ଏକକ ନିର୍ବାଚନ- ଏକ ଅନୁଶୀଳନ

ଗତ ନଭେମ୍ବର ୨୬, ସମ୍ବିଧାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପୁନର୍ବାର ଏକ ରାଷ୍ଟ୍ର, ଏକ ନିର୍ବାଚନର ଆହ୍ୱାନ ରଖିଥିଲେ। ଅଖିଳ ଭାରତୀୟ ପୀଠାସୀନ ଅଧିକାରୀ ସମ୍ମିଳନୀର ସମାପନ ସତ୍ରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ “ଭାରତରେ ପ୍ରାୟତଃ ପ୍ରତି ମାସରେ ନିର୍ବାଚନ ଅନୁଷ୍ଠିତ ହେଉଛି, ଯାହା ଉଭୟ ଅର୍ଥ ଓ ମାନବ ସମ୍ବଳର ବୃହତ ଅପବ୍ୟୟ ଘଟାଇବା ସହ ବିକାଶର ମାର୍ଗକୁ ବାଧାପ୍ରାପ୍ତ କରୁଛି।” ପୂର୍ବରୁ ମଧ୍ୟ ମୋଦୀ ବିଭିନ୍ନ ସମାରୋହ ଓ ଗଣମାଧ୍ୟମରେ ଏକକ ନିର୍ବାଚନ ପଦ୍ଧତି ପ୍ରଣୟନ ପାଇଁ ଦୃଢ଼ ମନ୍ତବ୍ୟ ଦେଇ ଆସୁଛନ୍ତି। ଏକକ ନିର୍ବାଚନ ଦେଶରେ ରାଜନୈତିକ ସ୍ଥିରତା ଆଣିବା ସହ ରାଜକୋଷର ଅତିରିକ୍ତ ବ୍ୟୟକୁ ହ୍ରାସ କରିପାରିବ। ଏଥି ସହିତ ସମସ୍ତ ନିର୍ବାଚନ ପାଇଁ ଗୋଟିଏ ମତଦାତା ସୂଚୀ ପ୍ରସ୍ତୁତ କରାଯାଇ ମାନବ ସମ୍ବଳର ଅପଚୟକୁ ମଧ୍ୟ ରୋକା ଯାଇପାରିବ।

ଜାତୀୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ଗୋଟିଏ ଲୋକସଭା କ୍ଷେତ୍ର ପାଇଁ ନିର୍ବାଚନ ପରିଚାଳନା ଖର୍ଚ୍ଚ ପ୍ରାୟ ୬୦-୮୦ ଲକ୍ଷ ଟଙ୍କା ହୋଇଥିବା ବେଳେ ଗୋଟିଏ ବିଧାନସଭା ପାଇଁ ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟ ହୋଇଥାଏ। ରାଜ୍ୟ ଓ ଆସନ ଅନୁଯାୟୀ ବ୍ୟୟରେ ବୃଦ୍ଧି ମଧ୍ୟ ହୋଇପାରେ। ନିକଟରେ ୧୦ଟି ରାଜ୍ୟର ୫୪ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ଆୟୋଜିତ ହୋଇଥିଲା। ତନ୍ମଧ୍ୟରେ ମଧ୍ୟପ୍ରଦେଶର ୨୮, ଗୁଜରାଟର ୮, ଉତ୍ତର ପ୍ରଦେଶର ୭, ଓଡ଼ିଶା, ନାଗାଲାଣ୍ଡ, ଝାଡଖଣ୍ଡ, କର୍ଣ୍ଣାଟକ ପ୍ରତ୍ୟେକରୁ ୨ ଓ ଛତିଶଗଡ଼, ତେଲେଙ୍ଗାନା, ହରିୟାଣାରୁ ଗୋଟିଏ ଲେଖାଏଁ ଆସନ ରହିଥିଲା। ନିର୍ବାଚନ ଆୟୋଗଙ୍କ ପ୍ରଦତ୍ତ ହିସାବ କ୍ରମେ ଏହି ଉପ ନିର୍ବାଚନ ପରିଚାଳନାରେ ସମୁଦାୟ ୧୪ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟ ହୋଇଅଛି। କିନ୍ତୁ ଏହି ନିର୍ବାଚନୀ କ୍ଷେତ୍ର ଗୁଡିକରେ ବିକାଶ କାର୍ଯ୍ୟ ବ୍ୟାପକ କ୍ଷତି ସହିଛି ଯାହାର ଆକଳନ ୧୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ।

ମୃତ୍ୟୁ, ପଦତ୍ୟାଗ, ବହିଷ୍କାର ଆଦି ସଂକ୍ରାନ୍ତୀୟ ଉପନିର୍ବାଚନ ବାଦ୍ ମଧ୍ୟ ପ୍ରତି ମାସ ବିଭିନ୍ନ ରାଜ୍ୟରେ ପଞ୍ଚାୟତ ସମିତି, ପୌର ପରିଷଦ, ନଗର ନିଗମ ଏପରି ଅନେକ ମତଦାନ ପ୍ରକ୍ରିୟା ଚାଲୁଅଛି। ଅଗଷ୍ଟ ୨୦୧୮ରେ ଜାତୀୟ ଆଇନ ଆୟୋଗ ଦ୍ୱାରା ଭାରତ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରାଯାଇଥିଲା ଯେଉଁଥିରେ ଏକକ ନିର୍ବାଚନ ପ୍ରକ୍ରିୟା ସମ୍ବନ୍ଧୀୟ ସାମ୍ବିଧାନିକ ସଂଶୋଧନ ପାଇଁ ବିଶେଷ ଅନୁମୋଦନ ରହିଛି। ଅତୀତକୁ ଦେଖିଲେ ଦେଶର ପ୍ରଥମ ତିନୋଟି ସାଧାରଣ ନିର୍ବାଚନ (୧୯୫୨,୧୯୫୭,୧୯୬୨) ଏକକ ନିର୍ବାଚନ ଥିଲା। ୧୯୬୪ ଚତୁର୍ଥ ଲୋକସଭା ନିର୍ବାଚନ ସମୟରୁ ହିଁ ଏହି ପ୍ରକ୍ରିୟାରେ ବ୍ୟତିକ୍ରମ ସୃଷ୍ଟି ହେଲା ଯାହା ଅଦ୍ୟାବଧି ଚାଲିଛି। ବିଗତ ବର୍ଷରେ ନିର୍ବାଚନ ଆୟୋଗ ମତଦାନ ବୟସ, ଇ.ଭି.ଏମ୍ , ପ୍ରାର୍ଥିର ଯୋଗ୍ୟତା, ଆଚରଣ ସଂହିତା ଆଦି କ୍ଷେତ୍ରରେ ପରିବର୍ତ୍ତନ ଆଣିଥିଲେ ମଧ୍ୟ ଏକକ ନିର୍ବାଚନ ପ୍ରକ୍ରିୟା ନାଲିଫିତା ତଳେ ଚାପି ହୋଇଯାଇଛି।

ଏକକ ନିର୍ବାଚନର ଧାରଣା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ବାଜପେୟୀଙ୍କ ସମୟରେ ରୂପରେଖ ପାଇଥିଲା। ବାଜପେୟୀ ଏହାର ସଠିକ୍ ରୂପାୟନ ପାଇଁ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦେଇଥିଲେ। ଚିରାଚରିତ ଢଙ୍ଗରେ ଶ୍ରୀମତୀ ଗାନ୍ଧୀ ଏଥିପ୍ରତି କୌଣସି ଆଗ୍ରହ ଦେଖାଇ ନଥିଲେ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୂର୍ଣ ସମର୍ଥନ ସତ୍ତ୍ୱେ ବହୁଦଳୀୟ ରାଜନୈତିକ ସମୀକରଣ ମଧ୍ୟରେ ଏହା ଏଯାବତ୍ ଅନୁମୋଦନ ଲାଭ କରିପାରିନାହିଁ। ଇତିମଧ୍ୟରେ ଦୁଇଥର ସର୍ବଦଳୀୟ ବୈଠକ ସରିଥିଲେ ମଧ୍ୟ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ପାରିନାହିଁ। ତେବେ ଏକକ ନିର୍ବାଚନକୁ ନେଇ ଏତେ ବିତର୍କ, ଆଲୋଚନା, ସମାଲୋଚନା କଣ ପାଇଁ ? ଏହାର ରୂପାୟନ କେତେ ଲାଭଦାୟକ ହେବ ? କଣ ଦେଶର ରାଜକୋଷ ଅପବ୍ୟୟରୁ ବର୍ତ୍ତି ପାରିବ ଆଉ ସାଧାରଣ କରଦାତା ଉପକୃତ ହୋଇ ପାରିବେ ? ଏଥିପାଇଁ ଆମେ ଏକ ସଂକ୍ଷେପ ଅନୁଶୀଳନ କରିବା।

ପ୍ରଥମତଃ ଏକକ ନିର୍ବାଚନ ବ୍ୟୟ ନିୟନ୍ତ୍ରଣ କରିବ। ପ୍ରାପ୍ତ ପରିସଂଖ୍ୟାନ ଅନୁଯାୟୀ ଗତ ସାଧାରଣ ନିର୍ବାଚନରେ ୬୦,୦୦୦ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିଲା। ଏଥିରେ ବିଭିନ୍ନ ରାଜ୍ୟ ବିଧାନସଭା ନିର୍ବାଚନ, ଉପନିର୍ବାଚନ ଓ ପଞ୍ଚାୟତ ସ୍ତରୀୟ ନିର୍ବାଚନକୁ ମିଶାଇଲେ ଏକ ଲକ୍ଷ କୋଟି ଟଙ୍କାରୁ କମ ହେବନି। ଏତିକି ପାଣ୍ଠି ଭାରତରେ 5G ସେବା ସଂସ୍ଥାପନ ପାଇଁ ଯଥେଷ୍ଟ ହୋଇ ପାରିବ। ନିର୍ବାଚନରେ ରାଜନୈତିକ ଦଳମାନଙ୍କ ବଜେଟ ମଧ୍ୟ ବେଶ୍ ଉପରେ। ନିର୍ବାଚନ ପାଇଁ ଦଳୀୟ ପାଣ୍ଠି ସଂଗ୍ରହ ଓ ବିନିଯୋଗ କିପରି ହୁଏ ତାହାତ ସମସ୍ତଙ୍କୁ ଜ୍ଞାତ। ଏହା ଭବିଷ୍ୟତରେ ଆହୁରି ତୀବ୍ର ଦୁର୍ନୀତି ଓ ଲୁଣ୍ଠନ ପାଇଁ ପ୍ରବର୍ତ୍ତାଇ ଥାଏ। ନହେଲେ ନିର୍ବାଚନ ଲଢ଼ିବେ କେମିତି! ଦ୍ଵିତୀୟରେ ପ୍ରତି ମାସରେ ନିର୍ବାଚନ ଦ୍ଵାରା, ରାଜନୈତିକ ଦଳ ଗୁଡିକ ବିକାଶ ମୂଳକ ଯୋଜନା ପ୍ରସ୍ତୁତି ଓ ପରିଚାଳନା ପରିବର୍ତ୍ତେ ଦଳୀୟ ପ୍ରଚାର, ପଦଯାତ୍ରା, ରାଲି ଓ ଭୋଟ୍ ହାସଲ କରିବା କାର୍ଯ୍ୟରେ ଲାଗିପଡନ୍ତି।

ତୃତୀୟତଃ ନିର୍ବାଚନ ପରିପ୍ରେକ୍ଷୀରେ ଲାଗୁ ହେଉଥିବା ଆଚରଣ ସଂହିତା ଉକ୍ତ ରାଜ୍ୟ କିମ୍ବା ଅଞ୍ଚଳର ଉନ୍ନୟନ ପ୍ରକଳ୍ପ ଅଗ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି କରେ। ପ୍ରକଳ୍ପ କାର୍ଯ୍ୟ ଅନେକ ଦିନ ଧରି ବନ୍ଦ ରହିବା ସହ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଚତୁର୍ଥରେ ଏକକ ନିର୍ବାଚନ ଆଞ୍ଚଳିକ ତୁଷ୍ଟିକରଣ ରାଜନୀତିର ସମାପ୍ତ କରାଇବ। ରାଜନୈତିକ ଦଳ ଗୁଡିକ କେବଳ ନିର୍ବାଚନ ସମୟରେ ହିଁ ନିର୍ଦ୍ଦିଷ୍ଟ ଅଞ୍ଚଳ, ବର୍ଗ କିମ୍ବା ରାଜ୍ୟକୁ ଦୃଷ୍ଟିରେ ରଖି ବିଶେଷ ସହାୟତା ଘୋଷଣା କରିଥାନ୍ତି ଯାହା ଅର୍ଥନୈତିକ ବୈଶ୍ୟମତା ଆରମ୍ଭ କରିଥାଏ। ପୁଣି ଶାସକଦଳ ନିର୍ବାଚନ ଦୃଷ୍ଟିରୁ ବିଭିନ୍ନ ପ୍ରକଳ୍ପକୁ ଧାର୍ଯ୍ୟ ସମୟସୀମା ପୂର୍ବରୁ ଶେଷ କରିବାକୁ ଚେଷ୍ଟା କରନ୍ତି ଯାହା ପ୍ରକଳ୍ପର ଗୁଣବତ୍ତା ଓ ସ୍ଥାୟୀତ୍ୱକୁ ପ୍ରଭାବିତ କରିବା ସହ ଠିକାଦାରମାନଙ୍କୁ ଦୁର୍ନୀତି କରିବାକୁ ସୁଯୋଗ ଦେଇଥାଏ।

ପଞ୍ଚମତଃ, ରାଜନୈତିକ ଦଳଗୁଡିକର ଇସ୍ତାହାର ଦାରିଦ୍ର୍ୟ ଦୂରୀକରଣ, ବେକାରୀ ସମସ୍ୟା, ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ବିକାଶ, ମହିଳା ସଶକ୍ତିକରଣ ଆଦି କ୍ଷେତ୍ରରେ ଦୀର୍ଘମିଆଦି ସମାଧାନ ପାଇଁ ବନିବା ଉଚିତ। ସମ୍ପ୍ରତି ଏହା କେବଳ ନିର୍ବାଚନ ବିଜୟ କୌଶଳ ଭାବେ ସ୍ୱଳ୍ପ ସୁଲଭ ଅବତାରରେ ସୀମିତ ରହିଯାଉଛି। ଏକକ ନିର୍ବାଚନ ଏଥିରେ ନିଶ୍ଚିତ ଭାବରେ ଅନୁକୂଳ ପ୍ରଭାବ ପକାଇବ। ଅନ୍ତିମରେ, ବର୍ଷ ତମାମ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିବା ଫଳରେ ଏକ ବୃହତ ମାନବ ଶକ୍ତି ଏଥିରେ ନିୟୋଜିତ ରହୁଛି। ପ୍ରଶାସନିକ ଅଧିକାରୀ, ଅର୍ଦ୍ଧସାମରିକ ବଳ, ପୋଲିସ, ଶିକ୍ଷକ, ଅଧ୍ୟାପକ, ଅଙ୍ଗନବାଡି କର୍ମୀ ଆଦି ଅନେକ ସରକାରୀ କର୍ମଚାରୀ ମତଦାନର ସୂଚାରୁ ସମ୍ପାଦନା ପାଇଁ ବ୍ୟସ୍ତ ରହୁଛନ୍ତି ଯାହା ସେମାନଙ୍କ ନିୟମିତ କାର୍ଯ୍ୟକୁ ପ୍ରଭାବିତ କରୁଛି।

ଏକକ ନିର୍ବାଚନ ପ୍ରକ୍ରିୟା ଧାରା ୩୭୦ ପରି ଅଦ୍ଭୁତ ଆଇନ ନୁହେଁ। ସ୍ଵିଡେନରେ ପ୍ରତି ଚାରି ବର୍ଷରେ ନଗର ନିଗମ ଓ ସାଧାରଣ ନିର୍ବାଚନ ଏକ ସଙ୍ଗେ ହୋଇଥାଏ। ସାଉଥ ଆଫ୍ରିକାରେ ପୌରପରିଷଦ, ପ୍ରାଦେଶିକ ସଭା ଓ ରାଷ୍ଟ୍ରପତି ନିର୍ବାଚନ ପ୍ରତି ପାଞ୍ଚ ବର୍ଷ ବ୍ୟବଧାନରେ ଏକ ସମୟରେ କରାଯାଏ। ବେଲଜିୟମର ଫେଡେରାଲ ନିର୍ବାଚନ, ୟୁରୋପୀୟାନ ପାର୍ଲିଆମେଣ୍ଟ ସହ ଏକାଠି ହେଉଅଛି। ଏତଦ୍ବ୍ୟତୀତ ଜର୍ମାନୀ, ଫିଲିପାଇନ୍ସ ସହ କୋଷ୍ଟରିକା, ବଲିଭିଆ, ଗୁଏଟମାଲା ପରି ଅର୍ଦ୍ଧ ବିକଶିତ ରାଷ୍ଟ୍ର ଗୁଡିକ ମଧ୍ୟ ଏକକ ନିର୍ବାଚନ ପ୍ରକ୍ରିୟାକୁ ଆପଣାଇ ସାରିଛନ୍ତି। ଆଶା ଯେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ସର୍ବବୃହତ ମତଦାନକୁ ପରିଚାଳନା କରୁଥିବା ଭାରତୀୟ ନିର୍ବାଚନ ଆୟୋଗ ପାଇଁ ଏହା ବିଶେଷ କଷ୍ଟସାଧ୍ୟ ହେବନାହିଁ।

ଓମ୍ ପ୍ରିୟଦର୍ଶୀ ଛୋଟରାୟ
ଟ୍ୱିଟର (Twitter): iommpriyadarshi
ମୋ: ୯୧୭୮୫୬୦୩୫୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।