ଦେବେନ୍ଦ୍ର ପୃଷ୍ଟି
ଫିରୋଜ ଖାଁଙ୍କ ଜେଜେବାପା ଗଫୁର ଖାଁ ହିନ୍ଦୁ ଭକ୍ତମାନଙ୍କ ଆଗରେ ସଂସ୍କୃତରେ ଭଜନ ଗାଉଥିଲେ। ତାଙ୍କ ବାପା ରମଜାନ ଖାଁ ତାଙ୍କ ଗାଁର ଗୋଶାଳା ନିକଟରେ ଗୋ-ରକ୍ଷଣ ନେଇ ସଂସ୍କୃତରେ ପ୍ରବଚନ ଦେଉଥିଲେ। ଫିରୋଜ ଖାଁ ନିଜେ ବନାରସର ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରୁ ସଂସ୍କୃତରେ ଡିଗ୍ରୀ ହାସଲ କରିଛନ୍ତି। ଏହି ଭାଷାରେ ସେ ସ୍ନାତକୋତ୍ତର ଓ ପିଏଚଡି କରିଛନ୍ତି। ସେତେବେଳେ କେହି ଏ ତିନି ପିଢ଼ିର ସଂସ୍କୃତ ବିଦ୍ୱାନମାନଙ୍କୁ ବିରୋଧ କରିନଥିଲେ। ଏବେ ଫିରୋଜ ଖାଁଙ୍କୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଭାବେ ନିଯୁକ୍ତି ମିଳିବାରୁ ସଂସ୍କୃତ ବିଭାଗର ଛାତ୍ରମାନେ ତାଙ୍କୁ ବିରୋଧ କରୁଛନ୍ତି। ଛାତ୍ରମାନଙ୍କର ଦାବି ସେମାନେ ଜଣେ ମୁସଲିମ ଅଧ୍ୟାପକଙ୍କଠାରୁ ସଂସ୍କୃତ ଭାଷା ଓ ସାହିତ୍ୟ ଶିକ୍ଷା କରିବେ ନାହିଁ। ଛାତ୍ର ନେତା ଚକ୍ରପାଣୀ ଓଝାଙ୍କ କହିବା କତା ହେଲା, ସଂସ୍କୃତ ବିଭାଗରେ ସେମାନେ ଯଜ୍ଞ କରନ୍ତି, ପୂଜା କରନ୍ତି, ପ୍ରାର୍ଥନା ବୋଲନ୍ତି। ଜଣେ ମୁସଲମାନ ଅଧ୍ୟାପକ ଏସବୁ କରିବେ ନାହିଁ। ସେହିପରି ସଂସ୍କୃତ ବିଭାଗରେ ଜଣେ ମୁସଲମାନ ଅଧ୍ୟାପକ ନିଯୁକ୍ତ ହେବା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ମଦନ ମୋହନ ମାଲବ୍ୟଙ୍କ ଦର୍ଶନର ଉଲ୍ଲଙ୍ଘନ ବୋଲି ମଧ୍ୟ ସେ ଦାବି କରନ୍ତି।
କିନ୍ତୁ ତାଙ୍କର ଏହି ଯୁକ୍ତିକୁ ଖଣ୍ଡନ କରିଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ରାକେଶ ଭଟ୍ଟନାଗର। ତାଙ୍କ ମତ ଅନୁସାରେ ଜାତି, ଧର୍ମ, ବର୍ଣ୍ଣ ଓ ବର୍ଗ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଶିକ୍ଷାର ସୁଯୋଗ ଦେବା ଉଦ୍ଦେଶ୍ୟରେ ପଣ୍ଡିତ ମଦନ ମୋହନ ମାଲବ୍ୟ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ତା’ଛଡ଼ା ଫିରୋଜ ଖାଁଙ୍କ ମନୋନୟନରେ କୌଣସି ତ୍ରୁଟି ହୋଇନାହିଁ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗର ସହକାରୀ ପ୍ରାଧ୍ୟାପକ ପଦ ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଥିଲା। ସମୁଦାୟ ୧୦ ଜଣ ବ୍ୟକ୍ତି ଦରଖାସ୍ତ କରିଥିଲେ। ପରୀକ୍ଷା ଓ ସାକ୍ଷାତକାରରେ ଅନ୍ୟ ପ୍ରାର୍ଥୀମାନେ ୧୦ରୁ ୨ ଲେଖାଏଁ ପାଇଥିଲେ। ଫିରୋଜ ଖାଁ ୧୦ରୁ ୧୦ ମାର୍କ ରଖି ମନୋନୀତ ହୋଇଛନ୍ତି। ସେ ହିଁ ଏହି ପଦ ପାଇଁ ସର୍ବାଧିକ ଯୋଗ୍ୟ। କୁଳପତି କହିବା ପରେ ମଧ୍ୟ ଛାତ୍ରମାନେ ୧୪ ଦିନ ହେଲା ଆନ୍ଦୋଳନ ଚଳେଇଛନ୍ତି। ଏଥିରେ ଅପମାନିତ ବୋଧ କରିଛନ୍ତି ସଂସ୍କୃତ ବିଦ୍ୱାନ ଫିରୋଜ ଖାଁ। ଜଣେ ମୁସଲମାନ ଏହି ପଦ ପାଇଁ ଦରଖାସ୍ତ କରିବେ ନାହିଁ ବୋଲି ବିଜ୍ଞାପନରେ ଉଲ୍ଲେଖଥିଲେ ସେ ପ୍ରାର୍ଥୀ ହୋଇନଥାନ୍ତେ ବୋଲି କହିଛନ୍ତି।
ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ଉପରାଷ୍ଟ୍ରପତି ଏମ. ଭେଙ୍କେୟାହ ନାଇଡ଼ୁଙ୍କୁ ଛାତ୍ରଙ୍କ ବିରୋଧ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବିରୋଧ ଏବଂ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଛାତ୍ରବାସ ଫି ବୃଦ୍ଧି ନେଇ କୁଳପତିଙ୍କ ବିରୋଧରେ ଛାତ୍ରଛାତ୍ରୀମାନଙ୍କ ଆନ୍ଦୋଳନ ଆଦି ଖବର ଭଳି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗର ଛାତ୍ର ଅଶାନ୍ତି ମଧ୍ୟ ଗୋଟିଏ ଖବର। ମାତ୍ର ଏସବୁ ଖବର ସାଧାରଣ ନୁହେଁ। ଏସବୁ ଖବର ସଂପ୍ରତି ଭାରତବର୍ଷର ଯୁବପିଢ଼ିର ଚିନ୍ତା ଓ ଚରିତ୍ର ସଂପର୍କରେ କିଂଚିତ ଆଭାସ ପ୍ରଦାନ କରେ। ମୁସଲିମ ଛାତ୍ରମାନେ ଯେପରି ହିନ୍ଦୁତ୍ୱବାଦୀ ନେତାଙ୍କୁ ସହ୍ୟ କରିପାରୁ ନାହାନ୍ତି ଠିକ ସେହିପରି ହିନ୍ଦୁ ଛାତ୍ରଗୋଷ୍ଠୀ ମୁସଲିମ ସଂପ୍ରଦାୟର ଅଧ୍ୟାପକଙ୍କୁ ଗ୍ରହଣ କରିପାରୁ ନାହାନ୍ତି। ଯଦି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏପରି ଚିନ୍ତା ଓ ଚେତନା ପ୍ରକଟିତ ତେବେ ଏ ଦୁଇ ସଂପ୍ରଦାୟର ପାଠ ପଢ଼ିନଥିବା ଓ ଅଳ୍ପଶିକ୍ଷିତ ଗୋଷ୍ଠୀ ପରସ୍ପର ବିରୋଧରେ କି ପ୍ରକାର ଧାରଣା ପୋଷଣ କରୁଥିବେ? ତାହା ନୂଆ ଭାରତ ଗଠନରେ ସହାୟକ ହେବ ନା ଭାରତକୁ ଆଉ ଏକ ବିଭାଜନ ବାଟରେ ଆଗେଇ ନେବ? ଏ ପ୍ରଶ୍ନ ଉପରେ ଭାରତ ସରକାରଙ୍କ ସମେତ ସମସ୍ତ ଚିନ୍ତାଶୀଳ ବ୍ୟକ୍ତିବିଶେଷ ଗଭୀର ବିଚାର ବିମର୍ଶ କରିବା ଜରୁରୀ।
ଭାରତୀୟ ସମ୍ବିଧାନ ଭାରତର ସମସ୍ତ ନାଗରିକଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ବୃତ୍ତିଗତ ସ୍ୱାଧୀନତା ପ୍ରଦାନ କରିଛି। ଏ ଦେଶରେ ଯେକୌଣସି ଲୋକ ଯେକୌଣସି ବୃତ୍ତି ଓ ବ୍ୟବସାୟ କରିପାରିବେ। ସେହିପରି ଏ ଦେଶର ସମ୍ବିଧାନ ସମସ୍ତଙ୍କୁ ଶିକ୍ଷା ଓ ନିଯୁକ୍ତି ସୁଯୋଗ କ୍ଷେତ୍ରରେ ମଧ୍ୟ ସମାନତା ଅଧିକାରୀ ପ୍ରଦାନ କରିଛି। ସମ୍ବିଧାନରେ କେଉଁଠି କିଛି ଲେଖା ଯାଇନାହିଁ ଯେ ମୁସଲମାନ ଧର୍ମର ଲୋକେ ସଂସ୍କୃତ ପଢ଼ିପାରିବେ ନାହିଁ କି ପଢ଼େଇପାରିବେ ନାହିଁ। ସେହିପରି ହିନ୍ଦୁ ଲୋକମାନେ ଉର୍ଦ୍ଦୁ ଓ ଆରବିକ ପଢ଼ିପାରିବେ ନାହିଁ ପଢ଼ିପାରିବେ ନାହିଁ ବୋଲି ସମ୍ବିଧାନରେ ଉଲ୍ଲେଖ ନାହିଁ। ଏ ନେଇ ଦେଶର କୌଣସି ଆଇନରେ ମଧ୍ୟ କିଛି ବାରଣ ଓ କଟକଣା ନାହିଁ। ତେବେ କାହିଁକି ଏବେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଏପରି ଏକ ବାତାବରଣ ସୃଷ୍ଟି ହୋଇଛି? କାହିଁକି ଏକ ଗୋଷ୍ଠୀ ପ୍ରଫେସର ଫିରୋଜ ଖାଁଙ୍କୁ ବିରୋଧ କରୁଛନ୍ତି?
ମଜାର କଥା ହେଉଛି, ସେହି ବନାରସର ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ପ୍ରାଧ୍ୟାପକ ପଦରୁ ଅଳ୍ପଦିନେ ଅବସର ଗ୍ରହଣ କରିଛନ୍ତି ଡକ୍ଟର ମହମ୍ମଦ ହନିଫ ଖାଁ ଶାସ୍ତ୍ରୀ। ସେ ଜଣେ ସଂସ୍କୃତ ବିଦ୍ୱାନ। ଗାୟତ୍ରୀ ମନ୍ତ୍ରୀ ଓ ସୁରାହ ଫତିୟାହ ମଧ୍ୟରେ ତୁଳନାତ୍ମକ ଅନୁଧ୍ୟାନ କରି ସେ ପିଏଚଡି ବା ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ। ଏଇ ନିକଟରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଛନ୍ତି। ଭାରତ ସରକାର ଓ ଭାରତର ବୃହତ୍ତର ସମାଜ ଯେତେବେଳେ ଆଗରୁ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଏଭଳି ବାଛବିଚାର କରିନାହିଁ, ଏବେ କାହିଁକି ସେପରି ସ୍ୱର ଉଠୁଛି? ଏହା ଭାରତକୁ ଆଗକୁ ନେବ ନା ପଛକୁ? ଧର୍ମ ଓ ସଂପ୍ରଦାୟକୁ ନେଇ ଚାଲିଥିବା ରାଜନୀତି ପ୍ରଭାବରେ ଭାରତର ଯୁବପିଢ଼ିଙ୍କ ଭାବନା ପ୍ରଦୂଷିତ ହେଉଛି କି? ଏହାର ଉତ୍ତର ଖୋଜିବା ଏବେ ଜରୁରୀ।
ଭାରତ ଏକ ପ୍ରାଚୀନ ସଭ୍ୟତା। ରାଜତନ୍ତ୍ର କାଳରେ ଏ ଦେଶକୁ ବିଭିନ୍ନ ପର୍ଯ୍ୟାୟରେ ହିନ୍ଦୁ, ମୁସଲମାନ ଓ ଖୀରସ୍ତାନ ଶାସକ ଗୋଷ୍ଠୀ ଶାସନ କରିଛନ୍ତି। ଯେଝା ଯେଝା ସମୟରେ ଶାସକ ଗୋଷ୍ଠୀ ନିଜନିଜ ଧର୍ମ ବିଶ୍ୱାସ ଓ ଭାବନା ଅନୁସାରେ ଅନ୍ୟ ଧର୍ମ ବିରୋଧରେ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି। ହିନ୍ଦୁଙ୍କ ସମୟରେ ବୌଦ୍ଧ ଓ ଜୈନ ଯେପରି ଉପେକ୍ଷିତ ଥିଲେ ମୁସଲମାନଙ୍କ ସମୟରେ ହିନ୍ଦୁମାନେ ମଧ୍ୟ ସେହିପରି ଅବହେଳିତ ଥିଲେ। ଖୀରସ୍ତାନଙ୍କ ସମୟରେ ଉଭୟ ହିନ୍ଦୁ ଓ ମୁସଲମାନ ଅବହେଳିତ ହୋଇଥିଲେ। ଧର୍ମାନ୍ତରର କାହାଣୀ ସବୁ ସମୟରେ ଲେଖାଯାଉଥିଲା, ଏବେ ବି ଲେଖାଯାଉଛି। ଧାର୍ମିକ ବିଦ୍ୱେଷ ସେତେବେଳେ ଥିଲା, ଆଜି ବି ଅଛି। ତେବେ, ଆମେ ବଦଳିଲେ କ’ଣ? ପଢ଼ିଲେ କ’ଣ, ବୁଝିଲେ କ’ଣ, ଶିଖିଲେ କ’ଣ?
ନିରପେକ୍ଷ ଭାବେ ବିଚାର କଲେ ମୁସଲମାନ ଶାସକଙ୍କ ତୁଳନାରେ ଏ ଦେଶର ଅଧିକ କ୍ଷତି କରିଛନ୍ତି ଖୀରସ୍ତାନ ଶାସକ, ନିର୍ଦ୍ଦିଷ୍ଟ ଭାବରେ ୟୁରୋପୀୟ ବେପାରୀ। ସୁଲତାନ ମାମୁଦଙ୍କ ପରି ଜଣେ ଦୁଇ ଜଣେ ମୁସଲିମ ଆକ୍ରମଣକାରୀ ଭାରତବର୍ଷର କିଛି କିଛି ଅଂଶ ଉପରେ ଆକ୍ରମଣ କରି କିଛି ଧନସଂପଦ ଲୁଟି ନେଇଥିଲେ, ଏହା ସତ। କିନ୍ତୁ ମୋଗଲମାନେ ଏ ଦେଶକୁ ନିଜର ଦେଶ ମାନି ରହିଲେ। ସେମାନଙ୍କ ମଧ୍ୟରେ କେତେକ ହିନ୍ଦୁଙ୍କ ମନ୍ଦିର ଧ୍ୱଂସ କରିଛନ୍ତି, ଜୋରଜବରଦସ୍ତ ଧର୍ମାନ୍ତରଣ କରିଛନ୍ତି, ଏହା ମଧ୍ୟ ଐତିହାସିକ ସତ୍ୟ। କିନ୍ତୁ ସେମାନେ ଏ ଦେଶର ସଂସ୍କୃତିକୁ ଅଧିକ ସମୃଦ୍ଧ କରିଛନ୍ତି, ଏ ଦେଶର ସଂପଦ ନିଜ ଦେଶକୁ ଲୁଟି ନେଇନାହାନ୍ତି। ବରଂ ଦାରା ସିକୋ ବେଦ ଓ ଉପନିଷଦ ଆଦିକୁ ପାର୍ସୀ ଭାଷାରେ ଅନୁବାଦ କରି ସେଗୁଡ଼ିକ ବିଶ୍ୱ ଦରବାରରେ ପହଂଚାଇଛନ୍ତି। ଆଜି ଯଦି ସାଧାରଣ ବର୍ଗର ହିନ୍ଦୁମାନେ ବେଦ, ଉପନିଷଦ ଓ ଗୀତା ଆଦି ବିଷୟରେ ଜାଣୁଛନ୍ତି ତେବେ ତା’ ପଛରେ ଦାରା ସିକୋଙ୍କର ଅବଦାନକୁ ସ୍ୱୀକାର କରିବାକୁ ପଡ଼ିବ। ମୁସଲମାନ ଶାସକ ଗୋଷ୍ଠୀ ଏ ଦେଶକୁ ସେମାନଙ୍କର ମୂଳଭାଷା ଆରବିକ କିମ୍ବା ପାର୍ସୀ ଭାଷାରେ ଶାସନ କରୁନଥିଲେ। ଭାରତର ଅଧିକ ଲୋକଙ୍କ ନିକଟରେ ଶାସନ ପହଂଚାଇବା ପାଇଁ ସେମାନଙ୍କ ସମୟରେ ସୃଷ୍ଟି ହୋଇଥିଲା ଏକ ସ୍ୱତନ୍ତ୍ର ଭାଷା, ଉର୍ଦ୍ଦୁ। ଇଂରଜେମାନେ କିନ୍ତୁ ଏ ଦେଶ ଉପରେ ସେମାନଙ୍କ ଭାଷା ଲଦି ଦେଇଗଲେ, ଆଜି ବି ତାହା ରହିଛି। ଗୀତ, ବାଦ୍ୟ, ନୃତ୍ୟ, ସଂଗୀତ, ନାଟକ, ସିନେମା, ସାହିତ୍ୟ, ଖେଳ, ଖାଦ୍ୟ ଆଦି ଅନେକ କ୍ଷେତ୍ରରେ ମୁସଲିମ ଶାସନର ପ୍ରଚୁର ଅବଦାନ ରହିଛି। ଆଜି କିନ୍ତୁ ଭାରତର ପ୍ରାୟ ସମସ୍ତ ଶିକ୍ଷିତ ଓ ସମ୍ଭ୍ରାନ୍ତ ଲୋକ କାୟମନବାକ୍ୟରେ ଖୀରସ୍ତାନ। ଏବେ ଇଂରେଜ ପୋଷାକ ହେଉଛି ଦେଶର ଜାତୀୟ ପୋଷାକ, ଇଂରେଜ ଖାଦ୍ୟ ଓ ମଦ୍ୟ ହେଉଛି ଦେଶର ଜାତୀୟ ଖାଦ୍ୟ ଓ ପାନୀୟ, ଇଂରେଜ ଭାଷା ଓ ସଂସ୍କୃତି ହେଉଛି ଜାତୀୟ ଭାଷା ଓ ସଂସ୍କୃତି। ମୁସଲମାନ ଶାସନ ସମୟରେ ଏ ଦେଶର ବିଭାଜିତ ହୋଇନଥିଲା। ହିନ୍ଦୁ ଶାସକମାନେ ବିଭାଜିତ ଥିଲେ। ତେଣୁ ସେମାନଙ୍କୁ ପରାସ୍ତ କରି ମୁସଲମାନ ଶାସକ ଗୋଷ୍ଠୀ ବୃହତ୍ତର ଭାରତକୁ ଏକ ଶାସନାଧୀନ କରିଥିଲେ, ଠିକ ଆଜିର ‘ଏକ ରାଷ୍ଟ୍ର’ ସ୍ଲୋଗାନ ପରି। ଇଂରେଜ ଶାସନ ସମୟରେ ମଧ୍ୟ ବୃହତ୍ତର ଭାରତ ଏକତ୍ର ହୋଇଥିଲା। କିନ୍ତୁ ସେଇ ଶାସନ ସମୟରେ ଅନୁସୃତ ବିଭାଜନ ଓ ଶାସନ କୌଶଳ ଯୋଗୁଁ ଭାରତୀୟ ରାଷ୍ଟ୍ର ଆଜି ବିଭାଜିତ, ଭାରତୀୟ ସମାଜ ମଧ୍ୟ ବିଭାଜିତ। ସ୍ୱାଧୀନତା ସଂଗ୍ରାମର ଆଦ୍ୟ ପର୍ବରେ ହିନ୍ଦୁ ଓ ମୁସଲିମ ସଂପ୍ରଦାୟ ଏକତ୍ର ଇଂରେଜ ଶାସନ ବିରୋଧରେ ଲଢ଼ୁଥିଲେ। ପରେ ସେମାନଙ୍କ ମଧ୍ୟରେ ସନ୍ଦେହ ଓ ମତପାର୍ଥକ୍ୟ ସୃଷ୍ଟି ହେଲା। ଏ ସନ୍ଦେହ ଓ ମତପାର୍ଥକ୍ୟ ସ୍ୱାଧୀନତା ଓ ବିଭାଜନ ପରେ ଦୂର ହେବା ପରିବର୍ତ୍ତେ ବୃଦ୍ଧି ପାଇଚାଲିଛି। କ’ଣ ଏହାର କାରଣ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର କହୁଛନ୍ତି, ସମ୍ବିଧାନ ଆମର ବେଦ, ବାଇବେଲ୍ ଓ କୁରାନ। ଏକ ରାଷ୍ଟ୍ର, ଏକ ସମ୍ବିଧାନ, ଏକ ସଂହିତା, ଏକ ନିର୍ବାଚନ, ଏକ ବଜାର, ଏକ ଟିକସ ଆଦି ସ୍ଲୋଗାନ ଖୁବ ଭଲ। କିନ୍ତୁ କେବେ ଏକ ସମାଜରେ ବାନ୍ଧି ହେବେ ଭାରତର ନାଗରିକ? ସେ ଦିଗରେ ସବୁ ସଂପ୍ରଦାୟର ଅବଦାନ ରହିବା ଜରୁରୀ। ଏ ଆବଶ୍ୟକତା ପାଇଁ ପ୍ରଥମେ ଦରକାର ବିଶ୍ୱବିଦ୍ୟାଳୟଗୁଡ଼ିକର ବୈଶ୍ୱିକ ଚେତନା। ବିଶ୍ୱବିଦ୍ୟାଳୟରେ ଯଦି ବସୁଧୈବ କୁଟୁମ୍ବକମ୍ର ନୀତି ଓ ଆଦର୍ଶ ପଢ଼ାନଯାଇ ଜାତି, ଧର୍ମ ଓ ସଂପ୍ରଦାୟର ବିଦ୍ୱେଷ ବୁଣାଯାଏ ତେବେ ଘୃଣା ଓ କ୍ରୋଧର ନିଆଁରେ ପାଉଁଶ ହୋଇଯାଇପାରେ ଭାରତର ଆତ୍ମା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।