ନାଗରିକତା ନେଉନି, ଜୀବନ ନେଉଛି !

ଦେବେନ୍ଦ୍ର ପୃଷ୍ଟି

କିଛି ତ ରହସ୍ୟ ଅଛି ନିଶ୍ଚୟ! ନହେଲେ ସରକାର କାହିଁକି ଜିଦ୍ଦିରୁ ଓହରୁ ନାହାନ୍ତି? ଲୋକେ କାହିଁକି ବୁଝୁ ନାହାନ୍ତି? ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସମେତ କେନ୍ଦ୍ରର ବହୁ ମନ୍ତ୍ରୀ ଓ କେନ୍ଦ୍ର ଶାସନରେ ଥିବା ଭାରତୀୟ ଜନତା ପାର୍ଟିର ବହୁ ନେତା ବାରମ୍ବାର ଏହା ଘୋଷଣା କରିବା ସତ୍ତ୍ୱେ ଯେ ନାଗରିକତା ସଂଶୋଧନ ଆଇନ ବା ସିଏଏ ଦ୍ୱାରା କାହାର ନାଗରିକତା ଯିବନାହିଁ ବୋଲି ଲୋକେ ପ୍ରତିବାଦ ପ୍ରତ୍ୟାହାର କରୁନାହାନ୍ତି କାହିଁକି? ସିଏଏରୁ ଓହରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରୁଥିଲେ ମଧ୍ୟ ସରକାର କାହିଁକି ଏହାର କାର୍ଯ୍ୟକାରିତା ନେଇ ବିଜ୍ଞପ୍ତି ପ୍ରକାଶ କରୁନାହାନ୍ତି?

ଇତିମଧ୍ୟରେ ଏହି ବିଲ୍‌ ସଂସଦୀୟ ଅନୁମୋଦନ ଲାଭ କରିବା ପରେ ୮୧ ଦିନ ବିତିଗଲାଣି। ୨୦୧୯ ଡିସେମ୍ବର ୧୧ ତାରିଖରେ ସଂସଦରେ ଗୃହୀତ ହୋଇଥିଲା ଏହି ବିଲ୍‌। ଏହାର ସପ୍ତାହେ ଭିତରେ ଏହାକୁ ସ୍ୱୀକୃତି ଦେଇଥିଲେ ରାଷ୍ଟ୍ରପତି। ଏଣୁ ଏବେ ଏହା ଏକ ଆଇନ। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏଯାଏଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଅର୍ଥାତ ଯେଉଁମାନଙ୍କୁ ନାଗରିକତା ଦେବା ପାଇଁ ସରକାର ଏହି ଆଇନ ପ୍ରଣୟନ କରିଛନ୍ତି ସେମାନେ ଏବେ ବି ଭାରତର ନାଗରିକ ହୋଇପାରି ନାହାନ୍ତି। ଅଥଚ ଏହି ଆଇନ ବିରୋଧରେ ଚାଲିଥିବା ଦେଶବ୍ୟାପୀ ପ୍ରତିବାଦ ଆନ୍ଦୋଳନରେ ଏଯାଏଁ ଅନ୍ୟୁନ ୭୬ ଜଣଙ୍କର ପ୍ରାଣହାନୀ ଘଟିଲାଣି। କେବଳ ଜାତୀୟ ରାଜଧାନୀ ଦିଲ୍ଲୀରେ ସିଏଏ ବିରୋଧୀ ଆନ୍ଦୋଳନକୁ ନେଇ ଘଟିଯାଇଥିବା ସାଂପ୍ରଦାୟିକ ଦଙ୍ଗାରେ ୪୬ ଜଣଙ୍କ ମୃତ୍ୟୁ ଘଟିଛି। ମେଘାଳୟରେ ଏହି ଆଇନକୁ କେନ୍ଦ୍ର କରି ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ହିଂସାକାଣ୍ଡ ଘଟିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଦେଶର ଅନ୍ୟାନ୍ୟ ଭାଗରେ ଘଟିଥିବା ହିଂସାକାଣ୍ଡରେ ଅନ୍ୟ ୨୭ ଜଣଙ୍କର ଜୀବନହାନୀ ଘଟିଛି। ସରକାରଙ୍କ ଘୋଷଣା ଅନୁଯାୟୀ ନାଗରିକତା ସଂଶୋଧନ ଆଇନ ଏଯାଏଁ କାହାର ନାଗରିକତା ନେଇନାହିଁ। କିନ୍ତୁ ଏହି ଆଇନ ଯୋଗୁଁ ଏତେ ଲୋକଙ୍କ ଜୀବନ ଚାଲିଗଲାଣି। କେବଳ ଜୀବନ ନୁହେଁ, ଏହି ଆଇନ ଯୋଗୁଁ ମଧ୍ୟ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଶହଶହ କୋଟି ଟଙ୍କାର ଧନହାନୀ ଘଟିଛି।

ଆରମ୍ଭରୁ ଏହି ଆଇନକୁ କେତେକ ବର୍ଗର ଲୋକ, ବିଶେଷକରି ରାଜନୀତିକ କର୍ମୀ ହିନ୍ଦୁ-ମୁସଲମାନ ପ୍ରସଙ୍ଗ ଭାବେ ଉପସ୍ଥାପିତ କରିଛନ୍ତି। ଗୋଟିଏ ଗୋଷ୍ଠୀ ଦାବି କରୁଛନ୍ତି ଯେ ଏହି ଆଇନ ଜରିଆରେ ସରକାର ମୁସଲମାନ ଓ ଅଣମୁସଲମାନଙ୍କ ମଧ୍ୟରେ ପ୍ରଭେଦ ସୃଷ୍ଟି କରିଛନ୍ତି। ଏହି ଆଇନରେ ମୁସଲମାନଙ୍କର ନାଗରିକତା ରଦ୍ଦ କରିବା ନେଇ କୌଣସି ବ୍ୟବସ୍ଥା ନଥିଲେ ମଧ୍ୟ କିଛି ଲୋକଙ୍କ ଆଶଙ୍କା ଯେ ନାଗରିକତା ଆଇନ ସହିତ ନାଗରିକ ପଞ୍ଜିକା ଓ ଜନସଂଖ୍ୟା ପଞ୍ଜିକା ଯୋଡ଼ି ହୋଇଗଲେ ଅନେକ ମୁସଲମାନଙ୍କ ନାଗରିକତା ରଦ୍ଦ ହେବ କିମ୍ବା ବିବାଦ ଘେରରେ ରହିବ। ତେଣୁ ସେମାନେ ଏହାକୁ ବିରୋଧ କରୁଛନ୍ତି। ଅନ୍ୟପକ୍ଷରେ ସିଏଏକୁ ସମର୍ଥନ କରୁଥିବା ଲୋକମାନଙ୍କର ଦାବି ହେଲା ଯେ ଏହି ଆଇନ ଜରିଆରେ କାହାର ନାଗରିକତା ଯିବ ନାହିଁ। ଏହା ନାଗରିକତା ନେବାର ଆଇନ ନୁହେଁ, ନାଗରିକତା ଦେବାର ଆଇନ। ଏହି ଆଇନ ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧାର୍ମିକ ଦୃଷ୍ଟିକୋଣରୁ ନିର୍ଯାତନା ଭୋଗ କରି ଭାରତ ପଳାଇ ଆସିଥିବା ଛଅଟି ଅଣମୁସଲିମ ଧର୍ମ ବା ଏହି ତିନି ଦେଶର ସଂଖ୍ୟାଲଘୁମାନଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବ। ଏହି ଛଅଟି ଧର୍ମ ହେଉଛି ହିନ୍ଦୁ, ଜୈନ, ବୌଦ୍ଧ, ଶିଖ, ପାର୍ସୀ ଓ ଖୀରସ୍ତାନ। ସମର୍ଥକଙ୍କ ଯୁକ୍ତି ହେଲା ଏପରି ପଡ଼ୋଶୀ ଦେଶର ଏହିପରି ନିର୍ଯାତିତ ସଂଖ୍ୟାଲଘୁଙ୍କୁ ଭାରତର ନାଗରିକତା ପ୍ରଦାନ କରିବା ପାଇଁ ଜାତିର ଜନକ ମହାତ୍ମା ଗାନ୍ଧୀ, ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ମତ ଦେଇଥିଲେ। ସେମାନେ ଯାହା ଚାହୁଁଥିଲେ ଏବେକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାହାକୁ କାର୍ଯ୍ୟରେ ପରିଣତ କରିଛନ୍ତି। ସେମାନଙ୍କର ପ୍ରଶ୍ନ, ତେବେ କାହିଁକି ଏ ବିରୋଧ? କାହିଁକି ଏକ ଦୋମୁହାଁ ନୀତି?

ଏହା ଆଦୌ ମିଛ ନୁହେଁ ଯେ ଇସଲାମୀୟ ଆଇନ ଅନୁସାରେ ଚାଲିଥିବା ଏହି ତିନିଟି ଦେଶରେ ସଂଖ୍ୟାଲଘୁମାନଙ୍କ ଉପରେ ଅନେକ ସମୟରେ ବିଭିନ୍ନ ପ୍ରକାର ଅତ୍ୟାଚାର ଚାଲେ। ସେଥିପାଇଁ ବହୁ ସଂଖ୍ୟାଲଘୁ ଏହି ତିନି ଦେଶ ଛାଡ଼ି ଭାରତ ପଳାଇ ଆସିଛନ୍ତି। ସେମାନଙ୍କୁ ଭାରତର ନାଗରିକ ଭାବେ ଗ୍ରହଣ କରିବା ପାଇଁ ମହାତ୍ମାଙ୍କ ସମେତ ବହୁ ନେତା ବହୁବାର ମତ ଦେଇଛନ୍ତି। କିନ୍ତୁ ସେମାନେ ଏହି ତିନି ଦେଶରୁ ଭାରତକୁ ପଳାଇ ଆସିଥିବା ମୁସଲମାନଙ୍କୁ ଭାରତର ନାଗରିକତା ପ୍ରଦାନ କରିବା ବିରୋଧରେ ମତ ଦେଇନାହାନ୍ତି। ଏହି ଆଇନରେ ମୁସଲମାନଙ୍କୁ ଅନ୍ତର୍ଭୁକ୍ତ କରାନଯାଇ ବାଛବିଚାର କରାଯାଇଛି। ସରକାରୀ ପକ୍ଷର ଯୁକ୍ତି ହେଉଛି ମୁସଲମାନମାନେ ଏହି ତିନି ପଡ଼ୋଶୀ ଦେଶରେ ସଂଖ୍ୟାଗରିଷ୍ଠ ବର୍ଗ ହୋଇଥିବାରୁ ସେମାନଙ୍କ ଉପରେ ଅତ୍ୟାଚାର ହେବାର କାରଣ ନାହିଁ। କାରଣ ଏସବୁ ଦେଶ ଇସଲାମ ଆଇନ ଅନୁସାରେ ଚାଲିଛି। ଏ ଯୁକ୍ତି ଠିକ, କିନ୍ତୁ ଦାବି ଅର୍ଦ୍ଧସତ୍ୟ। କାରଣ ପାକିସ୍ତାନରେ ଏବେ ବି ମୋହାଜିର ଓ ଅହମଦିଆ ମୁସଲମାନଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକ ଭାବେ ବ୍ୟବହାର କରାଯାଉଛି। ଆଫାଗାନିସ୍ତାନରେ ତାଲିବାନୀ ଆତଙ୍କବାଦୀଙ୍କ ଦୌରାତ୍ମ୍ୟରେ ସେଠାକା ମୁସଲମାନ ମହିଳାମାନେ ମଧ୍ୟ ଅସ୍ତବ୍ୟସ୍ତ। ଉଭୟ ଦେଶରେ ଚାଲିଥିବା ଇସଲାମୀୟ ମୌଳବାଦ ଯୋଗୁଁ ବହୁ ଶିକ୍ଷିତ ଓ ସ୍ୱାଧୀନଚେତା ମହିଳା ଓ ପୁରୁଷ ଅନ୍ୟ ଦେଶରେ ଆଶ୍ରୟ ଗ୍ରହଣ କରିଛନ୍ତି। ଏହା ମିଛ ନୁହେଁ।

ଏବେ ମେଘାଳୟରେ ଘଟିଥିବା ସିଏଏ ହିଂସାରୁ ଆଉ ଗୋଟିଏ କଥା ପଦାକୁ ଆସିଛି। ତାହା ହେଉଛି, ଏହି ଆଇନ କେବଳ ମୁସଲମାନଙ୍କୁ ପ୍ରଭାବିତ କରିବ ନାହିଁ। ଏହାକୁ ନେଇ ଆଦିବାସୀମାନଙ୍କର ମଧ୍ୟ ଅନେକ ଆଶଙ୍କା ରହିଛି। ମେଘାଳୟର ଆଦିବାସୀମାନଙ୍କର ଆଶଙ୍କା ହେଉଛି ଏହି ଆଇନ କାର୍ଯ୍ୟକାରୀ ହେଲେ ମେଘାଳୟରେ ଆଦିବାସୀମାନଙ୍କର ସ୍ୱାର୍ଥ ବ୍ୟାହତ ହେବ। ମେଘାଳୟରେ ରହିଥିବା ଅଣମୁସଲମାନ ଛଅଟି ଧର୍ମର ଲୋକଙ୍କୁ ନାଗରିକତା ପ୍ରଦାନ କରାଗଲେ ସେଠାରେ ସେମାନେ ସ୍ଥାୟୀ ଭାବେ ବସବାସ କରିବାର ଅଧିକାର ପାଇବେ। ତା’ ଫଳରେ ସେଠାକାର ମୂଳ ଅଧିବାସୀ ଆଦିବାସୀଙ୍କର ଅଧିକାର ସଂକୁଚିତ ହେବ। ତେଣୁ ଖାସି ଛାତ୍ର ସଂଘ ଏହାକୁ ତୀବ୍ର ବିରୋଧ କରୁଛି। ସେମାନଙ୍କ ବିରୋଧ ହିଂସାକାଣ୍ଡରେ ପରିଣତ ହେବାକୁ ୩ ଜଣଙ୍କ ପ୍ରାଣହାନୀ ଘଟିଛି। ଠିକ ଏଇ ଆଶଙ୍କା କରୁଛନ୍ତି ଆସାମ, ନାଗାଲାଣ୍ଡ, ମଣିପୁର ଓ ମିଜୋରାମର ଆଦିବାସୀ ବର୍ଗର ଲୋକମାନେ। ଓଡ଼ିଶା, ଝାରଖଣ୍ଡ ଓ ବିହାର ପରି ରାଜ୍ୟର ଆଦିବାସୀମାନଙ୍କ ଆଶଙ୍କା ହେଉଛି, ଏହି ଆଇନ କାର୍ଯ୍ୟକାରୀ ହେଲେ ସେମାନଙ୍କର ନାଗରିକତା ବିବାଦୀୟ ହୋଇଯିବ। କାରଣ ସେମାନଙ୍କ ମଧ୍ୟରୁ ଅନେକେ ସେମାନଙ୍କର ଜନ୍ମ, ଶିକ୍ଷା, ସଂପତ୍ତି ଆଦି ନେଇ ପ୍ରମାଣ ଦେଇପାରିବେ ନାହିଁ। ନାଗରିକତା ପଞ୍ଜିକା ଏବଂ ଜନସଂଖ୍ୟା ପଞ୍ଜିକା ପାଇଁ ତଥ୍ୟ ସଂଗ୍ରହ ସମୟରେ ଏହି ପ୍ରମାଣ ଦେଇ ନପାରିଲେ ସଂପୃକ୍ତ ସରକାରୀ କର୍ମଚାରୀମାନେ ମନ୍ଦ ଉଦ୍ଦେଶ୍ୟରେ ସେମାନଙ୍କ ନାଗରିକତାକୁ ବିବାଦୀୟ କରିଦେବେ। ତାହାର ସମାଧାନା କରିବାକୁ ଯାଇଁ ସେମାନଙ୍କୁ ଅଯଥା ଅନେକ ହଇରାଣ ହରକତ ହେବାକୁ ପଡ଼ିବ। ସେଥିପାଇଁ ଧନହାନୀ ବି ଘଟିବ।

ଏମାନଙ୍କ ବ୍ୟତିତ ଏଇ ଆଇନ ଦ୍ୱାରା ଆଦୌ ପ୍ରଭାବିତ ହେଉ ନଥିବା କିଛି ହିନ୍ଦୁ ବୁଦ୍ଧିଜୀବୀ ଓ ରାଜନେତା ମଧ୍ୟ ଏହାକୁ ବିରୋଧ କରୁଛନ୍ତି। ସେମାନଙ୍କ ଯୁକ୍ତି ହେଉଛି ଏହି ଆଇନ ଭାରତୀୟ ସମ୍ବିଧାନର ମୌଳିକ ଚରିତ୍ର ଧର୍ମନିରପେକ୍ଷତାର ବିରୁଦ୍ଧାଚରଣ କରୁଛି।

ତେବେ, ଏସବୁ ବିରୋଧ, ହିଂସା ଓ ମୃତ୍ୟୁ ସତ୍ତ୍ୱେ ଭାରତ ସରକାର ଏହି ଆଇନ ପ୍ରତ୍ୟାହୃତ ହେବ ନାହିଁ ବୋଲି ଜିଦ୍ଦି ଧରି ବସିଛନ୍ତି। ଏପରିକି ଆନ୍ଦୋଳନକାରୀଙ୍କ ସହିତ କେନ୍ଦ୍ର ସରକାରଙ୍କର କୌଣସି ରାଜନୀତିକ ପ୍ରତିନିଧି ଏଯାଏଁ ଆଲୋଚନା କରିନାହାନ୍ତି। ଏଥି ଯୋଗୁଁ ସିଏଏ ବିରୋଧୀ ସରକାର ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିବାକୁ ସୁଯୋଗ ପାଉଛନ୍ତି। ସରକାର ଯଦି ଶାହିନବାଗ ବା ଦେଶର ଅନ୍ୟ ସ୍ଥାନରେ ସିଏଏ ବିରୋଧରେ ପ୍ରତିବାଦ କରୁଥିବା ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରନ୍ତେ ତେବେ ହୁଏତ ଘଟଣା ଦିଲ୍ଲୀ ଦଙ୍ଗାର ଉଗ୍ରରୂପ ଗ୍ରହଣ କରିନଥାନ୍ତା। ଗଣତନ୍ତ୍ରରେ ଆଲୋଚନା ଅନେକ ସମସ୍ୟାର ସମାଧାନ କରିଦିଏ। ଏ ଆନ୍ଦୋଳନ ଅଧିକ ଭାରତୀୟ ନାଗରିକଙ୍କ ଜୀବନହାନୀର କାରଣ ହେବା ପୂର୍ବରୁ କେନ୍ଦ୍ର ସରକାର ଆଲୋଚନାକୁ ଓହ୍ଲାନ୍ତୁ। ନିରାସକ୍ତ ଆଲୋଚନା ମାଧ୍ୟମରେ ହୁଏତ ଅଢ଼େଇ ମାସ ଧରି ଚାଲିଥିବା ଏହି ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ସଂଗଠିତ ହୋଇଥିବା ଜନମତ ଭିନ୍ନମୋଡ଼ ନେଇପାରେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।