ପଞ୍ଚାନନ କାନୁନଗୋ
ଭିନ୍ନ ଭିନ୍ନ ପ୍ରକାରର ଶିକ୍ଷା ବ୍ୟବସ୍ଥା ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ଦିନକୁ ଦିନ ମଜଭୁତ ହେବାରେ ଲାଗିଛି। ମାଧ୍ୟମିକ ସ୍ତରରେ ରାଜ୍ୟରେ ଅନ୍ତତଃ ତିନି ବର୍ଗର ବିଦ୍ୟାଳୟ ଶିକ୍ଷା ଦେଖିବାକୁ ମିଳୁଛି। ଏହି ବର୍ଗମାନଙ୍କ ମଧ୍ୟରେ ଓଡ଼ିଶା ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଶିକ୍ଷା ବ୍ୟବସ୍ଥା ବା ଓବିଏସଇ, ସର୍ବଭାରତୀୟ ଶିକ୍ଷା ବ୍ୟବସ୍ଥା ବା ସିବିଏସଇ, ଅନ୍ୟ ଏକ ଶିକ୍ଷାପଦ୍ଧତି ଆଇସିଏସଇ ଯାହାକି ପ୍ରଥମେ ଇଂରେଜମାନେ ଆରମ୍ଭକରି ଷ୍ଟୁଆର୍ଟ, କେମ୍ବ୍ରିଜ ଆଦି ମାଧ୍ୟମରେ ଉଚ୍ଚବର୍ଣ୍ଣର ଶିକ୍ଷା ଦେଇଥିଲେ, ଏବେ ଏହା ଭାରତୀୟ କରଣ ଆଇସିଏସଇ ଭାବେ ପ୍ରଚଳନ ହୋଇ ଚାଲିଛି। ଏହି ଶିକ୍ଷା ବ୍ୟବସ୍ଥାଗୁଡ଼ିକ ସହିତ ସି.ବି.ଏସ୍.ଇ ଢାଞ୍ଚାର ଶିକ୍ଷା ବ୍ୟବସ୍ଥା ଆଦି ଭିନ୍ନ ଭିନ୍ନ ପାଠ୍ୟକ୍ରମ ବିଦ୍ୟାଳୟ ସ୍ତରରେ ଚାଲୁଛି ଓ ରାଜ୍ୟରେ ପୂର୍ବ ପ୍ରଚଳିତ ସ୍ୱାଧୀନ ଓ ସ୍ୱତନ୍ତ୍ର ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ପାଠ୍ୟକ୍ରମର ଏହି ଜାତିଭେଦ ବା ପ୍ରକାର ଭେଦ ସହିତ ଅନେକ ଜାତିର ଶିକ୍ଷାୟତନ ସୃଷ୍ଟି ହେବାରେ ଦେଖାଯାଇଥାଏ।
କେନ୍ଦ୍ରୀୟ ବିଦ୍ୟାଳୟ ବା ସେଣ୍ଟ୍ରାଲ ସ୍କୁଏ, ଜବାହାରଲାଲ ନେହେରୁ ବିଦ୍ୟାଳୟ ବା ନବୋଦୟ ବିଦ୍ୟାଳୟ, କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ, ବାବୁ ଜଗଜ୍ଜୀବନରାମ ଉଚ୍ଚ ବିଦ୍ୟାଳୟ ଏବଂ ପରବର୍ତ୍ତୀ ଅବସ୍ଥାରେ ଜନ୍ମ ନେଇଥିବା କେନ୍ଦ୍ରୀୟ ସ୍ତରରେ ଆଦର୍ଶ ବିଦ୍ୟାଳୟ ଓ ରାଜ୍ୟ ସ୍ତରରେ ମଡ଼େଲ ସ୍କୁଲ ବ୍ୟବସ୍ଥା ଆଦି ଆମ ରାଜ୍ୟରେ ଦେଖିବାକୁ ମିଳିଥାଏ। ଏବେ ରାଜ୍ୟରେ ଅନେକ ଆଦର୍ଶ ବିଦ୍ୟାଳୟ ଏକ ଅଦ୍ଭୁତ ନାମଧାରୀ ‘ଫାଇଭ୍ ଟି’ ସ୍କୁଲ୍ ଦେଖିବାକୁ ମିଳୁଛି। ଯାହାସବୁ ଦେଖିବାକୁ ମିଳୁଛି, ରାଜା ମହାରାଜାଙ୍କ ପିଲା ପଢ଼ିବା, ବ୍ରାହ୍ମଣ, କ୍ଷତ୍ରୀୟ ପିଲା ପଢ଼ିବା ଏବଂ ଗରିବ ଦଳିତଙ୍କ ପିଲା ପଢ଼ିବା ପାଇଁ ସାମନ୍ତବାଦୀ ଯୁଗର ବ୍ୟବସ୍ଥା ସୃଷ୍ଟି ହୋଇଛି ଓ ସଜଡ଼ା ହୋଇ ରହିଥିବା ପରି ମନେହୁଏ। ପ୍ରଶ୍ନ ଉଠିଥାଏ, ତେବେ କ’ଣ କିଛି ହେଉଛି ନବୋଦୟ ବିଦ୍ୟାଳୟ ଆଉ ସବୁ ଅନୁଷ୍ଠାନଗୁଡ଼ିକ ଆଦର୍ଶ ହୀନ? କିଛି ମଡେଲ ସ୍କୁଲ ଆଉ ସବୁ ସ୍କୁଲର ପିଲାମାନେ କ’ଣ ମଡେଲ ସ୍କୁଲରେ ନ ପଢ଼ନ୍ତୁ ପଛେ ତାକୁ ହିଁ ଦେଖି ଶୁଣି ନିଜକୁ ତିଆରିବେ? ଦଳେ ମଡେଲ ହେବେ, ଆଉ ସବୁ ସେହି ମଡେଲକୁ ଦେଖିଚାହିଁ ଅନୁକରଣ କରିବେ? ଏହା କ’ଣ ସମ୍ଭବ କି? ଅଭିଭାବକମାନେ ନିଜ ପିଲାଙ୍କୁ ଆଦର୍ଶ ବିଦ୍ୟାଳୟରେ ନ ପଢ଼ାଇ ଆଦର୍ଶହୀନ ବିଦ୍ୟାଳୟରେ ପଢ଼ାଇବେ କାହିଁକି? ସେହି ସବୁ ବିଦ୍ୟାଳୟ (ଆଦର୍ଶ ବିହୀନ) ଛାତ୍ରଛାତ୍ରୀ ଅଭାବରୁ ବନ୍ଦ ହୋଇଯିବ ନାହିଁକି? ଭିନ୍ନ ଭିନ୍ନ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ସୁଯୋଗର ଭିନ୍ନତା ହେତୁ ଅସମତାର ଶୀକାର ହେବେ ନାହିଁ କି? ସେହିପରି ମଡ଼େଲ ସ୍କୁଲକୁ ପିଲାଏ ନ ଯାଇ ଅନ୍ୟ ବିଦ୍ୟାଳୟକୁ ଯିବେ କାହିଁକି? ଏସବୁ ଅମୀମାଂସିତ ପ୍ରଶ୍ନ ବାରମ୍ବାର ଉଠୁଛି।
ଆଦର୍ଶ ସ୍କୁଲର ଯେଉଁ ବ୍ୟବସ୍ଥା ସବୁ ରହିଛି ତାହା ଅତ୍ୟନ୍ତ ଆକର୍ଷଣୀୟ ଓ ଅତ୍ୟନ୍ତ ଉପଯୋଗୀ। ଲେଖକଙ୍କର ଏହି ମଡ଼େଲ ସ୍କୁଲରେ ପ୍ରବେଶ ଅଭିଜ୍ଞତା ଅଛି। ଗୋଟିଏ ଗ୍ରାମୀଣ ବିଦ୍ୟାଳୟରେ ଅଧ୍ୟୟନରତ ଥିବାବେଳେ ଅଭିଭାବକଙ୍କ ନିଷ୍ପତ୍ତି ଅନୁସାରେ ଷାଠିଏ ଦଶକରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଖୋଲା ଯାଇଥିବା ଏକମାତ୍ର ମଡ଼େଲ ସ୍କୁଲ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲରେ ନାମ ଲେଖାଇଥିଲା। ବଛା ବଛା ଶିକ୍ଷକମାନେ ପଢ଼ାଇବା ସହିତ ବିଦ୍ୟାଳୟ ପୁସ୍ତକାଗାର, ବିଜ୍ଞାନାଗାର, ଏନ୍.ସି.ସି. ସହିତ ଅନେକ ଭାବରେ ରାଜ୍ୟ ତଥା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସୁଯୋଗ ମିଳିଲା। ଏହି ଗ୍ରାମୀଣ ଛାତ୍ର ଅନେକ ଭାବରେ ଆଗଧାଡ଼ିକୁ ଚାଲି ଯାଇଥିଲା। ତେବେ ଗାଁ ସ୍କୁଲରେ ରହିଥିବା ପିଲାଙ୍କ ଭାଗ୍ୟରେ କିଛି ଭଲ ଶିକ୍ଷକଙ୍କ ବ୍ୟତୀତ ଅନ୍ୟକିଛି ନଥିଲା। ଛାତ୍ରଛାତ୍ରୀମାନେ ବୋର୍ଡ଼ ସ୍କୁଲରେ ମିଳୁଥିବା ସୁଯୋଗ ଲାଭ କରିଥିଲେ ଅନେକ ଭାବେ ନିଜର କୃତିତ୍ୱ ଦେଖାଇ ପାରିଥାନ୍ତେ। ଅଥବା ଏହି ମଡ଼େଲ ସ୍କୁଲରେ ଶେଷ ଦୁଇବର୍ଷ ନପଢ଼ି ଲେଖକ ଯଦି ଅନ୍ତତଃ ଅଷ୍ଟମରୁ ପଢ଼ିବାର ସୁଯୋଗ ପାଇଥାନ୍ତା ତେବେ ହୁଏତ ଆହୁରି କେଇପାଦ ଆଗକୁ ଯିବାର ଶକ୍ତି ଓ ସାମର୍ଥ୍ୟ ମିଳିଥାନ୍ତା।
ଭାରତ ସରକାରଙ୍କର ଦ୍ୱାରା ୨୦୦୪ ମସିହାରେ ଗଠିତ କେନ୍ଦ୍ରୀୟ ଶିକ୍ଷା ପରାମର୍ଶଦାତା ପରିଷଦ ୨୦୦୫ ଜୁନ୍ରେ ଏକ ରିପୋର୍ଟ ଦେଲେ। ଯେଉଁଥିରେ କେନ୍ଦ୍ରୀୟ ବିଦ୍ୟାଳୟ ଯାହାକି ପ୍ରାୟତଃ ସହରାଞ୍ଚଳରେ ଥାଏ ଏବଂ ସର୍ବଭାରତୀୟ ତଥା କେନ୍ଦ୍ରୀୟ ଚାକିରୀ କ୍ଷେତ୍ରରେ ଥିବା କର୍ମଚାରୀଙ୍କ ପିଲାଙ୍କ ପାଇଁ ମୁଖ୍ୟତଃ ଉଦ୍ଦିଷ୍ଟ ସେହି ଢାଞ୍ଚାରେ ଗ୍ରାମାଞ୍ଚଳରେ ଅନ୍ତତଃ (ପ୍ରତି ବ୍ଲକରେ) ଗୋଟିଏ ବିଦ୍ୟାଳୟ ଗଢ଼ିବା ପାଇଁ ସୁପାରିଶ କଲେ। ସୁପାରିଶ ଅନୁସାରେ ୨୦୦୭ ମସିହାରୁ ସମଗ୍ର ଦେଶରେ ୬୦୦୦ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଦେଲେ। ଏହି ଆଦର୍ଶ ବିଦ୍ୟାଳୟର ବ୍ୟବସ୍ଥାଗୁଡ଼ିକର ସ୍ୱତନ୍ତ୍ର ବ୍ୟବସ୍ଥା ହେଉଛି ମୁଖ୍ୟତଃ (କ) ଶିକ୍ଷକ ଅନୁପାତ ୧:୨୫ ହାରରେ ରହିବା ସହିତ ଶ୍ରେଣୀରେ ଅତିବେଶି ହେଲେ ୪୦ ପିଲା ରହିବେ, (ଖ) କଳା ଓ ଚିତ୍ରାଙ୍କନ ଶିକ୍ଷକ ନିଯୁକ୍ତ ହେବେ, (ଗ) ବିଜ୍ଞାନ, ଗଣିତ, ଇଂରେଜୀ ପାଠ ଉପରେ ଗୁରୁତ୍ୱ ଦିଆଯିବ, (ଘ) ଯୋଗ ଓ ଶାରିରୀକ ଶିକ୍ଷା ଦିଆଯିବ, (ଙ) ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ, (ଚ) ଭଲ ବହି ଓ ପତ୍ରପତ୍ରିକା ରହିବା ପାଇଁ ପାଠାଗାର ରହିବ, (ଛ) ଇଂରେଜୀରେ ବାର୍ତ୍ତାଳାପ ଶିକ୍ଷା ଦିଆଯିବ, (ଜ) ଶିକ୍ଷାର ମାଧ୍ୟମ ରାଜ୍ୟ ସରକାର ନିର୍ଣ୍ଣୟ କରିବେ। ଏହିସବୁ ସୁବିଧା ସୁଯୋଗ ଥାଇ ଯେକୌଣସି ବିଦ୍ୟାଳୟ ନିଶ୍ଚୟ ଉନ୍ନତ ମାନର ପ୍ରତିପାଦିତ ହେବ ଯଦିଓ ଏହା ପୂର୍ଣ୍ଣ ତୃଟିମୁକ୍ତ ନୁହେଁ। ହେଲେ ଯେଉଁଗୁଡ଼ିକରେ ଏ ସମସ୍ତ ସୁବିଧା ଉପଲବ୍ଧ ନୁହେଁ, ସେହି ପିଲାମାନେ କେଉଁ ବର୍ଗର ହେବେ? ସେମାନେ ତୁଳନାତ୍ମକ ଦୃଷ୍ଟିରୁ ଉଚ୍ଚମାନର ଶିକ୍ଷା ଓ ସୁଯୋଗରୁ ବଂଚିତ ହୋଇ ଶିକ୍ଷାକ୍ଷେତ୍ରରେ ଦଳିତ ବା ନିମ୍ନ ବର୍ଗର ବିବେଚିତ ହେବେ ନାହିଁକି?
ମଡେଲ ସ୍କୁଲର ପରିକଳ୍ପନା ରାଜ୍ୟ ସରକାରଙ୍କର। ରାଜ୍ୟର ୩୧୪ଟି ବ୍ଲକରେ ଏହି ମଡେଲ ସ୍କୁଲ ପ୍ରତିଷ୍ଠା ପାଇଁ ସରକାରୀ ନିଷ୍ପତ୍ତି ଘୋଷଣା ହୋଇଛି। ଏହା ମଧ୍ୟ ଶିକ୍ଷାଜନିତ ଉଚ୍ଚବର୍ଣ୍ଣର ବିଦ୍ୟାଳୟ। ଏଥିରେ ଅନେକ ସ୍ୱତନ୍ତ୍ର ସୁବିଧା ସୁଯୋଗ ଥିବାର ସୂଚୀତ ହେଉଛି। ଏହିସବୁ ଉଚ୍ଚବର୍ଣ୍ଣ ବିଦ୍ୟାଳୟରେ ବିଦେଶୀ ଭାଷା ଇଂରେଜୀ, ହିନ୍ଦୀର ପ୍ରାଧାନ୍ୟ ରହିବ। ରାଜ୍ୟଭାଷା ଓଡ଼ିଆକୁ ଗୌଣ ବା ନ୍ୟୁନ କରି ଦିଆଯାଇଛି।
ସର୍ବୋପରି ଏହିପରି ଉଚ୍ଚବର୍ଣ୍ଣ ଓ ନୀଚ୍ଚବର୍ଣ୍ଣ ବିଦ୍ୟାଳୟର ସ୍ଥିତି ଭିତରେ ଆଉ ଗୋଟିଏ ନବ ଔପନେବଶିକ ଶିକ୍ଷା ସ୍ଥିତି ଦୃଷ୍ଟିକୁ ଆସିଥାଏ। ତାହା ହେଉଛି ପବ୍ଲିକ୍ ସ୍କୁଲ। ଏହା ଆଦୌ ପବ୍ଲିକ ବା ସାଧାରଣ ଲୋକଙ୍କର ନୁହେଁ। ଢାଞ୍ଚାଗତ ଭାବରେ କାହାର ନା କାହାର। ଆମ ରାଜ୍ୟରେ ଚାଲୁଥିବା ଏହି ପବ୍ଲିକ ସ୍କୁଲ ବର୍ଗର ପରିଚୟ ନେଇ ସାଇ ଇଣ୍ଟରନ୍ୟାସନାଲ, ବିବେକାନନ୍ଦ ବିଦ୍ୟାଳୟ, ସରସ୍ୱତୀ ବିଦ୍ୟାମନ୍ଦିର, ଶ୍ରୀମା’ ଅରବିନ୍ଦ ଇଣ୍ଟିଗ୍ରାଲ ସ୍କୁଲ, ମଡ଼ର୍ଣ୍ଣ ପବ୍ଲିକ୍ ସ୍କୁଲ, ଦିଲ୍ଲୀ - କଳିଙ୍ଗ ପବ୍ଲିକ୍ ସ୍କୁଲ ଆଦି ଗଢ଼ି ଉଠିଛି। ଭିନ୍ନ ଭିନ୍ନ ନାମରେ ଏହିସବୁ ପବ୍ଲିକ ସ୍କୁଲ ଆତ୍ମପ୍ରକାଶ କରୁଛି ଓ କାୟା ବିସ୍ତାର କରି ଚାଲିଛି। ଏଥିରେ ପବ୍ଲିକ ଶବ୍ଦ ଯୋଡ଼ାଯାଇଛି ହେଲେ ସଂପୂର୍ଣ୍ଣ ବ୍ୟକ୍ତି ବା କର୍ପୋରେଟ ଗୋଷ୍ଠୀ ନିୟନ୍ତୟଣରେ ରହି କେବଳ ଥିଲାବାଲାଙ୍କ ନିମନ୍ତେ ପ୍ରଶସ୍ତ ଶିକ୍ଷାକ୍ଷେତ୍ର ପାଲଟିଛି। ପବ୍ଲିକ ସ୍କୁଲ ନାମଧାରୀ ସମସ୍ତ ବିଦ୍ୟାଳୟରେ ପଢ଼ାଇବା ଖର୍ଚ୍ଚ କେବଳ ଥିଲାବାଲା ସଂପ୍ରଦାୟ ହିଁ ତୁଲାଇ ପାରିବେ। ଏହିସବୁ ଶିକ୍ଷାକେନ୍ଦ୍ର ଶିକ୍ଷାଦାନ ଅପେକ୍ଷା ଅଧିକଭାବେ ଅର୍ଥ- ଉପାର୍ଜନର କ୍ଷେତ୍ର ପାଲଟିଛି। ଅନ୍ୟପକ୍ଷରେ ଦୃଶ୍ୟମାନ ସରକାରୀ, ଅର୍ଦ୍ଧ ସରକାରୀ, ସରକାରୀ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟମାନେ ଦଳିତ ଶୁଦ୍ର ସଂପ୍ରଦାୟ ଅନ୍ତର୍ଭୁକ୍ତ ପରି ମନେ ହୁଏ।
ମୁଠାଏ ଖାଇବା ବା ଖଣ୍ଡିଏ ମାଗଣା ପିନ୍ଧିବା ପାଇଁ ସତେ ଯେପରି ଏହି ବିଦ୍ୟାଳୟ ସବୁ ପଡ଼ି ରହିଛି। ଜାତି ଭିତରେ ଉପଜାତି ଥିବା ପରି ସରକାରୀ ବିଦ୍ୟାଳୟମାନଙ୍କରେ ଅନେକ ଜାତିର ଓ ଉପଜାତିର ବିଦ୍ୟାଳୟ ଦେଖିବାକୁ ମିଳିଥାଏ। ଏହି ଉପଜାତି ବିଚାରରେ ଗଭର୍ଣ୍ଣମେଣ୍ଟ ସ୍କୁଲ, ଗଭର୍ଣ୍ଣମେଣ୍ଟ ଟେକେନ୍ଓଭର ସ୍କୁଲ, ଗ୍ରାଣ୍ଟ ଇନ୍ ଏଡ଼୍ ସ୍କୁଲ, ବ୍ଲକ୍ ଗ୍ରାଣ୍ଟ୍ ସ୍କୁଲ ଆଦି ଦେଖିବାକୁ ମିଳିଥାଏ।
ଶିକ୍ଷା ଓ ଶିକ୍ଷାୟତନରେ ଯେପରି ପ୍ରକାରଭେଦ ଦେଖିବାକୁ ମିଳେ ଶିକ୍ଷକମାନଙ୍କ ଭିତରେ ମଧ୍ୟ ଅନେକ ପ୍ରକାର ବା ଗୋଷ୍ଠୀ ରହିଛି। ଦରମା ଦୃଷ୍ଟିରୁ ହେଉ ବା ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ହେଉ, ଏହିସବୁ ପ୍ରକାରଭେଦ ଦେଖିବାକୁ ମିଳିଥାଏ।
କେବଳ ମାଧ୍ୟମିକ ସ୍ତରରେ ନୁହେଁ, ପ୍ରାଥମିକ ସ୍ତରରେ ମଧ୍ୟ ଅନେକ ପ୍ରକାର ଭେଦ ଦେଖାଯାଏ। ନୋଡ଼ାଲ ସ୍କୁଲ, ଅପର ପ୍ରାଇମେରୀ, ଅପଗ୍ରେଡ଼େଡ଼ ପ୍ରାଇମେରୀ ବା ୟୁ.ଜି.ଏମ.ଇ, ଏମ୍.ଇ ସ୍କୁଲ ଆଦି ପରିଚୟ ଥାଇ ବିଦ୍ୟାଳୟ ସବୁ ଦେଖିବାକୁ ମିଳିଥାଏ। ଏବେ ଆଉ ଗୋଟିଏ ନୂଆ ଜାତି ବା ବ୍ୟବସ୍ଥା ଯୋଡ଼ା ହୋଇଛି। ପୂର୍ବବର୍ଣ୍ଣିତ ପବ୍ଲିକ ସ୍କୁଲ ବା ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ଗରିବ, ବି.ପି.ଏଲ କାର୍ଡ଼ଧାରୀ ବା ନିମ୍ନବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯିବାର ଗୋଟିଏ ପ୍ରହସନ ଆରମ୍ଭ ହୋଇଛି।
ସେହିସବୁ ସ୍କୁଲରେ ବାବୁମାନଙ୍କ ପିଲାଙ୍କ ଭିତରେ ଦଳିତ ବା ବି.ପି.ଏଲ୍. କାର୍ଡ଼ଧାରୀମାନେ ଶିକ୍ଷାକୁ ଆପଣେଇବା ନିମନ୍ତେ ସକ୍ଷମ ହେବେ? ବିଦ୍ୟାଳୟ ପରିବର୍ତ୍ତନ ଏକା ଜାତିର ଧନୀ-ଦରିଦ୍ର ମଧ୍ୟର ବିବାହ ସଦୃଶ। କିନ୍ତୁ ବର୍ତ୍ତମାନର ଏହି ସ୍ଥିତିଟି ଭିନ୍ନ ଭିନ୍ନ ଜାତି ମଧ୍ୟରେ ବିବାହ ହେବା କଥା ପରି। ଏହା ପୁଣି ପ୍ରେମରୁ ନୁହେଁ ବାଧ୍ୟବାଧକତାରୁ ସୃଷ୍ଟି ହୋଇଛି। ଶିକ୍ଷାକ୍ଷେତ୍ରରେ ବିଚାର ବିଭ୍ରାଟ ପାଇଁ ସରକାର ଓ ସରକାରୀ ନୀତି ତ ନିଶ୍ଚୟ ଦାୟୀ, ହେଲେ ଏହାସହିତ ପୂର୍ଣ୍ଣଭାବେ ଜଡ଼ିତ ଶିକ୍ଷକ ମଣ୍ଡଳୀ କ’ଣ ଦାୟୀ ନୁହଁନ୍ତି? ନିଜ ପିଲାମାନଙ୍କୁ ନିଜେ ପଢ଼ାଉଥିବା ଶିକ୍ଷା ବ୍ୟବସ୍ଥା ମଧ୍ୟରେ ନ ରଖି ଅନ୍ୟତ୍ର ତଥାକଥିତ ପବ୍ଲିକ ସ୍କୁଲମାନଙ୍କୁ ପଢ଼ାଇବା ଅବା ଓଡ଼ିଆ ମାଧ୍ୟମରେ ନ ପଢ଼ାଇ ଇଂରେଜୀ, ହିନ୍ଦୀ ମାଧ୍ୟମରେ ପଢ଼ାଇବାର ଇଚ୍ଛା ସମ୍ବରଣ କରବା କ’ଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଉଚିତ ନଥିଲା। ଅଭିଭାବକମାନେ ଏସବୁ ଦେଖିଶୁଣି ଆର୍ଥିକ କଷ୍ଟସତ୍ତ୍ୱେ ପବ୍ଲିକ ସ୍କୁଲ ସବୁକୁ ନିଜ ପିଲାଙ୍କୁ ପଠାଇଲେ। ଆମେ ସମସ୍ତେ ଭୁଲିଗଲେ ଯେ ଏହି ଶିକ୍ଷକଙ୍କ ପିଲା ସତୁରୀ ଦଶକ ଅଶି ଦଶକ ପୂର୍ବରୁ ସାଧାରଣ ବିଦ୍ୟାଳୟରେ ପାଠପଢ଼ି ସର୍ବଭାରତୀୟ ସ୍ତରରେ ଉଚ୍ଚମାନ ପ୍ରତିଷ୍ଠା କରୁଥିଲେ। ସେମାନଙ୍କ ମଧ୍ୟରୁ ଆଦୌ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ନଥିଲେ। କହିଲେ ଅତ୍ୟୁକ୍ତି ହେବନାହିଁ, ସେତେବେଳେ ମଧ୍ୟ ଷ୍ଟୁଆର୍ଟ, କେମ୍ବ୍ରିଜ ପ୍ରଭୃତି ବିଦ୍ୟାଳୟ ଥିଲା। ତଥାପି ପ୍ରଫେସର, ଶିକ୍ଷକ ତଥା ଅନ୍ୟାନ୍ୟ ଅଭିଭାବକଗଣ ନିଜ ପିଲାକୁ ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ରଖିଥିଲେ।
ଅନ୍ୟ ଏକ କଥା ସ୍ୱୀକାର କଲାବେଳେ ଏ ଲେଖକ କଷ୍ଟର ସହିତ କହିବାକୁ ଚାହେଁ ଯେ ଯେଉଁ ଅଳ୍ପ କିଛିଦିନର ସୁଯୋଗ ସରକାରୀ ବ୍ୟବସ୍ଥାରେ ପରିଚାଳନାଗତ ସଂପୃକ୍ତି ଆସିଥିଲା ସେଥିରେ ଶିକ୍ଷା ବିଭାଗ ଦାୟିତ୍ୱରେ ନଥିଲେ ମଧ୍ୟ ଏହି ଶିକ୍ଷାରେ ଥିବା ଘୃଣିତ ପ୍ରକାରଭେଦକୁ ସହ୍ୟ କରୁନଥିଲା। ବିଦ୍ୟାଳୟ ଏକୀକରଣ ବ୍ୟବସ୍ଥାକୁ ଦୃଢ଼ଭାବେ ସମର୍ଥନ କରୁଥିଲା। ମ୍ୟୁନିସପାଲ ସ୍କୁଲକୁ ସରକାରୀ ସ୍ତରକୁ ଆଣିବା, ବିଦ୍ୟାଳୟ ଭିତରେ ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିବାବେଳେ ଶିକ୍ଷକମାନଙ୍କ ଭିତରେ ଅନେକ ସମାଲୋଚନାର ସ୍ୱର ଶୁଭୁଥିଲା। ଅପରିଣାମ ଦର୍ଶିତା ପାଇଁ୧୦୪ ଲେଫ୍ଟ ଆଉଟ୍ ବାଳିକା ବିଦ୍ୟାଳୟକୁ ସରକାରୀ ଭାବେ ଘୋଷଣା ହେବା ପରିବର୍ତ୍ତେ ଆଉ ଗୋଟିଏ ନୂଆ ପ୍ରକାର ବିଦ୍ୟାଳୟ ‘ବ୍ଲକଗ୍ରାଣ୍ଡ ସ୍କୁଲ’ର ସୃଷ୍ଟି ହେଲା। କେବଳ ସେତିକି ନୁହେଁ, ଗୁଡ଼ିଏ ଅଯଥା କ୍ୟାଡ଼ର ସୃଷ୍ଟି କରାଯିବାର ବାଧ୍ୟବାଧକତାକୁ ଗ୍ରହଣ କରିବାକୁ ହୋଇଥିଲା। ସେମାନେ ଆଜି ନିଶ୍ଚୟ ବୁଝୁଥିବେ ଏହିସବୁ ପ୍ରକାରଭେଦର ସଂକୀର୍ଣ୍ଣତା ପାଇଁ ଆଜି ସମଗ୍ର ଶିକ୍ଷା ଜଗତରେ ଅସମତା ବୃଦ୍ଧି ଘଟିଛି। ଶିକ୍ଷା ଭିତରେ ଏକରକମର ଗୋଷ୍ଠୀ ବା ଜାତି ସଂଘର୍ଷ ଘଟୁଛି। ଅବସ୍ଥାକୁ ମୁକାବିଲା କରିବାକୁ ଯାଇ ବ୍ୟବସ୍ଥାକୁ ଅଧିକ ଅସଜଡ଼ା କରିଦେବା ଆଦୌ ଉଚିତ ନୁହେଁ। ଏହାସବୁ ଦୂରଦର୍ଶିତାର ଅଭାବ ବୋଲି ଭାବିବାକୁ ହେବ। ପ୍ରବନ୍ଧର ବିଚାରରେ ଶିକ୍ଷକମାନେ ହିଁ ବ୍ୟବସ୍ଥା ସଜାଡ଼ିବା ଅପେକ୍ଷା ଅସଜଡ଼ାକୁ ଅନେକ ସମୟରେ ଆପଣେଇ ନେଉଛନ୍ତି। ଯେପରିକି ‘ଯାହାପଛେ ମିଳୁ ହଜାରେ ହେଉ ବା ଦି ହଜାର ହେଉ ମିଳିଯାଉ’ କହି ବ୍ଲକ୍ଗ୍ରାଣ୍ଟକୁ ୨୦୦୪ରେ ଆପଣେଇ ନେଲେ। ଫଳସ୍ୱରୂପ ଅନେକ ଦିନ ଲଢ଼େଇ କରି ମିଳିଥିବା ଡାଇରେକ୍ଟ ପେମେଣ୍ଟ କଥାଟି ଦୁର୍ବଳ ହୋଇଗଲା। ‘ବ୍ଲକଗ୍ରାଣ୍ଡ’ ପରି ଏକ ଭିନ୍ନ ବର୍ଗ ବା ଜାତିର ସ୍କୁଲ ବା ଶିକ୍ଷକ ସୃଷ୍ଟି ହେଲା।
ଏବେ ସମୟ ଆସିଛି ଅଧିକ ତର୍କକୁ ନ ଯାଇ କ୍ଷୁଦ୍ର ସ୍ୱାର୍ଥ ପରିହର କରି ପ୍ରକାରଭେଦ ରହିତ ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ ସଜାଡ଼ିବା ଦିଗରେ ସମସ୍ତ ଚିନ୍ତାଶୀଳ ବର୍ଗ ଉଦ୍ୟମ କରିବା ଦରକାର। ସରକାର ମଧ୍ୟ ଏହାକୁ ନିଜର ପ୍ରାଥମିକ ଦାୟିତ୍ୱ ଭାବି କାର୍ଯ୍ୟକଲେ ଖୁବ୍ ସୁଫଳ ମିଳିବ। ସ୍ମରଣ କରିବାକୁ ହେବ ଯେ ଗୋଟିଏ ସମୟରେ ନଅ ହଜାର ପ୍ରାଥମିକ ଶିକ୍ଷକ (ତୃତୀୟ ଶିକ୍ଷକ) ନିଯୁକ୍ତି ପାଇଁ ମିଳିଥିବା ଆର୍ଥିକ ଅନୁଦାନ ୭/୮ବର୍ଷ ଧରି ଉପଯୋଗ ହୋଇ ନଥିଲା। ଅଥଚ ବିଦ୍ୟାଳୟମାନଙ୍କରେ ଶିକ୍ଷକର ଘୋର ଅଭାବ ଥିଲା। ହଠାତ୍ ବାଧ୍ୟ ବାଧକତାରେ ସରକାର ଏହି ଦରମାକୁ ଭାଗ କରି ୨୭ ହଜାର ଶିକ୍ଷକ ନିଯୁକ୍ତି କଲେ। କହିବାକୁ ଗଲେ ଏଥିରେ ଲେଖକଙ୍କର ସେ ସମୟରେ ସମର୍ଥନ ଥିଲା। କାରଣ ବିଦ୍ୟାଳୟରେ ଶିକ୍ଷକ ନଥିବାବେଳେ ଶିକ୍ଷକଙ୍କୁ ଦରମା ଦେବାପାଇଁ ରାଜ୍ୟର ସମ୍ବଳ ନଥିଲା। ଏହା ଏକରକମର ଆଡହକ ବ୍ୟବସ୍ଥା ବୋଲି ବିଚାର କରାଯାଇଥିଲା। କିଛି ବର୍ଷ ପାଇଁ ସ୍ୱଳ୍ପବେତନରେ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ପ୍ରାଥମିକ ବିଦ୍ୟାଳୟରେ ଖୁସିରେ ନ ହେଲେ ବି ଗ୍ରହଣ କରି ନେଇଥିଲେ। ଏହି ନିଯୁକ୍ତି ପ୍ରାୟତଃ ଆଡହକ ବା ସ୍ୱଳ୍ପକାଳୀନ ବୋଲି ଧରା ଯାଉଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହା ଏକ ଅସହାୟ ଓ ନ୍ୟୁନ ସ୍ଥିତିଟିଏ ସୃଷ୍ଟି କରି ଚାଲିଛି। ନିର୍ଦ୍ଦିଷ୍ଟ ବେତନ ଓ ଗୋଟିଏ ସୀମା ପରେ ସମୀକରଣର ବେତନ ସ୍ତର ସହ ଶିକ୍ଷକ ସମାନ ସୁବିଧା ସୁଯୋଗ ଥିବା ଏକ ପ୍ରକାରର ବିଦ୍ୟାଳୟ, ରାଜ୍ୟଭାଷା ମାଧ୍ୟମରେ ଉନ୍ନତ ଓ ସ୍ୱତନ୍ତ୍ର ମାନର ଏକପ୍ରକାର ଶିକ୍ଷା ବ୍ୟବସ୍ଥା ହିଁ ଶିକ୍ଷାରେ ଅସମତାକୁ ଦୂର କରିବ।
ପ୍ରାଥମିକ ତଥା ମାଧ୍ୟମିକ ଶିକ୍ଷା ପୂର୍ଣ୍ଣମାତ୍ରାରେ ରାଜ୍ୟ ସରକାରଙ୍କର ଦାୟିତ୍ୱରେ ଛାଡ଼ିଦେଇ ଉଚ୍ଚଶିକ୍ଷାର ସମସ୍ତ ଖର୍ଚ୍ଚ କେନ୍ଦ୍ରୀୟ ବଜେଟରୁ ହେଲେ ଉଭୟ ସରକାର ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବେ ଏବଂ ଆର୍ଥିକ ବୋଝ ଉଭୟଙ୍କ ପାଇଁ ସହନଶୀଳ ହେବ। ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ରାଜ୍ୟମାନଙ୍କ ଭିତରେ କେନ୍ଦ୍ରୀୟ ଟିକସ୍ ଆୟର ଆବଣ୍ଟନ ୪୨% ଅଛି ଏବଂ ଏହା ତ୍ରୟୋଦଶ ଅର୍ଥ କମିଶନଙ୍କ ସୁପାରିଶ ଅପେକ୍ଷା ୧୦% ଅଧିକ। ଏଥିରେ ନୀତି ଆୟୋଗର ପରାମର୍ଶ ନେଇ ୩% ଅଧିକ ଦେବାରେ କୌଣସି ସାମ୍ବିଧାନିକ ତୃଟି ରହିବ ନାହିଁ। ଏଥିପାଇଁ ରାଜ୍ୟ ସରକାରଙ୍କର କେନ୍ଦ୍ରଠାରେ ଦାବୀ ହେବା ଦରକାର। କେନ୍ଦ୍ର ସରକାର ୨୦୧୫ ଶିକ୍ଷା ନିମନ୍ତେ ଥିବା କେନ୍ଦ୍ରୀୟ ପ୍ରବର୍ତ୍ତୀତ ଯୋଜନାରେ କାଟଛାଣ୍ଟ କରିଥିବାର ଜଣାଯାଏ। ଉପରୋକ୍ତ ମତେ ୩% ଅଧିକ ଆବଣ୍ଟନ କରି ପ୍ରାଥମିକ ତଥା ବିଦ୍ୟାଳୟ ବ୍ୟବସ୍ଥାଟିକୁ ରାଜ୍ୟମାନଙ୍କୁ ହସ୍ତାନ୍ତର କରିଦେଲେ ଶିକ୍ଷା ସାର୍ବଜନୀନ ଓ ଫଳପ୍ରଦ ତଥା ଉଚ୍ଚମାନର ଓ ଗୁଣାତ୍ମକ ହେବ। ପ୍ରାଥମିକ ଓ ମାଧ୍ୟମିକ ସ୍ତର ଶିକ୍ଷା ସର୍ବଜନୀନ ହେବା ସହିତ ଶିକ୍ଷାରେ ପ୍ରକାରଭେଦ ବା ଜାତିଭେଦ ସଙ୍କୁଚିତ ହେବ ବା ଲୋପ ପାଇବ।
ଫୋ- ୯୪୩୮୩୬୦୮୪୯
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।