ବିଧାନସଭାର ବଜେଟ୍ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପରେ ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ମାମଲାରେ ଚାଲିଥିବା ତଦନ୍ତକୁ ବିରୋଧୀ ଦଳମାନେ ମୁଖ୍ୟ ପ୍ରସଂଗ ଭାବରେ ଉପସ୍ଥାପିତ କରିବା ଯୋଗୁ ପ୍ରଥମ ପର୍ଯ୍ୟାୟ ପରି ଏଥର ମଧ୍ୟ ଗୃହରେ ଏକ ଅଚଳ ଅବସ୍ଥା ସୃଷ୍ଟି ହୋଇଛି। ନବକିଶୋର ଦାସଙ୍କ ହତ୍ୟା ମାମଲାରେ ପ୍ରଥମ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତି ଓ ମୁଲତବୀ ପ୍ରସ୍ତାବ ଆଲୋଚନା ଉପରେ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର ହତ୍ୟା ରହସ୍ୟକୁ ଉଦ୍ଘାଟନ କରିବା ଦିଗରେ କୌଣସି ସୂଚନା ପ୍ରଦାନ କରିନଥିବାରୁ ବିରୋଧୀ ଦଳମାନେ ସେମାନଙ୍କର ପୂର୍ବ ଦାବିକୁ ଦୋହରାଇଥିଲେ। ବିଜେପି ଏହି ଘଟଣାରେ ସିବିଆଇ ତଦନ୍ତ ଦାବି କରୁଥିôବା ସମୟରେ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ଏସ୍ଆଇଟି ଘଟଣାର ତଦନ୍ତ କରୁ ବୋଲି କଂଗ୍ରେସ ଦଳ ଦାବି କରିଆସୁଛି। ଯେହେତୁ ସେହି ମାମଲାଟି ପ୍ରଥମ ଦିନରୁ କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ ତଦନ୍ତ କରୁଛି ଓ ହତ୍ୟାକାରୀ ଗୋପାଳ ଦାସକୁ ପ୍ରଥମରୁ ପୋଲିସ ଗିରଫ କରିଛି, ସେହେତୁ ରାଜ୍ୟ ସରକାର ନିଜଆଡୁ ତଦନ୍ତର ଦାୟିତ୍ୱ ସିବିଆଇକୁ ବା ହାଇକୋର୍ଟ ଦ୍ୱାରା ନିଯୁକ୍ତ ଏସ୍ଆଇଟିକୁ ପ୍ରଦାନ କରିବାକୁ ଚାହୁଁନାହାନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ ଗୋପାଳ ଦାସଙ୍କ ମାନସିକ ସ୍ଥିତି ଜାଣିବା ପାଇଁ ଓ ତା’ଠାରୁ ସତ ବାହାର କରିବା ପାଇଁ କେନ୍ଦ୍ରୀୟ ଫରେନ୍ସିକ୍ ଲାବୋରେଟୋରୀ ସହାୟତାରେ ବିଭିନ୍ନ ବିଶେଷଜ୍ଞ କମିଟିର ସହାୟତା ନିଆଯାଇଥିବା ପ୍ରକାଶ କରିବା ସହିତ ଆମେରିକାର ପ୍ରସିଦ୍ଧ ତଦନ୍ତକାରୀ ସଂସ୍ଥା ଏଫବିଆଇର ମନୁଷ୍ୟ ବ୍ୟବହାର ବିଶ୍ଳେଷଣ କରୁଥିବା ସଂସ୍ଥାର ସାହାଯ୍ୟ ନେବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ଚିଠି ଲେଖାଯାଇଥିବା ସୂଚନା ଦେଇଥିଲେ। ଏଭଳି ଏକ ତଦନ୍ତର ଆବଶ୍ୟକତା ରହିଥିବା କିଏ ଓ କାହିଁକି ତାଙ୍କୁ ପରାମର୍ଶ ଦେଲେ, ତାହା ଜଣାନାହିଁ। କିନ୍ତୁ ଗୋପାଳ ଦାସଙ୍କ ଯେତିକି ପରୀକ୍ଷା ହୋଇଛି, ସେଥିରେ ତାଙ୍କର ମାନସିକ ସ୍ଥିତି ଅଧିକ ଅନୁଧ୍ୟାନ କରିବାର ଆବଶ୍ୟକତା ନାହିଁ ବୋଲି ତାଙ୍କୁ ବାଙ୍ଗାଲୋରସ୍ଥିତ ‘ନିମହାନ୍ସ’ ନେବା ପାଇଁ କରାଯାଇଥିବା ଆବେଦନକୁ ଖାରଜ କରି ଝାରସୁଗୁଡ଼ା ଅଦାଲତ ସ୍ପଷ୍ଟ କହିଦେଇଥିଲେ ଯେ ଗୋପାଳ ଦାସ ମାନସିକ ଦୃଷ୍ଟିରୁ ସଂପୂର୍ଣ୍ଣ ସୁସ୍ଥ। ସେହିକଥାକୁ ବିଚାର କଲେ ମୁଖ୍ୟମନ୍ତ୍ରୀ କାହିଁକି ଓ କେଉଁ କାରଣ ପାଇଁ ଏଫବିଆଇର ନାମ ବ୍ୟବହାର କଲେ ତାହାନେଇ ନିଶ୍ଚିତ ସମଲୋଚନା କରାଯିବ। ସମ୍ଭବତଃ ଲୋକମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ଅଯଥା ଏଫବିଆଇର ନାମ ବ୍ୟବହାର କରାଯାଇଥିବା ଯେକେହି ସହଜରେ କହିପାରିବ।
ମୁଖ୍ୟମନ୍ତ୍ରୀ ବିଧାନସଭାରେ ଦେଇଥିବା ବିବୃତି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦେଇଥିବା ଉତ୍ତର ଅନୁଧ୍ୟାନ କଲେ ସବୁଦିଗରୁ ତଦନ୍ତ କରାଯାଉଥିବାର ପ୍ରତିଶ୍ରୁତି ଦିଆଯାଇଥିଲା। ଯେହେତୁ ନବକିଶୋର ଦାସ ରାଜ୍ୟର ଜଣେ ବରିଷ୍ଠ ଓ ପ୍ରଭାବଶାଳୀ ନେତା, ତେଣୁ ତାଙ୍କୁ ହତ୍ୟା କରିବା ପଛରେ ନିଶ୍ଚିତ ସୁଚିନ୍ତିତ ଷଡ଼ଯନ୍ତ୍ର ରହିଥିବା ଯେକେହି ସହଜରେ ଅନୁମାନ କରିପାରିବ। ସେହି ବିଚାର ଉପରେ ନିର୍ଭର କରି ବିରୋଧୀ ଦଳ ନେତା ତାଙ୍କ ପାଖକୁ ଆସୁଥିବା ସୂତ୍ରକୁ ଉଦ୍ଧାର କରି ନବକିଶୋର ଦାସ ହତ୍ୟା ଷଡ଼ଯନ୍ତ୍ର ପଛରେ ଶାସକ ଦଳ ନେତାମାନଙ୍କର ହାତ ରହିଥିବା କହିଥିବା ସମୟରେ ଆଉ ଜଣେ ଜଣାଶୁଣା ରାଜ୍ୟ ନେତା ବିଜୟ ମହାପାତ୍ର ଏକ ବିବୃତିରେ ଏହି ହତ୍ୟା ଷଡ଼ଯନ୍ତ୍ର ପଛରେ ରାଜ୍ୟର ଦୁଇଜଣ ଅଣ-ଓଡ଼ିଆ ଅଫିସରଙ୍କୁ ଦାୟୀ କରିଥିଲେ। ପଶ୍ଚିମ ଓଡ଼ିଶାରୁ ମିଳୁଥିବା ସାଧାରଣ ସୂତ୍ରରୁ ଏହା ମଧ୍ୟ ପ୍ରଚାରିତ ହେଉଛି ଯେ ପରିବହନ ଠିକା ନେଇ ଦୁଇଟି ବଡ଼ କର୍ପୋରେଟ୍ ମଧ୍ୟରେ ହୋଇଥିବା ଲଢ଼େଇ ନବକିଶୋର ଦାସ ହତ୍ୟା ଷଡ଼ଯନ୍ତ୍ରର ପୃଷ୍ଠଭୂମି ଭାବରେ କାମ କରିଛି। ସେ ଯାହାହେଉ ନା କାହିଁକି ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟକୁ ସଫଳ ଭାବରେ ବ୍ୟବହାର କରି ସରକାରଙ୍କ ଉପରେ ନବକିଶୋର ଦାସଙ୍କ ହତ୍ୟା ମାମଲା ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସୃଷ୍ଟି ହୋଇଥିବା ଚାପକୁ ଲୋକମାନଙ୍କ ନିକଟରେ ପହଞ୍ଚାଇ ଏକ ସରକାରୀ ବିରୋଧୀ ବାତାବରଣ ନିମନ୍ତେ ବିରୋଧୀମାନଙ୍କୁ ନୂଆ କୌଶଳ ଅବଲମ୍ବନ କରିବାକୁ ପଡ଼ିବ।
ଆଇନଶୃଙ୍ଖଳା ବ୍ୟତିତ ଯେ କୌଣସି ସରକାର ବିରୋଧରେ ଜନମତ ସୃଷ୍ଟି ପାଇଁ ଦୁର୍ନୀତି ଏକ ବଡ଼ ପ୍ରସଂଗ। ଓଡ଼ିଶାରେ ତଥାକଥିତ ବିକାଶ, ଖଣିଜ ସଂପଦର ଲୁଟ୍ ବା ବେଆଇନ୍ କାର୍ଯ୍ୟକଳାପ ସହିତ ବିଭିନ୍ନ ବିଭାଗରେ ଚାଲିଥିବା ବ୍ୟାପକ ଅନିୟମିତତା ଓ ଅବ୍ୟବସ୍ଥା ସଂପର୍କରେ ସରକାରଙ୍କୁ ଅଡ଼ୁଆରେ ପକାଇବା ପାଇଁ ବିଧାନସଭା ଅଧିବେଶନକୁ ବ୍ୟବହାର କରାଯିବା ଉଚିତ୍। କେବଳ ମୌଖିକ ଭାବରେ ଦୁର୍ନୀତି ବା ଭ୍ରଷ୍ଟାଚାର ହେଉଥିବା ସଂକ୍ରାନ୍ତରେ ଅଭିଯୋଗ କଲେ ତାହା ଫଳପ୍ରଦ ହେବନାହିଁ। ବିରୋଧୀ ଦଳମାନଙ୍କୁ ଓ ବିଶେଷ ଭାବରେ ବିରୋଧୀ ବିଧାୟକମାନଙ୍କୁ ପ୍ରତ୍ୟେକ ବିଭାଗରେ ହେଉଥିବା ନିର୍ଦ୍ଦିଷ୍ଟ ଦୁର୍ନୀତି ଓ ଅବ୍ୟବସ୍ଥାର ଅନୁସନ୍ଧାନମୂଳକ ତଥ୍ୟ ବିଧାନସଭାକୁ ଆଣିବାକୁ ପଡ଼ିବ। ଏପରିକି ଯେଉଁ ବିଭାଗର ସଫଳତାର କାହାଣୀ ପ୍ରଚାର କରି ଶାସକ ବିଜୁ ଜନତା ଦଳ ମହିଳାମାନଙ୍କର ଏକ ଭୋଟ୍ ବ୍ୟାଙ୍କ ସୃଷ୍ଟି କରିଛି, ସେହି ବିଭାଗରେ ନୀତି ନିୟମ ଅନୁଧ୍ୟାନ କରି ସେଥିରେ ହେଉଥିବା ବ୍ୟାପକ ଦୁର୍ନୀତି ଓ ମହିଳାମାନଙ୍କୁ ଠକେଇ ବିଷୟରେ ପ୍ରକୃତ ତଥ୍ୟ ଆଣିବା ପାଇଁ ପ୍ରତ୍ୟେକ ଦଳକୁ କିଛି ଗବେଷଣା କରିବାକୁ ପଡ଼ିବ।
ଏଥିପାଇଁ ପ୍ରତ୍ୟେକ ୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ବିଷୟରେ ଗ୍ରାମାଞ୍ଚଳରୁ ତଥ୍ୟ ଆଣିବାକୁ ପଡ଼ିବ। ମହିଳାମାନଙ୍କ ନାଁରେ ପ୍ରକୃତରେ କେତେ ମହିଳା ଉପକୃତ ହେଉଛନ୍ତି ଏବଂ କେତେ ମହିଳା ବିକାଶ ନାଁରେ ବିଜେଡି କର୍ମୀମାନଙ୍କୁ ସଶକ୍ତିକରଣ କରିବା ପାଇଁ ସରକାରୀ ନୀତିରେ ପରିବର୍ତ୍ତନ କରାଯାଇଛି, ତା’ର ପ୍ରକୃତ ହିସାବ ସଂଗୃହୀତ ନହେଲେ ବିଜେଡିର ଏହି ମହିଳା ଭୋଟ୍ ବ୍ୟାଙ୍କ ରାଜନୀତିର ମୁକାବିଲା କରାଯାଇପାରିବ ନାହିଁ। ସେହିପରି ପଞ୍ଚାୟତ ସ୍ତରରେ ସାମ୍ବିଧାନିକ ନିର୍ଦ୍ଦେଶ ଅନୁସାରେ କେଉଁ କେଉଁ ବିଭାଗର ଦାୟିତ୍ୱ ପ୍ରକୃତରେ ପଞ୍ଚାୟତକୁ ହସ୍ତାନ୍ତର ହୋଇଛି ଓ ପଂଚାୟତରେ ଯେଉଁସବୁ ଖର୍ଚ୍ଚ କରାଯାଉଛି ତାହା କିଏ କିପରି ନିର୍ଦ୍ଧାରଣ କରୁଛି ଓ ସେଥିରେ ପଞ୍ଚୟତର ଓ ଗ୍ରାମସଭାର କି ଭୂମିକା ରହୁଛି ତାହାର ପ୍ରକୃତ ତର୍ଜମା କରିବା ପାଇଁ ପ୍ରତି ପଞ୍ଚାୟତ ସଂକ୍ରାନ୍ତରେ ତଥ୍ୟ ଆଣିବାକୁ ପଡ଼ିବ। ବିରୋଧୀ ଦଳମାନେ ଏଥିପାଇଁ ପ୍ରସ୍ତୁତ ହେଲେ ହିଁ ସେମାନଙ୍କ ବିଧାୟକମାନେ ବିଧାନସଭାରେ ସେଗୁଡିକ ଉପସ୍ଥାପିତ କରି ସରକାରଙ୍କୁ ଅଡ଼ୁଆରେ ପକାଇପାରିବେ। ସରକାରଙ୍କ ନୀତି ଅନୁସାରେ ରାଜ୍ୟରେ ପ୍ରତ୍ୟେକ ପରିବାର ନିକଟରେ ଅତିକମରେ ବାସଜମି ବା ଘରଡିହ ରହିବା କଥା। କିନ୍ତୁ ଏବେ ମଧ୍ୟ ରାଜ୍ୟରେ ବାସଜମି ନଥିବାରୁ ଅନେକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବା ବିଜୁ ପକ୍କା ଘର ଯୋଜନାରେ ଗୃହ ଦିଆଯାଇପାରୁ ନାହିଁ। ଗତ ୭ ବର୍ଷ ଧରି ରାଜ୍ୟରେ ଗୃହ ନିର୍ମାଣ କାର୍ଯ୍ୟକ୍ରମ ଓ ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ଘର ଯୋଗାଇ ଦେବାର ପ୍ରତିଶ୍ରୁତି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପ୍ରଦାନ କରିଥିଲେ ମଧ୍ୟ ଏବେ ବି ଓଡ଼ିଶାରେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ପରିବାରଙ୍କ ପାଖରେ ବାସଗୃହ ନାହିଁ। ଏଥିପାଇଁ ରାଜ୍ୟ ସରକାର କେବଳ କେନ୍ଦ୍ରକୁ ଦାୟୀ କରି ପ୍ରକୃତ ସମସ୍ୟାକୁ ଏଡ଼ାଇପାରିବେ ନାହିଁ। ରାଜ୍ୟରେ ଅନେକ ପରିବାର ଅଛନ୍ତି, ଯେଉଁମାନେ ସରକାରୀ ଯୋଜନାରେ ଏକାଧିକ ଘର ପାଇଛନ୍ତି। ଏହା କିପରି ସମ୍ଭବ ହେଲା ତା’ର ଅନୁଧ୍ୟାନ ହୋଇ ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି।
ରାଜ୍ୟର ପ୍ରତ୍ୟେକ ପରିବାରକୁ ପାନୀୟ ଜଳ ଯୋଗାଣ ପାଇଁ ଜାତୀୟ ସ୍ତରରେ ନୀତି ନିର୍ଦ୍ଧାରଣ ହୋଇଛି ଓ ରାଜ୍ୟ ସରକାରଙ୍କ ପାଖରେ ଏହି ଲକ୍ଷ୍ୟ ହାସଲ ପାଇଁ ବାସ୍ତବରେ ଅର୍ଥର ଅଭାବ ନାହିଁ। ରାଜ୍ୟର ବ୍ୟାପକ ଖଣି ଅଞ୍ଚଳ ଯୋଗୁ ଖଣି ଆଇନ୍ ଅନୁସାରେ ପ୍ରତ୍ୟେକ ଖଣି ଜିଲ୍ଲାରେ ଜିଲ୍ଳାପାଳଙ୍କ ନିକଟରେ ଖଣିଜ ପାଣ୍ଠି ରହିଛି। ବିଶେଷ ଭାବରେ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ଯାଜପୁର, ମୟୂରଭଞ୍ଜ, ଢେଙ୍କାନାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ପ୍ରଭୃତି ଜିଲ୍ଲାମାନଙ୍କରେ ଜିଲ୍ଲା ଖଣିଜ ପାଣ୍ଠିରେ ହଜାର ହଜାର କୋଟି ଟଙ୍କା ଗଚ୍ଛିତ ହୋଇଛି। ତା’ଛଡ଼ା ଓଡ଼ିଶାର ବେଆଇନ୍ ଖଣି କାରବାର ସଂକ୍ରାନ୍ତରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ଅନୁସାରେ ଖଣିଜ ଅଞ୍ଚଳ ବିକାଶ ପାଇଁ ପ୍ରାୟ ୨୦ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ରାଜ୍ୟ ସରକାରଙ୍କ ପାଖରେ ରହିଛି। ଏଣୁ ଏହିସବୁ ଜିଲ୍ଳାମାନଙ୍କରେ ସବୁ ଲୋକଙ୍କ ପାଇଁ ପକ୍କା ବାସଗୃହ, ପାନୀୟ ଜଳ, ଜଳସେଚନ, ଭଲ ବିଦ୍ୟାଳୟ, ସ୍ୱାସ୍ଥ୍ୟସେବା ପ୍ରଭୃତି ଭିତ୍ତିଭୂମି ପାଇଁ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ରହିଛି। କିନ୍ତୁ ଏହିସବୁ ଅର୍ଥର କିପରି ଭାବରେ ବିନିଯୋଗ କରାଯାଇଛି ଓ ଏହି ଅର୍ଥରୁ କିଭଳି ଏକ ବିରାଟ ଭାଗ ଅମଲାତନ୍ତ୍ରୀମାନେ ନିଜର ସଉକ ପାଇଁ ବ୍ୟବହାର କରୁଛନ୍ତି, ସେ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ତଥ୍ୟ ସବୁ ବିରୋଧୀ ଦଳମାନଙ୍କୁ ଏକଜୁଟ୍ କରିବାକୁ ପଡ଼ିବ।
ଓଡ଼ିଶାରେ ‘ମେକ୍ ଇନ୍ ଓଡ଼ିଶା’ ନାମରେ ବିନିଯୋଗ ସୃଷ୍ଟି ପାଇଁ ଯେତେ ଅର୍ଥ ଖର୍ଚ୍ଚ କରାଯାଉଛି, ସେହି ଅନୁସାରେ ଓଡ଼ିଶାରେ ବାସ୍ତବରେ କେତେ ବିନିଯୋଗ ହୋଇଛି ଓ ସେଥିରେ ଓଡ଼ିଶାର ଯୁବକ-ଯୁବତୀମାନଙ୍କୁ କି ନିଯୁକ୍ତି ମିଳିଛି, ତା’ର ହିସାବ ହେବା ଦରକାର। ଏହିସବୁ ଶିଳ୍ପ କାରଖାନା ପାଇଁ କିପରି ଜମି ବଂଟା ଯାଉଛି ଓ ଜମି ଅଧିଗ୍ରହଣ କରାଯାଉଛି, ତା’ର ନିର୍ଦ୍ଦିଷ୍ଟ ତଥ୍ୟ ସହିତ ସରକାର କାହାକୁ କିପରି ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି ତାହା ପଦାକୁ ଆଣିବା ବିରୋଧୀ ଦଳମାନଙ୍କର ଏକ ଦାୟିତ୍ୱ। କାରଣ ସରକାର ପ୍ରଚାର ମାଧ୍ୟମରେ ଅସଲ ତଥ୍ୟକୁ ଲୁଚାଇ ଦିଅନ୍ତି। ଓଡ଼ିଶାରେ ଯେତେ ପ୍ରକାର ନିର୍ମାଣ କାର୍ଯ୍ୟ କରାଯାଉଛି ବା ସେବା କ୍ଷେତ୍ରରେ ଯେଉଁମାନଙ୍କୁ ଠିକା ଦିଆଯାଉଛି, ସେମାନଙ୍କ ଭିତରୁ ଅଧିକାଂଶ ଓଡ଼ିଶା ବାହାରର। ଅଣ-ଓଡ଼ିଆ ଠିକାଦାର ଓ ବ୍ୟବସାୟୀମାନଙ୍କୁ ଓଡ଼ିଶାରେ ପ୍ରାଧାନ୍ୟ ଦିଆଯାଉଛି ଓ ଓଡ଼ିଆ ଠିକାଦାର ଓ ବ୍ୟବସାୟୀମାନେ ବାହାର ବ୍ୟବସାୟୀଙ୍କର ଗୋଡ଼ାଣିଆ ଭାବରେ କାମ କରୁଛନ୍ତି ବୋଲି ଏକ ଅଭିଯୋଗ ସବୁଆଡ଼ୁ ମିଳୁଛି। କିନ୍ତୁ ଏ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ତଥ୍ୟ ସହିତ ପ୍ରତ୍ୟେକ ଟେଣ୍ଡରରେ ଓଡ଼ିଆ ବ୍ୟବସାୟୀଙ୍କୁ ବାହାରେ ରଖିବା ପାଇଁ କିପରି ସବୁ ସର୍ତ୍ତ ଆରୋପ କରାଯାଉଛି ସେଗୁଡିକ ମଧ୍ୟ ବିଧାନସଭାରେ ଆଲୋଚିତ ହେବା ଉଚିତ୍।
ଗୋଟିଏ ପକ୍ଷରେ ଖଣିଜ ଶିଳ୍ପ କ୍ଷେତ୍ରରେ ସୃଷ୍ଟି ହେଉଥିବା ବିପୁଳ ଅର୍ଥ ସହିତ ଅଣ-ଓଡ଼ିଆ ଠିକାଦାର ଓ ବ୍ୟବସାୟୀମାନଙ୍କର ଏକ ମିଳିତ ବା ଅସାଧୁ ମେଂଟ ଯୋଗୁ ରାଜନୈତିକ କାର୍ଯ୍ୟକଳାପ ପାଇଁ ସରକାରୀ ଦଳ ପାଖରେ ସମ୍ବଳର ଅଭାବ ପଡ଼ୁନାହିଁ। ଓଡ଼ିଶା ନିର୍ବାଚନରେ ଅସମ୍ଭବ ପରିମାଣର ଅର୍ଥ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଯେପରି ଖର୍ଚ୍ଚ ହେଉଛି, ସେଥିରେ ସରକାରୀ ଦଳ ବିରୋଧରେ ଲଢ଼ିବା ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ବି ଭୟ କରୁଛନ୍ତି। ଏହିପରି ଏକ ବାତାବରଣ ଦୂର କରି ରାଜ୍ୟରେ ରାଜନୀତିକୁ କଳୁଷିତ କରୁଥିବା ବେଆଇନ୍ ଅର୍ଥ କାରବାର ରୋକିବା ପାଇଁ ଗ୍ରାମ ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଦୁର୍ନୀତିର କଳା ପାହାଡ଼ ବିରୋଧରେ କାର୍ଯ୍ୟ କରିବା ନିମନ୍ତେ ବିରୋଧୀ ଦଳମାନେ ବିଧାନସଭା ଆଲୋଚନା ଜରିଆରେ ପରିବେଶ ସୃଷ୍ଟି କରିପାରିବେ। ଏ ଦିଗରେ ରାଜ୍ୟରେ ଏ ପର୍ଯ୍ୟନ୍ତ କୌଣସି ପ୍ରାରମ୍ଭିକ ଉଦ୍ୟମ ହୋଇନାହିଁ।
ରବି ଦାସ, ବରିଷ୍ଠ ସାମ୍ବାଦିକ
ମୋ-୮୦୧୮୦୯୪୪୫୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।