ମଣିଷ ଯଦି ଓଟ ହୋଇଥାନ୍ତା !

ଦେବେନ୍ଦ୍ର ପୃଷ୍ଟି

ଓଟ ଅଷ୍ଟ୍ରେଲିଆର ଦେଶୀ ପଶୁ ନୁହନ୍ତି। ଏ ପଶୁ ଅଷ୍ଟ୍ରେଲିଆରେ ମୂଳରୁ ନଥିଲେ। କିନ୍ତୁ ସେହି ଦେଶର ଜନଶୂନ୍ୟ ଦୁର୍ଗମ ଆଭ୍ୟନ୍ତରୀଣ ଅଞ୍ଚଳର ସନ୍ଧାନ କରିବାକୁ ୧୮୪୦ ମସିହାରେ ଭାରତରୁ କେତେକ ଓଟଙ୍କୁ ଆମଦାନୀ କରାଗଲା। ପରବର୍ତ୍ତୀ ଛଅ ଦଶନ୍ଧି ମଧ୍ୟରେ ଭାରତରୁ ପ୍ରାୟ ୨୦ ହଜାର ଓଟଙ୍କୁ ଅଷ୍ଟ୍ରେଲିଆ ଅଣାଯାଇଥିଲା। ଏବେ ଅଷ୍ଟ୍ରେଲିଆରେ ଓଟଙ୍କ ସଂଖ୍ୟା ପ୍ରାୟ ୧୦ ଲକ୍ଷ ହୋଇଗଲାଣି। ଅଷ୍ଟ୍ରେଲିଆ ସରକାର ଏବେ ସେମାନଙ୍କୁ ଅଷ୍ଟ୍ରେଲୀୟଙ୍କ ଶତ୍ରୁ ଭାବେ ବିବେଚନା କରୁଛନ୍ତି। ସେମାନଙ୍କ ଯୋଗୁଁ କାଳେ ସେ ଦେଶରେ ଜଳ ପ୍ରଦୂଷଣ ବଢ଼ୁଛି। ଜଳ ପରିମାଣ ମଧ୍ୟ କମୁଛି। ଓଟମାନେ ଖାଦ୍ୟ ସନ୍ଧାନରେ ବଣଜଙ୍ଗଲ ଛାଡ଼ି କୃଷିକ୍ଷେତ୍ର ଓ ଗ୍ରାମାଞ୍ଚଳକୁ ପଳାଇ ଆସୁଛନ୍ତି। ସେମାନେ ଯାହା ଖାଉଛନ୍ତି ତ ଖାଉଛନ୍ତି, ବହୁ ପରିମାଣର କ୍ଷେତ ନଷ୍ଟ କରୁଛନ୍ତି। ଭାରତରେ ଯେମିତି ଏବେ ହାତୀ ସମସ୍ୟା, ଠିକ ସେହିପରି। ହାତୀମାନେ ଜଙ୍ଗଲରେ ଖାଦ୍ୟ ସଂକଟର ସମ୍ମୁଖୀନ ହୋଇ ଜନବସତି ଅଞ୍ଚଳକୁ ପଳାଇ ଆସୁଛନ୍ତି, ଯେତିକି ଫସଲ ଖାଉଛନ୍ତି ତା’ଠାରୁ ଅଧିକ କ୍ଷେତ ନଷ୍ଟ କରୁଛନ୍ତି।

ଅଷ୍ଟ୍ରେଲିଆର ଅନେକ ଅଞ୍ଚଳରେ ଏବେ ମରୁଡ଼ି। ତା’ ସାଙ୍ଗକୁ ଦେଶର ଦକ୍ଷିଣପୂର୍ବ ଭାଗରେ ଭୟଙ୍କର ବନାଗ୍ନି। ଏହି ବନାଗ୍ନିରେ ଏଯାଏଁ ପ୍ରାୟ ୧୮ ନିୟୁତ ଏକରର ଗୁଳ୍ମ ଜଙ୍ଗଲ ଜଳିପୋଡ଼ି ପାଉଁଶ ହୋଇଗଲାଣି। ସେହି ନିଆଁରେ ଜଳିଗଲେଣି ପ୍ରାୟ ୫୦ କୋଟି ବନ୍ୟଜନ୍ତୁ। ସେହି ଅଞ୍ଚଳରେ ଜଳାଭାବ ରହିଥିବାରୁ ବନାଗ୍ନି ନିୟନ୍ତ୍ରଣ କରିବାରେ ଆଂଶିକ ଭାବେ ବିଫଳ ହୋଇଛନ୍ତି ଅଷ୍ଟ୍ରେଲିଆ ସରକାର। ଏବେ ବଂଚି ଯାଇଥିବା ପଶୁଙ୍କ ପାଇଁ ଜଳ ଓ ଖାଦ୍ୟ ଚିନ୍ତା। ଜଙ୍ଗଲ ପୋଡ଼ି ଯାଇଥିବାରୁ ବନ୍ୟଜନ୍ତୁଙ୍କ ପାଇଁ ଖାଦ୍ୟ ସଂକଟ ସୃଷ୍ଟି ହୋଇଛି। ତାହାର ମୁକାବିଲା କରିବାକୁ ସରକାର ହେଲିକପ୍ଟରରୁ ଶହଶହ ଟନ ଗାଜର ଆଦି ପରିବା ଓ ଫଳ ଦଗ୍ଧ ବନାଞ୍ଚଳରେ ପକାଉଛନ୍ତି। ଜଳ ସିଞ୍ଚନ ବି ଚାଲିଛି। ଏଭଳି ଏକ ସମୟରେ ଅଷ୍ଟ୍ରେଲିଆ ସରକାର ଚିନ୍ତା କଲେ ଯେ ସ୍ଥାନୀୟ ପଶୁପକ୍ଷୀଙ୍କ ଜୀବନ ତୁଳନାରେ ବିଦେଶାଗତ ଓଟଙ୍କ ଜୀବନ ଏତେ ମୂଲ୍ୟବାନ ନୁହେଁ। ସେମାନେ ହାତୀ ପରି ବଡ଼ ଜନ୍ତୁ ହୋଇଥିବାରୁ ସେମାନଙ୍କର ଖାଦ୍ୟ ଓ ଜଳ ଆବଶ୍ୟକତା ଅଧିକ। ତା’ଛଡ଼ା ସେମାନଙ୍କ ଯୋଗୁଁ ଜଳସୂତ୍ରଗୁଡ଼ିକ ପ୍ରଦୂଷିତ ହେଉଛି ଓ କ୍ଷେତ ଉଜୁଡ଼ି ଯାଉଛି। ଖାଦ୍ୟ ଓ ଜଳାଭାବ ସହିତ ବିଶ୍ୱ ତାପନ ସମସ୍ୟା ଯୋଗୁଁ ବନାଞ୍ଚଳରେ ଅଧିକ ଗରମ ଅନୁଭୂତ ହେବାରୁ ଓଟମାନେ ଜଙ୍ଗଲ ଛାଡ଼ି ଜନବସତି ଓ କୃଷିକ୍ଷେତ ଆଡ଼କୁ ମାଡ଼ି ଆସୁଛନ୍ତି। ସେମାନଙ୍କ ଯୋଗୁଁ ସ୍ଥାନୀୟ ସବୁଜ ସମ୍ଭାର ନଷ୍ଟ ହେଉଛି। ଅନେକ ରାସ୍ତାରେ ଗାଡ଼ି ଚଳେଇବା ମଧ୍ୟ କଷ୍ଟକର ହୋଇଯାଇଛି। ତେଣୁ ସେମାନଙ୍କୁ ହତ୍ୟା କରିବାକୁ ସରକାର ନିଷ୍ପତ୍ତି ନେଲେ ଓ ସେହି ନିଷ୍ପତ୍ତି ଅନୁସାରେ ୨୦୨୦ ଜାନୁଆରୀ ମାସର ପ୍ରଥମ ପକ୍ଷର ଦ୍ୱିତୀୟ ସପ୍ତାହ ମଧ୍ୟରେ ଅନ୍ୟୁନ ୫ ହଜାର ଓଟଙ୍କୁ ହତ୍ୟା କରାଗଲା। ଦେଶରେ ଆହୁରି ୫ ହଜାର ଓଟଙ୍କୁ ହତ୍ୟା କରିବାର ଯୋଜନା ରହିଛି। କେଜାଣି, ସ୍ଥାନୀୟ ମଣିଷ ଓ ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ ସଂକଟ ଅଧିକ ଗମ୍ଭୀର ହେଲେ ଅଧିକ ଓଟଙ୍କୁ ବି ହତ୍ୟା କରାଯାଇପାରେ। ଓଟଙ୍କୁ ମାରି ମଣିଷ ଓ ସ୍ଥାନୀୟ ପଶୁଙ୍କୁ ବଞ୍ଚାଇବା ଦିଗରେ ଏହି ଚିନ୍ତା କରିଛନ୍ତି ଅଷ୍ଟ୍ରେଲିଆ ସରକାର।

କିନ୍ତୁ, ଏହା କ’ଣ ପ୍ରକୃତିର ନ୍ୟାୟ? ନା ମଣିଷର? ଅଷ୍ଟ୍ରେଲିଆର ମୂଳନିବାସୀ ଆଦିବାସୀମାନେ ଏବେ କହୁଛନ୍ତି ଯେ ମଝିରେ ମଝିରେ ଜଙ୍ଗଲ ପୋଡ଼ିଲେ ଭଲ। ଭାରତର ଅନେକ ଆଦିବାସୀ ବି ସେଇ ବିଶ୍ୱାସ କରନ୍ତି। ଭାରତର ଆଦିବାସୀମାନେ ମୁଖ୍ୟତଃ ପୋଡ଼ି ଚାଷ କରିବା ପାଇଁ ଜଙ୍ଗଲ ପୋଡ଼ିଥାନ୍ତି। କାରଣ ଆଦିବାସୀମାନେ ରାଜସ୍ୱ ଆଇନ ସଂପର୍କରେ ଅଜ୍ଞ ହୋଇଥିବାରୁ ସେମାନଙ୍କ ନାମରେ ଜମି ମାଲିକାନା ପ୍ରାୟ ନଥାଏ। ଜଙ୍ଗଲରେ ଯାଯାବର ଜୀବନ ବିତାଉଥିବା ଆଦିବାସୀମାନେ ଜଙ୍ଗଲ ପୋଡ଼ି ଚାଷ ପାଇଁ ଜମି ଆବାଦ କରନ୍ତି। ସେମାନେ ଯେହେତୁ ନିୟମିତ ଚାଷ କରନ୍ତି ନାହିଁ ଓ ଉନ୍ନତ ଜ୍ଞାନ କୌଶଳ ବ୍ୟବହାର ସଂପର୍କରେ ଅଜଣା ତେଣୁ ପ୍ରକୃତିର ନିୟମ ଅନୁସାରେ ଆବାଦ ଜମିରେ ପୁଣି ଥରେ ଜଙ୍ଗଲ ସୃଷ୍ଟି ହୁଏ। ତେଣୁ ସେଇ ଜମିକୁ ପୁଣି ଥରେ ପୋଡ଼ି ଜମି ଆବାଦ କରିବାକୁ ହୁଏ। ଅଷ୍ଟ୍ରେଲିଆର ଆଦିବାସୀମାନେ ମଧ୍ୟ ଊଣାଅଧିକେ ସେଇଆ କରନ୍ତି। ଜଙ୍ଗଲର ଅଦରକାରୀ ଗୁଳ୍ମଲତା ହଟେଇବାକୁ, ଜମି ଆବାଦ କରିବାକୁ ଓ ଆଦିବାସୀଙ୍କ ପାଇଁ ବନ୍ୟ ପ୍ରକୃତିର ଭାରସାମ୍ୟ ରକ୍ଷା କରିବାକୁ ଜଙ୍ଗଲ ପୋଡ଼ିଥାନ୍ତି। ଏଇପରି କେହି ଜଙ୍ଗଲ ପୋଡ଼ିବାକୁ ଯାଇ ବନାଗ୍ନି ସୃଷ୍ଟି କରିଛି ଓ ଯାହା ପରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ପୁଣି ଏକ ତଥ୍ୟ ଅନୁସାରେ ବର୍ତ୍ତମାନର ପାଗ ପରିବର୍ତ୍ତନ ଓ ବିଶ୍ୱ ତାପନ ସମସ୍ୟା ସଂପର୍କରେ ଅଷ୍ଟ୍ରେଲିଆ ସମେତ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାକୁ କିଛି ପରିବେଶ-କର୍ମୀ କାଳେ ଏଭଳି ଜଘନ୍ୟ କାମ କରିଛନ୍ତି। ଏଇ ସନ୍ଦେହରେ ଅଷ୍ଟ୍ରେଲିଆ ସରକାର କେତେ ଜଣ ପରିବେଶ-କର୍ମୀଙ୍କୁ ଗିରଫ ବି କରିଛନ୍ତି।

ସ୍ଥାନୀୟ ମଣିଷ ଓ ପଶୁପକ୍ଷୀଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ଯାଇ ଅଷ୍ଟ୍ରେଲିଆ ସରକାର ଏଭଳି ଭାବରେ ଓଟ-ସଂହାର କରିଛନ୍ତି। କିନ୍ତୁ ଥରେ ଭାବିଲେ, ଯଦି ମଣିଷମାନେ ଓଟ ଓ ଓଟମାନେ ମଣିଷ ହୋଇଥାନ୍ତେ ଓ ଓଟମାନଙ୍କର ଏକ ସରକାର ଥାଆନ୍ତା! ମଣିଷର ଅତ୍ୟାଚାରରୁ ମୁକ୍ତି ପାଇଁ ଓଟମାନେ ନିଶ୍ଚୟ ସେମାନଙ୍କ ସରକାର ଉପରେ ଚାପ ସୃଷ୍ଟି କରିଥାନ୍ତେ ଓ ପ୍ରଜାରଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଓଟ-ସରକାର ନିଶ୍ଚୟ ମଣିଷ-ସଂହାର କରିବା ପାଇଁ ଆଦେଶ ଦେଇଥାନ୍ତେ! ଭାଗ୍ୟ ଭଲ କଥାଟା ସେପରି ହୋଇନି। କିନ୍ତୁ, ବିଚାର କରିବାର କଥା ଯେ ଓଟ-ସଂହାର କରି କ’ଣ ଅଷ୍ଟ୍ରେଲିଆ ସରକାର ବିଶ୍ୱ ତାପନ ଓ ପାଗ ପରିବର୍ତ୍ତନ ସମସ୍ୟାର ମୁକାବିଲା କରିପାରିବେ? ଜଙ୍ଗଲ ଭିତରେ ବି ଗରମ ହେଉଛି କାହିଁକି? ଜଙ୍ଗଲ ଭିତରେ ବି ଜଙ୍ଗଲୀ ପଶୁଙ୍କ ପାଇଁ ଜଳ ଓ ଖାଦ୍ୟ ସଂକଟ ଦେଖାଦେଉଛି କାହିଁକି? ପ୍ରକୃତିର ଭାରସାମ୍ୟ ନଷ୍ଟ କରିଛି କିଏ? କିଏ ପୃଥିବୀ ଉପରେ ବୋଝ ହୋଇଯାଇଛି? ଏସବୁ ପ୍ରଶ୍ନର ଉତ୍ତର ହେଉଛି ମଣିଷ। ମଣିଷ ହିଁ ପୃଥିବୀର ସବୁଠୁ ବଡ଼ ସମସ୍ୟା। ମଣିଷର ଲୋଭ-ଭିତ୍ତିକ ଓ ସ୍ୱାର୍ଥ-କୈନ୍ଦ୍ରିକ ଜୀବନଶୈଳୀ, ପ୍ରଯୁକ୍ତି-ଭିତ୍ତିକ ବିକାଶଧାରା ଏବଂ କ୍ଷମତା-କୈନ୍ଦ୍ରିକ ସାମ୍ରାଜ୍ୟବାଦ ଯୋଗୁଁ ପ୍ରାକୃତିକ ଭାରସାମ୍ୟ ଦିନକୁ ଦିନ ବିଗିଡ଼ି ଯାଉଛି। ଏ ସମସ୍ୟା ଏବେ ଚରମରେ। ମଣିଷ ଯୋଗୁଁ ବନାଞ୍ଚଳ ଲୋପ ପାଉଛି। ମଣିଷ ଯୋଗୁଁ ମାଣି, ପାଣି ଓ ପବନ ସବୁ କିଛି ପ୍ରଦୂଷିତ। ଏକଥା ସେଇ ମଣିଷଙ୍କ ଭିତରେ ଥିବା ଅନେକ ବୈଜ୍ଞାନିକ ଓ ଦାର୍ଶନିକ ପ୍ରଚାର କରୁଛନ୍ତି। ସେମାନଙ୍କ ମତରେ ମଣିଷ ଯଦି ଜୀବନଶୈଳୀରେ ପରିବର୍ତ୍ତନ ନକରେ, ଶିଳ୍ପ ଓ ସହର ବିକାଶ ଉପରେ ନିୟନ୍ତ୍ରଣ ଜାରି ନକରେ, ତେବେ ବିଶ୍ୱ ତାପନ ଓ ପାଗ ପରିବର୍ତ୍ତନ ସମସ୍ୟା ଅଧିକ ଗମ୍ଭୀର ହେବ। ସେଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହେବ ଏଇ ମଣିଷ ଜାତି।

ବିବର୍ତ୍ତନ ବାଦ ଅନୁସାରେ ଏ ପୃଥିବୀରେ ପ୍ରଥମେ ମଣିଷ ସୃଷ୍ଟି ହୋଇନଥିଲା। ମାଟି, ପାଣି, ପବନ ଓ ନିଆଁ ମଧ୍ୟରେ ଲକ୍ଷଲକ୍ଷ ବର୍ଷ ସଂଘାତ ଘଟିବା ପରେ ଜଳରେ ପ୍ରଥମେ ସୃଷ୍ଟି ହୋଇଥିଲେ ଏକକୋଷୀ ଆମିବା ବା ଶୈବାଳ। ତା’ପରେ ପରେ ଆଉ ସବୁ। ପ୍ରଥମେ ଉଦ୍ଭିଦ ଓ ପରେ ପ୍ରାଣୀ। ପ୍ରଥମେ ଜଳଚର, ତା’ପରେ ସ୍ଥଳଚର। ସ୍ଥଳଚରଙ୍କ ମଧ୍ୟରେ ସବା ଶେଷରେ ବୋଧହୁଏ ମଣିଷ। ଯୋଗୀ ଅରବିନ୍ଦଙ୍କ କଳ୍ପନାରେ ମଣିଷ ବି ଶେଷ ନୁହେଁ, ପରମ-ଚେତନା ସହିତ ଜନ୍ମ ନେଇପାରନ୍ତି ମାନବୋତ୍ତର ଅନ୍ୟ କେଉଁ ପ୍ରଜାତି। ତେବେ, ଆଜି ଯଦି ଅଷ୍ଟ୍ରେଲିଆରେ ଓଟମାନେ ଦେଶୀ ବା ସ୍ଥାନୀୟ ନୁହନ୍ତି, ତେବେ ପୃଥିବୀରେ ମଣିଷମାନେ କ’ଣ? ଆଫ୍ରିକାର ପ୍ରଥମ ମଣିଷ ୟୁରୋପ ଓ ଏସିଆ ଗଲା ପରେ ସ୍ୱଦେଶୀ ନା ବିଦେଶୀ? ପୁଣି ଏସିଆ ଓ ୟୁରୋପର ଲୋକମାନେ ସାରା ପୃଥିବୀରେ ବିଛେଇ ହୋଇଯିବା ପରେ କିଏ କେଉଁଠି ବିଦେଶୀ, କିଏ କେଉଁଠି ସ୍ୱଦେଶୀ? କାହାର ବଂଚିବାର ଅଧିକାର କେଉଁଠି ଅଧିକ ଗୁରୁତ୍ୱପୂର୍ଣ୍ଣ? ଓଟ ଯଦି ମଣିଷର ଶତ୍ରୁ, ତେବେ ମଣିଷ କ’ଣ ଓଟର ଶତ୍ରୁ ନୁହେଁ? ଭଗବାନ ବା ପ୍ରକୃତିର ସୃଷ୍ଟିରେ କିଏ କାହା ପାଇଁ ଅଦରକାରୀ? ଜରୁରୀ ନୁହେଁ କି ପୂର୍ଣ୍ଣ ପ୍ରକୃତିର ସୁରକ୍ଷା ବା ରକ୍ଷଣାବେକ୍ଷଣ ପାଇଁ ମଣିଷର କିଛି ସ୍ୱାର୍ଥତ୍ୟାଗ? ସଭ୍ୟ ମଣିଷ ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ଜରୁରୀ ନୁହେଁ କି? ଉତ୍ତର ନଖୋଜିଲେ ଓ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ତଥା ତ୍ୱରିତ ଉଦ୍ୟମ ଆରମ୍ଭ ନକଲେ ଦିନେ ମଣିଷ ବି ମଣିଷ ପାଇଁ ଅଦରକାରୀ ହୋଇଯାଇ ପାରେ। ସେତେବେଳେ ହୁଏତ ସହରୀ ମଣିଷ ପାଇଁ ଆଦିବାସୀଙ୍କ ସଂହାର ହେବ, ଧନୀ ଲୋକଙ୍କ ପାଇଁ ଗରୀବଙ୍କ ବଳି ପଡ଼ିବ। ଅବଶ୍ୟ ଆଜି ବି ପୃଥିବୀର ବହୁ ଦେଶରେ କେବଳ ଏଇଆ ଚାଲିଛି- ପଶୁ ଜଗତର ସର୍ଭାଇଭାଲ୍‌ ଅଫ୍‌ ଫିଟେଷ୍ଟ ବା ମାଇଟ୍‌ ଇଜ୍‌ ରାଇଟ୍‌ ହିଁ ଏବେ ମଣିଷର ନୀତି ହୋଇଯାଇଛି। ଏହାଠାରୁ ବଡ଼ ବିଡ଼ମ୍ବନା ଆଉ କ’ଣ?