/odisha-reporter/media/post_attachments/uploadimage/library/16_9/16_9_0/Students_1691249900.jpg)
Students
ରାଜ୍ୟରେ ଚଳିତ ଶିକ୍ଷାବର୍ଷରେ ଯୁକ୍ତ ଦୁଇ ଶ୍ରେଣୀ(ଏକାଦଶ)ରେ ମୋଟ ୧ଲକ୍ଷ ୩୧ହଜାର ୬୦୩ଟି ସିଟ୍ ଖାଲି ପଡ଼ିଛି । ଚଳିତ ଶିକ୍ଷାବର୍ଷରେ ରାଜ୍ୟର ମୋଟ ୨୧୬୭ଟି ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନ ଓ ଜୁନିୟର କଲେଜରେ ଥିବା ୫ଲକ୍ଷ ୯ହଜାର ୩୭୩ଟି ସିଟ୍ ମଧ୍ୟରୁ ୩ଲକ୍ଷ ୭୭ହଜାର ୭୭୦ଟି ସିଟରେ ଛାତ୍ରଛାତ୍ରୀମାନେ ନାମ ଲେଖାଇଛନ୍ତି ।
ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ସ୍ପଟ ଚୟନ ପ୍ରକ୍ରିୟାରେ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରଥମ ଓ ଦ୍ୱିତୀୟ ଚୟନ ପ୍ରକ୍ରିୟା ପରେ ଖାଲିଥିବା ସିଟଗୁଡ଼ିକୁ ପୂରଣ କରିବା ନିମନ୍ତେ ସମସ୍ତ ଆବେଦନକାରୀଙ୍କ ସହିତ ୱେଟେଜ୍ (ଏନସିସି, ସ୍କାଉଟ,ଗାଇଡ ଓ ସ୍ପୋର୍ଟସ) ଦାବିଦାର ଛାତ୍ରଛାତ୍ରୀଙ୍କୁ ବିଚାରକୁ ନିଆଯାଇ ଏକ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଏବେ ଜଣାପଡ଼ିଛି ଯେ, ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ପ୍ରଥମ ଓ ଦ୍ୱିତୀୟ ଚୟନ ପ୍ରକ୍ରିୟା ପରେ କିଛି ଶିକ୍ଷାନୁଷ୍ଠାନରେ ବିଭିନ୍ନ ବର୍ଗ ପାଇଁ ଧାର୍ଯ୍ୟ ଆସନ ସଂଖ୍ୟା ଶତକଡ଼ା ୧୦ ପ୍ରତିଶତରୁ କମ୍ ରହିଛି । କିଛି ଶିକ୍ଷାନୁଷ୍ଠାନରେ ଅଣସଂରକ୍ଷିତ ମେଧାବୀ ଛାତ୍ରଛାତ୍ରୀ ସିଟ୍ ପାଇବାରୁ ବଂଚିତ ହେଉଛନ୍ତି । ଏହି ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ସ୍ପଷ୍ଟ ଚୟନ ପ୍ରକ୍ରିୟାରେ ଖାଲି ଥିବା ଆସନ ସଂଖ୍ୟା ମଧ୍ୟରୁ ୱେଟେଜ୍ରେ ଚୟନିତ ସଂଖ୍ୟା ବିପକ୍ଷରେ ଯୋଗ୍ୟ ଅଣସଂରକ୍ଷିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆବେଦନ କରିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନରେ ସିଟ୍ ପ୍ରଦାନ କରାଯିବ । ଏଥିନିମନ୍ତେ ଯୋଗ୍ୟ ଆବେଦନକାରୀଙ୍କୁ ହ୍ୱାଟସଅପ୍ ଓ ଏସଏମଏସ୍ ମାଧ୍ୟମରେ ଅବଗତ କରାଯିବ । ଇଚ୍ଛୁକ ଛାତ୍ରଛାତ୍ରୀମାନେ ଉକ୍ତ ଶିକ୍ଷାନୁଷ୍ଠାନକୁ ଯାଇ ନିଜ ଇଚ୍ଛା ବ୍ୟକ୍ତ କଲେ ସେମାନଙ୍କର ଆଡ଼ମିଶନ ବୈଧ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ଏକାଦଶ ନାମଲେଖା ନିମନ୍ତେ ଏସସି,ଏସଟି, ଏକ୍ସ-ସର୍ଭିସମ୍ୟାନ,ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଅଛି । ସେହିପରି ଏନସିସି,ସ୍କାଉଟ, ଗାଇଡ, ରାଜ୍ୟ ତଥା ଜାତୀୟ ସ୍ତରର କ୍ରୀଡ଼ାରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ୱେଟେଜ୍ ପ୍ରାବଧାନ ଅଛି । ପ୍ରତ୍ୟେକ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନରେ ଥିବା ମୋଟ୍ ଆସନ ସଂଖ୍ୟାର ଶତକଡ଼ା ୧୦ ପ୍ରତିଶତ ୱେଟେଜଧାରୀଙ୍କ ଆବେଦନକାରୀଙ୍କ ପାଇଁ ଧାର୍ଯ୍ୟ କରାଯାଇଥାଏ।
ସୂଚନାଯୋଗ୍ୟ, ଚଳିତବର୍ଷ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ମୋଟ ୫ଲକ୍ଷ ୧୨ହଜାର ୪୬୦ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ । ଅନ୍ୟ କେନ୍ଦ୍ରୀୟ ବୋର୍ଡଗୁଡ଼ିକୁ ମିଶାଇଲେ ଏହି ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆହୁରି ଅଧିକ ହେବ । ତେବେ ଏବେସୁଦ୍ଧା ମାତ୍ର ୩.୭୭ଲକ୍ଷ ଛାତ୍ରଛାତ୍ରୀ ନାମ ଲେଖାଇଥିବାବେଳେ ବାକି ପିଲାମାନଙ୍କ ସ୍ଥିତି କ’ଣ ତାହା ଜଣାପଡ଼ିନି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
