ସରଳ କୁମାର ଦାସ
ଶିଶୁଟିଏ ଜନ୍ମ ହେବା ମାତ୍ରେ ତା ଭାଷାରେ କଣ ସବୁ କହି ଚାଲିଥାଏ, ହେଲେ ଆମେ ତା ଭାଷା ବୁଝି ପାରି ନଥାଉ। ଜନ୍ମ ହେବାର କିଛି ଦିନ ପର୍ଯ୍ୟନ୍ତ ସାରା ବିଶ୍ଵରେ ସବୁ ଶିଶୁଙ୍କ ଭାଷା ଏକା ପରି। ସେ ତା ମାଆ କହୁଥିବା ଭାଷା ଓ ଆଖପାଖରୁ ଶୁଣୁଥିବା ଭାଷାକୁ ଶିଖି କହିବା ଆରମ୍ଭ କରେ ଓ କ୍ରମଶଃ ସେହି ଭାଷା ତା’ର ମାତୃଭାଷା ପାଲଟି ଯାଏ।
ସାରା ବିଶ୍ଵରେ ପ୍ରାୟ ୬୫୦୦ରୁ ଊର୍ଦ୍ଧ୍ଵ କଥିତ ଭାଷା ରହିଛି। ଚୀନ ଦେଶର ମାଣ୍ଡାରିନ ଭାଷା ସବୁଠାରୁ ଅଧିକ ଲୋକଙ୍କ ଭାଷା ହୋଇଥିବା ବେଳେ ସ୍ପେନୀୟ, ଇଂରାଜୀ ପରେ ହିନ୍ଦୀ ଚତୁର୍ଥ ସ୍ଥାନରେ ରହିଛି। ସଂଖ୍ୟା ଦୃଷ୍ଟିରୁ ସାରା ବିଶ୍ଵରେ ଓଡିଆ ଭାଷୀ ୩୭ଶ ସ୍ଥାନରେ ଅଛନ୍ତି। ପପୁଆ ନିଉ ଗିନି ନାମକ ଦେଶରେ ବିଶ୍ଵର ସର୍ବାଧିକ ସଂଖ୍ୟକ ଭାଷା ପ୍ରଚଳିତ। ତା’ ପଛକୁ ପ୍ରାୟ ୭୮୦ଟି ଭାଷାର ସମ୍ଭାର ସହ ଭାରତର ସ୍ଥାନ ଦ୍ଵିତୀୟ। ଜାତିସଂଘରେ ହେଉଥିବା ସବୁ ପ୍ରକାର ଲେଖାପଢ଼ା ଆରବୀ, ଇଂରାଜୀ, ଫ୍ରେଞ୍ଚ, ସ୍ପେନୀୟ, ରୁଷୀୟ (ରସିଆନ) ଓ ଚାଇନିଜ (ମାଣ୍ଡାରିନ) ଭଳି ଛଅଟି ଆଧିକାରିକ ଭାଷାରେ କରାଯାଇଥାଏ।
ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ପାଇଥିବା ୨୨ଟି ଭାଷାକୁ ତଫସିଲଭୁକ୍ତ ଭାଷାର ମାନ୍ୟତା ମିଳିଛି। ସମ୍ଵିଧାନ ପ୍ରଣୟନ ହେଲା ବେଳେ ୧୪ଟି ଭାଷାକୁ ତଫସିଲଭୁକ୍ତ ଭାଷାର ମାନ୍ୟତା ମିଳିଥିଲା। ଇଂରାଜୀ ଏକ ବିଦେଶୀ ଭାଷା ହୋଇଥିବାରୁ ଏହାକୁ ତଫସିଲଭୁକ୍ତ ଭାଷା ରୂପେ ଗ୍ରହଣ କରା ଯାଇନାହିଁ। ଗୋଟିଏ ଭାଷା ତଫସିଲଭୁକ୍ତ ଭାଷାର ମାନ୍ୟତା ପାଇଲେ ଭାରତ ସରକାର ତାହାର ବିକାଶ ପାଇଁ ଗୁରୁତ୍ଵ ଦେଇ ସ୍ଵତନ୍ତ୍ର ପଦକ୍ଷେପ ନେଇଥାନ୍ତି। ତା’ଛଡା ଲୋକସେବା ଦ୍ଵାରା ନିଯୁକ୍ତି ପାଇଁ ଆୟୋଜିତ ବିଭିନ୍ନ ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀକୁ ଏହି ଭାଷାଗୁଡିକ ମଧ୍ୟରୁ ଯେ କୌଣସିଟିରେ ଉତ୍ତର ଦେବାକୁ ସୁଯୋଗ ମିଳିଥାଏ। ତଫସିଲଭୁକ୍ତ ଭାଷାଗୁଡିକ ହେଲା ହିନ୍ଦୀ, ବଙ୍ଗଳା, ମରାଠୀ, ତେଲୁଗୁ, ତାମିଲ, ଗୁଜରାଟୀ, ଉର୍ଦ୍ଦୁ, କନ୍ନଡ, ଓଡିଆ, ମାଲାୟାଲମ, ପଞ୍ଜାବୀ, ଅସମୀୟା, ମୈଥିଳୀ, ସାନ୍ତାଳୀ, କାଶ୍ମୀରୀ, ନେପାଳୀ, ସିନ୍ଧୀ, ଡୋଗ୍ରୀ, କୋଙ୍କଣୀ, ମଣିପୁରୀ, ବୋଡୋ ଓ ସଂସ୍କୃତ। ସମୁଦାୟ ଜନସଂଖ୍ୟାର ପ୍ରାୟ ଶତକଡା ୯୭ ଭାଗ ଲୋକ ଏହି ଭାଷାଗୁଡିକୁ ନିଜର ମାତୃଭାଷା ବୋଲି ଗ୍ରହଣ କରିଛନ୍ତି। ଏଗୁଡିକ ମଧ୍ୟରେ ସର୍ବାଧିକ ପ୍ରାୟ ଶତକଡା ୪୪ ଭାଗ ଲୋକ ହିନ୍ଦୀକୁ ନିଜର ମାତୃଭାଷା ଦର୍ଶାଇଥିଲା ବେଳେ ମାତ୍ର ପ୍ରାୟ ପଚିଶ ହଜାର ଲୋକ ସଂସ୍କୃତରେ କଥାବାର୍ତ୍ତା ହୋଇଥାନ୍ତି। ଦେଶରେ ଓଡିଆକୁ ନିଜ ମାତୃଭାଷା ବୋଲି ଉଲ୍ଲେଖ କରିଥିବା ଲୋକ ପ୍ରାୟ ତିନି ପ୍ରତିଶତ ଓ ସଂଖ୍ୟା ଦୃଷ୍ଟିରୁ ସବୁ ଭାଷା ମଧ୍ୟରେ ଏହାର ସ୍ଥାନ ନବମ।
ଏହି ଭାଷାଗୁଡିକ ମଧ୍ୟରୁ ଉର୍ଦ୍ଦୁ ପଡୋଶୀ ଦେଶ ପାକିସ୍ତାନର ରାଷ୍ଟ୍ର ଭାଷା ହୋଇଥବା ବେଳେ ବଙ୍ଗଳା ଭାଷା ବଙ୍ଗଳାଦେଶର ଓ ନେପାଳୀ ଭାଷା ନେପାଳର ରାଷ୍ଟ୍ରଭାଷା ଭାବେ ସ୍ଵୀକୃତ। ସିଙ୍ଗାପୁରରେ ତାମିଲ ଓ ଫିଜିରେ ଫିଜି ହିନ୍ଦୀ ସେଠାକାର ଅନ୍ୟତମ ଆଧିକାରିକ ଭାଷା ରୂପେ ପ୍ରଚଳିତ। ହିନ୍ଦୀ, ମରାଠୀ, ନେପାଳୀ, ମୈଥିଳୀ, କୋଙ୍କଣୀ, ସିନ୍ଧୀ, କାଶ୍ମୀରୀ, ଡୋଗ୍ରୀ, ବୋଡୋ ଓ ସଂସ୍କୃତ ଭାଷା ଦେବନାଗରୀ ଲିପିରେ ଲେଖା ଯାଇଥାଏ। ବଙ୍ଗଳା ଓ ଅସମୀୟା ଭାଷାର ଲିପିରେ ଅନେକ ସମାନତା ରହିଛି। ଗୁଜରାଟୀ, ଓଡିଆ, ଉର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ, ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ ଓ ସାନ୍ତାଳୀ ଭାଷାର ନିଜସ୍ଵ ଲିପି ରହିଛି। ଗୁଜରାଟୀ ଭାଷାର ଲିପିକୁ ଗୁଜରାଟୀ ଦେବନାଗରୀ କୁହାଯାଉଥିବା ବେଳେ ପଞ୍ଜାବୀ ଭାଷାରେ ବ୍ୟବହୃତ ଲିପିକୁ ପଞ୍ଜାବୀ ଗୁରୁମୁଖୀ କୁହାଯାଇଥାଏ। ସେହିପରି ମଣିପୁରୀ ଭାଷାର ଲିପି ମେତୀ ମୟେକ ଓ ସାନ୍ତାଳୀ ଭାଷାର ଲିପି ଅଲଚିକି ଭାବେ ପରିଚିତ। ଓଡିଆ, ତେଲୁଗୁ, ତାମିଲ, କନ୍ନଡ ଓ ମାଲାୟାଲମ ଭାଷାର ଲିପି ସମ୍ପୃକ୍ତ ଭାଷା ନାମରେ ନାମିତ।
ହିନ୍ଦୀ ଆମ ରାଷ୍ଟ୍ରଭାଷା ବୋଲି ଅନେକଙ୍କର ଭୁଲ ଧାରଣା ରହିଛି। ଏ ପର୍ଯ୍ୟନ୍ତ କୌଣସି ଭାଷାକୁ ଦେଶର ରାଷ୍ଟ୍ରଭାଷାର ସ୍ଵୀକୃତି ମିଳିନାହିଁ। ତେବେ ସମ୍ବିଧାନ ଅନୁସାରେ ହିନ୍ଦୀ ଭାଷାକୁ କେନ୍ଦ୍ର ସରକାରଙ୍କ ଆଧିକାରିକ ଭାଷାର ମାନ୍ୟତା ଦିଆଯାଇଛି। ସମ୍ଵିଧାନ ପ୍ରଣୟନ ହେବାର ପ୍ରଥମ ପନ୍ଦର ବର୍ଷ ପର୍ଯ୍ୟନ୍ତ ହିନ୍ଦୀ ସହ ଇଂରାଜୀ ଭାଷାକୁ ମଧ୍ୟ କେନ୍ଦ୍ର ସରକାରଙ୍କ ଆଧିକାରିକ ଭାଷାର ମାନ୍ୟତା ମିଳିଥିଲା, ଯାହା ବିଶେଷ କାରଣ ଯୋଗୁ ଏବେ ମଧ୍ୟ ଆଧିକାରିକ ଭାଷା ହୋଇ ରହିଛି।
ରାଜ୍ୟଗୁଡିକୁ ଆଇନ ଅନୁସାରେ ନିଜ ନିଜ ରାଜ୍ୟ ପାଇଁ ଆଧିକାରିକ ଭାଷା ସ୍ଥିର କରିବାର ସ୍ଵାଧୀନତା ଦିଆଯାଇଛି। ଅରୁଣାଚଳ ପ୍ରଦେଶ, ମେଘାଳୟ, ନାଗାଲାଣ୍ଡ, ସିକ୍କିମ, ମିଜୋରାମ, ତ୍ରିପୁରା ଭଳି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ଆଧିକାରିକ ଭାଷା ଭାବେ ଇଂରାଜୀ ପ୍ରଚଳିତ। ମଜାର କଥା, କାଶ୍ମୀର ଉପତ୍ୟକା ଅଞ୍ଚଳରେ ପ୍ରଚଳିତ କାଶ୍ମୀରୀ ଓ ଜାମ୍ମୁ କ୍ଷେତ୍ରରେ ପ୍ରଚଳିତ ଡୋଗ୍ରୀ ଭାଷା ଦୁଇଟି ତଫସିଲଭୁକ୍ତ ଭାଷା ହୋଇଥିଲେ ମଧ୍ୟ ଜାମ୍ମୁ ଓ କାଶ୍ମୀର ରାଜ୍ୟର ଆଧିକାରିକ ଭାଷା ହେଉଛି ଉର୍ଦ୍ଦୁ। ସଂସ୍କୃତ, ସିନ୍ଧୀ, ମୈଥିଳୀ, ନେପାଳୀ ଓ ସାନ୍ତାଳୀ ଆଦି ଭାଷା କୌଣସି ରାଜ୍ୟରେ ଆଧିକାରିକ ଭାଷାର ମାନ୍ୟତା ପାଇନାହାନ୍ତି। ଅନ୍ୟ ପକ୍ଷରେ ଉତ୍ତର-ପୂର୍ବାଞ୍ଚଳର କିଛି ରାଜ୍ୟରେ ତଫସିଲଭୁକ୍ତ ଭାଷା ହୋଇ ନଥିବା କେତୋଟି ଭାଷାକୁ ମଧ୍ୟ ଆଧିକାରିକ ଭାଷାର ମାନ୍ୟତା ଦିଆଯାଇଛି।
ଭାରତ ସରକାର ଛଅଟି ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିଛନ୍ତି। ସେହି ଭାଷାଗୁଡିକ ହେଲା ତାମିଲ, ସଂସ୍କୃତ, କନ୍ନଡ, ତେଲୁଗୁ, ମାଲାୟାଲମ ଓ ଓଡ଼ିଆ। କୌଣସି ଭାଷା ଶାସ୍ତ୍ରୀୟ ଭାଷା ହେବା ପାଇଁ ଏକ ମୌଳିକ ଭାଷା ହେବା ସଙ୍ଗେ ସଙ୍ଗେ ଏହାର ଏକ ସମୃଦ୍ଧ ଐତିହ୍ୟ ଥିବା ଦରକାର। ୨୦୦୪ ମସିହାରେ ତାମିଲ ଭାଷା ପ୍ରଥମ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ପାଇଛି। ବିଶ୍ଵର ସର୍ବ ପୁରାତନ ଭାଷାଗୁଡିକ ମଧ୍ୟରେ ତାମିଲକୁ ଗ୍ରହଣ କରାଯାଏ।
ସେହିପରି ୨୦୧୪ ମସିହାରେ ଓଡ଼ିଆ ଭାଷାକୁ ଷଷ୍ଠ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ମିଳିଛି। ଦଶମ ଶତାବ୍ଦୀରୁ ଓଡ଼ିଆ ଭାଷାର ଇତିହାସ ମିଳୁଛି ଓ ଏହା ଓଡ୍ର ମାଗଧୀ ପ୍ରାକୃତରୁ ଉଦ୍ଭବ ବୋଲି ବିଶ୍ଵାସ କରାଯାଏ। ଆମେ ଗର୍ବ କରିବା ଉଚିତ ଯେ ଭାରତର ଅନେକ ପ୍ରତିଷ୍ଠିତ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇ ନଥିବା ବେଳେ ଆମ ମାତୃଭାଷା ଏହି ବିରଳ ସମ୍ମାନର ଅଧିକାରୀ। ଗୋଟିଏ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଲେ ସେହି ଭାଷାରେ ଉଚ୍ଚତର ଅଧ୍ୟୟନ, ଗବେଷଣା ପାଇଁ କେନ୍ଦ୍ର ସରକାର କିଛି ସହାୟତା ପ୍ରଦାନ କରିଥାଆନ୍ତି। ତଦନୁସାରେ ଦୁଇ ଜଣ ଲେଖାଏଁ ବିଶିଷ୍ଟ ବିଦ୍ଵାନଙ୍କୁ ପ୍ରତି ବର୍ଷ ଦୁଇଟି ଆନ୍ତର୍ଜାତିକ ପୁରସ୍କାର ପ୍ରଦାନ କରାଯାଇଥାଏ। ‘ଶାସ୍ତ୍ରୀୟ ଭାଷା ଅଧ୍ୟୟନ ପାଇଁ ଏକ ଉତ୍କର୍ଷ କେନ୍ଦ୍ର’ ପ୍ରତିଷ୍ଠା ପାଇଁ ସହାୟତା ମିଳିଥାଏ। ଅନ୍ତତଃ ପକ୍ଷେ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟଗୁଡିକରେ ସମ୍ପୃକ୍ତ ଶାସ୍ତ୍ରୀୟ ଭାଷାର କିଛି ବିଶିଷ୍ଟ ବିଦ୍ଵାନଙ୍କ ନାମରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଚେୟାର ପ୍ରତିଷ୍ଠା କରି କାର୍ଯ୍ୟ ଆରମ୍ଭ କରିବା ପାଇଁ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗକୁ ଅନୁରୋଧ କରି ହୋଇଥାଏ। ଅନ୍ୟ ପକ୍ଷରେ ‘ନ୍ୟାସନାଲ ମିଶନ ଫର ମାନୁସ୍କ୍ରିପ୍ଟସ’ଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଭାରତରେ ଉପଲବ୍ଧ ପ୍ରାୟ ୪୧ ଲକ୍ଷ ପୋଥି ମଧ୍ୟରୁ ସଂସ୍କୃତ ଭାଷାରେ ସର୍ବାଧିକ ୧୧.୬୭ ଲକ୍ଷ ପୋଥି ଥିବା ବେଳେ ଓଡିଆ ଭାଷାରେ ୨.୧୩ ଲକ୍ଷ ଉପଲବ୍ଧ ହୋଇ ଏହା ଦ୍ଵିତୀୟ ସ୍ଥାନରେ ରହିବା ବାସ୍ତବିକ ଓଡିଆ ଭାଷାର ଗୌରବମୟ ଐତିହ୍ୟର କଥା ଦର୍ଶାଉଛି।
ଓଡିଆ ବ୍ୟତୀତ ଓଡିଶାରେ ଥିବା ୬୨ ପ୍ରକାର ଆଦିବାସୀ ସମ୍ପ୍ରଦାୟର ଲୋକେ ୭୨ ପ୍ରକାର ମାତୃଭାଷାରେ କଥା ହୁଅନ୍ତି, ଯେଉଁଗୁଡିକୁ ମୋଟାମୋଟି ୩୮ଟି ଭାଷା ମଧ୍ୟରେ ରଖି ହେବ। ଏଗୁଡିକ ମଧ୍ୟରୁ ସାନ୍ତାଳୀ, ହୋ, ସଉରା ଓ କୁଇ ଭାଷାର ନିଜସ୍ଵ ଲିପି ରହିଛି। ଏହା ବ୍ୟତୀତ ମୁଣ୍ଡା, ଭୂମିଜ, କୋୟା, ଖଡିଆ ଓ ଓରାଓଁ ଭଳି ଅନ୍ୟ ପାଞ୍ଚଟି ଆଦିବାସୀ ସମ୍ପ୍ରଦାୟର ମଧ୍ୟ ଲିପି ତିଆରି ହୋଇସାରିଛି।
ତେବେ ଗଦବା ଭଳି କେତେକ ଆଦିବାସୀ ସମ୍ପ୍ରଦାୟର ଭାଷା କ୍ରମଶଃ ଲୋପ ପାଇବାକୁ ବସିଲାଣି, କାରଣ ସେହି ସମ୍ପ୍ରଦାୟର ଅଧିକାଂଶ ଲୋକ ନିଜ ଭାଷା ଛାଡି ଅନ୍ୟ ଭାଷାର ବ୍ୟବହାର କରୁଛନ୍ତି। ରାଜ୍ୟରେ ସାନ୍ତାଳଙ୍କ ପରେ ସର୍ବାଧିକ ସଂଖ୍ୟାରେ ଗଣ୍ଡ ସମ୍ପ୍ରଦାୟର ଲୋକ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଶତକଡା ଏକ ଭାଗ ମଧ୍ୟ ଗଣ୍ଡୀ ଭାଷାରେ କଥା ହୁଅନ୍ତି ନାହିଁ। ସ୍ଥଳ ବିଶେଷରେ ଶିକ୍ଷିତ ଆଦିବାସୀ ଯୁବକ ଯୁବତୀ ସାଧାରଣରେ ନିଜ ମାତୃଭାଷାରେ କଥାବାର୍ତ୍ତା ହେବାକୁ କୁଣ୍ଠାବୋଧ କରନ୍ତି, ଯାହା ଦୁର୍ଭାଗ୍ୟଜନକ। ସେମାନେ ଯଦି ନିଜ ଭାଷାକୁ ଭଲ ନ ପାଇବେ, ନିଜ ଭାଷାର ସୁରକ୍ଷା ଓ ପ୍ରସାର ପାଇଁ ଉଦ୍ୟମ ନ କରିବେ ତେବେ ସେହି ଭାଷା ଲୋପ ପାଇବାର ସମ୍ଭାବନା ଅଧିକ।
ଭାରତରେ ପ୍ରାୟ ଛଅ ଶହ ଭାଷା ଲୋପ ପାଇବାର ସମ୍ଭାବନା ରହିଛି, କାରଣ ଏହି ଭାଷାଗୁଡିକୁ କହୁଥିବା ଲୋକଙ୍କ ସଂଖ୍ୟା ଦଶ ହଜାରରୁ କମ। ଗତ ଷାଠିଏ ବର୍ଷ ଭିତରେ ପ୍ରାୟ ୨୫୦ଟି ଭାଷା ଲୋପ ପାଇ ସାରିଲାଣି। ଆଣ୍ଡାମାନର ବୋ ଭାଷା ୨୦୧୦ରେ ଲୋପ ପାଇଥିବା ବେଳେ ସିକ୍କିମର ମାଝି ଭାଷା ୨୦୧୫ରେ ବିଲୁପ୍ତ ହୋଇଛି। କୁହାଯାଏ, ଗୋଟିଏ ଭାଷା ସେହି ଭାଷା କହୁଥିବା ଲୋକଙ୍କର ମନର ଦର୍ପଣ ସଦୃଶ। ଏହି ଦର୍ପଣଗୁଡିକୁ ସାଇତି ରଖି ନ ପାରିଲେ ଆମେ ଆମ ସାଂସ୍କୃତିକ ବିବିଧତାର ବୈଭବକୁ ଚିର ଦିନ ଲାଗି ହରାଇ ବସିବା।
ଭାରତରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କର ଏକାଧିକ ଭାଷାରେ ପାରଦର୍ଶିତା ଥିବାର ଦୃଷ୍ଟାନ୍ତ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓ ଇଂରାଜୀ, ଫ୍ରେଞ୍ଚ, ସ୍ପେନୀୟ, ଜର୍ମାନ, ଆରବୀ, ଫାରସୀ ଭଳି ବିଦେଶୀ ଭାଷା ସମେତ ପ୍ରାୟ ଦଶଟି ଭାରତୀୟ ଭାଷାରେ କହି ପାରୁଥିଲେ। ଭାରତର ପ୍ରଖ୍ୟାତ ଭାଷା ବିଜ୍ଞାନୀ ସୁନୀତି କୁମାର ଚାଟାର୍ଜୀ ଇଂରାଜୀ, ଗ୍ରୀକ, ଲାଟିନ, ଫ୍ରେଞ୍ଚ, ଇଟାଲୀୟ, ଫାରସୀ ଭଳି ବିଦେଶୀ ଭାଷା ସମେତ ସଂସ୍କୃତ ଓ ସବୁ ପ୍ରମୁଖ ଭାରତୀୟ ଭାଷାରେ ପାରଙ୍ଗମ ଥିଲେ।
ଅଧିକ ଭାଷା ଶିଖି ପାରିଲେ ସେ ସବୁ ଭାଷାର ସାହିତ୍ୟ ସହ ପରିଚୟ ହୋଇପାରିବ ଓ ବ୍ୟକ୍ତିତ୍ଵର ବିକାଶ ସାଧନ ହେବ। କିନ୍ତୁ ଅନ୍ୟ ଭାଷା ଶିଖିବା ପାଇଁ ନିଜ ମାତୃଭାଷାକୁ ଅଣଦେଖା କରିବା ଉଚିତ ନୁହେଁ। ଓଡ଼ିଆଙ୍କ ପରିଚୟ ମାତୃଭାଷା ଓଡ଼ିଆ ପାଇଁ l ଓଡିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇ ସାରିଥିବାରୁ ଏହାକୁ ସମୃଦ୍ଧ କରିବାର ଗୁରୁ ଦାୟିତ୍ଵ ସମସ୍ତ ଓଡ଼ିଆଙ୍କ ଉପରେ। ଭାଷା ସେତେବେଳେ ସମୃଦ୍ଧ ହୋଇଥାଏ ଯେତେବେଳେ ତାହା ବହୁଳ ଭାବେ ସାଧାରଣରେ ବ୍ୟବହାର ହୋଇଥାଏ।
ମାତୃଭାଷାରେ ଦକ୍ଷତା ଥିଲେ ଅନ୍ୟ ଭାଷାରେ ଦକ୍ଷତା ହାସଲ କରିବା ସହଜ ହୋଇଥାଏ। ଯେତେ ଅଧିକ ଲୋକଙ୍କଠାରେ ନିଜ ମାତୃଭାଷା ପ୍ରତି ଅନୁରାଗ ବଢିବ, ସେହି ଭାଷା ବିଲୁପ୍ତ ହେବାର ସମ୍ଭାବନା କମ ହେବା ସଙ୍ଗେ ସଙ୍ଗେ ଅଧିକ ପ୍ରସାର ଲାଭ କରି ସାହିତ୍ୟ, କଳା, ସଂସ୍କୃତିର ମଧ୍ୟ ଉନ୍ନତି ହୋଇପାରିବ।
ମୋ. ୯୪୩୭୦୩୮୦୧୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।