ଓଡ଼ିଆ ଗଣମାଧ୍ୟମ: ସ୍ଥିତି, ଧାରା ଓ ଭବିଷ୍ୟତ

ଡ. ଜ୍ୟୋତି ପ୍ରକାଶ ମହପାତ୍ର

ପ୍ରଥମ ଓଡ଼ିଆ ଖବରକାଗଜ ପ୍ରକାଶିତ ହୋଇଥିଲା ଆଜିର ଦିନରେ, ଅଗଷ୍ଟ ୪, ୧୮୬୬ ମସିହାରେ। ଯୋଉ ବର୍ଷ ନଅଙ୍କ ଦୁର୍ଭିକ୍ଷ, ଭୋକ, ଆତୁରତାର ପରିଧିରେ ସାରା ଓଡ଼ିଶା ଆଉଟୁପାଉଟୁ ହୋଇଥିଲା ଏବଂ ହଜାର ହଜାର ଲୋକ ପ୍ରାଣ ହରାଇ ଥିଲେ, ସେଇ ବିଭୀଷିକାର ବର୍ଷରେ ‘ଉତ୍କଳ ଦୀପିକା’ର ଜନ୍ମ। କର୍ମବୀର ଗୌରୀ ଶଙ୍କର ରାୟ ଏବଂ ରେଭେନ୍ସାଙ୍କ ସିରସ୍ତାଦାର ଥିବା ବିଚିତ୍ରାନନ୍ଦ ଦାସଙ୍କ ଅକ୍ଳାନ୍ତ ଉଦ୍ୟମର ଫଳ ଥିଲା ସେଇ ଖବରକାଗଜ। ‘ଉତ୍କଳ ଦୀପିକା’ର ପ୍ରକାଶନରୁ ହିଁ ପ୍ରକୃତ ଅର୍ଥରେ ଆରମ୍ଭ ହୋଇଥିଲା ଓଡ଼ିଆ ଭାଷା ସାମ୍ବାଦିକତାର ରୋମାଞ୍ଚକର ଯାତ୍ରା।

ଆଜିର ଦିନରେ ଓଡ଼ିଆ ଖବରକାଗଜ ସଂସାର ତା’ର ୧୫୫ ବର୍ଷ ପୂର୍ତ୍ତି ପାଳନ କରୁଛି। କୌଣସି ଭାଷା ସାମ୍ବାଦିକତା ଇତିହାସରେ ୧୫୫ ବର୍ଷର ଯାତ୍ରା କିଛି କମ୍ ଗୌରବର କଥା ନୁହେଁ। ଉଠାଣି, ଚଢାଣି, ବିପଦ, କୋଟିଏ ସମସ୍ୟା ଭିତର ଦେଇ ଓଡ଼ିଆ ସାମ୍ବାଦିକତା ଏଇ ରାସ୍ତା ପାର୍ କରି ଆସିଛି। ‘ଉତ୍କଳ ଦୀପିକା’ ନଅଙ୍କ ଦୁର୍ଭିକ୍ଷର ପ୍ରକୃତ ଚିତ୍ର ଇଂରେଜ ସରକାରଙ୍କ ସାମ୍ନାକୁ ଆଣିଥିଲା। ଏହାର ପ୍ରକାଶନ ସହିତ ଜଡ଼ିତ ଲୋକମାନେ ଇଂରେଜ ପ୍ରଶାସନରେ ଚାକିରି କରୁଥିଲେ ମଧ୍ୟ ସେମାନେ ସରକାରୀ ନୀତିର ସମାଲୋଚନା କରିବାକୁ ଜମାରୁ ପଛେଇ ନ ଥିଲେ। ବରଂ ଭାଷାଭାଷୀ ଅଂଚଳର ଏକତ୍ରୀକରଣ, ଲୋକଙ୍କ ସ୍ୱାର୍ଥ ଆଦିକୁ ଏହା ସବୁଦିନେ ପ୍ରାଧାନ୍ୟ ଦେଇ ଆସିଥିଲା। ୧୯୩୬ ଯାଏ ଦୀର୍ଘ ୭୨ ବର୍ଷ ଏହା ଧାରାବାହିକ ଭାବେ ପ୍ରକାଶିତ ହୋଇ ଆସିଥିଲା। ପ୍ରକୃତ ଅର୍ଥରେ ଓଡ଼ିଆ ଜାତିର ଇତିହାସରେ ପ୍ରାଣ ଭରିଦେବାରେ ସର୍ବାଧିକ ସହାୟକ ହୋଇଥିଲା ‘ଉତ୍କଳ ଦୀପିକା’।

ହିକି ‘ବେଙ୍ଗଲ୍ ଗେଜେଟ୍‌’ ପ୍ରକାଶ କରିଥିଲେ ଜାନୁଆରୀ ୨୯, ୧୭୮୦ ମସିହାରେ। ସେଇ ଦିନଟିକୁ ଆମେ ‘ଭାରତୀୟ ଖବରକାଗଜ ଦିବସ’ ବୋଲି ପାଳନ କରୁ। ସାରା ଭାରତରେ ଏହା ପାଳନ କରାଯାଏ। ସେମିତି ଅଲଗା ଭାଷାରେ ବି ନିଜସ୍ୱ ଖବରକାଗଜ ଦିବସ ବା ସାମ୍ବାଦିକତା ଦିବସ ରହିଛି। ପ୍ରତିବର୍ଷ ମଇ ମାସ ୩୦ ତାରିଖକୁ ‘ହିନ୍ଦୀ ପତ୍ରକାରିତା ଦିବସ’ ଭାବେ ପାଳନ କରାଯାଏ। ୧୮୨୬ ମସିହା ମଇ ୩୦ ତାରିଖରେ ପ୍ରଥମ ହିନ୍ଦୀ ଖବରକାଗଜ ‘ଉଦଣ୍ଡ ମାର୍ତ୍ତଣ୍ଡ’ ପ୍ରକାଶନ ଆରମ୍ଭ ହୋଇଥିଲା। ସେହିପରି ୬ ଜାନୁଆରୀ, ୧୯୩୨ ମସିହାରେ ପ୍ରଥମ ମରାଠୀ ଖବରକାଗଜ ‘ଦର୍ପଣ’ ପ୍ରକାଶ ପାଇଥିଲା। ସେହିଦିନଟି ମରାଠୀ ସାମ୍ବାଦିକତା ଦିବସ ଭାବେ ପାଳିତ ହୁଏ। କୋଙ୍କଣୀ ସାମ୍ବାଦିକତା ଦିବସ ପାଳନ କରାଯାଏ ଫେବୃଆରୀ ମାସ ୨ ତାରିଖରେ। ଆମେ ଆଗୁଆ ଯାତ୍ରା ଆରମ୍ଭ କରିଥିଲେ ବି ଇତିହାସର ସେଇ ପହିଲି ଦିନଟିକୁ ପାସୋରି ଦେଇଛୁ।

ତେବେ ଆଜିର ଦିନ ପାଳନ ଅବସରରେ ଓଡ଼ିଆ ଗଣମାଧ୍ୟମରେ ସାଂପ୍ରତିକ ସ୍ଥିତି ଉପରେ ନଜର ପକେଇବା ଓ ଭବିଷ୍ୟତ ଆକଳନ କରିବା, ହୁଏତ ଆମକୁ ଆମ ଗଣମାଧ୍ୟମ ଉପରେ କିଛିଟା ଧାରଣା ଦେବ। ଓଡ଼ିଆ ଗଣମାଧ୍ୟମର ସାମ୍ପ୍ରତିକ ସ୍ଥିତିକୁ ଗୋଟେ ଶବ୍ଦରେ କହିହେବ- ଦ୍ୱନ୍ଦାତ୍ମକ। ଏ ସମ୍ପର୍କରେ ଚାର୍ଲସ ଡିକେନ୍ସଙ୍କ ଗୋଟିଏ ବାକ୍ୟକୁ ଧାର କରି ଆହୁରି ସୁନ୍ଦର ଉଦାହରଣଟେ ଦେଇହେବ : ଏହା ହେଉଛି ସବୁଠାରୁ ଭଲ ସମୟ, ଏହା ହେଉଛି ସବୁଠାରୁ ଖରାପ ସମୟ (It is the best of the times and it is the worst of the times – A tale of Two Cities)।

ଗୋଟିଏ ଦିଗରୁ ଦେଖିଲେ ଓଡ଼ିଆ ଗଣମାଧ୍ୟମର ଚିତ୍ରଟି ଅତ୍ୟନ୍ତ ଉଜ୍ଜ୍ୱଳ। ଓଡ଼ିଆ ଖବରକାଗଜ ଗୁଡ଼ିକର ପାଠକ ସଂଖ୍ୟା ବଢ଼ିବାରେ ଲାଗିଛି। ଓଡ଼ିଶାର ମୁଖ୍ୟ ସମ୍ବାଦପତ୍ର ଗୁଡ଼ିକର ପ୍ରସାରଣ ବଢୁଛି। ସେମାନେ ଏକାଧିକ ସଂସ୍କରଣ ଏବଂ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରୁ ସଂସ୍କରଣମାନ ପ୍ରକାଶ କରୁଛନ୍ତି। ଟେଲିଭିଜନ ଚ୍ୟାନେଲରେ ମଧ୍ୟ ପରିବର୍ତ୍ତନ ଘଟିଛି। ଅଧିକରୁ ଅଧିକ ୨୪ ଘଣ୍ଟିଆ ନିଉଜ୍ ଚ୍ୟାନେଲ୍ ଖୋଲୁଛି। ମନୋରଂଜନଧର୍ମୀ ଏବଂ ସଂସ୍କୃତି ସଂପର୍କିତ ଚ୍ୟାନେଲ୍ ସଂଖ୍ୟା ବଢୁଛି। ଇଣ୍ଟରନେଟ୍ ଚାରିଆଡ଼େ ସତେ ଯେମିତି ଛାଇ ଯାଇଛି। ୱେବ-ପବ୍ଲିକେସନ୍ ସଂଖ୍ୟା ଦିନକୁ ଦିନ ବଢୁଛି। ଇ-ପେପର୍ ପାଠକଙ୍କୁ ନୂତନତାର ସ୍ୱାଦ ଦେଇଛି। ଗାଁ ଗହଳିରେ, ଘରେ ଘରେ ମୋବାଇଲ୍ ବ୍ୟବହାର ହେଲାଣି। ସେଥିରେ ଖବର ଏବଂ ବିଭିନ୍ନ ମନୋରଂଜନ ମିଳିପାରୁଛି। ଗଣମାଧ୍ୟମଗୁଡ଼ିକ ନୂଆ ବୈଷୟିକ ବିଦ୍ୟାକୁ ଆପଣାଇବାରେ ଲାଗିଛନ୍ତି। ଆଧୁନିକ ବୈଷୟିକ ବିଦ୍ୟା ଓ ଜ୍ଞାନ କୌଶଳ ସହାୟତାରେ ଖବର ସଂଗ୍ରହ ଓ ଆଦାନପ୍ରଦାନ ଢଙ୍ଗରେ ଆସିଛି ଏକ ନୂଆ ପରିବର୍ତ୍ତନ। ଟେକ୍ନୋଲୋଜି, କ୍ରମବର୍ଦ୍ଧିଷ୍ଣୁ ସାକ୍ଷରତା ଓ ପାଠକ ସଂଖ୍ୟା, ବଢୁଥିବା ପ୍ରତିଦ୍ୱନ୍ଦିତା ଏବଂ ବଜାରମୁଖୀ ମନୋଭାବ ଓଡ଼ିଶାରେ ପାରମ୍ପରିକ ଗଣମାଧ୍ୟମର ରୂପରେଖ ଏବଂ କାର୍ଯ୍ୟଶୈଳୀକୁ ବଦଳାଇ ଦେଇଛି। ଏଣୁ ଏହାକୁ ସବୁଠାରୁ ଭଲ ସମୟ ବୋଲି କହିହେବ। ଅନ୍ୟପକ୍ଷରେ ଦେଖିବାକୁ ଗଲେ ଚିତ୍ରଟି ନୈରାଶ୍ୟଜନକ ମଧ୍ୟ। ଗଣମାଧ୍ୟମ ସଂସାରରେ କଳାଧନ ନିବେଶ ବଢୁଛି। ବିଲଡର, ଖଣି ମାଲିକ, ମାଫିଆମାନେ ଖବରକାଗଜ ତିଆରି କରି କିମ୍ବା ଚ୍ୟାନେଲ୍ ଖୋଲି ସେଗୁଡ଼ିକୁ ନିଜର ସୁରକ୍ଷା ଦିଗରେ ଢାଲ କରିଛନ୍ତି।

ଭଲ ଖବର ପାଇଁ ସ୍ଥାନ କମି ଯାଉଛି। ବଜାରମୁଖୀ କାରବାର ଯୋଗୁଁ ଛୋଟ କାଗଜ ଗୁଡ଼ିକ ବଞ୍ଚି ରହିବା କଷ୍ଟକର ହେଉଛି। ବର୍ତ୍ତମାନ ଖବରର ବଜାରୀକରଣ ତଥା ଚାଞ୍ଚଲ୍ୟକର ଖବର ପ୍ରକାଶନର ମାତ୍ରା ବଢ଼ିଯାଇଛି। ଖବରକାଗଜରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଯଥେଷ୍ଟ ସମୟ ଓ ସ୍ଥାନ ଦିଆଯାଉନାହିଁ। ଅଧିକାଂଶ ଗଣମାଧ୍ୟମ ସଂସ୍ଥାର ମାଲିକାନା ମୁଷ୍ଟିମେୟ ବ୍ୟକ୍ତିଙ୍କ ହାତରେ ରହୁଥିବାରୁ ଗଣମାଧ୍ୟମର ସ୍ୱାଧୀନତା ଉପରେ ମଧ୍ୟ ବିପଦ ସୃଷ୍ଟି ହୋଇଛି। କମ୍ ଦରମାରେ ଖବର ଗୋଟେଇବାରେ ବ୍ୟସ୍ତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢି ବଢି ଚାଲିଛି। ଏକରେ ଚୁକ୍ତିଭିତ୍ତିକ ଚାକିରି ସାଙ୍ଗକୁ ଦ୍ୱିତୀୟରେ ବାହ୍ୟ ଶକ୍ତିମାନଙ୍କର ଧମକ, ସେମାନଙ୍କ ନିରାପତ୍ତାକୁ ବିପନ୍ନ କରିଛି। ଫଳରେ ସେମାନେ ଉଭୟ ପକ୍ଷକୁ ସୁହାଇଲା ଭଳି ଖବର ଲେଖିବାକୁ ବାଧ୍ୟ ହେଉଛନ୍ତି। ମୂଳ ଖବର ମୋଡ଼ି ହୋଇ ସାମ୍ନାକୁ ଆସୁଛି। ଯାହା ପାଠକକୁ ବିଭ୍ରାନ୍ତ କରୁଛି। ଲଫାପା ସାମ୍ବାଦିକତା (ଏନଭେଲୋପ ଜର୍ଣ୍ଣାଲିଜମ୍‌) ଅବା ଅର୍ଥ ବଦଳରେ ଖବର ପ୍ରକାଶ କରିବାର ପ୍ରବଣତା ବଢ଼ିବାରେ ଲାଗିଛି। ପେଡ୍ ନିଉଜ୍ ବଢୁଛି। ସାମ୍ବାଦିକତା କ୍ଷେତ୍ରରେ ଦୁର୍ନୀତି ଏବଂ ବ୍ଲାକମେଲିଂ ଆସ୍ଥାନ ଜମେଇ ବସି ଯାଇଛି। ଏମିତି ପରସ୍ପର ବିରୋଧୀ ଚିତ୍ର ସମ୍ପର୍କରେ ଅଧିକ ଆଲୋଚନା ପୂର୍ବରୁ ଚାଲନ୍ତୁ ଗତ ୧୫୦ ବର୍ଷର ଓଡ଼ିଆ ସାମ୍ବାଦିକତାର ଇତିହାସ ଉପରେ ଏକ ନଜର ବୁଲେଇ ଆଣିବା।
ପ୍ରଥମ ଓଡ଼ିଆ ଖବରକାଗଜ ଉତ୍କଳ ଦୀପିକା ୧୮୬୬ ମସିହାରେ ପ୍ରକାଶିତ ହୋଇଥିଲା। ସ୍ୱାଧୀନତା ପରେ ୧୯୫୩ ବେଳକୁ ଓଡ଼ିଶାରେ ଖବରକାଗଜ ପତ୍ରପତ୍ରିକାର ସଂଖ୍ୟା ମିଶି ଥିଲା ୫୬। ୧୯୬୪ ବେଳକୁ ଏହି ସଂଖ୍ୟା ୭୦ ଛୁଇଁଲା। ଯାହା ଭିତରେ ୩୮ଟି ମାସିକ ପତ୍ରିକା ଥିଲା। ୧୯୭୭ ଶେଷ ସୁଦ୍ଧା ଖବରକାଗଜ ଏବଂ ପତ୍ରପତ୍ରିକାର ସଂଖ୍ୟା ବଢି ୧୮୯ରେ ପହଞ୍ଚିଥିଲା। ୨୦୦୯ ମସିହା ଶେଷ ପର୍ଯ୍ୟନ୍ତ ଓଡ଼ିଶାରୁ ପ୍ରକାଶିତ ଦୈନିକ ଖବରକାଗଜର ସଂଖ୍ୟା ଥିଲା ୫୨- ଛଅଟି ଇଂରାଜୀ ଏବଂ ଗୋଟେ ହିନ୍ଦୀ ପ୍ରକାଶନକୁ ମିଶେଇ । ପ୍ରସାରଣ ସଂଖ୍ୟା ବି ସେଇ ଅନୁପାତରେ ବଢିଛି। ୧୯୬୧ ଶେଷ ସୁଦ୍ଧା ଓଡ଼ିଶାରେ ସମସ୍ତ ପ୍ରକାଶନର ପ୍ରସାରଣ ସଂଖ୍ୟା ଥିଲା ୬୦,୦୦୦। ଅର୍ଥାତ୍ ପ୍ରତି ଗାଁ ପିଛା ଗୋଟେ। ୧୯୭୭ ଶେଷ ଆଡ଼କୁ କେବଳ ଖବରକାଗଜ ପ୍ରସାରଣ ସଂଖ୍ୟା ୧,୨୭,୦୦୦ ଏବଂ ପତ୍ରପତ୍ରିକା ମିଶି ୨,୫୯,୦୦୦ ଥିଲା। ୨୦୦୧ ଶେଷ ସୁଦ୍ଧା ପ୍ରତି ହଜାରେ ଲୋକଙ୍କ ପାଇଁ ଓଡ଼ିଶାରେ ଖବରକାଗଜ ସଂଖ୍ୟା ଥିଲା-୩୮।
ସେମିତି ଓଡ଼ିଶାରେ ୧୯୪୮ରେ ପ୍ରଥମ ରେଡ଼ିଓ ଷ୍ଟେସନ ସ୍ଥାପିତ ହୋଇଥିଲା। ଏବେ ଓଡ଼ିଶାରେ ଆକାଶବାଣୀର ୧୧ଟି କେନ୍ଦ୍ର ରହିଛି। ଓଡ଼ିଶାରେ କମ୍ୟୁନିଟି ରେଡିଓ ସଂଖ୍ୟା ବଢି ୧୯ ଛୁଇଁଛି। ଘରୋଇ ଭାବେ ୫ଟି ଏଫ୍‌ଏମ୍ ଚ୍ୟାନେଲ୍ ଲୋକଙ୍କୁ ମନୋରଂଜନ ଦୁନିଆ ସହିତ ପରିଚିତ କରାଉଛନ୍ତି ସେମିତି ଏବେ ଇଣ୍ଟରନେଟ୍ ରେଡ଼ିଓ ଲୋକଙ୍କୁ ନୂଆ ନୂଆ ପ୍ରୟୋଗର ପ୍ରମାଣ ଦେଉଛି। ଓଡ଼ିଶାର ପ୍ରଥମ ଇଣ୍ଟରନେଟ୍ ରେଡ଼ିଓ ହେଲା- www.odiaradio.com।

ଓଡ଼ିଶା ଏବଂ ଓଡ଼ିଶା ବାହାରେ ଏହା ରାଜ୍ୟର ସଙ୍ଗୀତ, କଳା, ସଂସ୍କୃତି ସଂପର୍କିତ କାର୍ଯ୍ୟକ୍ରମ ପ୍ରସାରିତ କରୁଛି। ସେମିତି ୨୪ ଘଣ୍ଟିଆ ନିଉଜ୍ ଚ୍ୟାନେଲ୍ ସଂଖ୍ୟା ବଢୁଛି। ଯଥା- ଓ-ଟିଭି, କନକ ଟିଭି, ନକ୍ଷତ୍ର ନ୍ୟୁଜ୍‌, ନିଉଜ୭, କଳିଙ୍ଗ ଟିଭି, ନନ୍ଦିଘୋଷ ଟିଭି, ଜୀ କଳିଙ୍ଗ ଏବଂ ନ୍ୟୁଜ-୧୮ (ଓଡ଼ିଆ) ଆଦି। ୱେବ-ପବ୍ଲିକେସନ୍ ସଂଖ୍ୟା ଦ୍ରୁତ ଗତିରେ ବଢୁଛି। ଓଡ଼ିଶାରେ ନିଉଜ୍ ପୋର୍ଟାଲ୍ ସଂଖ୍ୟା ୫୦ରୁ ଅଧିକ ହେଲାଣି।

ଧାରା:
ସମୟ ସହିତ ଗଣମାଧ୍ୟମରେ ପରିବର୍ତ୍ତନ ଆସିଛି। ଗଲା କେଇ ଦଶନ୍ଧି ମଧ୍ୟରେ ଓଡ଼ିଆ ଗଣମାଧ୍ୟମ ସଂସାରରେ ଅନେକ ସାକାର ପରିବର୍ତ୍ତନ ଆସିଛି। ଆସନ୍ତୁ ତା ଉପରେ ନଜର ପକେଇବା।
୧. ଲୋକାଭିମୁଖୀ ହେବା
୨. ବିଷୟର ବିବିଧତା
୩. ପରିପାଟୀ ଉପରେ ଗୁରୁତ୍ୱ
୪. ସାଧାରଣ ଲୋକଙ୍କ ଭାଷା ବ୍ୟବହାରରେ ଗୁରୁତ୍ୱ
୫. ଗାଁ ଗହଳିର ଖବର ଉପରେ ଗୁରୁତ୍ୱ
୬. ବହୁ-ସଂସ୍କରଣ ଖବରକାଗଜ
୭. ଯୁବପିଢି ଉପରେ ଗୁରୁତ୍ୱ
୮. ବଜାର କାରବାର ଉପରେ ଗୁରୁତ୍ୱ

ସାମ୍ବାଦିକମାନଙ୍କ ଅବସ୍ଥା:
ସାରା ବିଶ୍ୱରେ ସାମ୍ବାଦିକମାନେ ଅନ୍ୟମାନଙ୍କ ତୁଳନାରେ କମ୍ ବେତନ ପାଇଥାନ୍ତି। ଭାରତରେ ସେମାନେ ଆହୁରି କମ୍ ଦରମା ପାଇଥାନ୍ତି। ଓଡ଼ିଆ ଗଣମାଧ୍ୟମରେ ସ୍ଥିତି ତାଠାରୁ ସଂଗୀନ। ଓଡ଼ିଶାରେ ସାମ୍ବାଦିକତା ଗୋଟିଏ ପେସା ଭାବରେ ବିକଶିତ ନହେବାର ଏହା ହେଉଛି ମୁଖ୍ୟ କାରଣ। ଓଡ଼ିଶାରେ ସାମ୍ବାଦିକତା ଆଜି ମଧ୍ୟ ବ୍ୟବସାୟ ଅବା ରାଜନୈତିକ ଉଦ୍ଦେଶ୍ୟ ତଥା ସମାଜରେ ପ୍ରତିପତ୍ତି ବିସ୍ତାର କରିବାର ମାଧ୍ୟମ ରୂପେ ପରିଗଣିତ। ଏହାପଛରେ ଦୁଇଟି କାରଣ ରହିଛି। ପ୍ରଥମତଃ ଗଣମାଧ୍ୟମରେ ପୁଞ୍ଜିର ଅଭାବ, ଦ୍ୱିତୀୟତଃ ସାମ୍ବାଦିକମାନଙ୍କୁ ଅଧିକ ବେତନ ଦେବାର ମାନସିକତାର ଅଭାବ। ଏମିତି ନୁହେଁ ଯେ ସମସ୍ତ ଗଣମାଧ୍ୟମ ସଂସ୍ଥା ପାଖରେ ପଇସା ନାହିଁ। ବିଜ୍ଞାପନରୁ ସେମାନେ ଯଥେଷ୍ଟ ଆୟ କରୁଛନ୍ତି। କିନ୍ତୁ ଦରମା ଦେବାର ମାନସିକତା ସେମାନଙ୍କ ଭିତରେ ନାହିଁ। ଖବରକାଗଜ ଅବା ଟେଲିଭିଜନରେ କାର୍ଯ୍ୟ କରୁଥିବା ଜଣେ ସହ-ସଂପାଦକ ଅବା ରିପୋର୍ଟର ବୁଦ୍ଧିମାନ ହେବା ସହିତ କମ୍ପ୍ୟୁଟର ଜ୍ଞାନ, ଓଡ଼ିଆ ଭାଷାରେ ଦକ୍ଷତା ତଥା ଭଲ ଇଂରାଜୀ ଜ୍ଞାନ ଆବଶ୍ୟକ କରିଥାଏ। ଏସବୁ ସତ୍ତ୍ୱେ ଗୋଟିଏ ବଡ ଓଡ଼ିଆ ଖବରକାଗଜରେ କାର୍ଯ୍ୟ କରୁଥିବା ବ୍ୟକ୍ତିଟିର ପ୍ରାରମ୍ଭିକ ବେତନ ଖୁବ ବେଶିରେ ୮,୦୦୦ରୁ ୧୦,୦୦୦ ଟଙ୍କାରୁ ଆରମ୍ଭ ହୋଇଥାଏ। ଯାହାକି ଜଣେ ବ୍ୟାଙ୍କ କିରାଣୀ ଅବା କନିଷ୍ଠ ଶିକ୍ଷକଙ୍କ ପ୍ରାରମ୍ଭିକ ବେତନର ଏକ ତୃତୀୟାଂଶ। ଏମିତିକି ଜଣେ ଅଣ-କୁଶଳୀ ଦିନ ମଜୁରିଆଠାରୁ ସାମ୍ବାଦିକମାନେ ସ୍ଥଳ ବିଶେଷରେ କମ୍ ଦରମା ପାଆନ୍ତି।

ଏହା ପଛରେ କେତେକ କାରଣ ରହିଛି। କେତେକଙ୍କ ଭିତରେ ଧାରଣା ରହିଛି: ଓଡ଼ିଶାରେ ସାମ୍ବାଦିକ ହେବା ଅର୍ଥାତ୍ କ୍ଷମତାଶାଳୀ ହେବା। ତେଣୁ ବହୁ ଲୋକ ମାଗଣାରେ ଏହା କରିବା ପାଇଁ ପ୍ରସ୍ତୁତ। ତାଠାରୁ ଆହୁରି ଦୟନୀୟ ହେଉଛି, କେତେକ କ୍ଷେତ୍ରରେ ଲୋକମାନେ କହୁଛନ୍ତି- ଆମକୁ ସାମ୍ବାଦିକ କରିଦିଅ, ଆମେ ଓଲଟା ପଇସା ଦେବୁ। ପୁଣି ଆଧୁନିକ ଜ୍ଞାନ କୌଶଳ ହେତୁ ଅନେକ ସ୍ଥାନରୁ ସଂସ୍କରଣମାନ ପ୍ରକାଶିତ ହେଉଛି। ସେମିତି ହେଲେ କମ ଲୋକ ଦରକାର। ଶେଷକୁ ଓଡ଼ିଶାରେ ଥିବା ସାମ୍ବାଦିକ ସଂଘଗୁଡ଼ିକ କେବଳ ନାଁକୁ ରହିଛନ୍ତି। ସାମ୍ବାଦିକଙ୍କ ଅଧିକାର ପାଇଁ ଲଢେଇ କରିବା ଦିଗରେ ସେମାନେ ସଫଳ ହୋଇ ପାରି ନାହାନ୍ତି।

ଭବିଷ୍ୟତ:
ଗଣମାଧ୍ୟମ କ୍ଷେତ୍ରରେ ଭବିଷ୍ୟତ କଳନା କରିବା କଷ୍ଟ। କାରଣ : ଏ କ୍ଷେତ୍ରରେ କାରିଗରୀ ଜ୍ଞାନ ଦ୍ରୁତ ବଦଳୁଛି ଏବଂ ସମାଜ ମଧ୍ୟ ଦ୍ରୁତ ବେଗରେ ବଦଳୁଛି। ତଥାପି ଯେଉଁ ଢଙ୍ଗରେ ଗଣମାଧ୍ୟମର ଧାରା ବଦଳୁଛି, ସେଇ ଅନୁସାରେ କେତୋଟି କଥା ଆକଳନ କରାଯାଇପାରେ।

ଯେମିତି-
୧. ଗଣମାଧ୍ୟମଗୁଡ଼ିକ ଆହୁରି ଲୋକଙ୍କ ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରିବେ। ଆଞ୍ଚଳିକୀକରଣ ବଢ଼ିବ।
୨. ଇଣ୍ଟରନେଟ୍ ର ଅଭିବୃଦ୍ଧି ଓଡ଼ିଆ ଗଣମାଧ୍ୟମଗୁଡ଼ିକୁ ବିଦେଶରେ ରହୁଥିବା ଓଡ଼ିଆ ଲୋକଙ୍କ ସହିତ ଅଧିକ ଯୋଡ଼ିବା ଦିଗରେ ସାହାଯ୍ୟ କରିବ।
୩. ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଏକାସାଂଗରେ ବହୁ ମାଧ୍ୟମକୁ ଆପଣାଇବେ। ଅର୍ଥାତ୍‌- ଗୋଟିଏ ସଂସ୍ଥା ଖବରକାଗଜ, ନିଉଜ୍ ଚ୍ୟାନେଲ୍‌, ରେଡ଼ିଓ, ମୋବାଇଲ୍ ମାଧ୍ୟମରେ ଖବର ପରିବେଷଣ କରିବାକୁ ଚେଷ୍ଟା କରିବେ।
୪. ଏହା ଫଳରେ ଜଣେ ସାମ୍ବାଦିକର କାମ ବଢିବ। ତାକୁ ପ୍ରତିଟି କ୍ଷେତ୍ରରେ ଉପଯୁକ୍ତ ତାଲିମପ୍ରାପ୍ତ ହେବାକୁ ପଡ଼ିବ। ଗଣମାଧ୍ୟମର ସମଷ୍ଟିକରଣ ବା ଏକାଧିକ ପ୍ରସାରଣ ମାଲିକାନା ହେତୁ ସେ ଗୋଟେ ଘଟଣା ପାଇଁ ଏକାଥରେ ଖବରକାଗଜ, ଟିଭି, ରେଡ଼ିଓ, ଇଣ୍ଟରନେଟ୍ ପାଇଁ ରିପୋର୍ଟିଂ କରିବ। ତେଣୁ ସାମ୍ବାଦିକକୁ ଅଧିକ ଦକ୍ଷ ଏବଂ କାରିଗରୀ ଜ୍ଞାନରେ ନିପୁଣ ହେବାକୁ ପଡ଼ିବ।
୫. ଇ-ପେପର୍ ସଂଖ୍ୟା ବଢ଼ିବ। ଲୋକେ ହାତରେ ଚାହା କପ୍ ଧରି ଖବରକାଗଜ ପଢିବା ଅପେକ୍ଷା ଇଣ୍ଟରନେଟ୍ ରେ କାଗଜ ପଢିବାକୁ ପସନ୍ଦ କରିବେ।
୬. ଇଣ୍ଟରନେଟ୍ ରେ ନିଉଜ୍ ପୋର୍ଟାଲ୍ ସଂଖ୍ୟା ବଢିବ।
୭. ମୋବାଇଲ୍ ମାଧ୍ୟମରେ ଖବର ପାଇବାକୁ ଲୋକେ ପସନ୍ଦ କରିବେ। ତାହା କେବେଠାରୁ ଆରମ୍ଭ ହୋଇଗଲାଣି।
୮. କମ୍ୟୁନିଟି ରେଡ଼ିଓ କେନ୍ଦ୍ର ସଂଖ୍ୟା ବଢିବ। କିନ୍ତୁ ସେମାନଙ୍କୁ ଫଳପ୍ରଦ ବିଜ୍ଞାପନ ମଡ଼େଲ୍ ସଂପର୍କରେ ଚିନ୍ତା କରିବାକୁ ପଡ଼ିବ।
୯. ଉପଯୁକ୍ତ ତାଲିମପ୍ରାପ୍ତ ସାମ୍ବାଦିକ ପାଇଁ ଏବେକାର ସାମ୍ବାଦିକତା ଶିକ୍ଷାନୁଷ୍ଠାନ ଗୁଡ଼ିକ ଅଧିକରୁ ଅଧିକ ଭିତ୍ତିଭୂମି ବଢେଇବେ। ମିଡ଼ିଆ ଏବଂ ଶିକ୍ଷା କ୍ଷେତ୍ରରେ ସମ୍ପର୍କ ନିବିଡ଼ ହେବ।
୧୦. ଗଣମାଧ୍ୟମ ସଂସ୍ଥାଗୁଡ଼ିକ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଆଡ଼କୁ ଢଳିବେ। ଏହା ତାଙ୍କୁ ଲୋକଙ୍କ ନିକଟବର୍ତ୍ତୀ କରିବ।

ସହକାରୀ ପ୍ରଫେସର, ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳ
ମୋ- ୯୪୩୭୦୮୦୦୪୮

ଆହୁରି ପଢ଼ନ୍ତୁ

ଆରମ୍ଭ ମ୍ୟାଚରେ ହାରିବା ପରେ ଖୁସି ହୋଇଗଲେ ମୁମ୍ୱାଇ ଇଣ୍ଡିଆନ୍ସ ଫ୍ୟାନ୍ !

ରୋମାଞ୍ଚକର ବିଜୟରୁ ଆଇପିଏଲ ଆରମ୍ଭ କଲା ଚେନ୍ନାଇ

ବାଇକ୍‌ ଉପରେ ଚଢ଼ିଗଲା ସ୍କର୍ପିଓ, ରାସ୍ତାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ଆଇପିଏଲରୁ କ୍ୟାରିଅର ଆରମ୍ଭ କଲେ ଓଡ଼ିଆ ପୁଅ

ଏଥର ବିଧାନସଭାର ଅନୁମୋଦନ ପାଇଁ ଆସିବ ୧୨ଟି ଅଧ୍ୟାଦେଶ

ମୁମ୍ବାଇ ଇଣ୍ଡିଆନ୍ସକୁ ୧୬୨ ରନରେ ଅଟକାଇଲା ଚେନ୍ନାଇ

ଶ୍ରୀମନ୍ଦିରରେ ବିଭ୍ରାଟ ହେବନି ତ ଶ୍ରୀଜୀଉଙ୍କ ସେବା ପୂଜା

କରୋନା ଟଙ୍କା ଖାଇଯାଉଛନ୍ତି : ସୁର ରାଉତରାୟ

ଆରୋଗ୍ୟ ହେଲେ ୪୦୯୦ କରୋନା ଆକ୍ରାନ୍ତ, ଆଗରେ ଖୋର୍ଦ୍ଧା

କୋଭିଡ଼ ରୋଗୀ ବଂଚିଛନ୍ତି ନା ମରିଛନ୍ତି, ଜାଣିପାରୁନି ପ୍ରଶାସନ!

ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୩୮ ଲୋକାଲ୍‌ କେସ

ରବିବାର ରାଜ୍ୟସଭାରେ କୃଷି ବିଲ୍, କେନ୍ଦ୍ରକୁ ସମର୍ଥନ କରିବେ ନବୀନ !