- ସୁଧାଂଶୁ ରଞ୍ଜନ ଦାସ
ଭୂତାଣୁ ବିଶାରଦମାନେ କହନ୍ତି କରୋନାର ତୃତୀୟ ଲହର ଅତ୍ୟନ୍ତ ଭୟାନକ ହେବ। କରୋନାର ତୃତୀୟ ବାର ଆଗମନ ସେପ୍ଟେମ୍ବର ମାସରେ ହେବ ବୋଲି କେତେ ଜଣ ଭୂତାଣୁ ନିରୀକ୍ଷକ କହିଛନ୍ତି। ଏପର୍ଯ୍ୟନ୍ତ କରୋନା ଦେଶରେ ୩,୭୪,୦୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ମୃତ୍ୟ ଦେଲାଣି। ଓଡ଼ିଶାରେ ମଧ୍ୟ କରୋନାରେ ୩୨୦୦ରୁ ଅଧିକ ଲୋକଙ୍କର ମୃତ୍ୟ ହେଲାଣି। ଭାକସିନ ଦେବାରେ ବିଳମ୍ବ, ଭାକସିନ ନେବା ପାଇଁ ଲୋକଙ୍କ ଭିତରେ ଡର, କରୋନାର ରାଜନୀତିକରଣ, ଉପଯୁକ୍ତ ହସ୍ପିଟାଲ ସୁବିଧାର ଅଭାବ, ରୋଗୀ ତୁଳନାରେ କମ ସଂଖ୍ୟକ ଡାକ୍ତର ଓ ନର୍ସ, କରୋନା ରୋଗୀର ଉପଚାର ପାଇଁ ପର୍ଯ୍ୟାପ୍ତ ହସ୍ପିଟାଲ ଉପକରଣର ଅଭାବ ଓ କେତେକ ଘରୋଇ ହସ୍ପିଟାଲର ଲାଭଖୋର ନୀତି ଇତ୍ୟାଦି କରୋନାର ଦ୍ଵିତୀୟ ଲହରକୁ ଅତ୍ୟନ୍ତ ଭୟାଭହ କରିଦେଇଥିଲା। ଅନେକ ଜାଗାରେ କରୋନା ଔଷଧ, ଇଞ୍ଜେକ୍ସନ, ଅକ୍ସିଜେନ ଓ ଭେଣ୍ଟିଲେଟର କଳାବଜାରରେ ଅତ୍ୟଧିକ ଦାମରେ ବିକ୍ରୀ ହୋଇଥିବାରୁ ଏହା ଅନେକ ମୃତ୍ୟୁର କାରଣ ହୋଇଥିଲା। କେତେ ଜାଗାରେ ଭେଜାଲ ଔଷଧ ବିକ୍ରୀ ହେଉଥିବାର ଖବର ମଧ୍ୟ ପ୍ରକାଶ ପାଇଛି। ତେଲେଙ୍ଗାନା ମୁଖ୍ୟ ବିଚାରାଳୟ ହାଇଦ୍ରାବାଦରେ ଥିବା ହସ୍ପିଟାଲଗୁଡିକ କରୋନା ରୋଗୀଙ୍କଠାରୁ ମନ ଇଛା ଚାର୍ଜ କରୁଥିବାରୁ ସେମାନଙ୍କ ବିରୁଦ୍ଧରେ କଡା ପଦକ୍ଷେପ ନେବାପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଫଳରେ ରାଜ୍ୟ ସରକାର ରୋଗୀମାନଙ୍କଠାରୁ ୧୭୪ଟି ଅଭିଯୋଗ ପାଇଲାପରେ ୧୧୩ଟି ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ ଦେଇଥିଲେ ଓ ୨୨ଟି ହସ୍ପିଟାଲକୁ କରୋନା ରୋଗୀଙ୍କୁ ଚିକତ୍ସା କରିବା ପାଇଁ ପ୍ରତିବନ୍ଧ ଲଗାଇଥିଲେ। ଦେଶର ମୁଖ୍ୟ ନ୍ୟାୟାଳୟ ମଧ୍ୟ ମୋଦି ସରକାରଙ୍କୁ ଏକ ୩୨ ପୃଷ୍ଠାର କୋର୍ଟ ନିର୍ଦେଶରେ ସରକାରଙ୍କ ଭାକ୍ସିନେସନ କାର୍ଯ୍ୟକ୍ରମ ଉପରେ ପ୍ରତିକୂଳ ଟିପ୍ପଣୀ ଦେଇଛନ୍ତି। ଓଡ଼ିଶାର ସ୍ଥିତି ପଡ଼ୋଶୀ ରାଜ୍ୟ ତୁଳନାରେ ଯଦିଓ ଭଲ ଥିବାର ଜଣାପଡ଼େ ତଥାପି ଓଡ଼ିଶା ସରକାର କୌଣସି ପ୍ରକାର ଶୀଥିଳତା ନଦେଖାଇ କରୋନାର ତୃତୀୟ ଲହରକୁ ସାମନା କରିବା ପାଇଁ ସମସ୍ତ ପଦକ୍ଷେପ ନେବା ଉଚିତ।
ଓଡ଼ିଶାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲଗୁଡ଼ିକରେ କରୋନା ରୋଗୀଙ୍କ ପାଇଁ ପ୍ରକୃତରେ ସମସ୍ତ ସୁବିଧା ଉପଲବ୍ଧ ଅଛି କି ନାହିଁ ଏହାର ଅଡିଟ ହେବା ନିହାତି ଆବଶ୍ୟକ। ହସ୍ପିଟାଲଗୁଡ଼ିକ ରୋଗୀଙ୍କଠାରୁ ଯଦି ଅତ୍ୟଧିକ ଚାର୍ଜ କରୁଥିବେ ତେବେ ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବା ଉଚିତ। ଅନେକ ସମୟରେ ଲାଭଖୋର ହସ୍ପିଟାଲ ମାଲିକମାନଙ୍କ କାର୍ଯ୍ୟକଳାପ ଦ୍ୱାରା ନିରୀହ ଡାକ୍ତର ଓ ନର୍ସମାନେ ବଦନାମ ହୋଇଥାନ୍ତି। ଘରୋଇ ହସ୍ପିଟାଲର ମାଲିକମାନେ ବ୍ୟବସାୟ ଅପେକ୍ଷା ସେବାକୁ ମହତ୍ୱ ଦେବା ଉଚିତ। ହସ୍ପିଟାଲ ମାଲିକମାନଙ୍କ ଭିତରେ ସେବା ମନୋଭାବ ଜାଗୃତ କରିବା ପାଇଁ ସେମାନଙ୍କୁ କୌଣସି ଆଧ୍ୟାତ୍ମିକ ସଂସ୍ଥା ଦ୍ୱାରା ତାଲିମ ଦେବା ଦରକାର। ଓଡ଼ିଶାରେ ଥିବା ମେଡିକାଲ କଲେଜରେ ପଢ଼ିବାପାଇଁ ପିଲାମାନଙ୍କୁ କେବଳ ମେରିଟ ଆଧାର ଉପରେ ସୁଯୋଗ ଦେବା ଉଚିତ। ଲକ୍ଷ ଲକ୍ଷ ଟଙ୍କା ଦାନଦେଇ ମେଡିକାଲ କଲେଜରେ ଆଡମିଶନ କରିଥିବା ଛାତ୍ର କେବେବି ଭଲ ଡାକ୍ତର ହୋଇପାରିବନାହିଁ।
ମହାମାରୀ ସମୟରେ ସ୍ଵଚ୍ଛ ଜଳର ବହୁତ ଆବଶ୍ୟକତା ଥାଏ। ହାତ ମୁହଁ ବାରମ୍ବାର ଧୋଇଲେ କରୋନା ଭୂତାଣୁ ଫୁସଫୁସ ଭିତରକୁ ଯାଇପାରେନାହିଁ। ପ୍ରଥମେ ସରକାର ଓଡ଼ିଶାରେ ଥିବା ସମସ୍ତ ନଦୀ, ହ୍ରଦ, ପୋଖରୀ ଓ କୂଅଗୁଡିକୁ ଜିଓ- ଟ୍ୟାଗ କରି ଏହାର ସୁରକ୍ଷା ଓ ନବୀକରଣ କରିବା ଦରକାର। ପର୍ଯ୍ୟାପ୍ତ ପରିମାଣରେ ଜଳଧନ ଥିବା ସତ୍ତ୍ୱେ ଓଡ଼ିଶାର ଅନେକ ଜିଲାରେ ଆଜି ଉତ୍କଟ ଜଳାଭାବ ଦେଖାଯାଉଛି। ଓଡ଼ିଶାର ଲୋକପ୍ରିୟ, ଉଚ୍ଚ ଶିକ୍ଷିତ ଓ ଲେଖକ ମୁଖ୍ୟମନ୍ତ୍ରୀ ଜଳଧନର ସୁରକ୍ଷା ପାଇଁ ଏକ ପ୍ରଭାବଶାଳୀ ଆଇନ ପ୍ରଣୟନ କରିବା ଦରକାର। ଜଳଧନର ସୁରକ୍ଷା ଲୋକମାନଙ୍କ ପାଇଁ ସ୍ଵଚ୍ଛଜଳ ଉପଲବ୍ଧି କରିପାରିବ। ଏହା କରୋନାର ତୃତୀୟ ଲହରକୁ ରୋକିବାରେ ସହାୟକ ହେବ।
ଲୋକଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଫଳ, ପନିପରିବା ଓ ଶାଗ ଆଦି ଫସଲ ବହୁଳ ଭାବରେ ଚାଷ କରିବା ସଂଗେ ସଂଗେ ଦୁଗ୍ଧ ଉତ୍ପାଦନ ପାଇଁ ସମସ୍ତ ପଦକ୍ଷେପ ନେବା ଉଚିତ। ଗୋ ସମ୍ପଦ ବୃଦ୍ଧି ପାଇଁ ଗୋଖାଦ୍ୟ ଓ ଜଳ ଛୋଟଚାଷୀମାନଙ୍କ ପାଇଁ କମ ଦାମରେ ଉପଲବ୍ଧି ହେବା ଦରକାର। ଗୋଖାଦ୍ୟର ଅତ୍ୟଧିକ ମୂଲ୍ୟବୃଦ୍ଧି, ଚାରା ଓ ଘାସର ଅଭାବରୁ ରାଜ୍ୟର ଗୋପାଳ ସମ୍ପ୍ରଦାୟ ଗୋରୁ ରଖିବା ପାଇଁ ସକ୍ଷମ ହେଉନାହାନ୍ତି। ଗୋପାଳନ କିଭଳି ସ୍ୱଳ୍ପ ବ୍ୟୟରେ ହୋଇପାରିବ ସେଥିପାଇଁ ସରକାର ସମସ୍ତ ପଦକ୍ଷେପ ନେବା ଉଚିତ। ଆଜି ଓଡ଼ିଶାର ୯୦ ପ୍ରତିଶତ ଲୋକ ଦିନରେ ଗୋଟେ ଗ୍ଲାସ କ୍ଷୀର ପିଇବା ପାଇଁ ମଧ୍ୟ ସକ୍ଷମ ନୁହନ୍ତି। ଦୁଗ୍ଧ ଉତ୍ପାଦନ ବୃଦ୍ଧିକରି ଏହାର ମୂଲ୍ୟ କମ କଲେ ଅନେକ ଲୋକ କ୍ଷୀରକୁ ନିଜର ନୀତିଦିନର ପାନୀୟ ହିସାବରେ ଗ୍ରହଣ କରିପାରିବେ। ଦୁଗ୍ଧ, ଫଳ ଓ ପନିପରିବା ଉତ୍ପାଦନରେ ବୃଦ୍ଧି ହେଲେ ଏହା ଓଡ଼ିଶାବାସୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ। ଓଡ଼ିଶାର ଅଧକାଂଶ ଲୋକ ବିଶେଷକରି ସହର ଅଂଚଳରେ ରହୁଥିବା ଲୋକମାନେ ବାହାରେ ପ୍ରତିଦିନ ଖାଇବାର ଏକ ବଦଭ୍ୟାସର ଶିକାର ହୋଇଛନ୍ତି। ଘରେ ପୁଷ୍ଟିକର ଖାଦ୍ୟ ଥିଲେ ମଧ୍ୟ ସେମାନେ ସକାଳ ହେଲେ ବରା, ପିଆଜି, ଇଡ଼ିଲି, ଦୋସା, ଦହିବରା ଆଳୁଦମ ଓ ସିଙ୍ଗଡ଼ା ଦୋକାନ ସାମନାରେ ଲାଇନ ଲଗାଉଛନ୍ତି। ଏହି ବଦଭ୍ୟାସକୁ ରୋକିବାକୁ ଚେଷ୍ଟା କଲେ ମଧ୍ୟ ସେମାନେ ନିଜକୁ ରୋକିପାରୁ ନାହାନ୍ତି। ସନ୍ଧ୍ୟା ହେଲେ ଯୁବପିଢ଼ି ଘରେ ନଖାଇ ଫାଷ୍ଟଫୁଡ ଦୋକାନ ଆଗରେ ଭିଡ଼ ଲଗାଉଛନ୍ତି। ସରକାର ଓ ଗଣମାଧ୍ୟମ ଲୋକଙ୍କ ଭିତରେ ଘର ତିଆରି ପୁଷ୍ଟିକର ଖାଦ୍ୟ ବିଷୟରେ ଲୋକସଚେତନାତା ସୃଷ୍ଟି କରିବା ଉଚିତ। ରାସ୍ତାକଡ଼ ଉଠା ଦୋକାନରେ ଓ ବଡ଼ ବଡ଼ ହୋଟେଲରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥର ଗୁଣାତ୍ମକମାନକୁ ପରୀକ୍ଷା କରି ଭେଜାଲ ଖାଦ୍ୟ କିମ୍ବା ବାସି ଖାଦ୍ୟ ବିକୁଥିବା ବ୍ୟକ୍ତିକୁ ଦଣ୍ଡିତ କରିବା ଦରକାର।
ଓଡ଼ିଶାରେ ଥିବା ଆବର୍ଜନା ପରିପୂର୍ଣ୍ଣ ଜଳାଶୟଗୁଡ଼ିକୁ ତୁରନ୍ତ ସଫା କରାଇବା ଦରକାର। କାରଣ କରୋନା ସଂକ୍ରମଣ ସମୟରେ ଯଦି ଲୋକଙ୍କୁ ମେଲେରିଆ କିମ୍ବା ଟାଇଫଏଡ ହୁଏ ତେବେ ଏହାକୁ ଚିହ୍ନଟ କରି ଉପଚାର କରିବା କଷ୍ଟକର ହେବ। ଜନବହୁଳ ସହର କଟକରେ ଏବେବି ଦଳ ଓ ଆବର୍ଜନାରେ ପୂର୍ଣ୍ଣ ଅନେକ ପୋଖରୀ ଅଛି। ବାରବାଟୀ ଦୁର୍ଗ ଚାରିପାଖରେ ଥିବା ଖାଇଟି ଆଜି ମଧ୍ୟ ଦଳରେ ପରିପୂର୍ଣ୍ଣ ରହିଛି। ନିଜକୁ ଦେଶପ୍ରେମୀ କହୁଥିବା ନେତାମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଁ ଗଣ୍ଡାରେ ଏହି ସଫାଈ କାମ ହାତକୁ ନେବା ଉଚିତ। ଏହି ସେବା ନେତାମାନଙ୍କୁ ଲୋକପ୍ରିୟ କରିବା ସଂଗେ ସଂଗେ ବାକ୍ୟ ବୀରରୁ କର୍ମବୀରର ପରିଣତ କରିବ।
କରୋନାର ତୃତୀୟ ଲହାରକୁ ରୋକିବା ପାଇଁ ଦରକାର ଏକ ସୁପରିକଳ୍ପିତ ଯୋଜନା। ଯୋଜନାକୁ ଫଳବତୀ କରିବା ପାଇଁ ଦରକାର ରାଜନୈତିକ ଇଚ୍ଛା ଶକ୍ତି, ଦକ୍ଷ, ସଚ୍ଚୋଟ, କର୍ମଠ ଅଧିକାରୀ ଓ ଜନସାଧାରଣଙ୍କ ସହଯୋଗ। ଏହା ସହିତ ସବୁକ୍ଷେତ୍ରରେ ଏକ ବଳିଷ୍ଠ ନେତୃତ୍ୱ କରୋନା ସଂଗ୍ରାମରେ ଓଡ଼ିଶାକୁ ସହାୟତା କରିବ। ଗ୍ରାମର ମୁଖିଆ, ସାହୀ ମୁରବି, ଗଣମାଧ୍ୟମ ଓ ଯୁବପିଢ଼ି ମଧ୍ୟ ଏହି କରୋନା ଯୁଦ୍ଧରେ ପ୍ରମୁଖ ଭୂମିକା ନେବା ଦରକାର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।