ଦେବେନ୍ଦ୍ର ପୃଷ୍ଟି
୨୦୧୦ ଅଗଷ୍ଟ ୨। ଖବର ବାହାରିଲା ରାଜ୍ୟ ଶିଳ୍ପ ଉନ୍ନୟନ ନିଗମ ବା ଇଡ୍କୋ କଟକ ଡିଭିଜନ ଅଫିସର ୱାଚମ୍ୟାନ ରଜନୀକାନ୍ତ ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହେଲା। ଚଢ଼ାଉ ପରେ ଜଣାଗଲା ଯେ ସେ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଂପତ୍ତିର ମାଲିକ। ଏସବୁ ତାଙ୍କର ଆୟ ବହିର୍ଭୂତ। ସେ ଦରମା ପାଉଥିଲେ ମାସିକ ମାତ୍ର ୩୫୦୦ ଟଙ୍କା। ତାଙ୍କ ସଂପତ୍ତି ମଧ୍ୟରେ ଭୁବନେଶ୍ୱରରେ ୧.୨ କୋଟି ଟଙ୍କା ମୂଲ୍ୟର ୩ଟି ବିଶାଳ ଘର, ପୁରୀରେ ଏକ ବିଳାସପୂର୍ଣ୍ଣ ଗେଷ୍ଟ ହାଉସ, ୩୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୨୧ ଲକ୍ଷ ଟଙ୍କାର ବୀମା, ୩୩ ଲକ୍ଷ ଟଙ୍କାର ନଗଦ ରାଶି ଓ ଏକାଧିକ କାର୍ ରହିଛି।
ସେହି ବର୍ଷ ନଭେମ୍ବର ମାସରେ ଧରା ପଡ଼ିଲେ ୩ ଜଣ ଏମଭିଆଇ ବା ମୋଟର ଭେହିକ୍ଲ୍ ଇନିସପେକ୍ଟର। ସେମାନେ ହେଲେ ମହାଦେବ ପତି, ମନୋଜ ବେହେରା ଓ ପ୍ରମୋଦ ସାହୁ। ଏ ତିନି ଜଣ ଆର୍ଯ୍ୟାନ ଇନ୍ଫ୍ରା ନାମକ ଏକ ରିୟଲ ଇଷ୍ଟେଟ୍ କମ୍ପାନୀ ଗଢ଼ି ସେଥିରେ ୧୦୯ କୋଟି ଟଙ୍କାର ପୁଞ୍ଜି ଖଟେଇଥିଲେ। ରାଜଧାନୀ ଭୁବନେଶ୍ୱରରେ ଏହି ସଂସ୍ଥା ତିନିଟି ବଡ଼ ବଡ଼ ଗୃହ ନିର୍ମାଣ ପ୍ରକଳ୍ପ ନିର୍ମାଣ କରି ଗ୍ରାହକମାନଙ୍କୁ ବିକ୍ରି କରିଥିଲା।
୨୦୧୧ ଜୁଲାଇ ୨୯ ତାରିଖରେ ଧରା ପଡ଼ିଥିଲେ ବୀରମିତ୍ରପୁର ଚେକ୍ ପୋଷ୍ଟର ୱାଚ୍ମ୍ୟାନ ବିଘ୍ନେଶ ସ୍ୱାଇଁ। ସେ ଠିକା ଚାକିରି କରୁଥିଲେ। ସେହି ଚେକ୍ ପୋଷ୍ଟରେ ସେ ୨୩ ବର୍ଷ ମୁକରିର ଥିଲେ। ଦରମା ଥିଲା ମାସିକ ମାତ୍ର ୨୫୦୦ ଟଙ୍କା। ଭିଜିଲାନ୍ସ କର୍ମଚାରୀମାନେ ତାଙ୍କ ଘରେ ଚଢ଼ାଉ କରି ଆଳି, ରାଉରକେଲା ଓ ବୀରମିତ୍ରପୁରରେ ୪ଟି ଘରର ସନ୍ଧାନ ପାଇଥିଲେ। ବ୍ୟାଙ୍କ ଜମା ଓ ଅନ୍ୟାନ୍ୟ ସଂପତ୍ତି ମିଶେଇ ସ୍ୱାଇଁ ୧ କୋଟି ଟଙ୍କାରୁ ଅଧିକ ଆୟ ବହିର୍ଭୂତ ସଂପତ୍ତିର ମାଲିକ ଥିଲେ। ସେହି ଚେକ୍ ପୋଷ୍ଟ ଦେଇ ସେତେବେଳେ ଦୈନିକ ପ୍ରାୟ ୪୦୦ ଖଣିଜ ପଦାର୍ଥ ବୋଝେଇ ଗାଡ଼ି ଯାଉଥିଲା। ସେ କାଳେ ପ୍ରତି ଗାଡ଼ରୁ ହଜାରେ ଟଙ୍କା ଲେଖାଏଁ ଆଦାୟ କରୁଥିଲେ। ସବୁ ଟଙ୍କା ଯେ ସେ ନିଜେ ରଖୁଥିବେ ତାହା ସମ୍ଭବ ନଥିବ। ଉପରକୁ ବି କିଛି ଅଂଶ ଯାଉଥିବ। ଅଥଚ ସେ ଉପରବାଲାଙ୍କ ଉପରେ ସେହି ସମୟରେ କିଛି କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା।
୨୦୧୬ ନଭେମ୍ବର ୮ ତାରିଖରେ ଭଦ୍ରକ ଜିଲ୍ଲା ରାହାଞ୍ଜା ସରପଞ୍ଚ ରବୀନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ତାଙ୍କ ଆୟ ବହିର୍ଭୂତ ସଂପତ୍ତି ମଧ୍ୟରେ ଥିଲା ୪୭.୭୫ ଲକ୍ଷ ମୂଲ୍ୟର ଗୋଟିଏ ଦ୍ୱିତଳ ପ୍ରାସାଦ, ୬୦ ଲକ୍ଷ ଟଙ୍କା ମୂଲ୍ୟର ୨ଟି ଟିପ୍ପର, ୧୨ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ ଟ୍ରକ, ୧୧.୫୦ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ ସ୍କୋର୍ପିଓ ଓ ୨ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା।
୨୦୧୭ ଜୁନ୍ ୬ରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅଙ୍ଗାଳୋ ହାଇସ୍କୁଲର ଜଣେ କିରାଣୀ ପ୍ରସନ୍ନ କୁମାର ରାଉତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ତାଙ୍କର ୧.୩୮ ଲକ୍ଷ ଟଙ୍କା ମୂଲ୍ୟର ଆୟ ବହିର୍ଭୂତ ସଂପତ୍ତି ମଧ୍ୟରେ ଥିଲା ଯାଜପୁର ଟାଉନରେ ଦୁଇଟି ତ୍ରିତଳ ପ୍ରାସାଦ, ୬୩.୫୮ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୩.୫୫ ଲକ୍ଷ ଟଙ୍କାର ବୀମା ଓ ୮୯ ହଜାର ଟଙ୍କାର ନଗଦ ଟଙ୍କା।
୨୦୧୮ ଡିସେମ୍ବର ମାସରେ ରାଜସ୍ୱ ପର୍ଷଦର କିରାଣୀ କୀରଣ କୁମାର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ଭିଜିଲାନ୍ସ ଅଧିକାରୀମାନଙ୍କ ହିସାବ ଅନୁସାରେ ତାଙ୍କ ଆୟ ବହିର୍ଭୂତ ସଂପତ୍ତିର ମୂଲ୍ୟ ଥିଲା ୨.୩୯ କୋଟି ଟଙ୍କା। ସେଥିମଧ୍ୟରେ କଟକରେ ଗୋଟିଏ ୪ ମହଲା କୋଠା, ଦୁଇଟି ୩ ମହଲା କୋଠା, ୭.୯୨ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଓ ୧୩.୯୧ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଅନ୍ତର୍ଭୁକ୍ତ ଥିଲା।
୨୦୧୯ ଜୁଲାଇ ୧୦ ତାରିଖରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଆଙ୍କରଡ଼ା ପଂଚାୟତର ସରପଂଚ ଉଷାନ୍ତ ସାହୁଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ତାଙ୍କ ଆୟ ବହିର୍ଭୂତ ସଂପତ୍ତି ମଧ୍ୟରେ ୫୦୦ ଗ୍ରାମର ସୁନା ଗହଣା, ୧୨ଟି ପ୍ଲଟ, ୨୮ ଲକ୍ଷ ଟଙ୍କାର ଦୁଇଟି କାର୍, ଗୋଟିଏ ମାଉଜର ଆଦି ଥିବା ଭିଜିଲାନ୍ସ ବିଭାଗ ହିସାବ ଦେଇଥିଲା।
୨୦୧୯ ଡିସେମ୍ବର ୨୮ ତାରିଖର ଖବର ହେଲା ମୟୂରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡର ଉଦ୍ୟାନ କୃଷି ସହ ନିର୍ଦ୍ଦେଶକଙ୍କ ଅଫିସରେ ମାଳୀ କାମ କରୁଥିବା ଉଦ୍ଧବ ବେହେରାଙ୍କର କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଆୟ ବହିର୍ଭୂତ ସଂପତ୍ତି ଠାବ କରିଛି ଭିଜିଲାନ୍ସ ବିଭାଗ। ସେସବୁ ସଂପତ୍ତି ମଧ୍ୟରେ ଗୋଟିଏ ତିନି ମହଲା କୋଠା, ୧୨ଟି ଜମି, ତିନିଟି ଦୁଇ ଚକିଆ ଗାଡ଼ି, ଗୋଟିଏ କୁକୁଡ଼ା ଫାର୍ମ, ୧.୫ ଲକ୍ଷ ଟଙ୍କାର ସୁନା ଗହଣା ଏବଂ ବ୍ୟାଙ୍କ ଜମା ଓ ବୀମା ରାଶି ଅନ୍ତର୍ଭୁକ୍ତ।
ଓଡ଼ିଶାରେ ଆୟ ବହିର୍ଭୂତ ସଂପତ୍ତି ଅଭିଯୋଗର ତଦନ୍ତ ନେଇ ସମୁଦାୟ ଏତିକି ଖବର ପ୍ରକାଶ ପାଇନାହିଁ। ଏହା ବାହାରେ ମଧ୍ୟ ଆହୁରି ଶହଶହ ଖବର ରହିଛି। ଯେତିକି ଆୟ ବହିର୍ଭୂତ ସଂପତ୍ତି ଧରା ପଡ଼ିଛି ତାହା ମଧ୍ୟ ସବୁ ଦୁର୍ନୀତି ନୁହେଁ। ଏସବୁ ବାହାରେ ଲୋକ ଲୋଚନ ଆଢ଼ୁଆଳରେ ରହିଯାଇଛି ଆହୁରି ହଜାର ହଜାର କୋଟି ଟଙ୍କାର ଆୟ ବହିର୍ଭୁତ ସଂପତ୍ତି। ଭିଜିଲାନ୍ସ ବିଭାଗ ସବୁ ଦୁର୍ନୀତି ଅଭିଯୋଗର ତଦନ୍ତ କରେ ନାହିଁ। ଅନେକ ଅଭିଯୋଗର ତଦନ୍ତ ପାଇଁ ଭିଜିଲାନ୍ସ ବିଭାଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ଦେଇ ନଥାନ୍ତି। ଫାଇଲ୍ ତୃତୀୟ ମହଲାରେ ପଡ଼ି ପଡ଼ି ଖତ ହୋଇଯାଏ। ଅନେକ ଆୟ ବହିର୍ଭୂତ ସଂପତ୍ତି ସଂପର୍କରେ ବିଲ୍କୁଲ ଅଭିଯୋଗ ହୁଏ ନାହିଁ। ବିଧାୟକ, ମନ୍ତ୍ରୀ ଓ ଜିଲ୍ଲା ଏବଂ ରାଜ୍ୟ ସ୍ତରୀୟ ଅନେକ ବଡ଼ ବାବୁଙ୍କ ଶହଶହ କୋଟି ଟଙ୍କାର ସଂପତ୍ତି ଉପରେ ଏଯାଏଁ ଭିଜିଲାନ୍ସ ବିଭାଗର ନଜର ପଡ଼ିନାହିଁ।
ଉପରେ ଯେଉଁ କେତେ ଜଣଙ୍କ ନାମୋଲ୍ଲେଖ ହୋଇଛି ସେମାନେ ସମସ୍ତେ ଛୋଟ ମାଛ। କିଏ କିରାଣୀ, କିଏ ୱାଚ୍ମ୍ୟାନ, କିଏ ସରପଞ୍ଚ ତ କିଏ ତଳିଆ ଅଫିସର। ଏମାନେ ଏତେ ଟଙ୍କାର ସଂପତ୍ତି ଅର୍ଜନ କଲେ କେମିତି? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଯଦି ବାସ୍ତବରେ ଏକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଯୋଗାଇଥାନ୍ତେ ତେବେ ଏଭଳି ତଳିଆ କର୍ମଚାରୀମାନେ ତାଙ୍କରି ଶାସନ କଳର ଅଂଶୀଦାର ହୋଇ ବିପୁଳ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିପାରିଥାନ୍ତେ କି? ଭିଜିଲାନ୍ସ ବିଭାଗ ଯଦି ସଦା ସଜାକ ଥାଆନ୍ତା ତାହା ହେଲେ ମଧ୍ୟ ସରକାରୀ କର୍ମଚାରୀ ଓ ରାଜନେତାମାନେ ଉତ୍କୋଚ ଓ ଉପହାର ଆଦି ନେବାକୁ ଡରନ୍ତେ। ନେତା ଓ ବାବୁମାନେ ଜାଣିଛନ୍ତି ଭିଜିଲାନ୍ସ ଅଧିକାରୀମାନେ କେବଳ ସେହି ଲୋକମାନଙ୍କ ଉପରେ ଚଢ଼ଉ କରନ୍ତି ଯେଉଁମାନଙ୍କର ଶାସନ କଳ ଓ ଶାସକ ଦଳ ସହିତ ନିଘନ ସଂପର୍କ ନାହିଁ। ତେଣୁ ଦୁର୍ନୀତି କରୁଥିବା ଅଧିକାଂଶ ନେତା ଓ ବାବୁ, ତଳ ସ୍ତରରୁ ଆରମ୍ଭ କରି ଉପର ସ୍ତର ଯାଏଁ, ଶାସକ ଦଳର ନେତା ଓ ଶାସନ କଳର ବଡ଼ ବଡ଼ ବାବୁମାନଙ୍କୁ କୌଣସି ନା କୌଣସି ଉପାୟରେ ଖୁସି କରି ରଖିଥାନ୍ତି। ତଳ ସ୍ତରର କର୍ମଚାରୀ ବା ନେତା କୋଟିଏ ଖାଇଲେ ଉପର ସ୍ତରକୁ ଲକ୍ଷେରୁ ଆରମ୍ଭ କରି ଦଶ ଲକ୍ଷ ପର୍ଯ୍ୟନ୍ତ ଯାଏ। ଉପର ସ୍ତରର ସହଯୋଗ ଓ ସଂପୃକ୍ତି ନଥିଲେ ପିଅନ, ଚପରାସୀ, ୱାଚମ୍ୟାନ, କିରାଣୀ, ସରପଞ୍ଚ, ଏମଭିଆଇ ପ୍ରମୁଖ ବ୍ୟାପକ ଦୁର୍ନୀତି ଜରିଆରେ ଏଭଳି ବିପୁଳ ସଂପତ୍ତିର ମାଲିକ ହୋଇପାରନ୍ତେ ନାହିଁ।
ନବୀନ ପଟ୍ଟନାୟକଙ୍କ ୨୦ ବର୍ଷର ଶାସନ ଭିତରେ ରାଜ୍ୟର ସଂଖ୍ୟାଧିକ ସରପଞ୍ଚ କୋଟିପତି, ସଂଖ୍ୟାଧିକ ବିଧାୟକ କୋଟିପତି, ସଂଖ୍ୟାଧିକ ଅଫିସର କୋଟିପତି, ସଂଖ୍ୟାଧିକ ପୁଲିସ ମଧ୍ୟ କୋଟିପତି। ଏହି ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ସବୁ ବର୍ଗରେ କୋଟିପତିଙ୍କ ସଂଖ୍ୟା ଏହିଭଳି ଭାବରେ ବଢ଼ିଛି। ଏହି ସମସ୍ତ କୋଟିପତି ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି କି ନାହିଁ, କରିଥିଲେ ବି କେତେ କେତେ ଟଙ୍କାର ଆୟକର ପଇଠ କରିଛନ୍ତି, ଆୟର ସୂତ୍ର କ’ଣ ଦର୍ଶାଇଛନ୍ତି, ତାହା ଅନୁସନ୍ଧାନ ସାପେକ୍ଷ। ଭିଜିଲାନ୍ସ ବିଭାଗର ଚଢ଼ାଉ ପରେ ଅଧିକ ଖୋଳତାଡ଼ ହେଉ ନଥିବାରୁ ଏଭଳି ଅନେକ ମାମଲାରୁ ଅଭିଯୁକ୍ତମାନେ ଖଲାସ ହୋଇଯାଆନ୍ତି। ଖୁବ କ୍ୱଚିତ ମାମଲାରେ କେହି କେହି ଦୁର୍ନୀତିଖୋର୍ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୁଅନ୍ତି। ଗଣମାଧ୍ୟମରୁ ସେ ସଂପର୍କୀତ ସୂଚନା ପାଇଁ ଲୋକେ ଭାବନ୍ତି ଏତିକି ଲୋକ ଦୁର୍ନୀତିଗ୍ରସ୍ତ, ବାକି ସମସ୍ତେ ସାଧୁତାର ମୂର୍ତ୍ତିମନ୍ତ ଅବତାର, ଠିକ ଯେମିତି ମୁଖ୍ୟମନ୍ତ୍ରୀ! ମୁଖ୍ୟମନ୍ତ୍ରୀଙ୍କର ନିର୍ମଳ ଭାବମୂର୍ତ୍ତି ରହିଛି ସତ, ମାତ୍ର ସତରେ ଯଦି ସେ ସାଧୁ ସଚ୍ଚୋଟ ହୋଇଥାନ୍ତେ ତେବେ ତାଙ୍କ ଦଳ ନିର୍ବାଚନ ସମୟରେ ଶହଶହ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପାଇଥାନ୍ତା କେଉଁଠୁ? ପୌର ଓ ପଂଚାୟତ ନିର୍ବାଚନ ପ୍ରଚାରରେ ଖର୍ଚ୍ଚ ହେଉଥିବା ଟଙ୍କା ଆସୁଛି କେଉଁଠୁ? ଦେଉଛି କିଏ? କି ପ୍ରତିଦାନରେ? ସାଧାରଣ ନିର୍ବାଚନରେ ବି ଦଳ ଯେଉଁ ଟଙ୍କା ଖର୍ଚ୍ଚ କରୁଛି ବୋଲି ନିର୍ବାଚନ କମିଶନଙ୍କୁ ଦର୍ଶାଯାଉଛି ତାହା କ’ଣ ଗାଏ ମୋଟ୍ ସବୁ ଖର୍ଚ୍ଚ? ତା’ ବାହାରେ ଆଉ କିଛି ଖର୍ଚ୍ଚ ହେଉନାହିଁ? ମଦପାଣି ଓ ଭୋଜିଭାତ ଖର୍ଚ୍ଚ କଥା ନିର୍ବାଚନ କମିଶନଙ୍କୁ ଜଣାଯାଏ କି? ଯଦି ନୁହେଁ, ତେବେ ଏସବୁ ଦୁର୍ନୀତିର ମୁଖ୍ୟ ହିତାଧିକାରୀ କିଏ? ମୁଖ୍ୟମନ୍ତ୍ରୀ ନା ଅନ୍ୟ କେହି?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।