/odisha-reporter/media/post_attachments/uploads/2022/11/dog-3.jpg)
Dog
- ରୁଦ୍ର ପ୍ରସନ୍ନ ରଥ
ଇନଫୋସିଟି ଥାନା ଅଧୀନରେ ଥିବା ତପସ୍ୱିନୀ କଲୋନୀରେ ଜଣେ ଆଠ ବର୍ଷର ପିଲାକୁ କୁକୁର କାମୁଡ଼ିଦେଲା ପରେ ଏବେ ରାଜଧାନୀରେ କୁକୁରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆଠ ବର୍ଷର ପିଲା ଜଣଙ୍କ କୁକୁର କାମୁଡ଼ାରେ ଆହତ ହୋଇ ଚିକିତ୍ସିତ ହେଲା ପରେ କୁକୁରକୁ କଲୋନୀରୁ ବାହାର କରିବା ନେଇ ପିଲାର ପିତାମାତା ଥାନାରେ କେଶ ଦେବା ସହ ମାନବାଧିକାର କମିଶନ ପାଖରେ ଏ ନେଇ ଫେରାଦ ହେବା ପରେ ମାମଲା ଆଗକୁ ବଢ଼ିଥିଲା। ପରେ ବହୁ କଷ୍ଟରେ କୁକୁର କଲୋନୀରୁ ବିତାଡ଼ିତ ହେଲା ପରେ ମାମଲା ଥଣ୍ଡା ପଡ଼ିଥିଲା ସତ, ହେଲେ ଏ ନେଇ ଆଗକୁ ଯେପରି କିଛି ଝାମେଲା ନହୁଏ ତାହା ଉପରେ ନଜର ଦେବା ପାଇଁ ବିଏମସି ତରଫରୁ ବ୍ୟବସ୍ଥା କରାଯିବା ପାଇଁ ସ୍ଥିର ହୋଇଛି। ଏ ନେଇ ସ୍ୱତନ୍ତ୍ର ବାଇ ଲ ଆଣି ରାଜଧାନୀରେ କୁକୁରଙ୍କ ଉତ୍ପାତକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରାଯିବାର ଯୋଜନା ରହିଛି।
ମିଳିଥିବା ସୂଚନା ଅନୁଯାୟୀ ପ୍ରତ୍ୟେକ ପୋଷା କୁକୁରର ପଂଜୀକରଣ ହେବା ସହ ସେମାନଙ୍କ ବେକରେ ଇଲେକ୍ଟ୍ରୋନିକ ଚିପ୍ସ ଯୁକ୍ତ ପରିଚୟ ପତ୍ର ଲାଗିବ । ଏହା ସହ କୁକୁରକୁ ରଖିବା ପାଇଁ ସଂପୂର୍ଣ୍ଣ ଘର ରହିବା ସହିତ ତାକୁ ବାହାରକୁ ବୁଲାଇ ନେବାବେଳେ ତା ବେକରେ ଚେନ୍ ବାନ୍ଧିବା ବାଧ୍ୟତାମୂଳକ ହେବ। ସେହିପରି ବାହାରେ କୁକୁରକୁ ଶୌଚ କରାଇବା ଉପରେ ମଧ୍ୟ ପ୍ରତିବନ୍ଧକ ରଖାଯାଇଛି। ଏହି ନିୟମକୁ ନମାନିଲେ ମାଲିକଙ୍କୁ ଦଶ ହଜାର ଟଙ୍କାର କ୍ଷତିପୂରଣ ଦେବାକୁ ପଡ଼ିବ। ତେବେ ଏସବୁ କରିବା ଦ୍ୱାରା ଯେ କୁକୁର ଦ୍ୱାରା ପଡ଼ୋଶୀ କମ୍ ବିପଦରେ ପଡ଼ିବେ କିମ୍ବା କୁକୁର କାମୁଡ଼ାରୁ ବର୍ତ୍ତିଯିବେ ତାହାର ନିଶ୍ଚୟତା ନାହିଁ।
ଏପରି ଏକ ପ୍ରସଙ୍ଗ ଉପରେ ଆଲୋଚନା କଲାବେଳେ ଆମେ ମନେ ରଖିବା ଦରକାର ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ସବୁବେଳେ କର୍ମଠ ଏବଂ ତାଲିମ୍ ପ୍ରାପ୍ତ କର୍ମଚାରୀଙ୍କ ଅଭାବ ଥାଏ। ବଢ଼ି ଚାଲୁଥିବା ସହର ସହ ତାଳ ଦେଇ କର୍ପୋରେସନଗୁଡିକର କର୍ମଚାରୀ ସଂଖ୍ୟା ବୃଦ୍ଧି ପାଉନଥିବାରୁ ଲୋକମାନଙ୍କୁ ପାନୀୟ ଜଳ, ଗମନାଗମନ, ଯୋଗାଯୋଗ କିମ୍ବା ଅନ୍ୟ ସ୍ଥାନୀୟ ସମସ୍ୟାର ସମାଧାନ ସହଜରେ ହେବା କାଠିକର ପାଠ ହୋଇଯାଏ। ଏପରି ସ୍ଥିତିରେ ବିଏମସି କୁକୁରଙ୍କୁ ନେଇ କରିଥିବା ଏହି ଯୋଜନାରେ କିପରି ସଫଳ ହେବ ତାହା ଉପରେ ନଜର ରଖିବା କଥା। ତେବେ ଏ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ହେଲେ ବିଏମସି ଆଗରେ ଅନେକ ଆହ୍ୱାନ ଯେ ରହିଛି ତାହା ସ୍ୱୀକାର କରିବାକୁ ହେବ। ମୋଟାମୋଟି ଭୁବନେଶ୍ୱରର ମୋଟ କୁକୁର ସଂଖ୍ୟା ଜାଣିବା, ସେମାନଙ୍କୁ ପଂଜୀକରଣ କରି ତାହାର ଡାଟାବେଶ୍ ପ୍ରସ୍ତୁତ କରିବା, ସେମାନଙ୍କ ମାଲିକମାନଙ୍କୁ ବିଭିନ୍ନ ନିୟମ ବିଷୟରେ ସଚେତନ କରାଇବା ସହ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ବିଏମସିକୁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ, ତାହା ଏବେଠୁ ଜଣାପଡୁଛି।
ଏବେ ଭୁବନେଶ୍ୱରରେ ପାଖାପାଖି ଆଠ ଲକ୍ଷ ଜନସଂଖ୍ୟା ଅଛି। ଏହାର ଯଦି ଏକ ପ୍ରତିଶତ ଘରେ କୁକୁର ଥାଏ ତେବେ ମୋଟାମୋଟି ଆଠ ହଜାରରୁ ଅଧିକ କୁକୁର ନିଶ୍ଚୟ ଭୁବନେଶ୍ୱରରେ ଥିବେ। ପୁଣି ବ୍ୟକ୍ତିଗତ ଘରେ ଥିବା କୁକୁର ଏବଂ ଆପାର୍ଟମେଂଟରେ ଥିବା କୁକୁରକୁ ନେଇ ଲୋକଙ୍କ ଭିତରେ ଭିନ୍ନଭିନ୍ନ ମତ ପ୍ରକାଶ ପାଇଥାଏ। ଆପାର୍ଟମେଂଟ କିମ୍ବା କଲୋନୀରେ ଥିବା କୁକୁରଙ୍କୁ ନେଇ ସାଧାରଣତଃ ଲୋକଙ୍କ ଭିତରେ କଳି ହେବାର ଦେଖାଯାଏ। କୁକୁରକୁ ଶୌଚ କରାଇବା, ତାହାର ଅସମୟରେ ଭୁକିବା ଯୋଗୁଁ ନିଦ୍ରା ବ୍ୟାହତ ହେବା ଆଦି କାରଣ ପାଇଁ ଲୋକମାନଙ୍କ ମଧ୍ୟରେ କୁକୁରକୁ ନେଇ ଝଗଡ଼ାହୁଏ। ତେବେ ବିଏମସିର ଏହି କୁକୁର ପଂଜୀକରଣ କରିବା ଦ୍ୱାରା ଏହି ଝଗଡ଼ା ଜାତୀୟ ସମସ୍ୟାର କିପରି ସମାଧାନ ହେବ ତାହା ଦେଖିବାର କଥା। ପୁଣି ଜଣଙ୍କର କୁକୁର ଅନ୍ୟଜଣଙ୍କୁ କାମୁଡ଼ିଲେ କ୍ଷତିଗ୍ରସ୍ତ ହେଉଥିବା ଲୋକଙ୍କ ପାଇଁ ବିଏମସି ବ୍ୟବସ୍ଥା କରିବା ଦରକାର। ବିଏମସି ଯଦି କ୍ଷତିଗ୍ରସ୍ତ ବ୍ୟକ୍ତିଜଣଙ୍କୁ କୁକୁର କାମୁଡ଼ା ଜନିତ ଯନ୍ତ୍ରଣାର ଉପଶମ ତଥା ଏ ନେଇ କ୍ଷତିପୂରଣ ଦେଇ ନପାରିଲା ତେବେ କ୍ଷତିଗ୍ରସ୍ତ ଲୋକ ଅଭିଯୋଗ କରିବାକୁ ଯିବ କାହିଁକି? ତାପରେ ଯଦି ଜଣଙ୍କର କୁକୁର ଅନ୍ୟଜଣଙ୍କୁ କାମୁଡ଼ିଲା ତାହା ହେଲେ ବିଏମସି କ୍ଷତିପୂରଣ କାହିଁକି ନେବ? ଏ ପ୍ରଶ୍ନର ଉତ୍ତର ବି ବିଏମସିକୁ ଦେବାକୁ ପଡ଼ିବ।
ଏବେ ପଂଜୀକରଣ ପ୍ରସଙ୍ଗକୁ ଆସିବା। ବିଏମସି ପାଇଁ ସମସ୍ୟା ହେଉଛି ଯେ ବିଏମସି ଘର ପିଛା ଦୁଇଟି କରି କୁକୁର ରଖିବାକୁ ଅନୁମତି ଦେବ ବୋଲି କୁହାଯାଉଛି। ଯେଉଁମାନଙ୍କର ଏକାଧିକ କୁକୁର ଅଛନ୍ତି ସେମାନଙ୍କର ବାକି କୁକରମାନଙ୍କର ଅବସ୍ଥା କଣ ହେବ ତାହା ବି ଚିନ୍ତା କରିବାର କଥା। ପୁଣି ଅନେକ ଏପରି ଅଛନ୍ତି ଯେଉଁମାନେ କୁକୁରକୁ ନିଜ ପରିବାରର ଅବିଚ୍ଛେଦ୍ୟ ଅଂଗ ବୋଲି ବିଚାର କରନ୍ତି ସେମାନେ ନିଜର ପ୍ରାଣ ପ୍ରିୟ କୁକୁରକୁ କିପରି ନିଜଠାରୁ ଅଲଗା କରିବାକୁ ରାଜି ହେବେ ତାହା ଦେଖିବାର ଅଛି। ପୁଣି ଦୁଇ ଜଣ କୁକୁର ମିଶି ଛୁଆ ଜନ୍ମକଲେ ସେମାନେ ଘରେ ରହିବେ ନା ତାଙ୍କୁ ଅଲଗା ହେବାକୁ ପଡ଼ିବ ତାହା ବି ଦେଖିବାର ଅଛି।
ବିଏମସି ଏହି ଆଠରୁ ଦଶ ହଜାର କୁକୁରଙ୍କ ପଂଜୀକରଣ କରିବା ପାଇଁ ଅଫଲାଇନ୍ ବ୍ୟବସ୍ଥା କରିବ ନା ଅନଲାଇନ୍ ବ୍ୟବସ୍ଥା କରିବ? ଏହି ଆଠ ହଜାର କୁକୁରଙ୍କର ସ୍ୱଭାବର ପରୀକ୍ଷା କରିବା ପାଇଁ ବିଏମସି ପାଖରେ ଆବଶ୍ୟକୀୟ ପଶୁ ଚିକିତ୍ସକ ଅଛନ୍ତି ତ? ଲୋକ କଣ ନିଜ ଖର୍ଚ୍ଚରେ ପଶୁ ଚିକିତ୍ସକଙ୍କ ପାଖକୁ ଯାଇ ସେମାନଙ୍କର କୁକୁରର ସ୍ୱାସ୍ଥ୍ୟ ଏବଂ ମନୋଭାବ ପରୀକ୍ଷା କରାଇ ଆଣିବେ ନା ପଶୁ ଚିକିତ୍ସକ ଘର ଘର ବୁଲି କୁକୁରର ସ୍ୱାସ୍ଥ୍ୟ ପରୀକ୍ଷା କରି ସାର୍ଟିଫିକେଟ୍ ଦେବେ? ଏହି କାମ କଣ ପଂଜୀକରଣ ପରେ ହେବ ନା ପଂଜୀକରଣ ପୂର୍ବରୁ ହେବ? ମୋଟ ଉପରେ କୁକୁର ପଂଜୀକରଣ ବ୍ୟବସ୍ଥା ସରଳ ଏବଂ ଦୃଢ଼ ବୋଲି ଦେଖାଯାଉଥିଲେ ମଧ୍ୟ ଏହା ଏତେ ସହଜ କିମ୍ବା କରଣୀୟ ନୁହେଁ ବୋଲି ଟିକିଏ ଭିତରକୁ ଯାଇ ଦେଖିଲେ ଜଣାପଡ଼ିବ। କୁକୁର ପଂଜିକରଣ ପରେ ଯେ କୁକୁର କରୁଥିବା ଉପଦ୍ରବ କମିଯିବ ତାହା ବି ଭାବିବା ଭୁଲ ହେବ।
ଏକଥା ସତ ଯେ ଆପଣ କାହାକୁ କୁକୁର ରଖିବା ପାଇଁ ମନା କରିପାରିବେ ନାହିଁ। କିନ୍ତୁ ଏକ ନିର୍ଦ୍ଦିଷ୍ଟ ନିୟମାବଳୀଦେଇ ସେମାନଙ୍କୁ କୁକୁର ପାଳନ କରିବାକୁ ବାଧ୍ୟ କରିପାରିବେ। କୁକୁର ପାଳନ ହୁଏତ କାହାର ସୌକ ହୋଇପାରେ, ତେବେ ଜଣଙ୍କର ସୌକ ପାଇଁ ଅନ୍ୟଜଣଙ୍କର ଧନ ଜୀବନ ଯେପରି ବିପର୍ଯ୍ୟସ୍ତ ନହେବ ତାହା ଦେଖିବା ବି ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ୍। ତେବେ ବିଏମସି ଯଦି କୁକୁରମାନଙ୍କ ପାଇଁ ସତରେ ଚିନ୍ତିତ ତେବେ ନିଜ ତରଫରୁ ନିମ୍ନ ଲିଖିତ ପଦକ୍ଷେପ ନେଇ ପାରିବ (୧) ସହରାଂଚଳର ସ୍କୁଲଗୁଡ଼ିକରେ କୁକୁର ସଚେତନତା କର୍ମଶାଳା ଆୟୋଜନ କରି ପିଲାଙ୍କ ମନରେ କୁକୁର ପ୍ରତି ଭଲ ପାଇବା ସୃଷ୍ଟି କରିବା, (୨) ବିଭିନ୍ନ ସାହି କମିଟି ଏବଂ ମହିଳା ଆରୋଗ୍ୟ ସମିତି ସଦସ୍ୟମାନଙ୍କୁ ନେଇ କୁକୁର କାମୁଡ଼ିଲେ ତାହାର ପ୍ରାଥମିକ ଉପଚାର କିପରି ହେବ ତାହାର ତାଲିମ୍ ଦେବା, (୩) ସହରରେ ଡଗ୍ ୱାକିଂ ପାର୍କ ନିର୍ମାଣ କରି ସେଠାରେ କୁକୁରମାନଙ୍କୁ ନେଇ ଚାଲିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରିବା, (୪) ନିଜ ପରିଚାଳିତ ଡାକ୍ତରଖାନାରେ କୁକୁର କାମୁଡ଼ା ଇଂଜେକସନ ମାଗଣାରେ ଲୋକଙ୍କୁ ଯୋଗାଇଦେବା, (୫) କୁକୁରମାନଙ୍କୁ ତାଲିମ୍ ଦେବା ପାଇଁ ନିର୍ଦ୍ଦିଷ୍ଟ ତାଲିମ୍ ପ୍ରାପ୍ତ ଡଗ୍ ଟ୍ରେନର ନିୟୋଜିତ କରିବା, (୬) କୁକୁର କାମୁଡ଼ିଥିବା ଲୋକଙ୍କୁ ତୁରନ୍ତ ଆର୍ଥିକ କ୍ଷତିପୂରଣ ପ୍ରଦାନ କରିବା, (୭) ଆପ୍ ମାଧ୍ୟମରେ ସ୍ପଳ୍ପ ଖର୍ଚ୍ଚରେ କୁକରର ସ୍ୱ-ପଂଜୀକରଣ କରିବାରେ ସହାୟତା କରିବା, (୮) କୁକୁରମାନଙ୍କୁ ନିୟମିତ ବ୍ୟବଧାନରେ କ୍ୟାମ୍ପ ମାଧ୍ୟମରେ ଟୀକାକରଣ କରାଇବା, (୯) ବୁଲା କୁକୁରଙ୍କର ତ୍ୱରିତ୍ ବନ୍ଧ୍ୟାକରଣ ଓ (୧୦) ଟିକାକରଣରେ ଅବହେଳା କରୁଥିବା ବ୍ୟକ୍ତିବିଶେଷଙ୍କଠାରୁ ମୋଟା ଅଂକରେ ଫାଇନ୍ ଆଦାୟ କରିବା ଆଦି କାର୍ଯ୍ୟ ବିଏମସି ଚିନ୍ତା କରିବା ଆବଶ୍ୟକ। ମୋଟ୍ ଉପରେ କୁକୁରକୁ ନେଇ ଭୋଗୁଥିବା ସମସ୍ୟାର ସଠିକ୍ ବିଶ୍ଲେଷଣ ଏବଂ ଏହାର ସ୍ୱଳ୍ପ ମିଆଦୀ, ମଧ୍ୟମ ମିଆଦୀ ଓ ଦୀର୍ଘ ମିଆଦୀ ପ୍ରତିକାର ନିମନ୍ତେ ଚିନ୍ତାକରିବା ଆବଶ୍ୟକ। କେବଳ ଗୋଟିଏ ଘଟଣାକୁ ନେଇ ଏଥିରେ ତୁରନ୍ତ ପଦକ୍ଷେପ ନେବାର ମୋହ କେବଳ ମୂଳ ଘଟଣାକୁ ଅଧିକ ଜଟିଳ କରିପକାଇଥାଏ ସିନା ହେଲେ ଏହି ସମସ୍ୟାର ସମାଧାନ କରିପାରେ ନାହିଁ। କୌଣସି କଠୋର ଏବଂ ଶେଷ ନିଷ୍ପତି ନେବା ପୁର୍ବରୁ ଏନେଇ ଅଧିକ ଚିନ୍ତା କରିବାର ଆବଶ୍ୟକତା ରହିଛି।
ଧବଳଗିରି, ଯାଜପୁର ରୋଡ଼, ଯାଜପୁର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
