ସ୍ୱର୍ଗଦ୍ୱାରକୁ ନେଇ ବିତର୍କ କାହଁକି?

ରବି ଦାସ

ଓଡ଼ିଶାରେ କରୋନା ଭୂତାଣୁ ହାର ଯେପରି ଭାବରେ ଚଳିତ ମାସରେ ବୃଦ୍ଧି ପାଉଛି ଓ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ୁଛି ସେଥିରେ କୋଭିଡ-୧୯ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନେ କେଉଁଠାରେ କିପରି ନିଷ୍ପତି ନେବେ ଓ କ’ଣ କରାଗଲେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିବ ତାହା ଅନେକ ସମୟରେ ଠିକ କରିବା କଷ୍ଟକର ହୋଇଛି । ଯଦିଓ ଜାତୀୟସ୍ତରରେ ଅନ୍‌ଲକ-୨ରେ କୋଭିଡ୍ ପରିଚାଳନା କିପରି କରାଯିବ ସେ ସଂକ୍ରାନ୍ତରେ କେନ୍ଦ୍ର ଘରୋଇ ବିଭାଗ ନିର୍ଦ୍ଦିଷ୍ଟ ଗାଇଡଲାଇନ ଓ ନୀତି ସ୍ଥିର କରିଛନ୍ତି । କିନ୍ତୁ ରାଜ୍ୟମାନଙ୍କ ସ୍ତରରେ, ଜିଲ୍ଲାସ୍ତରରେ ଓ ସହରାଂଚଳରେ ସଂପୃକ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ପରିସ୍ଥିତି ଅନୁସାରେ ପଦକ୍ଷେପ ନେବା ପାଇଁ କ୍ଷମତା ଦିଆଯାଇଛି । ପ୍ରଥମ ଅବସ୍ଥାରେ ଓଡ଼ିଶାରେ କୋଭିଡ ନିୟନ୍ତ୍ରଣ ସୁବିଧାଜନକ ସ୍ଥିତିରେ ଥିବା ନେଇ ଯେଉଁ ଦାବି କରାଯାଉଥିଲା ଏବେ ତାହା କରାଯାଇପାରୁନାହିଁ । କେବଳ ଓଡ଼ିଶାରେ ମୃତ୍ୟୁହାର କମ୍ ରହିଥିବା ଦର୍ଶାଯାଇ କୋଭିଡ ପରିଚାଳନାରେ ଓଡ଼ିଶାର ସଫଳତା କଥା କୁହାଯାଉଛି । ଏପରିକି ଓଡ଼ିଶା ମଡେଲ୍ ସାରା ଭାରତ ବର୍ଷ ପାଇଁ ଅନୁଶରଣୀୟ ବୋଲି ଯେଉଁମାନେ ପୂର୍ବରୁ କହୁଥିଲେ ଏବେ କହିଲାବେଳେ ସେହି ଦମ୍ଭରେ କହିପାରୁନାହାନ୍ତି ।

ଏହି ପରିପ୍ରେକ୍ଷୀରେ ବିଭିନ୍ନ ଜିଲ୍ଲା ପ୍ରଶାସନ ଓ ନଗର ପ୍ରଶାସନ ରାଜ୍ୟ ସରକାରଙ୍କୁ ପଚାରି ନୂଆ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେହି ଢ଼ଙ୍ଗରେ ପୁରୀ ଜିଲ୍ଲାପାଳ ଏକ ନିର୍ଦ୍ଦେଶନାମା ଜାରି କରି ସ୍ୱର୍ଗଦ୍ୱାରକୁ ଶବ ସତ୍କାର ପାଇଁ ପୁରୀ ଜିଲ୍ଳା ବ୍ୟତୀତ ଅନ୍ୟଆଡ଼ୁ କେହି ନଆସିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ ଜିଲ୍ଲାପାଳଙ୍କ ଏହି ନିଷ୍ପତିକୁ ନେଇ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପୁରୀ ଜିଲ୍ଳାପାଳଙ୍କର ଓଡ଼ିଆ ଲୋକମାନଙ୍କର ଭାବାବେଗ ଓ ବିଶ୍ୱାସ ପ୍ରତି କୌଣସି ଖାତିର ନଥିବା ଦର୍ଶାଇ ଆଦେଶକୁ ସମାଲୋଚନା କରିଛନ୍ତି । ପୁରୀ ଜିଲ୍ଲାପାଳ ଯଦିଓ କହିଛନ୍ତି ଯେ, ଏହି ଆଦେଶ ସାମୟିକ । ତଥାପି ବିରୋଧୀମାନେ ଏହାକୁ ଗ୍ରହଣ କରିନାହାନ୍ତି । ଜିଲ୍ଳାପାଳଙ୍କର ଯୁକ୍ତି ହେଲା ଯେ, ପୁରୀ ସ୍ୱର୍ଗଦ୍ୱାରକୁ ଯଦି ଏକ ସମୟରେ ଏକାଧିକ ଶବଦାହ ପାଇଁ ଆସୁଥିବାରୁ ପ୍ରତି ଶବଦାହରେ ୨୦ଲେଖାଏଁ ବ୍ୟକ୍ତିଙ୍କୁ ଅନୁମତି ଦିଆଗଲେ ମଧ୍ୟ ଶବ ଦାହ ସ୍ଥାନରେ ପ୍ରାୟ ଶତାଧିକ ଲୋକ ଏକଜୁଟ୍ ହୋଇଯିବାର ସମ୍ଭାବନା ରହୁଛି। ତେଣୁ କୋଭିଡ୍ ୧୯ ଗାଇଡଲାଇନ ଅନୁସାରେ ପୁରୀ ସ୍ୱର୍ଗଦ୍ୱାରକୁ ଅନ୍ୟଆଡ଼ୁ ଶବ ସତ୍କାର ପାଇଁ ନଆସିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି ଯଦି ସ୍ୱର୍ଗଦ୍ୱାରରେ କୋଭିଡ୍ -୧୯ ପରିଚାଳନା ଯୋଗୁ ଏକାଧିକ ଶବ ଏଡ଼ାଇବା ପାଇଁ ଏହି ନିଷ୍ପତି ନିଆଯାଇଛି, ତେବେ କେବଳ ପୁରୀ ସହରର ବାସିନ୍ଦାମାନଙ୍କ ପାଇଁ ଏହା ଉଦ୍ଦିଷ୍ଟ ହୋଇଥିଲେ ଠିକ୍ ହୋଇଥାନ୍ତା । ଯଦି ସମୁଦାୟ ପୁରୀ ଜିଲ୍ଲାର ଶବ ସ୍ୱର୍ଗଦ୍ୱାରକୁ ଯାଇପାରିବ ତେବେ ଖୋର୍ଦ୍ଧା, କଟକ, ଗଞ୍ଜାମ ବା ଅନ୍ୟଆଡ଼ୁ ଶବ ଆସିବାକୁ ବାଧାଦେବା ଆଦୌ ଯୁକ୍ତିଯୁକ୍ତ ନୁହେଁ ।

ଏହା ସମସ୍ତେ ଜାଣନ୍ତି ଯେ, ଓଡ଼ିଶାରେ ଏବଂ ଓଡ଼ିଶା ପାଖ କିଛି ରାଜ୍ୟରେ ମଧ୍ୟ ଅନେକ ହିନ୍ଦୁ ସ୍ୱର୍ଗଦ୍ୱାରରେ ଶବ ସତ୍କାର ପାଇଁ ମୃତ୍ୟୁ ପୂର୍ବରୁ ପିଲାମାନଙ୍କୁ ପ୍ରସ୍ତାବ ଦେଇଥାନ୍ତି । ଆଉ କେତେକ ନିଜର ସମସ୍ତ ସୁବିଧା ପାଇଁ ଓ ମୃତ ବ୍ୟକ୍ତିଙ୍କ ପ୍ରତି ନିଜର ଆତ୍ମୀୟତା ପ୍ରଦର୍ଶନ କରିବା ପାଇଁ ଶବ ସତ୍କାର ପୁରୀ ସ୍ୱର୍ଗଦ୍ୱାରରେ କରିବା ପାଇଁ ଆୟୋଜନ କରନ୍ତି । ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର ପାଇଁ ଯେଉଁସୁବିଧା ଓ ସୁଯୋଗ ରହିଛି ତାହା ଗ୍ରାମ ଶ୍ମଶାନମାନଙ୍କରେ ନାହିଁ । କିନ୍ତୁ ଏହା ଗୋଟିଏ ହିନ୍ଦୁ ଭାବଧାରାର କଥା ବା ଏହା ଏକ ପରମ୍ପରା ଭାବରେ ବିଚାର କରିବାର କୌଣସି କାରଣ ନାହିଁ । ବାସ୍ତବରେ ୩୦/୪୦ବର୍ଷ ତଳେ ପୁରୀ ସ୍ୱର୍ଗଦ୍ୱାର ଯାଇ ଶବ ସତ୍କାର କରିବା ବାସନା ଖୁବ କମ୍ ଲୋକଙ୍କ ମଧ୍ୟରେ ଥିଲା । ଏବେ ମଧ୍ୟ ରାଜ୍ୟର ଶତକଡ଼ା ୫ଭାଗରୁ କମ୍ ଲୋକ ହୁଏତ ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର ପାଇଁ ବ୍ୟବସ୍ଥା ବା ଉଦ୍ୟମ କରୁଛନ୍ତି । ଅନେକ ବ୍ୟକ୍ତିବିଶେଷ ନିଜର ଭିଟାମାଟି ବା ନିଜ ପରିବାରର ସଦସ୍ୟମାନେ ସତ୍କାର ହୋଇଥିବା ଗ୍ରାମ ଶ୍ମଶାନକୁ ଅଧିକ ପସନ୍ଦ କରିଥାନ୍ତି । ଏଣୁ ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର ପାଇଁ ଇଚ୍ଛା ବା ବାସନା ବ୍ୟକ୍ତକରିବା ନିମନ୍ତେ ସମସ୍ତଙ୍କର ଅଧିକାର ଥାଇପାରେ । କିନ୍ତୁ ଏହା ହିନ୍ଦୁ ଧର୍ମ ପରମ୍ପରା ସହିତ ବା ଓଡ଼ିଆ ପରମ୍ପରା ସହିତ ଯୋଡ଼ାଯିବାର କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ । ତେଣୁ ଏହାକୁ କେନ୍ଦ୍ରକରି ପୁରୀ ଜିଲ୍ଳାପାଳଙ୍କ ନିଷ୍ପତି ବିରୋଧରେ ଯେଉଁ ବିରୋଧୀ ରାଜନୈତିକ ଦଳର ନେତାମାନେ ସ୍ୱର ଉତୋଳନ କରୁଛନ୍ତି ସେମାନେ ଗତ ରଥଯାତ୍ରାବେଳେ ଯେପରି ସରକାରଙ୍କ ପ୍ରଥମ ନିଷ୍ପତିକୁ ବିରୋଧ କରାଯିବା ଫଳରେ ଯେଉଁ ଜାଗରଣ ସୃଷ୍ଟି ହୋଇଥିଲା ଏବଂ ଶେଷରେ ସୁିପ୍ରିମକୋର୍ଟ ବାଧ୍ୟହୋଇ ଭକ୍ତଶୂନ୍ୟ ରଥଯାତ୍ରା ପାଇଁ ଅନୁମତି ତେଲେ ସେହିପରି ଏକ ଅବସ୍ଥା ପୁରୀ ସ୍ୱର୍ଗଦ୍ୱାରକୁ ନେଇ ସୃଷ୍ଟି ହେବ ବୋଲି ଧରିନେଇଥିଲେ । କିନ୍ତୁ ରଥଯାତ୍ରା ଓ ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର ଏକାପରି ଭାବାବେଗ ସୃଷ୍ଟିକରିବ ବୋଲି ଭାବିବା ଭୁଲ ହେବ ।

ଅସଲକଥା ହେଉଛି ରାଜ୍ୟରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହିତ ଧୀରେ ଧୀରେ ମୃତ୍ୟୁସଂଖ୍ୟା ମଧ୍ୟ ରାଜ୍ୟରେ ବଢ଼ୁଛି । କରୋନା ରୋଗରେ ମୃତ୍ୟୁବରଣ କରୁଥିବା ରୋଗୀମାନଙ୍କର ଶବ ସତ୍କାର ଏକ ଗୁରୁତର ସାମାଜିକ ଓ ଧର୍ମଗତ ସମସ୍ୟା ସୃଷ୍ଟି କଲାଣି । ବୃଦ୍ଧ ପିତାମାତାଙ୍କୁ ଶବ ସତ୍କାର ସମୟରେ ପୁଅମାନେ ବା ଝିଅମାନେ ମୁଖାଗ୍ନି ଦେବାର ଯେଉଁ ପରମ୍ପରା ରହିଛି ତାହା କରୋନା ଭୂତାଣୁରେ ମୃତ୍ୟୁବରଣ କରୁଥିବା ବା କରୋନା ସଂକ୍ରମିତ ହୋଇଥିବା ଲୋକମାନଙ୍କ ପାଇଁ କେହି ପାଳନ କରୁନାହାନ୍ତି । ପରିବାରର ସଦସ୍ୟମାନେ ଏପରି ବ୍ୟକ୍ତିମାନଙ୍କୁ ନେଇ ଶବ ସତ୍କାର କରିବା ପାଇଁ ଆଗ୍ରହ ମଧ୍ୟ ପ୍ରକାଶ କରୁନାହାନ୍ତି । ସ୍ୱାସ୍ଥ୍ୟବିଭାଗ ଓ ସରକାରଙ୍କ ପକ୍ଷରୁ ଶବ ସତ୍କାର ପାଇଁ ଯେଉଁ ପ୍ରୋଟୋକଲ ରହିଛି ସେହି ଅନୁସାରେ ଶବକୁ ନଛୁଇଁ କିପରି ସତ୍କାର କରାଯିବ ବା ମାଟିରେ ପୋତି ଦିଆଯିବ ସେହି ବ୍ୟବସ୍ଥା କରାଯାଉଛି । ଏପରିକି ସାଧାରଣତଃ ଶବ ପୋଡ଼ିବା ପାଇଁ ଘିଅର ବ୍ୟବସ୍ଥା କରାନଯାଇ ଏପରି କ୍ଷେତରେ ଶବ ସଂପୂର୍ଣ୍ଣ ପୋଡ଼ିଯିବା ପାଇଁ କିରାସିନି ଢ଼ାଳି ଦିଆଯାଉଛି । ଏପରିକି ଅନେକ ପରିବାର ଶବ ସତ୍କାର ପରେ ଅସ୍ଥି ମଧ୍ୟ ସଂଗ୍ରହ କରିବାକୁ ଆସୁନାହାନ୍ତି । ବାସ୍ତବରେ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ବା ଅନ୍ୟରୋଗରେ ଥିଲେ ମଧ୍ୟ ଶେଷ ପର୍ଯ୍ୟାୟରେ ହସପିଟାଲରେ କରୋନା ଚିହ୍ନଟ ହୋଇଥିବା ରୋଗୀମାନଙ୍କର ଶବଗୁଡ଼ିକୁ ସଂପୂର୍ଣ୍ଣ ଅସମ୍ମାନ କରାଯାଉଛି । ପରିବାରଗୁଡ଼ିକ ମଧ୍ୟ ଏହାର ପ୍ରତିବାଦ କରୁନାହାନ୍ତି ।

ବର୍ତମାନ ସମୟରେ କେହି ମୃତ୍ୟୁବରଣ କଲେ ନିଜର ପୁଅଝିଅମାନେ ମଧ୍ୟ ଯଦି ବାହାର ରାଜ୍ୟରେ ଅଛନ୍ତି ତେବେ ପରିବହନ ଅସୁବିଧା ଯୋଗୁ ବା ଅନ୍ୟ କାରଣ ଯୋଗୁ ଶବସତ୍କାର କାର୍ଯ୍ୟରେ ଯୋଗନଦେବା ଏକ ସାଧାରଣ କଥାରେ ପରିଣତ ହେଲାଣି । ଏହିସବୁ ସମସ୍ୟାଗୁଡ଼ିକ ଅଧିକ ଗୁରୁତର ହୋଇଥିଲେ ମଧ୍ୟ କେବଳ ଏକ ଭାବାବେଗ ସୃଷ୍ଟି କରିବା ପାଇଁ ପୁରୀ ସ୍ୱର୍ଗଦ୍ୱାର ଘଟଣାକୁ ଏକ ରାଜନୈତିକ ବିବାଦ ଭାବରେ ଛିଡ଼ା କରାଯିବାର କୌଣସି ଯୁକ୍ତିଯୁକ୍ତ ବା ବୈଜ୍ଞାନିକ କାରଣ ନାହିଁ । ଅସଲକଥା ହେଉଛି ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ କରୋନା ଭୂତାଣୁର କିପରି ମୁକାବିଲା କରାଯିବ ସେଥିପାଇଁ ଯେଉଁ ଧରଣର ଚର୍ଚ୍ଚା ହେବାର ଆବଶ୍ୟକତା ଅଛି ଓ ସେଥିପାଇଁ ଯେଉଁ ବିବାଦ ହେବା କଥା ତାହା ହେଉନାହିଁ।

ଓଡ଼ିଶାରେ କୋଭିଡ୍ -୧୯ ପରିଚାଳନା ସଂପୂର୍ଣ୍ଣଭାବରେ ପ୍ରଶାସନିକ ଅଧିକାରୀମାନଙ୍କ ଉପରେ ଛାଡ଼ି ଦିଆଯାଇଛି । ବେଳେବେଳେ ଲୋକମାନଙ୍କୁ ନିବେଦନ କରିବା ପାଇଁ ବା ସରକାରୀ ଆଦେଶ ମାନିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟବହାର କରାଯାଉଛି । ଜାତୀୟସ୍ତରରେ କୋଭିଡ୍ ୧୯ର ପରିଚାଳନା ନେଇ ଅନେକ ପ୍ରଶ୍ନ ବିଭିନ୍ନ ସମୟରେ ଉଠାଯାଉଛି, ଯେଉଁଗୁଡ଼ିକ ସଂପୂର୍ଣ୍ଣ ଯଥାର୍ଥ । କିନ୍ତୁ ଓଡ଼ିଶା କ୍ଷେତ୍ରରେ କୋଭିଡ୍‌-୧୯ ପରିଚାଳନା ନେଇ କେବଳ ମାସ୍କ, ପିପିଇ କିଟ୍ ବା ଅନ୍ୟ ଉପକରଣ ଖର୍ଦ୍ଦି ସହିତ କ୍ୱାରେନ୍‌ଟାଇନ କେନ୍ଦ୍ର ପରିଚାଳନାରେ ଦୁର୍ନୀତି କଥା ଉଠାଯିବା ଛଡ଼ା ପ୍ରକୃତରେ ରାଜ୍ୟ ସରକାର ବୈଜ୍ଞାନିକ ପଦ୍ଧତିରେ ଉଚିତ ପଦକ୍ଷେପ ନେଉଁଛନ୍ତି କି ନାହିଁ ସେ ବିଷୟରେ କୌଣସି ଆଲୋଚନା କରାଯାଉନାହିଁ । ଏପର୍ଯ୍ୟନ୍ତ କାହାକୁ ଜଣାନାହିଁ ସରକାରଙ୍କୁ କୋଭିଡ-୧୯ ପରିଚାଳନା ପାଇଁ କୌଣସି ନିିର୍ଦ୍ଦିଷ୍ଟ ବୈଷୟିକ ବା ବିଶେଷଜ୍ଞ ଦଳ ଅଛନ୍ତି ନା ନାହାନ୍ତି । ଏହି ବିଶେଷଜ୍ଞ ଦଳର ବୈଠକ ପ୍ରତିଦିନ ନହେଲେ ମଧ୍ୟ ପ୍ରତି ସପ୍ତାହରେ ବସି ରାଜ୍ୟର କେଉଁ ଜିଲ୍ଲାରେ କି ନିଷ୍ପତି କାର୍ଯ୍ୟକାରୀ ହେବା ଉଚିତ ତାହା ସ୍ଥିରୀକୃତ ହେବାକଥା । କିନ୍ତୁ ତାହା ନକରାଯାଇ ପ୍ରଶାସନିକ ଅଧିକାରୀମାନଙ୍କୁ କୋଭିଡ ୧୯ ପରିଚାଳନାର ସମସ୍ତ ଭାର ଯେପରି ଦିଆଯାଇଛି ସେଥିରେ କୋଭିଡ ସଂକ୍ରମଣ ବୃଦ୍ଧି ଯୋଗୁ ଚାରିଆଡ଼େ ସେହିମାନଙ୍କ ବିରୋଧରେ ଅସନ୍ତୋଷ ବ୍ୟାପୁଛି ।

ମୁଖ୍ୟମନ୍ତ୍ରୀ, ରାଜ୍ୟ କ୍ୟାବିନେଟ୍ ଓ ବିଶେଷଜ୍ଞ କମିଟି କେଉଁଠାରେ କେଉଁଦିନ ବି ରାଜ୍ୟର ପରିସ୍ଥିତି ନେଇ ଖୋଲାଖୋଲି ମତ ବିନିମୟ କରି ନୀତି ନିର୍ଦ୍ଧାରଣ କରୁନାହାନ୍ତି । କେନ୍ଦ୍ର ସରକାର କିଛି ମୌଳିକ ଗାଇଡଲାଇନ ପଠାଉଥିଲେ ମଧ୍ୟ ଦାୟିତ୍ୱସବୁ ରାଜ୍ୟ ଓ ଜିଲ୍ଲା ଶାସନ ଉପରେ ଛାଡ଼ି ଦେଇଛନ୍ତି । କିନ୍ତୁ କୋଭିଡ-୧୯ ପରି ଏକ ନୂଆ ମହାମାରୀର ମୁକାବିଲା କରିବା ଓ ଠିକଣା ନିଷ୍ପତି ନେବାର ଦାୟିତ୍ୱ ବିଶେଷଜ୍ଞ ଦଳ ହାତରେ ରହିବା ଉଚିତ । ଓଡ଼ିଶାରେ ତାହା କରାଯାଇନଥିବାରୁ ପୁରୀ ସ୍ୱର୍ଗଦ୍ୱାର ଘଟଣାରେ ମଧ୍ୟ ସମସ୍ତ କ୍ରୋଧ ଜିଲ୍ଲାପାଳଙ୍କ ଉପରେ କେନ୍ଦ୍ରୀଭୂତ ହେଉଛି । କୋଭିଡ-୧୯ ପରିଚାଳନା ପାଇଁ ବିଶେଷଜ୍ଞ ଦଳର ଯେପରି ଆବଶ୍ୟକତା ରହିଛି ଠିକ ସେହିପରି ସବୁସ୍ତରରେ ଜନସଚେତନତା ସୃଷ୍ଟି କରି ଲୋକମାନଙ୍କୁ ନିୟମ ଅନୁସାରେ କାର୍ଯ୍ୟ କରିବା ପାଇଁ ପ୍ରବର୍ତାଇବା ଦାୟିତ୍ୱ ରାଜନୈତିକ କର୍ମୀମାନେ ଗ୍ରହଣ କରିବା ଦରକାର । କିନ୍ତୁ ଓଡ଼ିଶାରେ ରାଜନୈତିକ କାର୍ଯ୍ୟକଳାପକୁ ସରକାରୀ ନିର୍ଦ୍ଦେଶାବଳୀରେ ସଂପୂର୍ଣ୍ଣ ବନ୍ଦ କରିଦିଆଯିବା ସମୟରେ ରାଜନୈତିକ କର୍ମୀମାନଙ୍କର ଓ ରାଜନୈତିକ ସଂଗଠନମାନଙ୍କର ଦାୟିତ୍ୱ ସଂପର୍କରେ କିଛି କୁହାଯାଉନାହିଁ । ଏକ ରାଜନୈତିକ ଶୂନ୍ୟାବସ୍ଥାରେ ପ୍ରଶାସନିକ ଅଧିକାରୀମାନଙ୍କର ମନମାନୀ ଓ ପୋଲିସ କାର୍ଯ୍ୟକଳାପ ଜରିଆରେ କୋଭିଡ-୧୯ ପରିଚାଳନା କଦାପି ଯଥାର୍ଥ ହୋଇପାରିବ ନାହିଁ । ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବାରୁ କୋଭିଡ-୧୯ ପରିଚାଳନାରେ ରାଜନୈତିକ ଦିଗକୁ ସଂପୂର୍ଣ୍ଣ ଭୁଲିଯାଇ କେବଳ ପ୍ରଶାସନିକ ଅଧିକାରୀଙ୍କ ଉପରେ ସବୁକିଛି ଛାଡ଼ି ଦିଆଗଲେ ପରିସ୍ଥିତି କଦାପି ନିୟନ୍ତ୍ରିତ ହେବନାହିଁ ।

ବରିଷ୍ଠ ସାମ୍ବାଦିକ
ମୋ- ୯୪୩୭୪୦୪୪୫୫

ଆହୁରି ପଢ଼ନ୍ତୁ