ମୋଦି-ଶାହଙ୍କ ଜାଲରେ କର୍ଣ୍ଣାଟକ କଂଗ୍ରେସ!

ମୋଦୀ-ବନାମ-ରାହୁଲ କୈନ୍ଦ୍ରିକ ପ୍ରଚାର ଅଭିଯାନ, ଯାହା କର୍ଣ୍ଣାଟକର ଭାଜପା ରାଜ୍ୟ ସରକାରଙ୍କ ବିଫଳତାକୁ ଏଡ଼ାଇ ଦେବାକୁ ସମର୍ଥ। ଏପରି ପ୍ରଚାର ଚାଲିଲେ, ଅତୀତରେ ଭାଜପା ସରକାର ଦେଇଥିବା ପ୍ରତିଶୃତି ଯଥା: କର୍ଣ୍ଣାଟକ କୃଷକଙ୍କ ଦ୍ୱିଗୁଣିତ ଆୟ, ନିଯୁକ୍ତି ହ୍ରାସ ଓ ବେକାରୀ ବୃଦ୍ଧି, ଖାଉଟୀ ସାମଗ୍ରୀର ମୂଲ୍ୟ ବୃଦ୍ଧି କିମ୍ବା ଲଦାଖରେ ଚୀନର ଅନୁପ୍ରବେଶ ବିଷୟରେ କେହି ପ୍ରଶ୍ନ ପଚାରିବେ ନାହିଁ। ବ୍ୟକ୍ତିତ୍ୱର ମେଷଯୁଦ୍ଧରେ ଏସବୁ ମୁଖ୍ୟ ପ୍ରସଙ୍ଗ ନହୋଇ ଅପ୍ରସଙ୍ଗ ହୋଇଯିବ।

Narendra Modi VS Rahul Gandhi

Narendra Modi VS Rahul Gandhi

Debendra Prusty
  • Published: Saturday, 15 April 2023
  • Updated: 15 April 2023, 03:11 PM IST

News Highlights

  • କର୍ଣ୍ଣାଟକରେ ବୋମାଇ ସରକାରଙ୍କ ବିଫଳତା କଥା ନଉଠାଇ ରାହୁଳ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦକୁ ପ୍ରସଙ୍ଗ କଲେ କଂଗ୍ରେସର ଫାଇଦା କ’ଣ?
  • କର୍ଣ୍ଣାଟକରେ ପୁଣି ଥରେ ଜିତିବାକୁ ବିଜେପି ଦରବୃଦ୍ଧି, କୃଷକ ସମସ୍ୟା, ନିଯୁକ୍ତି ହ୍ରାସ ଆଦିକୁ ପଛରେ ରଖି ରାହୁଳ-ମୋଦି ବ୍ୟକ୍ତିକୈନ୍ଦ୍ରିକ ଲଢ଼େଇକୁ ଆଗକୁ ଆଣୁଛି କି?
  • ଦେଶ ଓ ରାଜ୍ୟର ମୌଳିକ ସମସ୍ୟା ଉପରେ ନିର୍ବାଚନ ଲଢ଼ିଲେ ହୁଏତ ଜାତୀୟ ରାଜନୀତିର ମୋଡ଼ ବଦଳିପାରେ, ଏହା ବିରୋଧୀ ବୁଝିବା ଅବସ୍ଥାରେ ନାହାନ୍ତି।

Sports

Latest News

ରାହୁଲ ଗାନ୍ଧୀଙ୍କୁ ବିଚାରାଳୟ ଦୋଷୀ ସାବ୍ୟସ୍ତ କରି ଦୁଇବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ମାତ୍ରେ ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ କରାଯିବା ଓ ତାହା ପରେ ପରେ ତାଙ୍କୁ ସରକାରୀ ବଙ୍ଗଳା ଛାଡ଼ିବାକୁ କୁହାଯିବା ଘଟଣାକ୍ରମକୁ ଦେଖିଲେ ହୁଏତ ଅନେକଙ୍କୁ ଦେଖାଯିବ ଯେ ଭାରତୀୟ ଜନତା ପାର୍ଟି ଏଭଳି କରି ବହୁତ ବଡ଼ ଜୁଆ ଖେଳିଛି। କାହିଁକି ନା, ଘଟଣାକ୍ରମ କଂଗ୍ରେସ ଦଳକୁ ରାଗିପାଚି ଲାଲ କରିଦେଇଛି ଓ ଅଧିକାଂଶ ମୋଦି ବିରୋଧୀ ରାଜନେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିଦେଇଛି। ମୋଦି-ଶାହା ଯୋଡ଼ି ଗାଣତାନ୍ତ୍ରିକ ଭିନ୍ନମତକୁ ଅସହନଶୀଳ ଜୋତା ତଳେ ମାଡ଼ିମକଚି ଅବଦମିତ କରିଥିବାର ଅଭିଯୋଗ ଆଣିଛନ୍ତି ଏମାନେ।

ଏହାକୁ ଲକ୍ଷ୍ୟକରି ଭାଜପା ନେତା ରବି ଶଙ୍କର ପ୍ରସାଦ କହିଛନ୍ତି ଯେ, ରାହୁଲ ନିଜର ସାଂସଦ ପଦ ହରାଇବାକୁ ପ୍ରସଙ୍ଗ କରି ନିଜକୁ 'ଶହୀଦ' ଭାବେ ଚିତ୍ରଣ କରି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଯୁଦ୍ଧରେ ଅସ୍ତ୍ରରୂପେ ବ୍ୟବହାର କରି କାବେରୀ ନଦୀରେ ସମବେଦନାର ବନ୍ୟା ସୃଷ୍ଟି କରିବାର ପ୍ରୟାସ କରୁଛନ୍ତି ଓ ସେଇଥିପାଇଁ ସେ ଉପର ଅଦାଲତକୁ ତୁରନ୍ତ ଗଲେନାହିଁ। ତଳ ଅଦାଲତଙ୍କ ରାୟ ବିରୁଦ୍ଧରେ ସେ ଉପର ଅଦାଲତରୁ ସ୍ଥଗିତାଦେଶ ଆଣିଥିଲେ, ସାଂସଦ ପଦରେ ହୁଏତ ଏତେବେଳକୁ ସେ ପୁନଃସଂସ୍ଥାପିତ ହୋଇ ସାରନ୍ତେଣି। କିନ୍ତୁ ରାଜନୈତିକ ରୁଟି ସେକିବା ପାଇଁ ସେ ଶହୀଦ ବୋଲାଇବାକୁ ଅଧିକ ଉଚିତ ମଣିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ କ'ଣ ସତରେ ଏତେ ଆତ୍ମବିଶ୍ୱାସୀ ଓ ଅହଙ୍କାରୀ ହୋଇଗଲେ ଯେ, ରାହୁଲଙ୍କ ଶହୀଦ ଅବତାର କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଯୁଦ୍ଧକ୍ଷେତ୍ରରେ ଭାଜପା ପାଇଁ ମୃତ୍ୟୁଘଣ୍ଟି ବଜାଇବ ବୋଲି ଜାଣି ପାରିଲେନି! କାହିଁକି ସେମାନେ ରାହୁଲଙ୍କୁ ଶହୀଦ ସଜାଇଲେ? ପ୍ରଥମ, କର୍ଣ୍ଣାଟକରେ, ଏକ ଓଦା ଉଇକେଟରେ ଭାଜପା ବ୍ୟାଟିଂ କରୁଛି। ଶକ୍ତିଶାଳୀ ଲିଙ୍ଗାୟତ ସମ୍ପ୍ରଦାୟର ମଉଡ଼ମଣି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କୁ ଅସଜଡ଼ା କମାଣ ସମ୍ଭାଳିବାର ଦାୟିତ୍ୱ ଦେଇ ଭାଜପା ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ଦେଇଛି ସି ଏମ ବାସବରାଜ ବୋମାଇଙ୍କ ହାତରେ।

ବୋମ୍ମାଇଙ୍କ ଅମଳରେ ସରକାରଙ୍କ କାର୍ଯ୍ୟକଳାପ ଭଲ ନଥିଲେ ବି ମୁସଲମାନଙ୍କ ପାଇଁ ଚାକିରୀରେ ଥିବା ୪ ପ୍ରତିଶତ ସଂରକ୍ଷଣକୁ ହଟାଇ ଥିବାରୁ ଭାଜପା ଜାତି ଆଧାରରେ ଅଙ୍କ କଷିବାର ପ୍ରୟାସ କରିଛି। ମୁସଲମାନଙ୍କ ଭୋଟ ପାଇବାର ଆଶା ନଥିବାରୁ ଦଳିତବର୍ଗ ଭୋକାଲିଙ୍ଗା ଏବଂ ଲିଙ୍ଗାୟତଙ୍କ ପାଇଁ ସଂରକ୍ଷଣ କୋଟା ବୃଦ୍ଧି କରିଛି। ଏହା ଭାଜପା ଦଳର ସାମ୍ପ୍ରଦାୟିକ ଧୃବୀକରଣ ରଣନୀତି। ପୂର୍ବରୁ ଟିପୁ ସୁଲତାନ, ‘ଲଭ ଜିହାଦ୍’ ଇତ୍ୟାଦି ଉପରେ କେନ୍ଦ୍ରିତ ଭାଜପା ରଣନୀତିରେ ଆମେ ପରିବର୍ତ୍ତନ ଆସିଥିବାର ଲକ୍ଷ୍ୟ କରୁଛେ; ଯଦିଓ ବିଜେପି ନେତୃତ୍ୱ ଏଥିରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ ନୁହଁନ୍ତି। ଅନ୍ୟାନ୍ୟ ରାଜ୍ୟରେ, କଂଗ୍ରେସର ଆକ୍ରମଣ ପ୍ରଭାବୀ ହୋଇପାରୁନଥିବା ବେଳେ ଡି. କେ. ଶିବକୁମାରଙ୍କ ନେତୃତ୍ୱାଧୀନ ରାଜ୍ୟ କଂଗ୍ରେସ ବୋମ୍ମାଇଙ୍କ ନେତୃତ୍ୱାଧୀନ ସରକାର ଉପରେ ଦୁର୍ନୀତି, ଭୁଲ-ପରିଚାଳନା ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ପ୍ରବଳ ଚାପ ବଜାୟ ରଖିଚାଲିଛି। ଏଣୁ ଶିବକୁମାର ବନାମ ସିଦ୍ଧରମୟାଙ୍କୁ ଆଧାର କରି ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ଚାଲିବାର ଆଶଙ୍କା କରିଥିଲା ବିଜେପି। ବିଧାନସଭା ନିର୍ବାଚନ ସାଧାରଣତଃ ସ୍ଥାନୀୟ ପ୍ରସଙ୍ଗରେ ଲଢ଼ାଯାଇଥାଏ ଏବଂ ରାଜ୍ୟର ବିବାଦୀୟ ନେତାଙ୍କ ଅପାରଗତା, ଦୁର୍ନୀତି ଓ ସରକାରଙ୍କ ଫମ୍ପା ପ୍ରତିଶୃତିକୁ ପ୍ରସଙ୍ଗ କରି ଚଳିତ ନିର୍ବାଚନରେ ବିରୋଧୀ ଦଳମାନେ ପ୍ରଚାର କଲେ, ତାହା ବିଜେପି ପାଇଁ କେବେ ହେଁ ଅନୁକୂଳ ହୋଇ ନଥାନ୍ତା। ତେଣୁ ରାହୁଲ ଗାନ୍ଧୀଙ୍କ ‘ଶହୀଦ'ପଣିଆକୁ କେନ୍ଦ୍ର କରି ଏହି ନିର୍ବାଚନକୁ ନିଜ ସପକ୍ଷରେ ନେବାକୁ ଚାହୁଁଛି ଭାଜପା। ନିର୍ବାଚନ ପ୍ରଚାର ବେଳେ ମୋଦୀଙ୍କୁ ‘ଦୁର୍ନୀତିଗ୍ରସ୍ତ’, ‘ରାହୁଲଙ୍କ ପ୍ରତି ଭୟଭୀତ’, ‘ପ୍ରତିହିଂସା ପରାୟଣ’, 'ଗଣତନ୍ତ୍ରର କଣ୍ଠରୋଧକାରୀ' ଇତ୍ୟାଦି ଉପାଧି ପ୍ରଦାନକରି କଂଗ୍ରେସ କର୍ମୀମାନେ ପ୍ରଚାର କରିବେ ବୋଲି ସ୍ଥିର କରୁଥିବା ଜଣା ଯାଉଛି। ‘ଶହୀଦ’ ରାହୁଲ ଗାନ୍ଧୀ ବନାମ 'ଅତ୍ୟାଚାରୀ' ମୋଦି’ - ଏହା ଏପର୍ଯ୍ୟନ୍ତ କଂଗ୍ରେସ ନେତାଙ୍କ ଦ୍ୱାରା ବ୍ୟବହୃତ ଶବ୍ଦ ହୋଇ ରହିଛି। କର୍ଣ୍ଣାଟକ ନିର୍ବାଚନରେ ବିଜେପି ଦେଖିବାକୁ ପସନ୍ଦ କରୁଥିବା ଏହାହିଁ ଏକ ସର୍ଭେ ରିପୋର୍ଟର କଥାବସ୍ତୁ।

ଦ୍ୱିତୀୟରେ, ଚଳିତ ବର୍ଷ କର୍ଣ୍ଣାଟକ କିମ୍ବା ପରବର୍ତ୍ତୀ କାଳରେ ଯଥାକ୍ରମେ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଜିତନ୍ତୁ କିମ୍ବା ହାରିଯାଆନ୍ତୁ, ରାହୁଲ ଗାନ୍ଧୀ ଓ ତାଙ୍କ କଂଗ୍ରେସ ଦଳ କିନ୍ତୁ ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ମୋଦି କୈନ୍ଦ୍ରିକ ନିର୍ବାଚନ ଅଭିଯାନ ଜାରି ରଖିବାକୁ ନିଷ୍ପତ୍ତି ନେଇଥିବା ଭଳି ମନେ ହେଉଛି। ୨୦୧୯ରେ ରାଫେଲ ଚୁକ୍ତିକୁ ନେଇ କଂଗ୍ରେସ ନିର୍ବାଚନ ପ୍ରଚାର କରିଥିଲା ବେଳେ ୨୦୨୪ରେ ହିଣ୍ଡେନବର୍ଗ ରିପୋର୍ଟ ଆଧାରିତ ପ୍ରଚାର କରାଯାଇ ପାରିଥାଆନ୍ତା। ୨୦୧୯ରେ ଅ୩ଲ ଅମ୍ବାନୀଙ୍କୁ ନେଇ ପ୍ରଚାର ହୋଇଥିଲା, ୨୦୨୪ରେ ଗୌତମ ଆଦାନୀଙ୍କୁ ନେଇ ଚକ୍ରବ୍ୟୁହ ରଚାଯାଇ ପାରିଥାନ୍ତା। ଲୋକସଭା ନିର୍ବାଚନବେଳକୁ ପୁଣିଥରେ ରାହୁଳ କହିଥିବା 'ଚୌକିଦାର ଚୋର ହୈ' ସ୍ଲୋଗାନ ବଳ ପାଇଥାଆନ୍ତା। କିନ୍ତୁ, ରାହୁଲ ଗାନ୍ଧୀ ଥରେ ସତ୍ୟ ଏବଂ ନ୍ୟାୟ ପାଇଁ ଲଢୁଛନ୍ତି ବୋଲି ମନେ ମନେ ନିଶ୍ଚିତ ହେବା ପରେ ବଦଳ ରଣନୀତି ଆପଣେଇବାର କୌଶଳ ଗ୍ରହଣ କରନ୍ତିନାହିଁ। କେବଳ ଲୋକସଭା ସାଂସଦଭାବେ ଅଯୋଗ୍ୟତାକୁ ତାଙ୍କର କର୍ମୀମାନେ ରାହୁଲଙ୍କର ସଂକଳ୍ପ ଭାବେ ଧରିନେଇ ନିର୍ବାଚନ ପ୍ରଚାର କରିବାର ସମ୍ଭାବନା ରହିଛି। କଂଗ୍ରେସ ଦଳ ଯେଭଳି ୨୦୧୯ ନିର୍ବାଚନ ଅଭିଯାନ ଚଳାଇଥିଲା ୨୦୨୪ ନିର୍ବାଚନରେ ତାହାର ପୁନରାବୃତ୍ତି କରୁ ବୋଲି ବିଜେପି ଚାହୁଁଛି।

ତୃତୀୟ କାରଣ ହେଉଛି, ମୋଦୀ-ବନାମ-ରାହୁଲ କୈନ୍ଦ୍ରିକ ପ୍ରଚାର ଅଭିଯାନ, ଯାହା କର୍ଣ୍ଣାଟକର ଭାଜପା ରାଜ୍ୟ ସରକାରଙ୍କ ବିଫଳତାକୁ ଏଡ଼ାଇ ଦେବାକୁ ସମର୍ଥ। ଏପରି ପ୍ରଚାର ଚାଲିଲେ, ଅତୀତରେ ଭାଜପା ସରକାର ଦେଇଥିବା ପ୍ରତିଶୃତି ଯଥା: କର୍ଣ୍ଣାଟକ କୃଷକଙ୍କ ଦ୍ୱିଗୁଣିତ ଆୟ, ନିଯୁକ୍ତି ହ୍ରାସ ଓ ବେକାରୀ ବୃଦ୍ଧି, ଖାଉଟୀ ସାମଗ୍ରୀର ମୂଲ୍ୟ ବୃଦ୍ଧି କିମ୍ବା ଲଦାଖରେ ଚୀନର ଅନୁପ୍ରବେଶ ବିଷୟରେ କେହି ପ୍ରଶ୍ନ ପଚାରିବେ ନାହିଁ। ବ୍ୟକ୍ତିତ୍ୱର ମେଷଯୁଦ୍ଧରେ ଏସବୁ ମୁଖ୍ୟ ପ୍ରସଙ୍ଗ ନହୋଇ ଅପ୍ରସଙ୍ଗ ହୋଇଯିବ।

ଚତୁର୍ଥରେ, ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ପକ୍ଷରୁ ‘ଶହୀଦ’ ଭାବେ ଚିତ୍ରଣକୁ ଭାଜପା ଆଇନ ଅଦାଲତ ଉପରେ ଅନାବଶ୍ୟକ ମନ୍ତବ୍ୟ ଭାବେ ଉପସ୍ଥାପିତ କରି, ମୋଦୀ-ଶାହାଙ୍କୁ ଅଯଥାରେ ଶରବ୍ୟ କରାଯାଉଛି ବୋଲି ପ୍ରଚାର ଚଳାଇବ। କିଛିଦିନ ତଳେ କଂଗ୍ରେସ ନେତାଙ୍କ ଦ୍ୱାରା ପଛୁଆ ବର୍ଗ (ଓବିସି)ର ଅପମାନଜନକ ମନ୍ତବ୍ୟକୁ ଭାଜପା ତେଜାଇ ରଖିବା କାରଣରୁ ତାହା 'ଶହୀଦ' ପ୍ରସଙ୍ଗ ଅପେକ୍ଷା ଭାରି ପଡ଼ିବା ସମ୍ଭାବନା ଅଧିକ। ତେବେ, ଦାକ୍ଷିଣାତ୍ୟ ରାଜ୍ୟ କର୍ଣ୍ଣାଟକରେ ଭାଜପା ଆଗକୁ ଅଧିକ ଆକର୍ଷଣୀୟ ନିର୍ବାଚନ ରଣନୀତି ଆଣିପାରେ, ଯାହା ନିର୍ବାଚନକୁ ଖର୍ଚ୍ଚ ବହୁଳ କରିବା ନିଶ୍ଚିତ। ଭାଜପା ରଣନୀତି ବଦଳେଇ ନିର୍ବାଚନର ଫଳାଫଳକୁ ନିଜ ସପକ୍ଷରେ ନେବାପାଇଁ ଚେଷ୍ଟାକଲାବେଳେ କଂଗ୍ରେସ ରାହୁଲଙ୍କୁ ଖୁସି କରି ରଖିବାକୁ ସାଂସଦ ପଦ ରଦ୍ଦ ଓ ମୋଦିଙ୍କ ବିରୁଦ୍ଧରେ ତୁମ୍ବିତୋଫାନ କରିବାକୁ ପ୍ରାଧାନ୍ୟ ଦେବ। ବାସ୍ତବରେ, ତାହାହିଁ ଚାହୁଁଛି ଭାଜପା। ଏଣୁ ଭାଜପା ଜାଲରେ କଂଗ୍ରେସ ଫସିଯିବାର ସମ୍ଭାବନା ବହୁ ଅଧିକ।

ରାହୁଲ ଗାନ୍ଧୀଙ୍କ ସାଂସଦପଦ ରଦ୍ଦ ହେବା ପରେ ତାଙ୍କର ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ମମତା ବାନାର୍ଜୀ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଭଳି ରାଜନେତା କରିଥିବା ସମର୍ଥନ ଓ ସହାନୁଭୂତି ପାଇ କଂଗ୍ରେସ ଉତ୍ସାହିତ ଅନୁଭବ କରୁଛି। କିନ୍ତୁ ଏପରି ଅନୁଭବ ଯେ ଏକ ଭ୍ରାନ୍ତି, ତାହା ବିଜେପି ରଣନୀତିଜ୍ଞମାନେ ଜାଣନ୍ତି। ଏହା କଂଗ୍ରେସ ବା ରାହୁଲଙ୍କ ପ୍ରତି ସମର୍ଥନ ନୁହେଁ, ବରଂ ମୋଦିଙ୍କୁ ସେମାନେ ସମାଲୋଚନା କରିବାର ଏକ ସୁଯୋଗ ପାଇଥିଲେ, ଏହା ସମସ୍ତେ ଜାଣନ୍ତି। ରାହୁଳଙ୍କ ନେତୃତ୍ୱକୁ ସମସ୍ତ ବିରୋଧୀ ଦଳ ମାନି ନିଅନ୍ତୁ, ଏହା ଭାଜପା ପକ୍ଷରୁ ପ୍ରସ୍ତୁତ ରଣନୀତିର ଅଂଶ ବୋଲି ବିରୋଧୀ ଦଳମାନେ ଆଶଙ୍କା କରୁଥିଲେ। ପୂର୍ବରୁ ମଧ୍ୟ ମମତା ବାନାର୍ଜୀ ନିଶ୍ଚିତ ଥିଲେ ଯେ ଭାଜପା ରାହୁଳଙ୍କୁ ନାୟକ ଭାବେ ଉପସ୍ଥାପିତ କରିବାକୁ ଚେଷ୍ଟା କରୁଛି; ଯେ କି ଅଧିକାଂଶ ବିରୋଧୀ ନେତାଙ୍କ ପସନ୍ଦ ନୁହନ୍ତି। ହିଣ୍ଡେନବର୍ଗ ରିପୋର୍ଟ ଆଧାରରେ ଆଦାନୀଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ଆକ୍ରମଣ ଯଦିଓ ମୋଦିଙ୍କ ବିରୁଦ୍ଧରେ ଅଭିପ୍ରେତ, ତଥାପି ମହାରାଷ୍ଟ୍ରରେ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟିର ମୁଖ୍ୟ ଶରଦ ପାୱାରଙ୍କ ପାଇଁ ତାହା ଗ୍ରହଣୀୟ ହୋଇପାରିନି। କଂଗ୍ରେସ ନେତୃତ୍ୱାଧୀନ ବିରୋଧୀଙ୍କ ଶିବିରରୁ ଏନସିପି ଦୂରେଇ ରହିଛି। ଏସବୁ ଯେ କଂଗ୍ରେସ ଦଳର ରଣନୀତିକାରମାନେ ଜାଣନ୍ତି ନାହିଁ, ତାହା ନୁହେଁ। କିନ୍ତୁ କଂଗ୍ରେସର ଯୁବରାଜଙ୍କ ଖିଆଲ ଆଗରେ ସେ ସବୁର କିଛି ବି ମୂଲ୍ୟ ନାହିଁ। ଏବେ ହୁଏତ ଅନୁମାନ କରିବା କଷ୍ଟକର ନୁହେଁ ଯେ, କାହିଁକି ମୋଦି-ଶାହା ଯୋଡ଼ି କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ରାହୁଲ-ମୋଦି ମେଷଯୁଦ୍ଧ ପ୍ରାୟୋଜିତ କରିଛନ୍ତି।

ଲୋକସଭାର ମୋଟ ୫୪୩ ଆସନ ମଧ୍ୟରୁ ଭାଜପା ୩୦୩ ଆସନ ସହ କ୍ଷମତା ଦଖଲ କରିବାକୁ ସମର୍ଥ ହୋଇଥିବା ବେଳେ ୩୬ଟି ବିରୋଧୀ ଦଳ ବହୁଧା ବିଭକ୍ତ। ସେମାନଙ୍କ ମଧ୍ୟରେ ରାଜନୈତିକ ମେଣ୍ଟ ବା ସମନ୍ୱୟ ନଥିବାରୁ ବିଜେପିର ମୁକାବିଲା କରିବାକୁ ବିରୋଧୀ ଅସମର୍ଥ। କିଛି ଦଳ କଂଗ୍ରେସରୁ ନିଜକୁ ବିଚ୍ଛିନ୍ନ କରି ସୃଷ୍ଟି ହୋଇଥିଲା ବେଳେ ଆଉ କିଛି କଂଗ୍ରେସ ବିରୋଧୀ ରାଜନୀତିରୁ ସୃଷ୍ଟ। ଏଣୁ ସେମାନଙ୍କ ପକ୍ଷେ କଂଗ୍ରେସ ସହିତ ଗଠବନ୍ଧନ ଅସହଜ ହୋଇଆସିଛି। କିଛି ଦଳ ସ୍ୱଳ୍ପ ସମୟ ପାଇଁ କଂଗ୍ରେସର ନିକଟତର ହୋଇଥିଲେ ବି ତାହା ଆଦର୍ଶଗତ ନହୋଇ ସୁବିଧାବାଦ ପଦକ୍ଷେପ ବୋଲି ଜନତା ଜାଣନ୍ତି। କଂଗ୍ରେସର ବିଫଳତା କାରଣରୁ ଆପ୍ ଦଳର ସୃଷ୍ଟି ଓ ଅଭିବୃଦ୍ଧି ଘଟିଛି। କେରଳ ଓ ପଶ୍ଚିମ ବଙ୍ଗରେ ସିପିଏମ ଓ କଂଗ୍ରେସ ଚିରାଚରିତ ପ୍ରତିଦ୍ୱନ୍ଦୀ। ବିଭିନ୍ନ ପ୍ରସଙ୍ଗରେ ପ୍ରତିଟି ରାଜନୈତିକ ଦଳର ପ୍ରତିଷ୍ଠାତା, ସଭାପତିଙ୍କ ବ୍ୟକ୍ତିଗତ ମହତ୍ୱାକାଂକ୍ଷା କାରଣରୁ ଭିନ୍ନ ଭିନ୍ନ ମତ ରହିବା ବି ଆମେ ଲକ୍ଷ୍ୟ କରୁଛେ। ନିଜର ଚରଣଭୂମିରେ ନିଜ ପତିଆରାକୁ ଅତୁଟ ରଖିବା ସହ ଭବିଷ୍ୟତରେ ବିସ୍ତାର ପାଇଁ ଆଶାୟୀ ଦଳଗୁଡ଼ିକ ପରଷ୍ପରକୁ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ରୂପେ ଦେଖନ୍ତି ଓ ନିଜର କର୍ମୀମାନଙ୍କୁ ବୁଥ ସ୍ତରରେ ଲଢାନ୍ତି। ତେଣୁ ସବୁ ବିରୋଧୀଦଳଙ୍କୁ ନେଇ ରାଜନୈତିକ ମେଣ୍ଟ ଗଠନ ଏତେ ସହଜ ନୁହେଁ। ଯେନତେନ ପ୍ରକାରେଣ ବିଜେପି କ୍ଷମତାରେ ରହିବାକୁ ଚାହୁଁଥିବା କଥା ଏବେ ବିରୋଧୀ ଦଳଙ୍କ ନିକଟରେ ସ୍ପଷ୍ଟତର ହୋଇ ସେମାନଙ୍କୁ ଆତଙ୍କିତ କରିବାକୁ ଲାଗିଲାଣି। ‘କଂଗ୍ରେସମୁକ୍ତ ଭାରତ’ କଥା କହୁଥିବା ଭାଜପା ପ୍ରକୃତରେ ଯେ ଏକ ‘ବିରୋଧୀମୁକ୍ତ ଭାରତ’ର ସ୍ୱପ୍ନ ଦେଖୁଛି, ଏଭଳି ଏକ ଅସ୍ୱସ୍ତିକର ଭୟ ସେମାନଙ୍କୁ ଗ୍ରାସ କରୁଥିବାରୁ ସେମାନେ ଗୋଟିଏ ତୁଠରେ ପାଣି ପିଇବାକୁ ମେଳ ହେଉଛନ୍ତି। କଂଗ୍ରେସକୁ ବାଦ୍ ଦେଇ ଦେଶବ୍ୟାପୀ ଗୋଟିଏ ମେଣ୍ଟର ପରିକଳ୍ପନା ସ୍ୱଳ୍ପ ସମୟ ପାଇଁ ହେଉ ପଛେ, ସମ୍ଭବ ବୋଲି ସମସ୍ତେ ହୃଦବୋଧ କରନ୍ତି। ନିଜର ରାଜନୈତିକ ମହତ୍ୱାକାଂକ୍ଷା ଚରିତାର୍ଥ କରିବାର ଗୋପନ ଇଚ୍ଛା ସହିତ ଦଳର ଅସ୍ତିତ୍ୱ ବଜାୟ ରଖିବା ଓ ଭାଜପାକୁ ଗାଦିଚ୍ୟୁତ କରିବା ଏପରି ଅନେକ ଶିକାର କରିବା ଲକ୍ଷରେ କରିତକର୍ମା ରାଜନେତାମାନେ ବିବୃତି-ଶର ନିକ୍ଷେପ କରି ଚାଲିଛନ୍ତି, ଯାହା ଫଳବତୀ ହେବାର ସମ୍ଭାବନା ଦେଖାଯାଉନାହିଁ।

ଆଶା କରାଯାଏ, ରାଷ୍ଟ୍ରହିତରେ ଏକ ବୃହତ୍ତର ରାଜନୈତିକ ଲକ୍ଷ୍ୟ ହାସଲ କରିବା ଲାଗି ସମସ୍ତ ରାଜନୈତିକ ଦଳ ପରସ୍ପର ମଧ୍ୟରେ ଥିବା ମତାନୈକ୍ୟ ଓ ବିରୋଧାଭାସକୁ ପରିତ୍ୟାଗ କରି ରାଜନୈତିକ ସ୍ତରରେ ନିକଟତର ହେବାର ପ୍ରୟାସ କରିବେ। ତାହାହେଲେ ଯାଇ ରାହୁଳ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ଯୋଗୁଁ ଆକସ୍ମିକ ଭାବେ ଆତ୍ମପ୍ରକାଶ କରିଥିବା ସୁବିଧାବାଦୀ ମେଣ୍ଟ ହୁଏତ ଏକ ବୃହତ୍ତର ବୈଚାରିକ ରାଜନୈତିକ ଦଳରେ ବିବର୍ତ୍ତିତ ହୋଇଯାଇ ପାରିବ। ଏପରି ହୋଇପାରିଲେ, ଆଭ୍ୟନ୍ତରୀଣ ଦଳୀୟ ଗଣତନ୍ତ୍ର ସଶକ୍ତ ହେବ, ସର୍ବବୃହତ ଗଣତନ୍ତ୍ର ଏବଂ ଭାରତୀୟ ରାଜନୀତିକୁ ଏକ ଗୁରୁତ୍ୱପୂର୍ଣ୍ଣ ଦିଗଦର୍ଶନ ମିଳିବ। ଯଦିଓ ଏହା ଏକ କଳ୍ପନା ବିଳାସ ବୋଲି କୁହା ଯାଇପାରିବ, ତଥାପି, ଆମେ ଦେଶ ସ୍ୱାର୍ଥରେ ଏପରି ଆଶା କରିବା ସଦା ଆବଶ୍ୟକ। ତେବେ, ଭାଜପା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ନିଜ ଜାଲରେ ନିଜେ ଗୁଡ଼େଇ ହୋଇ କ୍ଷମତାରୁ ବାହାର ହେଉଛି କି କଂଗ୍ରେସକୁ ପୁନର୍ବାର ମାତ୍ ଦେଉଛି, ତାହା ମଇ ୧୩ ତାରିଖରେ ମତଗଣନା ପରେ ଜଣା ପଡ଼ିଯିବ।

ଜାନକୀଶ ବଡ଼ପଣ୍ଡା

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos