ୨୦୧୯ରେ ଶ୍ରୀଲଙ୍କା ବିପକ୍ଷ ବ୍ରିସବେନ୍ ଟେଷ୍ଟରେ ୨୩ ରନ୍ ଦେଇ ୬ଟି ୱିକେଟ୍ ହାସଲ କରିଥିଲେ।

ପୁରୁଷ ବ୍ୟତୀତ ମହିଳାଙ୍କର ମଧ୍ୟ ଗୋଟିଏ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯାଇଛି। ୨୦୧୭ରେ ସିଡନୀରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଓ ଏକମାତ୍ର ଦିବାରାତ୍ର ମ୍ୟାଚ୍ ଖେଳାଯାଇଥିଲା। ତେବେ ଏହି ମ୍ୟାଚଟି ଡ୍ର' ଭାବେ ଶେଷ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos