- ପଞ୍ଚାନନ କାନୁନ୍ଗୋ
ଦେଶର ଅର୍ଥନୈତିକ ବିପର୍ଯ୍ୟୟ ଗତ ଆଠ ବର୍ଷ ଧରି ନିରନ୍ତର ଦେଖିବାକୁ ମିଳୁଛି। ପୂର୍ବସ୍ଥିତି ନିମ୍ନଗାମୀ ଥିଲା କିନ୍ତୁ ଅଭିବୃଦ୍ଧିହାର ୨୦୧୪ରୁ ଊଦ୍ଧ୍ୱର୍ମୁଖୀ ହେବାବେଳେ ହଠାତ୍ ସରକାରୀ କୃତ ବିମୁଦ୍ରାୟନ ୨୦୧୬ରେ ଆର୍ଥିକ ବ୍ୟବସ୍ଥାକୁ ଶକ୍ତ ଆଘାତ ଦେଲା। ପରବର୍ତ୍ତୀକାଳରୁ ଏହା କେବେ ବି ଅଣ୍ଟାସଳଖି ଛିଡ଼ା ହୋଇନାହିଁ। ସରକାରୀ ଭାଟମାନେ ଯେତେ ଚିତ୍କାର କରି ଘୋଷଣା କଲେ ବି ଅଭିବୃଦ୍ଧି ଖୁବ୍ ଧିରମନ୍ଥର ଗତିରେ ଚାଲିଛି। ଏହି ଭାଟମାନେ ବର୍ଷର ଆରମ୍ଭରେ ଏକ ବିରାଟ ସ୍ୱପ୍ନ ଦେଖାନ୍ତି, ମଝିରେ ମଝିରେ ବଦଳାନ୍ତି ଓ ବର୍ଷର ଶେଷଭାଗରେ ଖୁବ୍ ବଡ଼ କ୍ଷତିର ଫର୍ଦ୍ଦ ଖୋଲନ୍ତି। ଚଳିତବର୍ଷ ଅର୍ଥାତ୍ ୨୦୨୨-୨୩ ଶେଷବେଳକୁ ଭାରତର ସାମଗ୍ରିକ ଅଭିବୃଦ୍ଧି ହାର ୬.୫% ପାଖାପାଖି ରହିବ ବୋଲି ଅର୍ଥଶାସ୍ତ୍ରୀମାନେ ଆକଳନ କରିଛନ୍ତି। ଏଥିସହିତ ଦେଶରେ ଲାଗି ରହିଥିବା ଦରବୃଦ୍ଧି ସରକାରଙ୍କ ଆୟତ୍ତ ବାହାରକୁ ଚାଲିଯାଇଛି। ଟଙ୍କାର ମୂଲ୍ୟ କ୍ଷୀପ୍ର ଭାବରେ ତଳକୁ ଖସି ଅନ୍ତର୍ଜାତୀୟ ବଜାରରେ ଗୋଟିଏ ଆମେରିକୀୟ ଡଲାର ପ୍ରତି ୮୩ ଟଙ୍କାରେ ପହଂଚିଲାଣି। ଏହା ଅଳ୍ପ କେଇମାସ ମଧ୍ୟରେ ୮୫ ଟଙ୍କାରେ ପହଂଚିବାର ଆକଳନ ଅର୍ଥଶାସ୍ତ୍ରୀମାନେ କରୁଛନ୍ତି। ଭାରତର ସଂରକ୍ଷିତ ମୁଦ୍ରାଭଣ୍ଡାର ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ଏପରିକି ଯଦି କୌଣସି କାରଣରୁ ଭାରତ କୌଣସି ସୀମାନ୍ତ ବିଦ୍ରୋହ ବା ପଡ଼ୋଶୀ ସହ ଯୁଦ୍ଧରେ ଲିପ୍ତ ହୋଇଗଲା ତେବେ ଦେଶର ଅର୍ଥନୀତି ଧରାଶାୟୀ ହେବ। ଅବଶ୍ୟ ତାର ସଂଭାବନା ଦୃଶ୍ୟମାନ ନୁହେଁ।
ତେବେ ଯେଉଁ ବିପର୍ଯ୍ୟୟ ଆସିଛି ତା’ର କାରଣ ନ ଖୋଜି ଅବା ସେଥିରୁ ମୁକୁଳି ଆଗେଇବାର ବାଟ ନ ଖୋଜି ଅପରଣାମଦର୍ଶୀ ସରକାର ନିଜ ପିଠି ନିଜେ ଥାପୁଡ଼େଇ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି। ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଶଂସା ସାଉଁଟିବା ସେତିକି ପ୍ରଶସ୍ଥ ହେବାରେ ଲାଗିଛି। ପରିଣାମ ପାଇଁ ଦାୟୀ ସରକାରଙ୍କ ଅର୍ଥମନ୍ତ୍ରୀ ସୀତାରମଣ, ନିୟନ୍ତ୍ରଣ ହରାଇଥିବା ରିଜର୍ଭବ୍ୟାଙ୍କର କର୍ମକର୍ତ୍ତା, ସରକାରଙ୍କ ଅର୍ଥମନ୍ତ୍ରଣାଳୟ ଗୋଟିକ ପରେ ଗୋଟିଏ ବିବୃତ୍ତି ରଖି କହିଚାଲିଛନ୍ତି, “ଦେଶର ଟଙ୍କା ମୂଲ୍ୟ ହ୍ରାସ ନୁହେଁ ଆନ୍ତର୍ଜାତୀୟ ମୁଦ୍ରା ଡଲାର ଶକ୍ତ ହେବାରେ ଲାଗିଛି। ବିମୁଦ୍ରାୟନ ହେତୁ ଦେଶରେ ଟିକସ୍ ସଂଗ୍ରହ ବୃଦ୍ଧି ଘଟିଛି। ବିଶ୍ୱ ଆର୍ଥିକ ବ୍ୟବସ୍ଥା ଖରାପର ପ୍ରଭାବ ଭାରତ ଉପରେ ପଡ଼ିଛି। ଦୃତଗତିରେ ବଢ଼ି ଚାଲିବ ଭାରତୀୟ ଅର୍ଥନୀତି”। ଅନ୍ୟ ଦେଶ ତୁଳନାରେ ଭାରତର ଅଗ୍ରଗତି ହାର ବଢ଼ିଛି। ବିଶ୍ୱ ଅର୍ଥନୀତିରେ ଅଭିବୃଦ୍ଧି ହାର ୨.୩% ରହିବ ବୋଲି କଳନା କରାଯାଉଥିଲାବେଳେ ଭାରତର ଅଭିବୃଦ୍ଧିହାର ୬.୫% ରହିବାର ଆକଳନ କରାଯାଇଛି। ଅର୍ଥାତ୍ କ୍ଲାସରେ ଫେଲ୍ ହେଲେ ବି ପିଲା ଶ୍ରେଣୀରେ ଫାଷ୍ଟ୍ ହୋଇଥିବାର ଆସ୍ଫାଳନ ଦେଖାଉଛନ୍ତି। ସ୍ଥିତିର ବିଶ୍ଳେଷଣ ନକରି ଯାହାସବୁ କୁହାଯାଉଛି ସେ ସବୁ ଯେତିକି ଅବାସ୍ତବ ସେତିକି ହାସ୍ୟାସ୍ପଦ।
ଭାରତର ଅର୍ଥନୀତି ଭୁଷୁଡ଼ିବାରେ ଲାଗିଛି। ନିରନ୍ତର ମୁଦ୍ରାସ୍ଫୀତି ଓ ବଜାରଦର ବୃଦ୍ଧିପାଇ ଅଣାୟତ୍ତ ହେବାରେ ଲାଗିଛି। ଭାରତ ରିଜର୍ଭବ୍ୟାଙ୍କ ଏହା ବିରୁଦ୍ଧରେ ଲଗାତର ଲଢ଼େଇ ଚାଲୁ ରଖିଥିବା ବାରମ୍ବାର ଘୋଷଣା କରିବା ସହିତ ବଜାରକୁ ଅର୍ଥ ଛାଡ଼ିବା ବନ୍ଦ କରି ଚାଲିଛି। ତଥାପି ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ନିର୍ଦ୍ଧାରିତ ଲକ୍ଷ୍ୟ ୬%ରୁ ଅଧିକ ୭.୪% ରହିଥିବା ଦେଖାଯାଉଛି। ଦେଶରେ ଟଙ୍କାର ମୂଲ୍ୟ ଦୃତଗତିରେ ହ୍ରାସ ପାଉଛି। ଅନ୍ତର୍ଜାତୀୟ ମୁଦ୍ରା ବଜାରରେ ଡଲାର ପିଛା ୮୩ ଟଙ୍କାରେ ପହଂଚି ସାରିଲାଣି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ସୀତାରମଣ ଲଘୁ ମନ୍ତବ୍ୟ ଦେଇଛନ୍ତି, “ଟଙ୍କା ଦୁର୍ବଳ ନୁହେଁ, ଡଲାର ସବଳ ହୋଇଛି”। ଏହା ଅବଶ୍ୟ ଅନେକାଂଶରେ ସତ୍ୟ, ତେବେ ଏକଥା ମଧ୍ୟ ସତ୍ୟ ଯେ ଭାରତୀୟ ମୁଦ୍ରା ଟଙ୍କାର ମୂଲ୍ୟ କମିଛି। ବିଶ୍ୱ ବଜାରରେ ୧୯୭୧ ମସିହାରୁ ଅପ୍ରତିଦ୍ୱନ୍ଦ୍ୱୀ ରାଜୁତି କରୁଥିବା ଡଲାର ଥାଇ ସବୁ ଦେଶର ମୁଦ୍ରାର ପ୍ରତ୍ୟାବର୍ତ୍ତନ ହାର ବଢ଼ିଛି। ଜାପାନର ୟେନ୍, ସ୍ୱିଡେନର ଶ୍ରୋନା, ଚିନ୍ର ୟୁଆନ, ବ୍ରିଟେନ୍ର ପାଉଣ୍ଡ ପ୍ରଭୃତିର ଡଲାର ବିନିମୟ ହାର ଯଥେଷ୍ଟ ବୃଦ୍ଧିପାଇଛି। ହେଲେ ଭାରତର ଏହି ହ୍ରାସ ସର୍ବକାଳୀନ ନିମ୍ନସ୍ତରରେ ପହଂଚିଛି। ଏହା ଇତିହାସ ସୃଷ୍ଟି କରିଛି। ଭାରତକୁ ଏଥିପାଇଁ ଅଦ୍ୟାବଧି ୯୭୩୦ କୋଟି ଡଲାର ଅଧିକ ବ୍ୟୟ କରିବାକୁ ହେଲାଣି। ପୂର୍ବେ କୌଣସି ସମୟରେ ଭାରତ ଏତେ ହରାଇ ନଥିଲା। ଏପରିକି ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବାବେଳେ ୨୦୦୮ ମସିହାରେ ବିଶ୍ୱରେ ଦେଖାଯାଉଥିବା ମାନ୍ଦାବସ୍ଥା ସମୟରେ ୩୭୦୦ କୋଟି ଡଲାର ବିନିମୟ କରିବାକୁ ହୋଇଥିଲା। ଏବେ ତାର ତିନିଗୁଣା ଅଧିକ ଡଲାର ବାହାରକୁ ଚାଲିଯାଇଛି। ଗଚ୍ଛିତ ବିଦେଶୀ ମୁଦ୍ରାର କ୍ଷୀପ୍ର କ୍ଷତି ଯୋଗୁ ଅନ୍ତର୍ଜାତୀୟ ବଜାରରେ ସଂକଟ ଦେଖାଦେବାକୁ ଆଶଙ୍କା ବଢ଼ି ଚାଲିଛି।
ମୁଦ୍ରାର ଅବକ୍ଷୟ ଭାରତର ଆଭ୍ୟନ୍ତରୀଣ ବଜାରରେ ମଧ୍ୟ ଘଟିବାରେ ଲାଗିଛି। ଭାରତୀୟ ମୁଦ୍ରାର ଅଳ୍ପମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଏହାର ମୁଖ୍ୟ କାରଣ ଉତ୍ପାଦନ ହାର ଅପେକ୍ଷା ବଜାରରେ ମୁଦ୍ରା ସଂଚାଳନ ମାତ୍ରା ଅଧିକ ହେବାରେ ଲାଗିଛି ଓ ଅବିଚାରିତ ଭାବେ ବିଦେଶୀ ମୁଦ୍ରାର ବିନିଯୋଗ ହେଉଛି। ଏପରି ଏକ ଅନିୟନ୍ତ୍ରିତ ଅବସ୍ଥା ସଂପର୍କରେ ମାନନୀୟ ବିତ୍ତମନ୍ତ୍ରୀ ଅତ୍ୟନ୍ତ ସଚେତନ ଅଛନ୍ତି ନିଶ୍ଚୟ। ଏହାର କୁପରିମାଣ ଖୁବ୍ ଭୟଙ୍କର ହେବ ବୋଲି ତାଙ୍କରି କ୍ୟାବିନେଟ୍ର ଅନ୍ୟତମ ମନ୍ତ୍ରୀ ପୀୟୂଷ ଗୋୟେଲଙ୍କ ଉକ୍ତିରୁ ଜଣାପଡ଼େ। ବିତ୍ତମନ୍ତ୍ରୀ ସୀତାରମଣ ଏପରି ଏକ ହାଲୁକା ମନ୍ତବ୍ୟ ରଖିବା ବେଳେ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ମିନିଷ୍ଟର ପୀୟୂଷ ଗୋଏଲ କହିଛନ୍ତି ଯେ ଟଙ୍କା ମୂଲ୍ୟର ଅବକ୍ଷୟ ଭାରତର ଭବିଷ୍ୟତ ଅର୍ଥନୀତି ପ୍ରତି ବିପଦ ସୃଷ୍ଟି କରୁଛି। ଯେହେତୁ ଭାରତ ଆମଦାନୀ ଉପରେ ବେଶୀ ନିର୍ଭରଶୀଳ ଭାରତ ବାହାରୁ ଆମଦାନୀ କରୁଥିବା ପଣ୍ୟ ଦରବୃଦ୍ଧି ସହିତ ବଜାରକୁ ଛାଡ଼ୁଥିବା ପଦାର୍ଥର ଦରବୃଦ୍ଧି ଘଟିବ। ବଜାର ଅସ୍ଥିର ହେବ, ଦରଦାମ ବୃଦ୍ଧି ଓ ମୁଦ୍ରାସ୍ଫୀତି ବୃଦ୍ଧି ଘଟିବ। ଏକଥା ମଧ୍ୟ ଅର୍ଥମନ୍ତ୍ରୀ ଜାଣନ୍ତି ଯେ ଭାରତ ଅନ୍ତତଃ ୬୦୦୦ରୁ ଊର୍ଦ୍ଧ୍ୱ ଦ୍ରବ୍ୟ ବାହାରୁ ଆମଦାନୀ କରିଥାଏ। ଆମଦାନୀର ଏକ ମୁଖ୍ୟ ଅଂଶ ପ୍ରାୟ ୩୩% କେବଳ ଅଶୋଧିତ ତୈଳ ଅମଦାନୀରେ ୧୫% ଔଷଧ ଓ ଔଷଧ ଉତ୍ପାଦନରେ ଲାଗୁଥିବା ପଣ୍ୟ ବାବଦରେ ବ୍ୟୟ ହୋଇଥାଏ। ଗତ ପାଞ୍ଚ ବର୍ଷରେ ଯଦିଓ ରପ୍ତାନୀ କିଛି ବଢ଼ିଛି ତେବେ ଆମଦାନୀର ମାତ୍ରା ମଧ୍ୟ ବଢ଼ିଛି। ଅର୍ଥାତ୍ ଟଙ୍କାର ବିନିମୟ ମୂଲ୍ୟ କମିବା ଫଳରେ ଭାରତକୁ ବହୁତ ପରିମାଣରେ କ୍ଷତି ସହିବାକୁ ହେଉଛି। ଆମଦାନୀ ଓ ରପ୍ତାନୀ ଦିଗକୁ ଦେଖିଲେ ୨୦୧୭, ୨୦୧୮, ୨୦୧୯, ୨୦୨୦ ଓ ୨୦୨୧ରେ ରପ୍ତାନୀ ଯଥାକ୍ରମେ ୨୭୫୮୦ କୋଟି ଡଲାର ୩୦୨୫୨ କୋଟି ଡଲାର, ୩୩୦୦୭ କୋଟି ଡଲାର ଓ ୩୧୪୩୦ କୋଟି ଡଲାର ଥିବାବେଳେ ସେହି ସମୟରେ ରପ୍ତାନୀ ଯଥାକ୍ରମେ ୩୮୪୩୦ କୋଟି ଡଲାର, ୪୬୫୦୦ କୋଟି ଡଲାର, ୩୫୪୦୦ କୋଟି ଡଲାର ଓ ୩୩୫୪୪ କୋଟି ଡଲାର ଥିବାର ଦେଖାଯାଇଛି।
ଏକ ସରକାରୀ ତଥ୍ୟ ଅନୁସାରେ ୨୦୨୨ ମସିହାର ପ୍ରଥମ ୮ ମାସରେ ରପ୍ତାନୀ ୩୮୨୩୧ କୋଟି ଡଲାର ହୋଇଥିବାବେଳେ ଆମଦାନୀ ୪୦୪୦୦ କୋଟି ଡଲାର ଥିଲା। ଗଚ୍ଛିତ ସୁନା ସହିତ ସମସ୍ତ ବୈଦେଶିକ ମୁଦ୍ରା କ୍ଷେତ୍ରରେ ଭାରତ ବିଶ୍ୱରେ ଏବେ ବି ୪ର୍ଥ ସ୍ଥାନରେ ଅଛି। ଏହି ଗଚ୍ଛିତ ବିଦେଶୀ ମୁଦ୍ରାର ମୂଲ୍ୟ ୨୦୨୨ ଅକ୍ଟୋବର ୭ ସୁଦ୍ଧା ମୋଟାମୋଟି ୫୩୨୮୩.୮ କୋଟି ଡଲାର ଥିଲା। ଯାହାକି ଗତ ୨୪ ବର୍ଷ ଅର୍ଥାତ୍ ମନମୋହନ ସିଂହ ମୁକ୍ତ ଅର୍ଥନୀତି ହେତୁ କ୍ରମେକ୍ରମେ ବୃଦ୍ଧିପାଇ ଏପରି ଏକ ସ୍ଥିତିରେ ପହଂଚିଥିଲା। ଅଧିକନ୍ତୁ ୧୯୯୨ ମସିହାରୁ ଗଚ୍ଛିତ ସୁନାର ପରିମାଣ ବୃଦ୍ଧି ପାଇଛି ଓ ଏଥିପାଇଁ ମନମୋହନ ସିଂହଙ୍କ ଅର୍ଥନୀତି ହିଁ ଅନେକ ଭାବରେ ସମର୍ଥନ ଦେଇଥିଲା। ଏତଦ୍ବ୍ୟତୀତ ଦେଶରୁ ବହୁଳ ପରିମାଣରେ ଖଣିଜ ପଦାର୍ଥ ରପ୍ତାନୀ ହେତୁ ଆମଦାନୀ ରପ୍ତାନୀ ଉପରେ ବେଶ୍ ଗୋଟାଏ ପ୍ରଭାବ ରହିଆସିଛି। ସେଥିରେ ଯେ ଦେଶର କେତେ କ୍ଷତି ଭବିଷ୍ୟତରେ ଘଟିବ ତା ଭବିଷ୍ୟତ କହିବ।
ଏ ସବୁ ବିଚାରକୁ ନେଲେ ଦେଶର ଆର୍ଥିକ ସ୍ଥିତି ଯେତେ ଭଲ ବୋଲି କୁହାଯାଇଛି ଟଙ୍କା ମୂଲ୍ୟର ଅବକ୍ଷୟ ଏବଂ ଡଲାର ତୁଳନାରେ ବିନିମୟ ମୂଲ୍ୟ ବୃଦ୍ଧି ଭାରତକୁ ଖୁବ୍ ଶୀଘ୍ର ସଂକଟ ଭିତରକୁ ଠେଲି ଦେବ ଏକଥା କେନ୍ଦ୍ର ବିତ୍ତମନ୍ତ୍ରୀ ନିଶ୍ଚୟ ଅବଗତ ଥିବେ। ଅବସ୍ଥାକୁ ହାଲୁକା କରିବା ନିମନ୍ତେ ଗତ କିଛିବର୍ଷ ହେବ ବିତ୍ତମନ୍ତ୍ରୀ ଏବଂ ତାଙ୍କ ପ୍ରଧାନମନ୍ତ୍ରୀ ତଥା ସହଯୋଗୀ ମନ୍ତ୍ରୀମାନେ କେତେବେଳେ କରୋନାକୁ ତ କେତେବେଳେ ବିଶ୍ୱ ଆର୍ଥିକ ସ୍ଥିତିର ଚାପ କଥା କହି ଆସିଥିଲେ। ବିତ୍ତମନ୍ତ୍ରୀଙ୍କର ବର୍ତ୍ତମାନର ଟିପ୍ପଣୀ ଉପରେ ସାଧାରଣ ଜନତା ଅନେକ ମନ୍ତବ୍ୟ ଦେବାରେ ଲାଗିଛନ୍ତି। କେହିକେହି ଅର୍ଥମନ୍ତ୍ରୀ ଫେଲ୍ ପିଲାଙ୍କ ଭିତରେ ସ୍ଥାନ ନିରୁପଣ କରି ବାହାବାହା ନେଉଥିବା ଦର୍ଶାଇଛନ୍ତି। ଦେଶ ତମାମ ବିଶ୍ୱ ବିଖ୍ୟାତ ଅର୍ଥଶାସ୍ତ୍ରୀଙ୍କର ଅଭାବ ନାହିଁ। ଅର୍ଥମନ୍ତ୍ରୀ ସେମାନଙ୍କର ପରାମର୍ଶ ନେବାର ସମୟ ଆସିଛି। ତା ନହେଲେ ଦେଶର ଅର୍ଥନୀତିର ସୁଧାର ପାଇଁ ସଠିକ୍ ପଥଟିଏ ନିର୍ଣ୍ଣୟ କରିବା ତାଙ୍କ ପାଇଁ କଷ୍ଟକର ହୋଇଉଠିବ।
ଏହା ସତ୍ୟ ଯେ ଏବେ କରୋନା ପରବର୍ତ୍ତୀ ସମୟରେ ଦେଶରେ ଉଭୟ ପ୍ରତ୍ୟକ୍ଷ ଓ ପେରାକ୍ଷ କର ଆଦାୟ ଖୁବ୍ ଆଖିଦୃଶିଆ ହୋଇଛି। ଚଳିତ ଆର୍ଥିକ ବର୍ଷରେ ମାସିକ ଆଦାୟ ୧ ଲକ୍ଷ ୪୦ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି। ତେବେ ଏହା କରୋନା ସଂପର୍କୀତ ବିସ୍ତୃତ ବଜାର ସୃଷ୍ଟି, ମୁଦ୍ରାସ୍ଫୀତିର ବା ଦରଦାମର କ୍ରମାଗତ ବୃଦ୍ଧି ହେତୁ ଯେ ଘଟିଛି ବୋଧହୁଏ ତାହା ହିସାବ କରାଯାଇନାହିଁ। କରୋନା ହେତୁ ଚିକିତ୍ସା କ୍ଷେତ୍ରରେ ବିରାଟ ବଜାର ସୃଷ୍ଟି ହେଲା। ଏପରିକି ଅନେକ ନୂଆ ଔଷଧ, ସାନିଟାଇଜର ଅକ୍ସିମିଟର, ସାନିଟାଇଜର ମେସିନ୍ ଆଦି ବଜାରରେ ବହୁଳ ବିକ୍ରୀ ହେଲା। ଗୋଟିଏ କଥା ସ୍ପଷ୍ଟ ହେବା ଦରକାର ଯେ କରୋନା ପୂର୍ବରୁ ଯେଉଁସବୁ ବିସ୍କୁଟ୍ କମ୍ପାନୀ ବନ୍ଦ ହୋଇଯିବାର ଆଂଶଙ୍କା ଦେଖଯାଇଥିଲା ତାହାସବୁ ଡବଲ ଆୟକାରୀ ହେଲା। କରୋନା ସମୟରେ ଅନେକ ଧନପତି କୁବେରଙ୍କର ଆର୍ଥିକ ବିକାଶ କ୍ଷୀପ୍ର ହେଲା। ମଧ୍ୟମ ଓ ନିମ୍ନ ଆୟକାରୀ ଧନପତିମାନେ ପ୍ରତିଯୋଗୀତାରେ ପଛରେ ପଡ଼ି ଯାଇଥିଲେ ମଧ୍ୟ ବିତ୍ତଶାଳୀ, ଅତି ବିତ୍ତଶାଳୀମାନେ ବୀମା କ୍ଷେତ୍ରରେ ଖୁବ୍ ବଡ଼ ବିନିଯୋଗ କଲେ ଓ ସେଥିରୁ ସରକାରଙ୍କୁ ଅନେକ ଭାବରେ ଆୟ ମିଳିଲା। ଅହେତୁକ ଭାବେ ଖଣିଜ ପଦାର୍ଥର ଉତ୍ତୋଳନ ଓ ରପ୍ତାନୀ ମଧ୍ୟ ଆୟ କ୍ଷେତ୍ରରେ ଅନେକ ସହଯୋଗ ଦେଲା। ଏଣୁ ଏ ଟିକସ୍ ଆଦାୟ ବୃଦ୍ଧି ଯେ ଆଦୌ ସେହି ଅପରିଣାମଦର୍ଶୀ ବିମୁଦ୍ରାୟନ ହେତୁ ନୁହେଁ, ସେ କଥା ସମସ୍ତେ ଜାଣିବା ଦରକାର। ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତି କମିଟି ସଦସ୍ୟ ଅସୀମା ଗୋୟେଲ ବୋଧହୁଏ ହିସାବକୁ ନେଇ ନାହାନ୍ତି ଯେ ଏ ମଧ୍ୟରେ ଅର୍ଥାତ୍ ଗତ ତିନି ବର୍ଷରେ ଗଚ୍ଛିତ କଳାଟଙ୍କାର ପରିମାଣ ଯଥେଷ୍ଟ ବୃଦ୍ଧିପାଇଛି। ବିମୁଦ୍ରାୟନ ସହ କଳାଟଙ୍କା ରୋକିବାର କୌଣସି ସଂପର୍କ ନାହିଁ। ବରଂ ୨୦୦୦ ଟଙ୍କିଆ ମୁଦ୍ରାର ପ୍ରଚଳନ ହେତୁ ଦେଶରେ ନକଲି ମୁଦ୍ରା କାରବାର ବୃଦ୍ଧି ପାଇଥିବା ଦେଖାଯାଉଛି ଓ ସୁଇସ୍ ବ୍ୟାଙ୍କରେ ଗଚ୍ଛିତ ଧନରାଶୀ ଗତ ୫ ବର୍ଷରେ ଦୁଇଗୁଣରୁ ଅଧିକ ହୋଇଛି।
ସରକାର ନିଜର ଅଂଶ ବା ଅଧସ୍ତନଙ୍କ ଦ୍ୱାରା ଯେତେ ପ୍ରଶଂସା ସାଉଁଟି ଚାଲିଲେ ମଧ୍ୟ ଅବସ୍ଥା ସୁଧୁରିବା ଦିଗରେ ଏହା ସହାୟ ହେବ ନାହିଁ, ବରଂ ଖରାପରୁ ଅଧିକ ଖରାପ ଆଡ଼କୁ ଗତି କରିବ।
ଫୋ- ୯୪୩୮୩୬୦୮୪୯
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।