ଦେବେନ୍ଦ୍ର ପୃଷ୍ଟି
‘ଏମିତି କୌଣସି ବିଶ୍ୱାସଘାତ ଓ ନୀଚକାମ ନାହିଁ ଯାହା ଗୋଟିଏ ରାଜନୀତିକ ଦଳ କରିପାରିବ ନାହିଁ, କାରଣ ରାଜନୀତିରେ କୌଣସି ମର୍ଯ୍ୟାଦା ନାହିଁ।’
ଏହା କହିଥିଲେ ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ଦିସ୍ରାଇଲ୍। ସେ କ’ଣ କିଛି ଭୁଲ କହିଥିଲେ? ଭାରତବର୍ଷର ସାଂପ୍ରତିକ ରାଜନୀତିକୁ ନିରପେକ୍ଷତାର ସହିତ ଅନୁଶୀଳନ କଲେ ସେ ଭୁଲ କହିଥିଲେ ବୋଲି କହି ହେବ ନାହିଁ। ଓଡ଼ିଶାର ଶାସକ ବିଜୁ ଜନତା ଦଳ କଥା ଚିନ୍ତା କରନ୍ତୁ। ଏ ଦଳଟି ଓଡ଼ିଶାର ସର୍ବାଧିକ ସଫଳ ଆଞ୍ଚଳିକ ଦଳ ଭାବେ ପ୍ରତିଷ୍ଠା ଅର୍ଜନ କରିଛି। ଏହାର ନେତା ନବୀନ ପଟ୍ଟନାୟକ ମଧ୍ୟ ସବୁଠୁଁ ଅଧିକ ସଫଳ ରାଜନେତାର ମାନ୍ୟତା ଅର୍ଜନ କରିଛନ୍ତି। ତାଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଲଗାତାର ଛଅ ଛଅଟି ଲୋକସଭା ଓ ପାଞ୍ଚ ପାଞ୍ଚଟି ବିଧାନସଭା ନିର୍ବାଚନରେ ସଫଳତା ଅର୍ଜନ କରିଛି। ଦଳର ନେତା ଭାବେ ନବୀନ ପଟ୍ଟନାୟକ କ୍ରମାଗତ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ପଦ ହାସଲ କରି ଓଡ଼ିଶା ରାଜନୀତିରେ ଏକ ଅନନ୍ୟ ରେକର୍ଡ଼ ପ୍ରତିଷ୍ଠା କରିଛନ୍ତି। ୧୯୯୭ ଡିସେମ୍ବରରେ ଜନତା ଦଳକୁ ଭାଙ୍ଗି ବିଜୁ ଜନତା ଦଳ ପ୍ରତିଷ୍ଠା କରିବା ଦିନରୁ ସେ ନିଜେ କିମ୍ବା ତାଙ୍କ ଦଳ ପରାସ୍ତ ହୋଇନାହିଁ। ସଂପୂର୍ଣ୍ଣ ନବାଗତ ଭାବେ ରାଜନୀତିରେ ପ୍ରବେଶ କରିବା ପରେ ଏଯାଏଁ ସେ ତିନିଟି ଲୋକସଭା ନିର୍ବାଚନ ଓ ପାଞ୍ଚଟି ବିଧାନସଭା ନିର୍ବାଚନ ଜିତି ସାରିଲେଣି। କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ପରି ଜାତୀୟ ସ୍ତରର ଦୁଇଟି ବୃହତ୍ ରାଜନୀତିକ ଦଳ ନବୀନ ପଟ୍ଟନାୟକ ଓ ତାଙ୍କ ସରକାର ବିରୋଧରେ ଯେତେ ଯାହା ଅଭିଯୋଗ କଲେ ବି ତାହା ତାଙ୍କ ସ୍ଥିତି ଓ ଆସନକୁ ଦୁର୍ବଳ କରିପାରି ନାହିଁ।
ତେବେ ତାଙ୍କର ଏହି ସଫଳତାର ରହସ୍ୟ କ’ଣ? ତାଙ୍କ ସଫଳତା ପଛରେ ବେଞ୍ଜାମିନ୍ ଦିସ୍ରାଇଲିଙ୍କର ଉପରୋକ୍ତ ମନ୍ତବ୍ୟ ଏକ ସୂତ୍ର ଭାବେ କାର୍ଯ୍ୟ କରିଛି କି? ନବୀନବାବୁଙ୍କ ମୁଷ୍ଟିବଦ୍ଧ ବିଜେଡିର ଦୁଇ କେନ୍ଦ୍ରୀୟ ଦଳ ସହ ସଂପର୍କକୁ ଅନୁଶୀଳନ କଲେ ଏହା ଯେ ନିହାତି ମିଛ ନୁହେଁ ସେ ଧାରଣା ଜନ୍ମନେତା ସ୍ୱାଭାବିକ ବୋଧ ହୋଇପାରେ। ରାଜନୀତିକ କ୍ଷମତା ଓ ସ୍ୱାର୍ଥ ପାଇଁ ନବୀନବାବୁ ବାରମ୍ବାର ନିଜର ସଂପର୍କ ଓ ସୂତ୍ର ବଦଳାଇଛନ୍ତି। ନବୀନବାବୁ ରାଜନୀତିରେ ଯୋଗଦେବା ପୂର୍ବରୁ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ଜନତା ଦଳ ଧର୍ମନିରପେକ୍ଷ ରାଜନୀତି କରୁଥିଲା। ବିଜୁବାବୁ ଓ ତାଙ୍କର ସହଯୋଗୀମାନେ ନିଜକୁ ଧର୍ମନିରପେକ୍ଷ ବୋଲି ଦାବି କରୁଥିଲେ। ସେଥିପାଇଁ ଅଟଳ ବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡ଼ଭାନୀଙ୍କ ପରି ନେତାଙ୍କ ସହିତ ବିଜୁବାବୁଙ୍କର ବ୍ୟକ୍ତିଗତ ବନ୍ଧୁତା ଥିଲେ ମଧ୍ୟ ସେ କେବେ ବି ଭାରତୀୟ ଜନତା ପାର୍ଟିର ରାଜନୀତିକୁ ସମର୍ଥନ କରୁ ନଥିଲେ। ତାଙ୍କ ପାଇଁ ବିଜେପି ଥିଲା ଏକ ଅଛୁଆଁ ଦଳ। ବିଜେପିକୁ ବିଜୁବାବୁ ଗାନ୍ଧୀ ମହାତ୍ମାଙ୍କ ହତ୍ୟାକାରୀ ଦଳ ଭାବେ ଗ୍ରହଣ କରିଥିଲେ।
କିନ୍ତୁ ବିଜୁବାବୁଙ୍କ ଦେହାନ୍ତ ହୋଇଯିବା ପରେ ରାଜ୍ୟ ଜନତା ଦଳର ନେତା ପଦ ଗ୍ରହଣ କରିଥିବା ନବୀନବାବୁ ରାଜ୍ୟରେ ଜନତା ଦଳକୁ ଭାଙ୍ଗି ବିଜୁ ଜନତା ଦଳ ଗଠନ କରିଥିଲେ ଓ ତାଙ୍କ ନେତୃତ୍ୱରେ ଏହି ନୂଆ ଦଳ ଭାରତୀୟ ଜନତା ପାର୍ଟି ସହିତ ମେଣ୍ଟ ବାନ୍ଧିଥିଲା। କୁହାଯାଏ, ବିଜୁ ଜନତା ଦଳର ଗଠନ ଓ ସଂଗଠନ ବୃଦ୍ଧି ଦିଗରେ ବାଜପେୟୀ ଓ ଆଡ଼ଭାନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କେତେକ ବିଜେପି ନେତାଙ୍କ ଦାବି ଅନୁସାରେ ବିଜେଡି ସଂଗଠନ ପାଇଁ ପ୍ରାଥମିକ ପାଣ୍ଠି ସହାୟତା ଯୋଗାଇଥିଲା ବିଜେପି। ସେତେବେଳେ ଜନତା ଦଳ ପରି ବିଜୁ ଜନତା ଦଳ ଓଡ଼ିଶାରେ କଂଗ୍ରେସ ବିରୋଧୀ ରାଜନୀତି କରୁଥିଲା। ୨୦୦୪ ଯାଏଁ କେନ୍ଦ୍ରରେ ବାଜପେୟୀ ସରକାର ଥିଲା ଯାଏଁ ବିଜେଡି ଓ ବିଜେପି ମିଳିତ ଭାବେ ଓଡ଼ିଶାରେ କଂଗ୍ରେସକୁ କୋଣଠେସା କରିଦେଇଥିଲେ। ୨୦୦୪ରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ଗଠନ କରିବାର ପରେ ନବୀନବାବୁ ଓ ବିଜେଡିର ରାଜନୀତିକ ସଂପର୍କରେ କିଛିଟା ପରିବର୍ତ୍ତନ ଆସିଲା। ତା’ ପରଠୁଁ ୨୦୧୪ ଯାଏଁ କେନ୍ଦ୍ରରେ ଉପା ସରକାର ରହିଥିଲା। ଏହି ସମୟ ମଧ୍ୟରେ ବିଜେଡିର ମୁଖ୍ୟ ରାଜନୀତିକ ପ୍ରସଙ୍ଗ ଥିଲା କେନ୍ଦ୍ର ଅବହେଳା। ସେହି ସମୟ ମଧ୍ୟରେ ଓଡ଼ିଶାକୁ ଯେତେ କେନ୍ଦ୍ର ମନ୍ତ୍ରୀ ଆସିଥିଲେ ପ୍ରାୟ ସମସ୍ତେ ନବୀନବାବୁଙ୍କ ସରକାରକୁ ପ୍ରଶଂସା କରିଥିଲେ। ରାଜ୍ୟ ସ୍ୱାର୍ଥ କଥା ଉଠେଇ ବିଜେଡି ମଧ୍ୟ ତତ୍କାଳୀନ ଉପା ସରକାରର କେତେକ ନିଷ୍ପତ୍ତିକୁ କୌଶଳପୂର୍ଣ୍ଣ ସମର୍ଥନ ଯୋଗାଇଥିଲା। ୨୦୦୯ ପର୍ଯ୍ୟନ୍ତ ବିଜେପି ଓ ବିଜେଡି ମେଣ୍ଟ ସୁଦୃଢ଼ ଥିଲା। ମାତ୍ର ୨୦୦୯ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆସନ ଭାଗବଣ୍ଟାକୁ ଆଳ କରି ନବୀନବାବୁ ବିଜେପି ହାତ ଛାଡ଼ିଦେଇଥିଲେ। ୨୦୦୮ ଅଗଷ୍ଟ ମାସରେ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଓ ତତପରବର୍ତ୍ତୀ ଦଙ୍ଗା ପାଇଁ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ଗୃହମନ୍ତ୍ରୀ ଭାବେ ନବୀନବାବୁଙ୍କ ଭୂମିକା ନେଇ ପ୍ରଶ୍ନ ଉଠିଥିଲେ ମଧ୍ୟ ସେ ବିଜେପି ହାତ ଛାଡ଼ିବା ପରେ ନିଜକୁ ଧର୍ମନିରପେକ୍ଷ ରାଜନୀତିର ପ୍ରବକ୍ତା ଭାବେ ଉପସ୍ଥାପିତ କରିଥିଲେ। ସେତେବେଳେ ତାଙ୍କର ଏକ ବିଖ୍ୟାତ ମନ୍ତବ୍ୟ ହେଲା, ‘ମୋ ଦେହର ପ୍ରତ୍ୟେକ ହାଡ଼ ଧର୍ମନିରପେକ୍ଷ’।
୨୦୦୯ ମସିହାରେ ବିଜେପି ସହିତ ରାଜ୍ୟ ସ୍ତରୀୟ ସଂପର୍କ ତୁଟେଇବା ପରେ ନବୀନବାବୁ ରାଜ୍ୟ କଂଗ୍ରେସର ଅନେକ ନେତାଙ୍କୁ ନିଜ ଦଳରେ ଗ୍ରହଣ କରିଥିଲେ। ଯେଉଁ କଂଗ୍ରେସକୁ ରାଜ୍ୟର ଅନେକ ଦୁର୍ନୀତି ଓ କୁପରିଚାଳନା ପାଇଁ ତାଙ୍କ ଦଳ ଦାୟୀ କରୁଥିଲା ସେହି କଂଗ୍ରେସର ବହୁ ପୂର୍ବତନ ମନ୍ତ୍ରୀ, ବିଧାୟକ ଓ ସାଂଗଠନିକ କର୍ମକର୍ତ୍ତାଙ୍କୁ ସାଙ୍ଗରେ ନେଇ ବିଜେପି ବିରୋଧରେ ଲଢ଼ିଥିଲେ। ସେତେବେଳେ କୁହାଯାଉଥିଲା ଯେ ନବୀନଙ୍କ ସ୍ଥାୟିତ୍ୱ ସୋନିଆଙ୍କ ଦାୟିତ୍ୱ। କଂଗ୍ରେସର ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗରେ ନବୀନବାବୁ ୨୦୦୯ ଓ ୨୦୧୪ ନିର୍ବାଚନରେ ରାଜ୍ୟରେ ବିଜେପିକୁ ଏକରକମ ମୂଳପୋଛ କରିଦେଇଥିଲେ।
୨୦୧୪ ନିର୍ବାଚନରେ ଲୋକସଭାକୁ ଜଣେ ଓ ବିଧାନସଭାକୁ ୬ ଜଣ ପ୍ରତିନିଧି ପଠାଇବାରେ ସଫଳ ହୋଇଥିଲା ବିଜେପି। ଅବଶ୍ୟ ଏହି ସନ୍ଦିଗ୍ଧ ସଂପର୍କରେ ରାଜ୍ୟରେ କଂଗ୍ରେସକୁ କୌଣସି ଫାଇଦା ମିଳି ନଥିଲା। ବ୍ୟକ୍ତିଗତ ଭାବେ ଅନେକ କଂଗ୍ରେସ ନେତା ଯାହା କିଛି ଉପକୃତ ହୋଇଥିଲେ। ୨୦୧୪ ନିର୍ବାଚନରେ ଜାତୀୟ ସ୍ତରରେ ଉପା ସରକାର ପରାସ୍ତ ହେଲା ଓ ବିଜେପିର ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର ଦାୟିତ୍ୱ ନେବା ପରେ ପୁଣି ଥରେ କଡ଼ ଲେଉଟେଇଥିଲା ବିଜେଡି ରାଜନୀତି। ସେବେଠାରୁ ୨୦୧୯ ନିର୍ବାଚନ ମଧ୍ୟରେ ଉଭୟ କଂଗ୍ରେସ ଓ ବିଜେପିର ବହୁ ନେତାଙ୍କୁ ନବୀନବାବୁ ନିଜ ଦଳରେ ଗ୍ରହଣ କରିବା ସହିତ ରାଜନୀତିକ ଓ ସାମ୍ବିଧାନିକ ପଦପଦବୀରେ ଥଇଥାନ କରିଥିଲେ। ଏହି ସମୟରେ ସାଂପ୍ରଦାୟିକ ରାଜନୀତି ବିରୋଧରେ ସେ ଆଉ କିଛି କହିଲେ ନାହିଁ। ତାଙ୍କ ଦଳର ନେତାମାନେ କେନ୍ଦ୍ର ଅବହେଳା ସ୍ଲୋଗାନ ମଝିରେ ମଝିରେ ଉଠାଇଲେ ମଧ୍ୟ ମୋଦୀ ସରକାରଙ୍କ ଆବଶ୍ୟକତା ଅନୁସାରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜୁ ଜନତା ଦଳ ପରୋକ୍ଷ ସମର୍ଥନ ଯୋଗାଇଦେଲା।
ନିଜେ ନବୀନବାବୁ ମୋଦୀ ସରକାରଙ୍କ ବିମୁଦ୍ରାୟନ, ଜିଏସଟି, ତିନ୍ ତଲାକ୍, ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ୍ ଆଦି ବହୁ କାର୍ଯ୍ୟକ୍ରମ ସପକ୍ଷରେ ମତ ଦେଇଥିଲେ। ତେବେ ୨୦୧୯ ନିର୍ବାଚନର ଅଳ୍ପ କେଇଦିନ ପୂର୍ବରୁ ବିଜେଡି ଓ ବିଜେପି ମୁହାଁମୁହିଁ ଅବସ୍ଥାକୁ ଆସି ଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ସଭାପତି ଅମିତ ଶାହା ନବୀନବାବୁଙ୍କ ନେତୃତ୍ୱ ଓ ତାଙ୍କ ସରକାର ବିରୋଧରେ ଅନେକ ଦିନ ଯାଏଁ ଚୁପ୍ ଥିଲେ। ଶେଷ କେଇ ଦିନର ପ୍ରଚାରରେ ସେମାନେ ନବୀନବାବୁଙ୍କୁ ସିଧାସଳଖ ଆକ୍ରମଣ କରିବା ଫଳରେ ଅଳ୍ପ କିଛି ରାଜନୀତିକ ସଫଳତା ହାସଲ କଲେ। ଦଳର ଲୋକସଭା ସଦସ୍ୟ ସଂଖ୍ୟା ୧ରୁ ୭କୁ ଏବଂ ବିଧାନସଭା ସଦସ୍ୟଙ୍କ ସଂଖ୍ୟା ୬ରୁ ୨୩କୁ ବୃଦ୍ଧି ପାଇଲା।
ମାତ୍ର, ନିର୍ବାଚନ ପରେ ଉଭୟ ଦଳ ମଧ୍ୟରେ ସଂପର୍କ ବଦଳିଗଲା ଓ ମୋଦୀ-୨.୦ ସରକାରଙ୍କ ଅନେକ ନିଷ୍ପତ୍ତିକୁ ବିଜେଡି ଖୋଲାଖୋଲି ସମର୍ଥନ କଲା। ଧାରା ୩୭୦ ଓ ୩୫-ଏ ଉଚ୍ଛେଦ, ସୂଚନା ଅଧିକାର ଆଇନରେ ସଂଶୋଧନ, ନାଗରିକତା ଆଇନରେ ସଂଶୋଧନ ଆଦି ବିଜେପିର ବହୁ ବୁନିୟାଦୀ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଅକୁଣ୍ଠ ସମର୍ଥନ ଯୋଗାଇଛି ବିଜେଡି। ଏପରିକି ବିଜେପିର ଜଣେ ପ୍ରାର୍ଥୀଙ୍କୁ ମଧ୍ୟ ସମର୍ଥନ ଦେଇ ରାଜ୍ୟସଭାକୁ ନିର୍ବାଚିତ କରିବାରେ କୌଣସି କୁଣ୍ଠା ପ୍ରକାଶ କରିନାହାନ୍ତି ନବୀନବାବୁ।
ଏଭଳି ସଂପର୍କ ପରିବର୍ତ୍ତନରେ କେନ୍ଦ୍ରୀୟ ବିଜେପିର କି ଲାଭ ହୋଇଛି ତାହା ମୋଦୀ ଓ ଶାହା ଜାଣିଥିବେ, ମାତ୍ର ରାଜ୍ୟ ସ୍ତରରେ ବିଜେପିର ଭାବମୂର୍ତ୍ତିରେ ଅନେକ କ୍ଷତି ହୋଇଥିବା ଜଳଜଳ ଦିଶୁଛି। ମୋଦୀ ସରକାରଙ୍କୁ ବିଜେଡିର ସମର୍ଥନକୁ ଗଣମାଧ୍ୟମରେ ସମର୍ଥନ କରି ରାଜ୍ୟ ବିଜେପି ନେତାମାନେ ନବୀନବାବୁଙ୍କ ରଣକୌଶଳକୁ ସାର୍ବଜନୀନ ଗ୍ରହଣୀୟତା ଯୋଗାଇ ଦେଇଛନ୍ତି। ଏହା ଫଳରେ ରାଜ୍ୟ ବିଜେପିର ବିରୋଧୀ ଭୂମିକା ଦୁର୍ବଳ ହୋଇଛି। ଖଣି ଓ ଚିଟ୍ ଫଣ୍ଡ ଆଦି ବହୁ ଦୁର୍ନୀତି ମାମଲାରେ ବିଜେଡି ସରକାର ବିରୋଧରେ କେନ୍ଦ୍ରୀୟ କାର୍ଯ୍ୟାନୁଷ୍ଠାନ ଠପ୍ ହେବା ଫଳରେ ଉଭୟ ଦଳ ଏବେ ଏସବୁ ଦୁର୍ନୀତିର ଗୋଟିଏ ପାଖରେ ଅଛନ୍ତି ବୋଲି ଧାରଣା ସୃଷ୍ଟି ହେବା ବିଚିତ୍ର ନୁହେଁ। ଏହି କୋଡ଼ିଏ ବର୍ଷର ରାଜନୀତିକ ଘଟଣାକ୍ରମ ମଧ୍ୟରେ ଯେଉଁ ଅଣକଂଗ୍ରେସ ରାଜନୀତିକ ତତ୍ତ୍ୱଗୁଡ଼ିକ ବିଜେପିକୁ ବିଜେଡିର ବିକଳ୍ପ ଭାବେ ଗ୍ରହଣ କରି ଆସୁଥିଲେ ସେମାନେ ଏବେ ଦେଖୁଛନ୍ତି ଏ ଦୁଇ ଦଳ ଭାଗିଦାରୀ ରାଜନୀତି ଚଳେଇଛନ୍ତି।
ଏଥିରେ କାହାର ଲାଭ କାହାର କ୍ଷତି ତାହା ଏ ଦୁଇ ଦଳର ନେତା ହିସାବ କରୁଥିବେ ବା ଭବିଷ୍ୟତରେ କରିବେ। କିନ୍ତୁ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ରାଜନୀତିରେ ଅବୈଧ ସଂପର୍କ ବୋଲି କିଛି ନାହିଁ। ରାଜନୀତିକ ଦଳଗୁଡ଼ିକର ନୈତିକତା ସଂପର୍କରେ ସେହି ବେଞ୍ଜାମିନ ଦିସ୍ରାଇଲିଙ୍କର ଅନ୍ୟ ଏକ ପ୍ରସିଦ୍ଧ ମନ୍ତବ୍ୟ ହେଉଛି, ‘ନୀତିକୁ ମାର ଗୁଳି! ଦଳ ସହିତ ଯୋଡ଼ି ରୁହ।’ ସେ ଇଂରାଜୀରେ କହିଥିଲେ, ‘ଡ୍ୟାମ୍ନ ୟୋର ପ୍ରିନ୍ସିପ୍ଲ୍ସ! ଷ୍ଟିକ୍ ଟୁ ୟୋର ପାର୍ଟି’।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।