ସୂଚନା ପ୍ରସାରଣ ବିନା ସାମାଜିକ ସମ୍ପର୍କ ସ୍ଥାପନ ଅସମ୍ଭବ। ବର୍ତ୍ତମାନ ସୂଚନା ପ୍ରସାରଣ କ୍ଷେତ୍ରରେ ଅନେକ ମାଧ୍ୟମ ତିଆରି ହୋଇଛି, ମାତ୍ର ରେଡ଼ିଓର ସ୍ଥାନ ସ୍ୱତନ୍ତ୍ର। ସୂଚନା ପ୍ରସାରଣ କ୍ଷେତ୍ରରେ ରେଡ଼ିଓର ଅବଦାନକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ୨୩କୁ ଜାତୀୟ ପ୍ରସାରଣ ଦିବସ ବା ନ୍ୟାସନାଲ ବ୍ରୋଡକାଷ୍ଟିଂ ଡେ ପାଳନ କରାଯାଏ।
ଜାତୀୟ ପ୍ରସାରଣ ଦିବସର ଇତିହାସ
ଦେଶରେ ପ୍ରଥମ ଥର ପାଇଁ ଜୁନ୍ ୧୯୨୩ରେ, ବମ୍ବେର ରେଡ଼ିଓ କ୍ଲବ୍ ବ୍ରିଟିଶ ରାଜୁତି ସମୟରେ ପ୍ରସାରଣ ଆରମ୍ଭ କରିଥିଲା। ଏହା ପରେ, କଲିକତା ରେଡିଓ କ୍ଲବ୍ ପାଞ୍ଚ ମାସ ପରେ ପ୍ରତିଷ୍ଠିତ ହୋଇଥିଲା, କିନ୍ତୁ ଜୁଲାଇ ୨୩, ୧୯୨୭ରେ ଇଣ୍ଡିଆନ ବ୍ରୋଡକାଷ୍ଟିଂ କମ୍ପାନୀ (ଆଇବିସି) ସ୍ଥାପନ ହେଲା। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଜୁଲାଇ ୨୩କୁ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଏ।
ଅଲ ଇଣ୍ଡିଆ ରେଡିଓ (AIR)
ଏପ୍ରିଲ୍ ୧୯୩୦ରେ, ଲେବର୍ ଏବଂ ଇଣ୍ଡଷ୍ଟ୍ରିଆଲ ବିଭାଗ ଅଧୀନରେ ଭାରତୀୟ ପ୍ରସାରଣ ସେବା ପରୀକ୍ଷାମୂଳକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲା। ଅଗଷ୍ଟ ୧୯୩୫ରେ, ଲିଓନେଲ ଫିଲଡେନ୍ ପ୍ରସାରଣର ପ୍ରଥମ ନିୟନ୍ତ୍ରକ(କଣ୍ଟ୍ରୋଲର) ଭାବରେ ନିଯୁକ୍ତ ହୋଇଥିଲେ। ୮ ଜୁନ୍ ୧୯୩୬ରେ, ଭାରତୀୟ ରାଜ୍ୟ ପ୍ରସାରଣ ସେବା ଅଲ ଇଣ୍ଡିଆ ରେଡିଓ(AIR) ଆରମ୍ଭ ହୋଇଥିଲା।
AIR କେବେ ଆକାଶବାଣୀ ହେଲା?
୧୯୫୬ରେ, ଜାତୀୟ ବ୍ରୋଡକାଷ୍ଟର ପାଇଁ 'ଆକାଶବାଣୀ' ନାମ ଗ୍ରହଣ କରାଯାଇଥିଲା। ବିବିଧ ଭାରତୀ ସେବା ୧୯୫୭ରେ ଆରମ୍ଭ ହୋଇଥିଲା। AIR ପ୍ରସାର ଭାରତୀର ଏକ ବିଭାଗ, ଯାହା ପୂର୍ବରୁ ସରକାରୀ ନିୟନ୍ତ୍ରଣରେ ଥିଲା। କିନ୍ତୁ ବର୍ତ୍ତମାନ ଏହା ଏକ ସ୍ୱୟଂଶାସିତ ସଂସ୍ଥା।
ଜାତୀୟ ପ୍ରସାରଣ ଦିବସର ମହତ୍ତ୍ୱ: ସ୍ୱାଧୀନତା ପୂର୍ବରୁ ଏବଂ ପରେ
ଦଶନ୍ଧି ଧରି ରେଡ଼ିଓ ସର୍ବ ପୁରାତନ, ସବୁଠାରୁ ଲୋକପ୍ରିୟ ଏବଂ ବହୁଳ ଭାବରେ ବ୍ୟବହାର ଯୋଗ୍ୟ ମାଧ୍ୟମ ରହିଥିଲା। ରେଡିଓ ପ୍ରସାରଣର ନିଜସ୍ୱ ଗୁରୁତ୍ୱ ରହିଛି। ସ୍ୱାଧୀନତା ପୂର୍ବରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 'ଆଜାଦ ହିନ୍ଦ ରେଡିଓ' ଏବଂ 'କଂଗ୍ରେସ ରେଡିଓ' ବ୍ରିଟିଶମାନଙ୍କ ବିରୁଦ୍ଧରେ ଭାରତୀୟଙ୍କୁ ଜାଗ୍ରତ କରିବାରେ ସାହାଯ୍ୟ କରିଥିଲେ। ସ୍ୱାଧୀନତା ପରେ ରେଡିଓ ପ୍ରସାରଣ ସ୍ୱାଧୀନ ଭାରତ ନିର୍ମାଣରେ ଏକ ମାଇଲଖୁଣ୍ଟ ଭାବରେ କାର୍ଯ୍ୟ କରିଥିଲା। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସୂଚନା ପ୍ରସାରଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ରେଡ଼ିଓ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।