ବିଶ୍ଵବନ୍ଦିତା ସ୍ୱାଇଁ
ଖାଇବା, ପିନ୍ଧିବା ଏବଂ ଘରୁ ବାହାରି ଗନ୍ତବ୍ୟସ୍ଥଳରେ ପହଞ୍ଚିବାର ନିର୍ଣ୍ଣୟ ଯେମିତି ଆମର ନିଜସ୍ୱ ଥାଏ। ସେମିତି କେଉଁ ସମ୍ବାଦ ଦେଖିବାକୁ ଅପେକ୍ଷା କରିବା ଏବଂ କାହାକୁ ଉପେକ୍ଷା କରିବା ସେଇଟା ମଧ୍ୟ ଆମ ସ୍ୱାଧୀନତା ଅନ୍ତର୍ଗତ। ସେଥିପାଇଁ ଇଚ୍ଛା ଅନୁସାରେ ଜୀବନ ବଦଳେନି ସତ, ରିମୋଟରେ ଚ୍ୟାନେଲ ନମ୍ବର ବଦଳିପାରେ। କିନ୍ତୁ ଯଦି ଗଣମାଧ୍ୟମର ଖବର ପ୍ରସାରଣ ନୀତି ଦୁର୍ବଳଥିବ ତେବେ ଆପଣଙ୍କୁ ନିରାଶ ହେବାରୁ କେହି ବଞ୍ଚିତ କରିପାରିବେ ନାହିଁ। ଯାହାର ଫଳସ୍ୱରୂପ ଦୀର୍ଘ ୩ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଜାତୀୟ ଗଣମାଧ୍ୟମରେ ରିଆ-ସୁଶାନ୍ତଙ୍କୁ ଏବଂ ଆଞ୍ଚଳିକ ଗଣମାଧ୍ୟମରେ ଆଦିତ୍ୟ-ବିଦ୍ୟାଶ୍ରୀଙ୍କ ଖବର ଦେଖିବା ପରେ ଏବେ ଦର୍ଶକ ଧାରାବାହିକ ମୁହାଁ ହେଲେଣି।
ଥରେ ଆମେରିକୀୟ ଲେଖକ ଆଣ୍ଡ୍ରିୟୁ ଭାକ୍ସ କହିଥିଲେ, Journalism is what maintains democracy. It's the force for progressive social change. ଅର୍ଥାତ ସାମ୍ବାଦିକତା ଗଣତନ୍ତ୍ରକୁ ବଜାୟ ରଖେ। ପ୍ରଗତିଶୀଳ ସାମାଜିକ ପରିବର୍ତ୍ତନ ପାଇଁ ଏହା ଏକ ଶକ୍ତି। କିନ୍ତୁ ସାମ୍ପ୍ରତିକ ସମୟରେ ଗଣମାଧ୍ୟମର ଏ ଦୁଇଟି କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳେ। ଗଣତନ୍ତ୍ରକୁ ଵଜାୟ ରଖିବା ପାଇଁ ଯେଉଁ ମୁକ୍ତ ଏବଂ ନିରପେକ୍ଷ ସାମ୍ବାଦିକତା ଆବଶ୍ୟକ, ସେସବୁ ଆଜିକାଲି ବଜାରମୁହାଁ ହେଲେଣି। ସମସ୍ୟାକୁ ସାମ୍ନାକୁ ଆଣି, ଲୋକଙ୍କ ସେବା ଉଦ୍ଦେଶ୍ୟରେ ଯେଉଁ ଗଣମାଧ୍ୟମ ଗଢ଼ିଉଠିଥିଲା ସେସବୁ ଆଜିକାଲି ଗୋଟେ ଗୋଟେ ଶିଳ୍ପ।
ସ୍ୱାଧୀନତାର ପୂର୍ବବର୍ତ୍ତୀ ସମୟ ଯଦି ଦେଖିବା ତେବେ ବ୍ରିଟିଶ ସରକାର ତଥା ବ୍ରିଟିଶ ଗଣମାଧ୍ୟମ ବିରୋଧରେ ପେନ୍ ନିଉଜପେପର ବାହାରିଥିଲା। ଏହି ପେନ୍ ନିଉଜପେପର ମାଧ୍ୟମରେ ପେନ୍ ବା କଲମରେ ହସ୍ତ ଲିଖିତ ଖବର ଲୋକଙ୍କ ପାଖରେ ପହଞ୍ଚାଯାଉଥିଲା। ଜଣେ ଏହି ପେନ୍ ନିଉଜପେପର ପାଇବା ପରେ ବଡ଼ ପାଟିରେ ସେ ଖବର ପଢ଼ି ଆଖପାଖ ଲୋକଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଉଥିଲା। ୧୮୦୦ ମସିହା ଆଖପାଖରେ ଭାରତୀୟଙ୍କ ମଧ୍ୟରେ ପେନ୍ ନିଉଜପେପରର ବେଶ ଚାହିଦା ଥିଲା। ଏହି ଖବରକାଗଜ ମାଧ୍ୟମରେ ଲୋକମାନଙ୍କୁ ବ୍ରିଟିଶ ସରକାରଙ୍କ କାର୍ଯ୍ୟକଳାପ ବିଷୟରେ ଅବଗତ କରାଯାଉଥିଲା। ଏବଂ ସ୍ୱାଧୀନତା ଆନ୍ଦୋଳନ ପାଇଁ ଲୋକଙ୍କ ମନରେ ବିଦ୍ରୋହ ଭାବ ଜାଗ୍ରତ କରାଇ ବ୍ରିଟିଶ ବିରୋଧୀ ଲଢେଇ ପାଇଁ ସେମାନଙ୍କୁ ଏକଜୁଟ କରାଯାଉଥିଲା। ଏ ପେନ୍ ନିଉଜପେପରର ଉଦାହରଣ ଏଥିପାଇଁ ଦିଆଯାଉଛି କାରଣ ସେତେବେଳେ ବ୍ରିଟିଶ ଗଣମାଧ୍ୟମ ବିରୋଧରେ ଠିଆହୋଇ ସମାଜରେ ପରିବର୍ତ୍ତନ ଆଣିବାରେ ଏବଂ ସ୍ୱାଧୀନତା ହାସଲ କରିବାରେ ଏହି ଗଣମାଧ୍ୟମ ବହୁତ ବଡ଼ ଭୂମିକା ଗ୍ରହଣ କରିଥିଲା। ରାଜା ରାମମୋହନ ରାଓ, ବାଲ ଗଙ୍ଗାଧର ତିଲକ, ଶିଶିର କୁମାର ଘୋଷ, ଜି ସୁବ୍ରମନିୟମ ଆୟାର ପରି ସାମ୍ବାଦିକ ମନେ ସେ ସମୟରେ ସାମ୍ବାଦିକତା ମାଧ୍ୟମରେ ସ୍ୱାଧୀନତା ହାସଲ କରିବାରେ ଏବଂ ସମାଜରେ ସଂସ୍କାର ଆଣିବାରେ ତତ୍ପର ରହୁଥିଲେ। ପୂର୍ବରୁ ଗଣମାଧ୍ୟମ ଲୋକଙ୍କୁ ଶିକ୍ଷିତ କରେଇବାରେ ବିଶ୍ୱାସ କରୁଥିଲା। କିନ୍ତୁ ଆଜି ଯେଉଁ ଖବର ପ୍ରସାରଣ ହେଉଛି ସେସବୁ ଅଜ୍ଞତାକୁ ସୁହାଇବା ପରି କାମକରୁଛି। ଯାହାର ଫଳସ୍ୱରୂପ ବେକାରୀ, ଅବ୍ୟବସ୍ଥିତ ଲକଡାଉନ, ଜିଡିପି, ଶିକ୍ଷା ଏବଂ ଆର୍ଥିକ ସମସ୍ୟା, ଦାଦନ ଶ୍ରମିକଙ୍କ ସ୍ଥିତି, ସୀମା ବିବାଦ, ନୂତନ ଶିକ୍ଷା ନୀତିର କାର୍ଯ୍ୟକାରିତା ସମ୍ପର୍କିତ ଖବର ବଦଳରେ ରିୟା ଚକ୍ରବର୍ତ୍ତୀ ଜେଲରେ କେତେ ରାତି ପର୍ଯ୍ୟନ୍ତ ଶୋଇନଥିଲେ ତା ବିଷୟରେ ତମାମ ଖବର ପ୍ରସାରଣ ହେଉଛି। ଏହାଦ୍ୱାରା ସାଧାରଣ ଲୋକଙ୍କର କ'ଣ ହିତ ହେଉଛି? ଧୀରେ ଧୀରେ ଗଣମାଧ୍ୟମ ତାର ମାନ ହରେଇବାର ସାଧାରଣରେ ଚର୍ଚ୍ଚା ହେଉଛି।
କିନ୍ତୁ ଏ ନିମ୍ନ ଖବର ପ୍ରସାରଣ ନୀତି ସହ ଦର୍ଶକ ମାନଙ୍କର କ'ଣ କୌଣସି ସମ୍ପର୍କ ନାହିଁ?
କଥାରେ ଅଛି 'What is not in demand can't be supply' ଅର୍ଥାତ ଚାହିଦା ନଥିବା ଜିନିଷକୁ ବିକ୍ରି କରିବା କଷ୍ଟକର।
ସାଧାରଣତଃ ଆମେ ୩ ପ୍ରକାର ଦର୍ଶକଙ୍କ ସଂସ୍ପର୍ଶରେ ଆସିଥାଉ। ସକ୍ରିୟ, ନିଷ୍କ୍ରିୟ ଏବଂ ପ୍ରେରିତ ଦର୍ଶକ ଗୋଷ୍ଠୀ। ସକ୍ରିୟ, ଯେଉଁମାନେ ଖବରର ସତ୍ୟାସତ୍ୟ ପରଖିବାରେ ଗୁରୁତ୍ୱ ରଖନ୍ତି, ଭିନ୍ନ ଭିନ୍ନ ମତ ମାଧ୍ୟମରେ ଖବର ମୂଳଦୁଆ ପର୍ଯ୍ୟନ୍ତ ଯାଆନ୍ତି ଏବଂ ଖବରର ଗୁରୁତ୍ବ କେତେ ସେ ସମ୍ପର୍କରେ ନିଜେ ଚିନ୍ତା କରନ୍ତି।
ନିଷ୍କ୍ରିୟ ଦର୍ଶକ ପ୍ରତ୍ୟେକ ଖବର ସଠିକ ଏବଂ ନିରପେକ୍ଷ ବୋଲି ଚିନ୍ତା କରନ୍ତି। ଏମାନଙ୍କ କ୍ଷେତ୍ରରେ ମିଡିଆ ସାକ୍ଷରତା ହାର ଟିକେ କମ ଦେଖିବାକୁ ମିଳେ। ଅନ୍ୟପକ୍ଷରେ ପ୍ରେରିତ ଦର୍ଶକ ଗୋଷ୍ଠୀର ଲୋକମାନେ ସେ ସବୁ ଗଣମାଧ୍ୟମ ସଂସ୍ଥାକୁ ଅନୁକରଣ କରନ୍ତି, ଯେଉଁମାନେ ତାଙ୍କ ବିଚାରଧାରକୁ ସମ୍ମାନ ଦେବାପାରି ଖବର ପ୍ରସାରଣ କରୁଥିବେ।
ଏହି ଦୃଷ୍ଟିରେ ଆଜିକାଲି ସକ୍ରିୟ ଦର୍ଶକ ଗୋଷ୍ଠୀଙ୍କ ସଂଖ୍ୟା କମ ଦେଖିବାକୁ ମିଳୁଛି। ଯାହାର ଫଳସ୍ୱରୂପ, ସୋଶାଲ ମିଡିଆରେ ଭାରତ ସୀମାରେ ଯବାନ ମୃତୁ ଖବର ସମ୍ପର୍କିତ ଭିଡିଓକୁ ଯେତିକି ମାତ୍ରାରେ ଆଦୃତି ମିଳୁନି ତାଠୁ ଅଧିକ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଏବଂ ପୂର୍ବତନ ପ୍ରେମିକା ଚିନ୍ମୟୀଙ୍କ ବାଇଟକୁ ଲାଇକ୍ କରାଯାଇ ଶେଆର କରାଯାଉଛି। ଅର୍ଣ୍ଣବ ଗୋସ୍ୱାମୀଙ୍କ ଚିତ୍କାର କାନକୁ ଯେତେ ଖଟକା ଲାଗିଲେ ମଧ୍ୟ, ‘ପୁଛତା ହେ ଭାରତ’କୁ ୟୁଟ୍ୟୁବରେ କୋଟି କୋଟି ଦର୍ଶକ ଦେଖୁଛନ୍ତି।
ଏଥିପାଇଁ ଗଣମାଧ୍ୟମ ନୀତିକୁ ନେଇ ଆଲୋଚନା କରିବା ସମୟରେ ଆମକୁ ମଧ୍ୟ ଜଣେ ସକ୍ରିୟ ଓ ସଚେତନ ପାଠକ ବା ଦର୍ଶକ ହେବାର ପ୍ରୟାସ କରିବାକୁ ପଡିବ ଏବଂ ଗଣମାଧ୍ୟମ ସାକ୍ଷରତା ସ୍ତରକୁ ବୃଦ୍ଧି କରିବାକୁ ହେବ।
ଇମେଲ-swainbiswobandita@gmail.com
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।