ବିଶ୍ୱବନ୍ଦିତା ସ୍ୱାଇଁ
ରଷିଆନ୍ ସାମ୍ବାଦିକ ଆନ୍ନା ପୋଲିତ୍କୋଭ୍ସ୍କାୟା ଥରେ କହିଥିଲେ, 'How we react to the tragedy of one small person accurately reflects our attitude towards a whole nationality, and increasing the numbers doesn't change much'। ଅର୍ଥାତ୍ ଜଣେ ସାଧାରଣ ଲୋକର ଦୁଃଖଦ ଘଟଣାରେ ଆମେ କେମିତି ପ୍ରତିକ୍ରିୟା କରୁ ତାହା ପୁରା ରାଷ୍ଟ୍ରୀୟତା ପ୍ରତି ଆମ ମନୋଭାବକୁ ଦର୍ଶାଏ। ଏହି ସଂଖ୍ୟା ବୃଦ୍ଧିରେ ଅଧିକ କିଛି ପରିବର୍ତ୍ତନ ହୁଏନି। ଆଉ ଏକଥାକୁ ବୋଧହୁଏ ଜଣେ ସାଧାରଣ ଲୋକ ଆଉ ସାମ୍ବାଦିକ ଉଭୟ ଭଲଭାବେ ହୃଦୟଙ୍ଗମ କରିବା ଆବଶ୍ୟକ।
କିନ୍ତୁ ସାମ୍ପ୍ରତିକ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ବେଦନହୀନ ପ୍ରଶ୍ନର ଦୃଷ୍ଟାନ୍ତ ଏ ଉପରୋକ୍ତ ଉକ୍ତିର ପରିପନ୍ଥୀ ମନେହୁଏ। ଖାସ୍ କରି କାହାର ମୃତ୍ୟୁ ପରେ ଉକ୍ତ ବ୍ୟକ୍ତିଙ୍କ ପରିବାରଙ୍କୁ ଯେଉଁ ଢଙ୍ଗରେ ପ୍ରଶ୍ନ କରାଯାଉଛି ତାହା ଅତ୍ୟନ୍ତ ନିନ୍ଦନୀୟ।
ଗତକାଲି ପ୍ରସିଦ୍ଧ ସିନେ କଳାକାର ବିଜୟ ମହାନ୍ତିଙ୍କ ମୃତ୍ୟୁର ପ୍ରତିକ୍ରିୟା ସମୟର ଉଦାହରଣ ନେଇ ପାରିବା। ଅଭିନେତା, ନାଟ୍ୟ ନିର୍ଦ୍ଦେଶକ ତଥା ଏକଦା ବିଜୟ ମହାନ୍ତିଙ୍କ ସହକର୍ମୀ ଥିବା ଅଜିତ୍ ଦାସଙ୍କୁ ବିଜୟ ମହାନ୍ତିର ବିୟୋଗରେ କିଛି କହିବାକୁ କୁହାଯାଇଥିଲା। ସେ ବିଜୟ ମହାନ୍ତିଙ୍କ ବିୟୋଗରେ ପୁରା ଏକା ହେଇଯାଇଛନ୍ତି କହିଲେ। ସେ ଏବଂ ବିଜୟ ମହାନ୍ତି ଏକାଠି 'ନ୍ୟାସ୍ନାଲ୍ ସ୍କୁଲ୍ ଅଫ୍ ଡ୍ରାମା'ରେ ପଢ଼ିଥିଲେ। ଏବେ ବିଜୟଙ୍କ ବିୟୋଗରେ ସେ ଏକା କଣ କରିବେ କହି ଭାବବିହ୍ୱଳ ହୋଇ ଉଠିଲେ। ଆଉ ହାତଯୋଡ଼ି ଦୟାକରି ତାଙ୍କୁ ଟିକେ ପ୍ରଶ୍ନ ନପଚାରି ବିଜୟ ମହାନ୍ତିଙ୍କୁ ଶେଷଥର ପାଇଁ ଦେଖା କରିବାକୁ ଛାଡନ୍ତୁ ବୋଲି ଘେରି ରହିଥିବା ମିଡିଆ ପ୍ରତିନିଧିଙ୍କୁ ଅନୁରୋଧ କଲେ। ତା’ପରେ ମଧ୍ୟ କିଛି ଗଣମାଧ୍ୟମର ପ୍ରତିନିଧି ତାଙ୍କୁ ପୁଣି ବିଜୟ ମହାନ୍ତିଙ୍କ ବିୟୋଗକୁ ନେଇ ପ୍ରଶ୍ନ କଲେ ଏବଂ ତାଙ୍କ ସମୟ ନଷ୍ଟ କଲେ।
ଆଜି ବିଜୟ ମହାନ୍ତିଙ୍କ ବୃଦ୍ଧା ମା'ଙ୍କୁ ପୁଅର ମୃତ୍ୟୁ ଖବର ଦେଇ ତାଙ୍କଠୁ ମଧ୍ୟ ପ୍ରତିକ୍ରିୟା ଖୋଜାଯାଇଛି ।
ସେପଟେ ଗତ କିଛି ଦିନ ତଳେ ସମାଜସେବୀ, ମୋଟିଭେସ୍ନାଲ୍ ସ୍ପିକର୍ ତଥା ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁରେ ବି କିଛି ଏମିତି ଅପ୍ରୀତିକର ଚିତ୍ର ସାମ୍ନାକୁ ଆସିଥିଲା। କିଛି ଗଣମାଧ୍ୟମ ପ୍ରତିନିଧି ଆଦିତ୍ୟ ଦାଶଙ୍କ ଘର ଭିତରକୁ ଯାଇ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଖଟରେ ଶୋଇଥିବା ଅବସ୍ତାରେ ଉଠାଇ ପ୍ରଶ୍ନ ପଚାରିଥିଲେ ଏବଂ ବିଦ୍ୟାଶ୍ରୀ ଆଦିତ୍ୟଙ୍କ ମୃତ୍ୟୁରେ କେତେ ଭାଙ୍ଗି ପଡ଼ିଛନ୍ତି ଆଉ ସେ କେମିତି କାନ୍ଦୁଛନ୍ତି ତାର ଲାଇଭ୍ କରିଦେଖାଇଥିଲେ। ସେମିତି ଆଦିତ୍ୟଙ୍କ ମାଆ ଘର ଭିତରେ ସୋଫାରେ ଶୋଇଥିବା ଅବସ୍ଥାରେ ତାଙ୍କଠୁ ପ୍ରତିକ୍ରିୟା ନିଆଯାଇଥିଲା।
ସେମିତି ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ସମୟରେ ତାଙ୍କ ବାନ୍ଧବୀ ରୀଆ ଏବଂ ଅଙ୍କିତାଙ୍କ ପ୍ରତିକ୍ରିୟା ନେବାକୁ ଗଣମାଧ୍ୟମ ପ୍ରତିନିଧିମାନେ ଘେରି ଯାଇଥିଲେ। ଯେତେବେଳେ କି ସୁଶାନ୍ତଙ୍କ ବାନ୍ଧବୀ ଅଙ୍କିତା ଠିକ୍ ଭାବେ ଚାଲିବାକୁ ବି ସକ୍ଷମ ନଥିଲେ।
ଏ ସବୁ କଣ ପାଇଁ? କାହିଁକି ନା ଆମେ ଜାଣିଛୁ ଏସବୁ ପ୍ରତିକ୍ରିୟାକୁ ବ୍ୟବହାର କଲେ ଆମ ଷ୍ଟୋରୀଟି ଅଧିକ ଆକର୍ଷଣୀୟ ହେଇପାରିବ। ଏହାଦ୍ୱାରା ଆମ କାହାଣୀକୁ ଅଧିକ ଲୋକ ପସନ୍ଦ କରିବେ। ସୋଶାଲ୍ ମିଡିଆରେ ଭଲ ଶେଆର ହେବ। ନହେଲେ ବଡ଼ ଏକ୍ସକ୍ଲୁସିଭ୍ ୱାଟର ମାର୍କରେ ଭିଡିଓଟି ଟିଭି ସ୍କ୍ରିନ୍ରେ ଚାଲିବ। ମୋଟ ଉପରେ କହିଲେ ପ୍ରଥମେ ମୁଁ ବୋଲି ଦର୍ଶାଇହେବ। ଏମିତି କିଛି ଲାଭ ଆଉ ଲୋଭ ପାଇଁ ଏସବୁ ହେଉଥାଇପାରେ। ନହେଲେ ଏଇ ବାଇଟ୍ ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ରାତି ରାତି ହେଉ ନହେଲେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥାନ୍ତି। ସେଥିପାଇଁ ମୃତକଙ୍କ ପରିବାର ମିଳିଲେ ପ୍ରଶ୍ନର ବାଣ ହୁଏ।ଏମିତି କି କିଛି ସ୍ଥାନରେ ମିଡିଆ ପ୍ରତିନିଧିଙ୍କ ଗହଳିରେ ମୃତକଙ୍କ ପରିବାର ଲୋକେ ହରାଇଥିବା ପ୍ରିୟଜନଙ୍କର ଠିକ୍ ଭାବେ ଶେଷ ଦର୍ଶନ ମଧ୍ୟ କରିପାରନ୍ତିନି।
ଯେତେବେଳେ କି ଆମର ଭାବିବା ଆବଶ୍ୟକ ଆମର କିଛି ପ୍ରଶ୍ନ ଆଉ ପ୍ରତିକ୍ରିୟାଠୁ ଢେର୍ ଗୁରୁତ୍ୱପୂର୍ଣ୍ଣ ସେମାନଙ୍କ ଦୁଃଖ। ଆମର ଭିଡ଼ଠୁ ଅଧିକ ଆବଶ୍ୟକ ସେମନଙ୍କ ପାଇଁ କିଛି ନିରୋଳା ସମୟ। ଖାସ୍ କରି ଜଣାଶୁଣା ବ୍ୟକ୍ତିତ୍ୱ, ଯେଉଁମାନଙ୍କୁ ଆମେ ସ୍ନେହ ଆଉ ସମ୍ମାନ କରୁ ସେମାନଙ୍କ କ୍ଷେତ୍ରରେ ଆମେ ଆମ ଦାୟିତ୍ୱକୁ ସୀମାରେ ରହି କରିବା ଆବଶ୍ୟକ। କାରଣ ଆମକୁ ମିଳିଥିବା ପ୍ରତିଟି ସ୍ୱାଧୀନତା ସହ ସମ୍ବେଦନଶୀଳତାର ଆବଶ୍ୟକତା ରହିଛି। ଯେତେବେଳେ ଆମେ ପ୍ରଶ୍ନ କରିବାର ସ୍ୱାଧୀନତା ରଖୁ ତା’ପୂର୍ବରୁ ଆମେ ଘଟଣା ଏବଂ ଦୁର୍ଘଟଣା ବାବଦରେ ଥରେ ଚିନ୍ତା କରିବାର ଶକ୍ତି ରଖିବା ଆବଶ୍ୟକ।
ଖାସ୍ ସେମିତି ଏକ ଅପ୍ରିତିକର ପ୍ରସଙ୍ଗକୁ ଥରେ ଜାତିର ପିତା ମହାତ୍ମାଗାନ୍ଧି ସାମ୍ନା କରିଥିଲେ। ଯେଉଁଥିପାଇଁ ସେ ବ୍ୟଙ୍ଗ କରି କହିଥିଲେ ଯେ, ରିପୋର୍ଟର ଏବଂ ଫଟୋଗ୍ରାଫରଙ୍କୁ ବାଦ୍ ଦେଇ ମୁଁ ପ୍ରତ୍ୟେକଟି ମଣିଷ ପାଖରେ ସମାନତାରେ ବିଶ୍ୱାସ କରେ (‘I believe in equality for everyone, except reporters and photographers’)।
ଇମେଲ୍-swainbiswobandita@gmail.com
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।