ଯୁଦ୍ଧର ଦ୍ୱାର ଦେଶରେ ଆର୍ମେନିଆ ଓ ଅଜରବାଇଜାନ

ମନେ ହେଉଛି, ଏଥର ସତେ ଯେମିତି ନଗୋର୍ଣ୍ଣୋ-କାରାବାଖ ଅଞ୍ଚଳକୁ ଦଖଲ କରିବା ପାଇଁ ଅଜରବାଇଜାନ ବଦ୍ଧ ପରିକର। କାରଣ ଉନ୍ନତ ଅର୍ଥିନୈତିକ ସ୍ଥିତି ଯୋଗୁ ଇତି ମଧ୍ୟରେ ଅଜରବାଇଜାନ ନିଜ ସାମରିକ ସ୍ଥିତିକୁ ପୂର୍ବାପେକ୍ଷା ଯଥେଷ୍ଟ ଅଧିକ ଶକ୍ତିଶାଳୀ କରି ସାରିଛି।

  • ସରଳ କୁମାର ଦାସ

ସୋଭିଏତ ସଂଘର ବିଘଟନ ପରେ ସୃଷ୍ଟ ଆର୍ମେନିଆ ଓ ଅଜରବାଇଜାନ ଭଳି ଦୁଇଟି ଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ସେପ୍ଟେମ୍ୱର ୨୭, ୨୦୨୦ ପରଠାରୁ ସାମରିକ ଦୃଷ୍ଟିରୁ ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇ କ୍ରମଶଃ ଯୁଦ୍ଧ ଆଡ଼କୁ ମୁହାଁଇବା ବାସ୍ତବିକ ଉଦବେଗଜନକ। କାରଣ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗିଲେ, ତାହା କେବଳ ସେହି ଦୁଇ ଦେଶ ମଧ୍ୟରେ ସୀମିତ ନ ରହି ଅନ୍ୟ ଦେଶମାନେ ସେଥିରେ ଜଡିତ ହେବାର ପୂର୍ବ ସୂଚନା ମିଳି ସାରିଲାଣି, ଯାହାର ପ୍ରଭାବ ବିଶ୍ୱର ଅନେକ ଦେଶ ଉପରେ ପଡ଼ି ବିଶ୍ୱ ଅର୍ଥନୀତି ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଦେଖା ଦେଇପାରେ। ଦୁଇ ଦେଶ ମଧ୍ୟରେ ବିବାଦର ମୂଳ କାରଣ ନଗୋର୍ଣ୍ଣୋ-କରାବାଖ ଅଞ୍ଚଳର ମାଲିକାନା ଓ ଆଧିପତ୍ୟକୁ ନେଇ ହୋଇଥିଲେ ମଧ୍ୟ ଏହି ବିବାଦର ଇତିହାସ ଓ ଏହି ବିବାଦ ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଜଡିତ ହେଉଥିବା ଦେଶଗୁଡିକର ସ୍ୱାର୍ଥ ତଥା ଉଦ୍ଦେଶ୍ୟକୁ ବୁଝିବାର ବି ଆବଶ୍ୟକତା ରହିଛି।

ମଧ୍ୟ ଏସିଆର କକେସସ ପାର୍ବତୀୟ ଅଞ୍ଚଳସ୍ଥିତ ଦୁଇଟି ଦେଶ ହେଉଛନ୍ତି ଆର୍ମେନିଆ ଓ ଅଜରବାଇଜାନ। ଦୁଇଟି ଦେଶ ଭିତରୁ ଆର୍ମେନିଆ ଅପେକ୍ଷାକୃତ କ୍ଷୁଦ୍ର ଓ ଏହା ଏକ ସ୍ଥଳଭାଗ ଆବଦ୍ଧ ଦେଶ। ଏହାର ସୀମାକୁ ଲାଗି ଜର୍ଜିଆ, ଅଜରବାଇଜାନ, ଇରାନ ଓ ତୁର୍କିର ସୀମା ରହିଛି। ଏହାର କ୍ଷେତ୍ରଫଳ ପ୍ରାୟ ୩୩,୦୦୦ ବର୍ଗ କିଲୋମିଟର ହୋଇଥିବା ବେଳେ ଅଜରବାଇଜାନ ଆକାରରେ ଏହାର ପ୍ରାୟ ଅଢେଇ ଗୁଣ ବା ୮୫,୦୦୦ ବର୍ଗ କିଲୋମିଟର। କାସ୍ପିଆନ ସାଗର କୂଳରେ ଅବସ୍ଥିତ ଅଜରବାଇଜାନର ସୀମା ଜର୍ଜିଆ, ରୁଷିଆ, ଇରାନ, ଆର୍ମେନିଆ ଓ ତୁର୍କିକୁ ଲାଗିଛି। ଆର୍ମେନିଆର ଲୋକସଂଖ୍ୟା ପ୍ରାୟ ୩୦ ଲକ୍ଷ। ଏହାର ଶତ ପ୍ରତିଶତ ଅଧିବାସୀ ରୁଢିବାଦୀ ଖ୍ରୀଷ୍ଟିଆନ ଧର୍ମାବଲମ୍ୱୀ ହୋଇଥିଲେ ବି ଏହା ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଅନ୍ୟ ପକ୍ଷରେ ଅଜରବାଇଜାନର ଲୋକସଂଖ୍ୟା ପ୍ରାୟ ଏକ କୋଟି ଓ ଏହାର ଅଧିବାସୀଙ୍କ ଭିତରୁ ପ୍ରାୟ ୯୬ ପ୍ରତିଶତ ମୁସଲମାନ। ଏମାନଙ୍କ ଭିତରୁ ପ୍ରାୟ ୮୫ ପ୍ରତିଶତ ସିଆ ସମ୍ପ୍ରଦାୟର। ବିଶ୍ୱରେ ଥିବା ସିଆ ବହୁଳ ମୁସଲମାନ ଦେଶଙ୍କ ମଧ୍ୟରେ ଏହାର ସ୍ଥାନ ଇରାନ ପଛକୁ ଦ୍ୱିତୀୟ। ତେବେ ଅଜରବାଇଜାନ ବି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର।

ବିବାଦୀୟ ନଗୋର୍ଣ୍ଣୋ-କାରାବାଖ ଅଞ୍ଚଳଟିର ସମସ୍ୟା କିଛିଟା କାଶ୍ମୀର ସମସ୍ୟା ପରି। ଅନ୍ତର୍ଜାତିକ ମାନ୍ୟତା ଓ ଆଇନ ଦୃଷ୍ଟିରୁ ବିବାଦିତ ନଗୋର୍ଣ୍ଣୋ-କାରାବାଖ ଅଞ୍ଚଳଟି ଅଜରବାଇଜାନର ଅଂଶବିଶେଷ ହୋଇଥିଲେ ବି ଏହା ଏବେ ତା’ ଦଖଲରେ ନାହିଁ। ପ୍ରାୟ ୪୪୦୦ ବର୍ଗ କିଲୋମିଟର ପରିମିତ ଏହି ପାହାଡିଆ ଅଞ୍ଚଳଟିର ଲୋକସଂଖ୍ୟା ମାତ୍ର ଦେଢ ଲକ୍ଷ ଓ ଏହାର ଅଧିକାଂଶ ଅଧିବାସୀ ଆର୍ମେନୀୟ। ଭୌଗୋଳିକ ଦୃଷ୍ଟି କୋଣରୁ ଏହା ସମ୍ପୂର୍ଣ୍ଣ ଭାବେ ଅଜରବାଇଜାନ ଭୂଭାଗ ଦ୍ୱାରା ଆବଦ୍ଧ ଓ ଏହାର ସୀମା ଆର୍ମେନିଆକୁ ଲାଗି ନଥିଲେ ବି ‘ଲାଚେନ କରିଡର’ ନାମକ ପାର୍ବତୀୟ ଘାଟୀ ଏହାର କବଜାରେ ଥିବାରୁ ଆର୍ମେନିଆ ସହ ଯୋଗାଯୋଗ ରକ୍ଷା କରିବାରେ କୌଣସି ଅସୁବିଧା ହୋଇ ନଥାଏ।

ବିଂଶ ଶତାବ୍ଦୀର ଆରମ୍ଭରୁ ଏଇ ଅଞ୍ଚଳକୁ ନେଇ ବିବାଦ ଲାଗି ରହିଛି। ଏପରିକି ସୋଭିଏତ ସଂଘର ସୃଷ୍ଟି ପରେ ସୋଭିଏତ ସରକାର ଏହି ଅଞ୍ଚଳକୁ ଅଜରବାଇଜାନ ଭିତରେ ଏକ ସ୍ୱତନ୍ତ୍ର ନଗୋର୍ଣ୍ଣୋ-କାରାବାଖ ସ୍ୱୟଂ ଶାସିତ ଅଞ୍ଚଳର ମାନ୍ୟତା ଦେଇଥିଲେ। ଭାରତର କେନ୍ଦ୍ରଶାସିତ ଅଞ୍ଚଳ ପରି ଏହା ଅଜରବାଇ଼ଜନ ନିୟନ୍ତ୍ରଣରେ ନ ରହି ମସ୍କୋର ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଥିଲା। ସୋଭିଏତ ସଂଘର ବିଘଟନ ପ୍ରକ୍ରିୟା ଆରମ୍ଭ ହେଲା ପରେ ଏହି ଅଞ୍ଚଳର ଲୋକମାନେ ଆର୍ମେନିଆ ସହ ମିଶିବା ଲାଗି ଚାପ ପ୍ରୟୋଗ କଲେ ଓ ଏଥିପାଇଁ  ଫେବୃଆରି ୧୩, ୧୯୮୮ରେ ଏକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ସେହି ବର୍ଷ ଫେବୃଆରି ୨୦ ତାରିଖ ଦିନ ସ୍ୱୟଂ ଶାସିତ ଅଞ୍ଚଳର ‘ସୋଭିଏତ ପିପୁଲ ରିପବ୍ଲିକ ଅଫ କାରାବାଖ’ ବହୁ ସଂଖ୍ୟାରେ ଭୋଟ ଦେଇ ତାଙ୍କ ଅଞ୍ଚଳକୁ ଆର୍ମେନିଆ ସହ ମିଶାଇବା ଲାଗି ମସ୍କୋକୁ ଅନୁରୋଧ କଲେ, ଯାହା ସୋଭିଏତ ସଂଘ ଦ୍ୱାରା ପ୍ରତ୍ୟାଖ୍ୟାତ ହେଲା। ନଭେମ୍ୱର ୨୯, ୧୯୮୯ରେ ମସ୍କୋ ନଗୋର୍ଣ୍ଣୋ-କାରାବାଖର ପ୍ରତ୍ୟକ୍ଷ ଶାସନ ବ୍ୟବସ୍ଥାକୁ ବାତିଲ କରି ତାକୁ ଅଜରବାଇଜାନକୁ ଫେରାଇ ଦେଲା। ଅଜରବାଇଜାନ ତୁରନ୍ତ ଏହି ଅଞ୍ଚଳର ପ୍ରଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ କରି ସମଗ୍ର ଅଞ୍ଚଳଟିକୁ ତା’ର ପ୍ରତ୍ୟକ୍ଷ ନିୟନ୍ତ୍ରଣ ଭିତରକୁ ଆଣିବାକୁ ଚେଷ୍ଟା କଲା। ହେଲେ ଏହା ସେହି ଅଞ୍ଚଳର ଅଧିବାସୀଙ୍କ ଦ୍ୱାରା ଗ୍ରହଣୀୟ ହେଲା ନାହିଁ। ଫଳରେ ସୋଭିଏତ ସଂଘ ଦ୍ୱାରା ସେଠାରେ ଡିସେମ୍ୱର ୧୦, ୧୯୯୧ରେ ଏକ ଗଣଭୋଟର ଆୟୋଜନ କରାଗଲା, ଯେଉଁଥିରେ ସେଠାରେ ଏକ ସ୍ୱତନ୍ତ୍ର ଦେଶର ସୃଷ୍ଟି ସପକ୍ଷରେ ମତ ପ୍ରକାଶ ପାଇଲା। ଏହା ଉଭୟ ଆର୍ମେନିଆ ଓ ଅଜରବାଇଜାନ ଦ୍ୱାରା ଗ୍ରହଣୀୟ ନ ହେବାରୁ ସୋଭିଏତ ସଂଘ ତରଫରୁ ଅଜରବାଇଜାନ ଭିତରେ ଏହି ଅଞ୍ଚଳକୁ ସ୍ୱାୟତ୍ତତା ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଗଲା। ତାହା ମଧ୍ୟ ଉଭୟ ପକ୍ଷ ଗ୍ରହଣ କଲେ ନାହିଁ। ନଗୋର୍ଣ୍ଣୋ-କାରାବାଖର ଅଧିବାସୀ ପୁନଶ୍ଚ ଆର୍ମେନିଆରେ ମିଶିବା ଲାଗି ଆଗ୍ରହ ପ୍ରକାଶ କଲେ। ଇତି ମଧ୍ୟରେ ଡିସେମ୍ୱର ୩୧, ୧୯୯୧ରେ ଆଧିକାରିକ ଭାବେ ସୋଭିଏତ ସଂଘର ବିଘଟନ ହେଲା ପରେ ଉଭୟ ଦେଶଙ୍କ ମଧ୍ୟରେ ଏହି ଅଞ୍ଚଳର ନିୟନ୍ତ୍ରଣକୁ ନେଇ ବିବାଦ ବଢିବାକୁ ଲାଗିଲା।

ନଗୋର୍ଣ୍ଣୋ-କାରାବାଖକୁ ଏକ ସ୍ୱତନ୍ତ୍ର ଦେଶ ‘ରିପବ୍ଲିକ ଅଫ ଆରଟସାଖ’ ବୋଲି ଘୋଷଣା କରାଯାଇ ଆର୍ମେନିଆ ସମର୍ଥନରେ ବିଦ୍ରୋହୀ ଆର୍ମେନୀୟମାନେ ଏହାର ଶାସନ ଭାର ନିଜ ହାତକୁ ନେଲେ। ଏହା ପରେ ୧୯୯୨ରେ ଆର୍ମେନିଆ ଓ ଅଜରବାଇଜାନ ମଧ୍ୟରେ ଯୁଦ୍ଧ ଲାଗିଗଲା। ଏହି ଯୁଦ୍ଧରେ ଅଜରବାଇଜାନର ପ୍ରଭୁତ କ୍ଷତି ହୋଇଥିଲା। ଯୁଦ୍ଧରେ ପ୍ରାୟ ୩୦ ହଜାର ଲୋକଙ୍କର ପ୍ରାଣହାନି ହୋଇଥିଲା। କୁହାଯାଏ, ଏହି ଯୁଦ୍ଧରେ ଯେଉଁ ସାମ୍ପ୍ରଦାୟିକ ବିଶୁଦ୍ଧିକରଣ (ଏଥନିକ କ୍ଲିନସିଙ୍ଗ) ପ୍ରକ୍ରିୟା ଜାରି ହେଲା ସେଥିରେ ଅଲଗା ଧର୍ମ କାରଣରୁ ପ୍ରାୟ ୧୦ ଲକ୍ଷ ଲୋକ ନିଜ ନିଜ ଦେଶକୁ ଛାଡି ଅନ୍ୟ ଦେଶକୁ ଯିବାକୁ ବାଧ୍ୟ ହେଲେ ଓ ସେଠାରେ ଅନେକେ ଶରଣାର୍ଥୀର ଜୀବନ ଯାପନ କଲେ। ରୁଷିଆର ମଧ୍ୟସ୍ଥତା ପରେ ୧୯୯୪ରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିରତି ଘୋଷଣା ହୋଇଥିଲେ ବି ମଝିରେ ମଝିରେ ହିଂସା ଲାଗି ରହିଥିଲା।

ଏହି କ୍ରମେ ସେପ୍ଟେମ୍ୱର ୨୭, ୨୦୨୦ରୁ ସାମରିକ ଉତ୍ତେଜନା ବୃଦ୍ଧି ପାଇ ଏ ଯାଏଁ ଶତାଧିକ ଲୋକ ପ୍ରାଣ ହରାଇ ସାରିଲେଣି ଓ ସ୍ଥିତି ଏକ ଭୟଙ୍କର ଯୁଦ୍ଧ ଆଡକୁ ମୁହାଁଇଲା ପରି ଜଣା ପଡୁଛି। ମନେ ହେଉଛି, ଏଥର ସତେ ଯେମିତି ନଗୋର୍ଣ୍ଣୋ-କାରାବାଖ ଅଞ୍ଚଳକୁ ଦଖଲ କରିବା ପାଇଁ ଅଜରବାଇଜାନ ବଦ୍ଧ ପରିକର। କାରଣ ଉନ୍ନତ ଅର୍ଥିନୈତିକ ସ୍ଥିତି ଯୋଗୁ ଇତି ମଧ୍ୟରେ ଅଜରବାଇଜାନ ନିଜ ସାମରିକ ସ୍ଥିତିକୁ ପୂର୍ବାପେକ୍ଷା ଯଥେଷ୍ଟ ଅଧିକ ଶକ୍ତିଶାଳୀ କରି ସାରିଛି। ଅଜରବାଇଜାନରେ ପ୍ରଚୁର ପରିମାଣରେ ପ୍ରକୃତିକ ଗ୍ୟାସ ଓ ତେଲ ଉପଲବ୍ଧ, ଯାହା ସେହି ଦେଶର ଅର୍ଥନୀତିକୁ ଗତି ପ୍ରଦାନ କରିବାରେ ସହାୟକ ହୋଇଛି। ଅଜରବାଇଜାନ ଓ ଆର୍ମେନିଆ ଦେଶ ଦୁଇଟିର ଜିଡିପି ଯଥାକ୍ରମେ ୩୯୦୦ କୋଟି ଡଲାର ଓ ୧୧୦୦ କୋଟି ଡଲାର ହୋଇଥିବା ବେଳେ ସେମାନଙ୍କ ସାମରିକ ବ୍ୟୟ ଯଥାକ୍ରମେ ୧୫୫ କୋଟି ଡଲାର ଓ ୪୩ କୋଟି ଡଲାର। ତେଣୁ ଅଜରବାଇଜାନ ସାମରିକ ଦୃଷ୍ଟିରୁ ନିଜକୁ ଆଧୁନିକ ଅସ୍ତ୍ରଶସ୍ତ୍ରରେ ଅଧିକ ସଜ୍ଜିତ କରିବାକୁ ସକ୍ଷମ ହେଉଛି। ଆର୍ମେନିଆର ସୈନ୍ୟବାହିନୀ ପରି ନଗୋର୍ଣ୍ଣୋ-କାରାବାଖର ମଧ୍ୟ ଏକ ସ୍ୱତନ୍ତ୍ର ସେନାବାହିନୀ ଅଛି, ଯେଉଁମାନେ ଆର୍ମେନିଆ ସୈନ୍ୟଙ୍କ ସହ ମିଶି ଯୁଦ୍ଧ ଲଢିଥାଆନ୍ତି। ତେବେ ନଗୋର୍ଣ୍ଣୋ-କାରାବାଖ କ୍ଷେତ୍ରରେ ଅଜରବାଇଜାନ ଶକ୍ତିଶାଳୀ ମନେ ହେଉଥିବା ବେଳେ ଏହାର ନିୟନ୍ତ୍ରଣରେ ଥିବା ‘ନାଖଚିଭାନ ଅଟୋନମସ ରିପବ୍ଲିକ’ ଅଜରବାଇଜାନର ସୀମାଠାରୁ ଦୂରରେ ଆର୍ମେନିଆ ସୀମାକୁ ଲାଗି ରହିଥିବାରୁ ତାହା ଆର୍ମେନିଆ ଅକ୍ତିଆରକୁ ଚାଲି ଯିବାର ଆଶଙ୍କା ଦେଖା ଦେଇପାରେ।

ଯୁଦ୍ଧ ହେଲେ ତୁର୍କି ଅଜରବାଇଜନକୁ ସମର୍ଥନ କରିବା ଲାଗି ଖୋଲାଖୋଲି ଭାବେ ଘୋଷଣା କରି ସାରିଲାଣି, କାରଣ ଏ ନେଇ ଉଭୟ ଦେଶଙ୍କ ମଧ୍ୟରେ ଏକ ସାମରିକ ଚୁକ୍ତି ୨୦୧୦ ମସିହାରେ ସ୍ୱାକ୍ଷରିତ ହୋଇଛି। ଅଜରବାଇଜାନରେ ଅନେକ ସଂଖ୍ୟାରେ ତୁର୍କ ଲୋକ ବି ବସବାସ କରିଥାଆନ୍ତି। ତା’ ଛଡା ଓଟୋମନ ରାଜୁତି କାଳରେ ୧୯୧୫ ମସିହାରେ ତୁର୍କି ଦ୍ୱାରା ଆର୍ମେନିଆରେ ହୋଇଥିବା ବୀଭତ୍ସ ଗଣସଂହାର ଓ ଅନ୍ୟାନ୍ୟ କାରଣରୁ ଉଭୟ ଦେଶ ମଧ୍ୟରେ ସମ୍ପର୍କ କେବେ ବି ଭଲ ନ ଥିଲା। ପାକିସ୍ତାନ ମଧ୍ୟ ଧର୍ମଗତ କାରଣରୁ ଅଜରବାଇଜାନକୁ ସମର୍ଥନ କରୁଛି। ଇସ୍ରାଏଲ ଅଜରବାଇଜାନକୁ କେବଳ ସମର୍ଥନ କରୁନାହିଁ, ବରଂ ଉନ୍ନତ ଜ୍ଞାନକୌଶଳ ସମ୍ପନ୍ନ ଅସ୍ତ୍ରଶସ୍ତ୍ର ବି ଯୋଗାଇବା ଆରମ୍ଭ କରି ଦେଇଛି। ଅଜରବାଇଜାନର ପ୍ରାକୃତିକ ଗ୍ୟାସ ଓ ତେଲରୁ ସୁବିଧା ହାସଲ କରିବା ତା’ର ଲକ୍ଷ୍ୟ ହୋଇଥିବା ବେଳେ ସେଠାରେ ସାମରିକ ଘାଟୀ ସ୍ଥାପନ କରି ପାରିଲେ ପରବର୍ତ୍ତୀ ସମୟରେ ଏହା ଇରାନ ସଂଲଗ୍ନ ହୋଇଥିବାରୁ ତା’ ପକ୍ଷରେ ଇରାନର ମୁକାବିଲା କରିବା ସହଜ ହେବ ବୋଲି ତା’ର ଧାରଣା।

ଉଭୟ ଅଜରବାଇଜାନ ଓ ଆର୍ମେନିଆର ସୀମା ସହ ସଂଲଗ୍ନ ଇରାନ କିନ୍ତୁ ଉଭୟ ଦେଶଙ୍କୁ ଯୁଦ୍ଧରୁ ବିରତ ରହିବା ପାଇଁ ଚାପ ପ୍ରୟୋଗ କରୁଛି। ଏ କ୍ଷେତ୍ରରେ ରୁଷିଆର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ। ଆର୍ମେନିଆରେ ରୁଷିଆର ଏକ ସାମରିକ ଘାଟୀ ଥିଲେ ବି ତା’ର ଉଭୟ ଆର୍ମେନିଆ ଓ ଅଜରବାଇଜାନ ସହ ସମ୍ପର୍କ ବେଶ ଭଲ। ସେ ଉଭୟ ଦେଶଙ୍କୁ ଯୁଦ୍ଧାସ୍ତ୍ର ଯୋଗାଇ ଆସିଛି ଓ ଉଭୟ ଦେଶଙ୍କ ଯୁଦ୍ଧରୁ ନିବୃତ୍ତ ରହିବା ସପକ୍ଷରେ। ତେବେ ଯୁଦ୍ଧ ସ୍ଥିତିରେ ତୁର୍କି ଅଜରବାଇଜାନ ସପକ୍ଷରେ ବାହାରିଲେ ରୁଷିଆ ସମ୍ଭବତଃ ଆର୍ମେନିଆ ସପକ୍ଷରେ ବାହାରିବ, କାରଣ ଆର୍ମେନିଆ ଓ ରୁଷିଆ ମଧ୍ୟରେ ବି ୧୯୯୨ରୁ ଏକ ସାମରିକ ଚୁକ୍ତି କାର୍ଯ୍ୟ କରୁଛି। ଏତଦବ୍ୟତୀତ ଲିବ୍ୟା ଓ ସିରିଆ ପ୍ରସଙ୍ଗକୁ ନେଇ ଉଭୟ ରୁଷିଆ ଓ ତୁର୍କିର ସମ୍ପର୍କ ଭଲ ନ ଥିଲା ବେଳେ ନଭେମ୍ୱର ୨୦୧୯ରେ ତୁର୍କି ରୁଷିଆର ଏକ ଯୁଦ୍ଧ ବିମାନକୁ ଖସାଇ ଦେବା ପରେ ଉଭୟ ଦେଶଙ୍କ ସମ୍ପର୍କ ଆହୁରି ତିକ୍ତ ହୋଇଛି।

ଆର୍ମେନିଆ ଓ ଅଜରବାଇଜାନ ମଧ୍ୟରେ ବିବାଦ ଯୁଦ୍ଧର ରୂପ ନେଇ ଦୀର୍ଘ ଦିନ ଧରି ଚାଲିଲେ ତାହା ଅନେକ ଦେଶର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ବର୍ତ୍ତମାନ କାସ୍ପିଆନ ଅଞ୍ଚଳରୁ ଉପଲବ୍ଧ ପ୍ରାକୃତିକ ଗ୍ୟାସ ଓ ତେଲ ଅଜରବାଇଜାନରୁ ଦୁଇଟି ପାଇପଲାଇନ ଯୋଗେ ଅଜରବାଇଜାନରୁ ଇଉରୋପୀୟ ଦେଶମାନଙ୍କ ନିକଟରେ ପହଞ୍ଚାଇବାର ଯୋଜନା ରହିଛି ଓ ଭବିଷ୍ୟତରେ ଆହୁରି ଅଧିକ ପାଇପ ଲାଇନ ନିର୍ମାଣର ମଧ୍ୟ ଯୋଜନା ରହିଛି, ଯାହା ସେହି ଦେଶଗୁଡିକର ଗ୍ୟାସ ଓ ତେଲ ପାଇଁ ରୁଷିଆ ଉପରେ ନିର୍ଭରଶୀଳତାକୁ କମ କରିବାରେ ସହାୟକ ହୋଇ ପାରିବ ଗ୍ୟାସ ଓ ତେଲର ଦରକୁ ହ୍ରାସ କରିବ। ତେବେ ଏହି ଦୁଇଟି ଯାକ ପାଇପ ଲାଇନ ବିବାଦୀୟ ନଗୋର୍ଣ୍ଣୋ-କାରାବାଖ ଅଞ୍ଚଳ ପାଖ ଦେଇ ଯାଇଥିବାରୁ ଯୁଦ୍ଧ ହେଲେ ଅଜରବାଇଜାନ ଗ୍ୟାସ ଓ ତେଲ ଯୋଗାଣ ବନ୍ଦ କରିବାକୁ ବାଧ୍ୟ ହେବ, ଯାହା ସେହି ଦେଶଗୁଡିକର ଅର୍ଥନୀତିକୁ ପ୍ରଭାବିତ କରିପାରେ। ଏହା ଦ୍ୱାରା ସାମଗ୍ରିକ ଭାବେ ତେଲ ଦର ପ୍ରଭାବିତ ହେବାର ଆଶଙ୍କା ଦେଖା ଦେଲେ ଯେ ବିଶ୍ୱର ଅଧିକାଂଶ ଦେଶର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପଡିବ, ଏଥିରେ ସନ୍ଦେହ ନାହିଁ। ତେଣୁ ଯୁଦ୍ଧକୁ ଏଡାଇବା ପାଇଁ ବିଭିନ୍ନ ଦେଶଙ୍କ ତରଫରୁ ଆନ୍ତରିକ ଉଦ୍ୟମ ହେବା ଆବଶ୍ୟକ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।