ଭୀମ ଭୋଇ ବିଶ୍ଵମାନବର ନା କୌଣସି ଅନୁଷ୍ଠାନର? 

  • ଦେବ ରଞ୍ଜନ

ଭୀମ ଭୋଇଙ୍କ ପ୍ରସିଦ୍ଧ ଉକ୍ତି, “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନରକେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” ଗଲା କିଛି ବର୍ଷ ହେଲା ଉଭୟ ସରକାରୀ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଅଧିକ ଗୁଞ୍ଜରିତ ହେଉଛି, ଏହା ପୂର୍ବରୁ ଏ ଭଳି ହୋଇନଥିଲା।

ସ୍ତୁତି ଚିନ୍ତାମଣିରେ ଭୀମ ଭୋଇ ଏହି ପ୍ରସିଦ୍ଧ ଉକ୍ତି ପରେ ପୁଣି କହୁଛନ୍ତି, “ଜଣାଉଛି ମୁଁ ଯେ ଭକ୍ତିଭାବ ରଞ୍ଜେ ଆହେ ମଣିମା ଅନନ୍ତ, ତିନି ବ୍ରହ୍ମାଣ୍ଡରେ ଯେତେ ଜୀବ ଛନ୍ତି ସମସ୍ତେ ତୁମ୍ଭ ଭଗତ“ ଯାହାକୁ କ୍ଵଚିତ ଉଲ୍ଲେଖ କରାଯାଇଥାଏ। ଚିନ୍ତା କରିବା କଥା ଯେ ଯଦି ଭୀମ ଭୋଇଙ୍କ ଏହି ଦ୍ଵିତୀୟ ଧାଡ଼ିକୁ ଅଧିକ ଗୁରୁତ୍ଵ ଆକାରରେ ଆଦର୍ଶ ମନାଯିବ ତେବେ ରାଜନୈତିକ ପ୍ରତିଯୋଗିତା, ହିଂସା, ଘୃଣା ଓ ହତ୍ୟା ମନୋଭାବ ଚାଲିଯିବ। ଯଦି ତାହା ହୋଇଥାନ୍ତା ତେବେ କ’ଣ ସମାଜ ଲାଗି ମଙ୍ଗଳ ହୋଇନଥାନ୍ତା?

ଆଗକୁ ଭୀମ ଭୋଇ ଯୁଦ୍ଧ ଓ ହିଂସା ବିରୁଦ୍ଧରେ ପୁଣି ଲେଖୁଛନ୍ତି, ’ଏକ ଖଣ୍ଡ ହାଡ଼ ବୁନ୍ଦାଏ ରୁଧୀର ଫୁଟେ ମାଉଁସ ଜାଣଇ, ତେଣୁ କରି ସିନା ପ୍ରାଣୀଙ୍କ ବିକଳ ସହି ନ ପାରିବି ମୁହିଁ, ଏକା ଖଡ଼ଗରେ ଦଶ ପାଞ୍ଚ ମୁଣ୍ଡ ଛିଡ଼ଇ ଭାରତ ଯୁଦ୍ଧେ, ଆରେକ ଅଙ୍ଗକୁ ପାଦେ ପ୍ରହାରିଲେ ଏ ଅଙ୍ଗକୁ ମୋର ବାଧେ।’  (ସ୍ତୁତି ଚିନ୍ତାମଣି)

ଭୀମ ଭୋଇଙ୍କ ମଧ୍ୟରେ ଯେ ଗଭୀର ମାନବିକତା ରହିଥିଲା ଏହା ତାହାର ପ୍ରମାଣ। ଧର୍ମ, ଜାତି ଓ ଶାସନ ବ୍ୟବସ୍ଥା ସର୍ବଦା ଦେଖାଯାଉଥିବା ଅଥବା ଦେଖାଯାଉ ନଥିବା ଅନୁଷ୍ଠାନ ମଧ୍ୟରେ ରହିବାକୁ ପସନ୍ଦ କରିଥାନ୍ତି। ଅନୁଷ୍ଠାନ ମଧ୍ୟରେ ଏକ ସୀମା ରହିଥାଏ ଓ ଏହା ଭିତରେ ଉଚ୍ଚ ନିଚ୍ଚ ମନୋଭାବକୁ ଆଇନର ରୂପ ମଧ୍ୟ ଦିଆଯାଇ ଗ୍ରହଣୀୟ କରିନିଆଯାଏ। ଅନୁଷ୍ଠାନ କେବେ ବିଶ୍ଵ ମାନବବାଦକୁ ବିଶ୍ଵାସ କରିନଥାଏ। କିନ୍ତୁ ଭୀମ ଭୋଇ ଶାସନର ପରମ୍ପରାର ଘୋର ବିରୋଧୀ ଥିଲେ, ଯେଉଁଥି ଲାଗି ସେ କହୁଛନ୍ତି, ‘ରାଜାର ପରଜା ନୋହୁ ସିନା ଆମ୍ଭେ ନୋହୁ ସାହୁର ଖାତକ, ଯହିଁ ଗୁରୁ ନେବେ ତହିଁ ଯାଉ ଆମ୍ଭେ କେ ଅବା କରୁ ଅଟକ?’

ବିଶାଳ ମାନବବାଦର ବଡ଼ ସମର୍ଥକ ରହିବା କାରଣରୁ ଭୀମ ଭୋଇ କହିପାରିଲେ, ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ଜଣାଉଛି ମୁଁ ଯେ ଭକ୍ତିଭାବ ରଞ୍ଜେ ଆହେ ମଣିମା ଅନନ୍ତ, ତିନି ବ୍ରହ୍ମାଣ୍ଡରେ ଯେତେ ଜୀବ ଛନ୍ତି ସମସ୍ତେ ତୁମ୍ଭ ଭଗତ।‘

ଅନୁଷ୍ଠାନ ମଧ୍ୟରେ ଭୀମ ଭୋଇଙ୍କୁ ବାନ୍ଧିବାର ପ୍ରୟାସ ଅବଶ୍ୟ ନୂଆ ନୁହେଁ। ଏହା ପୂର୍ବରୁ ତାଙ୍କୁ ଓଡ଼ିଆ ସାହିତ୍ୟର ଅନ୍ୟତମ ପ୍ରତୀକ ଭାବରେ ନେଇ ଅନେକ ଗବେଷଣା ଅନୁଷ୍ଠାନ ତିଆରି ହୋଇଛି, ତାଙ୍କ ନାମରେ ଭୀମଭୋଇ ଚେୟାର ସୃଷ୍ଟି ହୋଇଛି, ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଗବେଷଣା ଚାଲିଛି। ସମାନ୍ତରାଳ ଭାବରେ ଭୀମ ଭୋଇଙ୍କ ସମାଧୀପୀଠ ଖଲିଆପାଲିରେ ରହିଥିବା ମନ୍ଦିର ସରକାରୀ ଅନୁଦାନରେ ବିଶାଳ ରୂପ ନେଇଛି। ଏ ସବୁ ହୋଇଛି। କିନ୍ତୁ ଯାହା ଭୀମ ଭୋଇଙ୍କ ପ୍ରକୃତ ପରିଚୟ, ଜାତିପ୍ରଥାର ଘୋର ବିରୋଧୀ, ତାହା କିନ୍ତୁ ବହୁତ ପଛରେ ରହିଯାଇଛି।

ଖାଲିଆପାଲି ଗାଁ ଓ ପାଖାପାଖି ଗାଁର ଅନେକ ଦଳିତ ପରିବାର, ଜାତିଗତ ବାସନ୍ଦର ଶିକାର ହେଉଛନ୍ତି ଯାହା ସମ୍ପର୍କରେ ଅନେକ ନିରବ। ସେହି ଦଳିତ ପରିବାର ଦ୍ଵାରା ତିଆରି ଢୋଲ ମନ୍ଦିରରେ ବ୍ୟବହାର ହୋଇଛି, ସେମାନଙ୍କ ତିଆରି ଖଲି ପତ୍ରରେ ଭୀମ ଭୋଇଙ୍କୁ ପୂଜା ଦିଆଯାଇଛି, କିନ୍ତୁ ସେମାନଙ୍କୁ ଉଚ୍ଚ ଜାତିର ଲୋକେ ଆଖପାଖ ଅଞ୍ଚଳରେ ମଧ୍ୟ ଗ୍ରହଣ କରୁନାହାନ୍ତି, ସେମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିପାରି ନାହିଁ।

ଭୀମ ଭୋଇଙ୍କ ଉପରେ ଗବେଷଣାରତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ରାଜ୍ୟ ବା ଦେଶରେ ବିଭିନ୍ନ ପ୍ରାନ୍ତରେ ଦଳିତଙ୍କ ଉପରେ ହେଉଥିବା କ୍ରମାଗତ ଆକ୍ରମଣ ସମ୍ପର୍କରେ ନିରବ ରହୁଛନ୍ତି। ସରକାରୀ ଅନୁଷ୍ଠାନ ନିଜେ ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ପ୍ରଶ୍ରୟ ଦେଉଛନ୍ତି। ତାହାକୁ ମଧ୍ୟ ଗବେଷଣା ମଧ୍ୟରେ ବାନ୍ଧି ରଖିଥିବା ଗବେଷକମାନେ ସହ୍ୟ କରୁଛନ୍ତି। ଭୀମ ଭୋଇ ଜୀବିତ ଥିଲେ ଏହାକୁ ସେ କ’ଣ ଗ୍ରହଣ କରିପାରିଥାନ୍ତେ?

ଜାତିପ୍ରଥାର ବିରୁଦ୍ଧରେ ସେ ଲେଖିଛନ୍ତି, ‘ଛତିଶ କୁଳ ଯେ ବାଉନ ପାଟକ ଜାତି ବୋଲା ନାହିଁ ଯାଏ, ପ୍ରାଣୀ ଅନ୍ତର ପାଟକ ସିନା ଏହୁ ସୁପଣ୍ଡିତେ କର ନ୍ୟାୟେ। ତିନି ବ୍ରହ୍ମାଣ୍ଡରେ ଲୋଡ଼ି ଆସ ତୁଣ୍ଡେ ଏକ ଜଣ ଏକ ଜାତି, ସେହି ସବୁଙ୍କୁ ଶତ ଜାତି କରି ତାହାର ରଚିଲା ପୃଥ୍ବୀ। ସ୍ତିରୀ ପୁରୁଷ ଦୁହିଙ୍କି ଗଢ଼ିଛି ଯୋଡ଼ିଏ ସ୍ୱରୂପ ଦେଖ, ଦ୍ଵିତୀୟ ଜାତିରୁ ତିନି ଜାତି ନାହିଁ ସୁଜନେ କର ବିବେକ।’

ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଓ ରାଜନୈତିକ ଉଦ୍ୟମ ସତ୍ତ୍ୱେ ଆଜି ବି ଭୀମ ଭୋଇଙ୍କୁ ଶୀର୍ଷକ କରି ଓଡ଼ିଆ କବିତା ପଢ଼ିବାକୁ ମିଳୁନାହିଁ। କାରଣ ଭୀମ ଭୋଇ ଓଡ଼ିଆ ସାହିତ୍ୟକୁ ଛୁଇଁ ପାରିଛନ୍ତି, ବୋଧହୁଏ ସାହିତ୍ୟିକର ମନକୁ ଏବେ ବି ଛୁଇଁ ପାରିନାହାନ୍ତି। ଅତି କ୍ଷୁଦ୍ର କବିତାଟିଏ ରାଜେନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଅଛି। କ୍ଷୁଦ୍ର ଗଳ୍ପ ନାହିଁ। ଛୋଟ ଉପନ୍ୟାସ ଭାବେ ଓମ୍‌ ନାମରେ ଭୀମ ପୃଷ୍ଟିଙ୍କ ଦ୍ଵାରା ପ୍ରୟାସ କରାଯାଇଛି। ସାହିତ୍ୟରେ ଭୀମ ଭୋଇ ବହୁତ କମ ପ୍ରତିଫଳିତ ହେଇଛନ୍ତି। ଭୀମ ଭୋଇଙ୍କ ଭଜନାବଳୀ ଅବଶ୍ୟ ଛପା ଯାଇଛି। ତାଙ୍କ ଉପରେ ଅନେକ ଜୀବନୀ ଲେଖା ଯାଇଛି ଯାହା ଅନେକ ପରସ୍ପର ବିରୋଧୀ ତଥ୍ୟ ଦେଇଥାଏ। ତାଙ୍କୁ ସାମ୍ନାରେ ରଖି କୌଣସି ରାଜନୈତିକ ନେତା କେବେ କିନ୍ତୁ ଜାତିପ୍ରଥାକୁ ହଟାଇବା ସ୍ଲୋଗାନ ଦେଇ ଭୋଟ ଭିକ୍ଷା କରିନାହାନ୍ତି।

ଭୀମ ଭୋଇ ଓ ତାଙ୍କ ଗୁରୁ ମହିମା ଗୋସେଇଁଙ୍କ ସମ୍ପର୍କରେ ଆଲୋଚନା କଲାବେଳେ ଆମେ ଜାଣୁଛେ ଯେ ଭୀମ ଭୋଇଙ୍କ ଜନ୍ମସ୍ଥାନ, ଜନ୍ମ ବର୍ଷ, କେବେ ଓ କେଉଁଠି ମହିମା ଗୋସେଇଁଙ୍କୁ ଭେଟିଲେ, ମହିମାଙ୍କ ଜନ୍ମସ୍ଥାନ, ଜନ୍ମ ବର୍ଷ ଇତ୍ୟାଦି ଅନେକ ବିଷୟ ଏବେ ବି ଅନ୍ଧାରରେ ଅଛି ବା ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। ତେଣୁ ଶିଷ୍ୟମାନେ ତାଙ୍କୁ ଧରିନେଛନ୍ତି ଯେ ଉଭୟ ଭଗବାନ ଥିଲେ ଓ ଅଯୋନିସମ୍ଭୂତ ଥିଲେ। ତେବେ ଭୀମ ଭୋଇ ମହିମାଙ୍କୁ ଭେଟିବା ପୂର୍ବରୁ ଡାଲଖାଇ ଓ ରସରକେଲି ଗାଉଥିଲେ। ଭେଟିବା ପରେ ଅନେକ ଗୀତ, ମାଳିକା ଓ ସହସ୍ର ଭଜନ ସୃଷ୍ଟି କରିଛନ୍ତି, ଏ କଥା ଜଣାପଡୁଛି।

ଭୀମ ଭୋଇ ନିଜେ ମହିମା ବା ଅଲେଖ ଧର୍ମରେ ଦୀକ୍ଷିତ ହୋଇଛନ୍ତି। ଯେମିତି ମହିମା ଗୋସେଇଁଙ୍କ ସମାଧି ଢେଙ୍କାନାଳର ଯୋରନ୍ଦାଠାରେ ଆମକୁ ଦେଖାଯାଉଛି ସେମିତି ସୋନପୁର ଜିଲ୍ଲା ଖଲିଆପାଲିରେ ଭୀମ ଭୋଇଙ୍କ ସମାଧି ପୀଠ ଆମକୁ ଦେଖାଯାଉଛି। ଭୀମ ଭୋଇଙ୍କ କଠଉ ଏବେ ଖଲିଆପାଲିରେ ପୂଜା ହେଉଛି। କିନ୍ତୁ ସେମାନଙ୍କ ଜୀବନ୍ତ ସମୟର ଅନେକ ଘଟଣା ସମ୍ପର୍କରେ ବିଭିନ୍ନ ମତ ରହିଆସିଛି।

ଭକ୍ତି ଯୁଗର ଶେଷ ପ୍ରାନ୍ତରେ ଭୀମ ଭୋଇ ଆସିଛନ୍ତି ଓ ଏହା ପରେ ବ୍ରିଟିଶ ବିରୋଧୀ ଲଢ଼େଇ ଏ ଦେଶରେ ଆରମ୍ଭ ହୋଇଯାଇଛି। କହିବାକୁ ଗଲେ ଭୀମ ଭୋଇ ଗଡ଼ଜାତ ରାଜାମାନଙ୍କ ବିରୋଧୀ ଥିଲେ ଓ ସେହି ସବୁ ରାଜାମାନେ ଇଂରେଜ ଶାସନର ଆଜ୍ଞାବହ ଥିବା କାରଣରୁ ଭୀମ ଭୋଇ ମଧ୍ୟ ଇଂରେଜ ବିରୋଧୀ ସ୍ଵାଧୀନତା ଆନ୍ଦୋଳନର ଅଂଶ ଥିଲେ। ତେବେ ଭକ୍ତି ଯୁଗର କବୀର, ତୁକାରମ ଓ ଭୀମ ଭୋଇ ଏପରିକି ବୁଦ୍ଧ, ମହାବୀର, ବସବାନ (କର୍ଣ୍ଣାଟକ ରାଜ୍ୟର) ସମସ୍ତେ ଜାତି ପ୍ରଥାକୁ ବିରୋଧ କରିଛନ୍ତି, ସମସ୍ତେ ରାଜାଙ୍କ ପ୍ରଜାବିରୋଧୀ ଶାସନର ଦୃଢ଼ ନିନ୍ଦା ମଧ୍ୟ କରିଛନ୍ତି। ସମସ୍ତଙ୍କର ପ୍ରଥମ ମୁକାବିଲା ହେଉଛି ଏହି ଜାତି ଜାତି ବିଭାଜନ ଓ ଏହା ପରେ ରାଜାଙ୍କ ଶାସନ। ଏ ସମସ୍ତେ ପ୍ରତିବାଦୀ। ଏ ସମସ୍ତେ ବିପ୍ଳବୀ। ସମସ୍ତେ ନିଜ ସମୟର ରାଜାମାନଙ୍କ ଦ୍ଵାରା ଅତ୍ୟାଚାରିତ ହୋଇଛନ୍ତି, ତଥାପି ନିଜର ମୁହଁ ବନ୍ଦ କରିନାହାନ୍ତି।

ସମସ୍ତେ ସମାଜ ପାଇଁ ଅନେକ କାବ୍ୟ, କବିତା, ବୋଲି ରଚନା କରିଛନ୍ତି। କିନ୍ତୁ ନିଜ ପରିବାର, ନିଜ ବାପା ମା’, ନିଜ ଜନ୍ମ ସ୍ଥାନ ସମ୍ପର୍କରେ ନିଜ କବିତାରେ କେବେ କିଛି ବି ଉଲ୍ଲେଖ କରିନାହାନ୍ତି। ସେମାନଙ୍କ କୌଣସି ମୂର୍ତ୍ତି ମଧ୍ୟ ସେମାନଙ୍କ ଜୀବୀତ ଥିବା ବେଳେ ତିଆରି କରିବାକୁ ଦେଇନାହାନ୍ତି। ଆଜି ଯାହା ବି ଆମେ ସେମାନଙ୍କ ମୂର୍ତ୍ତି ଭାବରେ ଦେଖୁଛୁ, ଭୀମ ଭୋଇଙ୍କର ମଧ୍ୟ, ସେ ସବୁ କାଳ୍ପନିକ। ତେଣୁ ସେମାନେ କେବେ ବି ବ୍ୟକ୍ତିବାଦୀ ହୋଇନାହାନ୍ତି।

ବିଡ଼ମ୍ବନା ଯେ ସେମାନଙ୍କ ମୃତ୍ୟୁ ପରେ ସମସ୍ତଙ୍କର ବିଚାର ପୁଣି ସେହି ନିଜର ଭକ୍ତମାନଙ୍କ ଦ୍ଵାରା ଅନୁଷ୍ଠାନରେ ପରିଣତ ହୋଇଯାଇଛନ୍ତି। ସେହି ସବୁ ଅନୁଷ୍ଠାନରେ ନଡ଼ିଆ, ଫୁଲ, ଧୂପ, ହିନ୍ଦୁ ଦେବାଦେବୀଙ୍କ ପାଖରେ ହେଉଥିବା ନୀତିକାନ୍ତି ଓ ଭକ୍ତ ଓ ସନ୍ନ୍ୟାସୀ ଆଦି ମାଧ୍ୟମରେ ଉଚ୍ଚନୀଚ୍ଚ ଭେଦଭାବ ଆସିଯାଉଛି। ସେମାନଙ୍କ ମୃତ୍ୟୁ ପରେ ସେମାନଙ୍କୁ ବିଭିନ୍ନ ଉପାୟରେ ଅନୁଷ୍ଠାନ ଓ ସରକାରୀ ବ୍ୟବସ୍ଥାର ଅଂଶ କରିଦିଆଯାଇଛି ଓ ସେମାନଙ୍କୁ ଜାଣି ଜାଣି ଲୋକଙ୍କଠାରୁ ଦୂରକୁ ନେଇନିଆଯାଇଛି। ତେଣୁ ସେମାନଙ୍କ ମୃତ୍ୟୁ ପରେ ପୁଣି ଜାତିପ୍ରଥା, ଶାସକ ଦ୍ଵାରା ଶୋଷଣର ପରମ୍ପରା, ଧନୀ ପ୍ରସଙ୍ଗ ସବୁ ସମାଜରେ ପୁଣି ଦେଖାଦେଉଛି ଓ ସେମାନେ ଅନୁଷ୍ଠାନ ଭିତରେ କେବଳ ପ୍ରତିମା ହୋଇ ପୂଜା ପାଉଛନ୍ତି।

ସହାୟକ ଗ୍ରନ୍ଥ- ୧. ଭୀମଭୋଇ ଚର୍ଚ୍ଚା : କୁହା ଓ ଅକୁହା କଥା ଲେଖକ : ଗୌରାଙ୍ଗ ଚରଣ ଦାସ, ୨. The Cult of Jagannath and the Regional Tradition of Orissa by Anncharlott Eschmann, Hermann Kulke, Gaya Charan Tripathi, ୩ . Religion, Law and Power by Dr. Ishita Banerjee – Dube, ୪. ଜଗତ ଉଦ୍ଧାର ହେଉ , ଭୀମ ଭୋଇଙ୍କ ଶ୍ରେଷ୍ଠ କାବ୍ୟକୃତି , ସମ୍ପାଦନା ; ସତ୍ୟନନ୍ଦ ସ୍ଵାଇଁ, ପ୍ରକାଶକ; ଏନବିଟି।

ମୋବାଇଲ : ୯୪୩୭୭୬୨୨୭୨

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।