ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି ଓ ଜନସାଧାରଣଙ୍କ ସ୍ୱାର୍ଥ

ପଞ୍ଚାନନ କାନୁନଗୋ

ଏବେ ଏବେ ଅଗଷ୍ଟ ମାସ ୬ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ ୫୦ ବେସ୍‌ ପଏଣ୍ଟ (୫୦ବିଏସ) ବୃଦ୍ଧି କରିବା ପରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି। ଗତ ବର୍ଷକ ମଧ୍ୟରେ ୧୪୦ ବେସ୍‍ ପଏଣ୍ଟ ବୃଦ୍ଧି ପାଇ ବଜାରରେ ଅର୍ଥ କାରବାରର ଅସ୍ଥିରତାକୁ ପ୍ରମାଣ କରିଛି। ଯେଉଁଥିପାଇଁ ରିଜର୍ଭ ବ୍ୟାଙ୍କର ନୀତି ନିର୍ଦ୍ଧାରକମାନେ ଗୋଟିଏ ବର୍ଷ ମଧ୍ୟରେ ବାରମ୍ବାର ତାଙ୍କର ଏହି ଲେଣ୍ଡିଂ ରେଟ୍‍ ବଢ଼ାଇଛନ୍ତି। ଏଥିରେ ସାଧାରଣ ଲୋକଙ୍କ ଚିନ୍ତା କରିବାର କାରଣ ହେଉଛି ଯେ ସେ କିପରି ଓ କାହିଁକି ପ୍ରଭାବିତ ହେବ?

ସିଧାସଳଖ ହିସାବକୁ ନେଲେ ଏହି ରେପୋ ରେଟ୍‍ ପରିବର୍ତ୍ତନ ହେତୁ ରେପୋ ଲିଂକଡ୍‍ ଲେଣ୍ଡିଂ ରେଟ୍‍ (ଆରଏଲଏଲଆର) ଅଗଷ୍ଟ ୬ରୁ ୬.୯%ରେ ପହଂଚିଛି। ଯେଉଁଥିପାଇଁ ବଜାରରେ ଋଣ ଦେଣନେଣ କରୁଥିବା ବ୍ୟାଙ୍କମାନେ ସେମାନଙ୍କର ସୁଧହାର ବଢ଼ାଇବାକୁ ବାଧ୍ୟ ହେବେ। ବିଶେଷତଃ ଗୃହ ନିର୍ମାଣ ଏବଂ ସାଧାରଣ ଋଣ ପ୍ରଭାବିତ ହେବ। ଋଣ ନେଉଥିବା ବ୍ୟକ୍ତିଙ୍କର ମାସିକ ଦେୟ ବା ଇଏମଆଇ ମାତ୍ରାଧିକ ବୃଦ୍ଧି ଘଟିବ। ଗୋଟିଏ ପକ୍ଷରେ ସାଧାରଣବର୍ଗ ଅବା ମଧ୍ୟବିତ୍ତ ନିମ୍ନବିତ୍ତ ପରିବାରର ଆୟ ବୃଦ୍ଧି ଘଟୁ ନଥିବା ଓ ବଜାର ଦର ବୃଦ୍ଧିର ଚାପ ହେତୁ, ଚାପଗ୍ରସ୍ତ ଥିବାବେଳେ ଏପରି ଅଧିକ ସୁଧ ହାରରେ ଋଣ କରି ମୋଟା ଅଙ୍କର ଋଣ ଓ ସୁଧ ଋଣ ଶୁଝିବା ସମ୍ଭବ ନୁହେଁ। ଫଳତଃ ବ୍ୟାଙ୍କମାନଙ୍କର ଋଣ ଦେଣନେଣ କାରବାର କମିବ। ଏଥିସହିତ ବଜାରରେ ଅନେକ ଉତ୍ପାଦନ ଯଥା ଗୃହ ନିର୍ମାଣ ସାମଗ୍ରୀ, ଗାଡ଼ି, ବାଇକ୍‍ ଆଦି ଅଟୋମୋବାଇଲ କାରବାରରେ ସ୍ଥାଣୁତା ଦେଖାଦେବ। ଅର୍ଥନୈତିକ ଅଗ୍ରଗତି ବା ବିକାଶରେ ପ୍ରତିବନ୍ଧକ ଦେଖାଦେବ।

ଏପରି ଅବସ୍ଥା ଉପୁଜିବାର ମୁଖ୍ୟ କାରଣ ହେଉଛି ଲଗାତର ମୁଦ୍ରାସ୍ଫୀତି ବୃଦ୍ଧି ଯାହା ସରକାରଙ୍କ ତୃଟିପୂର୍ଣ୍ଣ ଅର୍ଥନୀତି ହେତୁ ନିୟନ୍ତ୍ରଣହୀନ ହୋଇଯାଇଛି। ବଜାରର ଦର ବୃଦ୍ଧି ସହିତ ମୁଦ୍ରାସ୍ଫୀତି ଅଙ୍ଗାଙ୍ଗି ଭାବେ ଜଡ଼ିତ। ଏହି ଦରବୃଦ୍ଧି ପାଇଁ ଅର୍ଥନୀତି ପରିଚାଳନା କରୁଥିବା ସରକାର ଓ ତାର ବିତ୍ତୀୟ ପରିଚାଳନା ହିଁ ସିଧାସଳଖ ଦାୟୀ। ଅତ୍ୟଧିକ ମାତ୍ରାରେ ସେବା ଦ୍ରବ୍ୟକର ବୃଦ୍ଧି ଘଟିବା ଓ ପେଟ୍ରୋଲ ଡିଜେଲ ଉପରେ ଏକସାଇଜ ଡ୍ୟୁଟି ଓ ସେସ୍‍ ତଥା ଭାଟ୍‍ ବୃଦ୍ଧି ଘଟାଇ ଦର ବଢ଼ାଇବା ଯୋଗୁଁ ପରିବହନ ଜନିତ ଖର୍ଚ୍ଚ ବୃଦ୍ଧି ଘଟିଛି। ଯେଉଁଥିପାଇଁ ବଜାରରେ ସବୁ ପଦାର୍ଥରେ ଦରଦାମ୍‍ ହୁ ହୁ ବଢ଼ି ଚାଲିଛି। ଏଠି ଦରବୃଦ୍ଧି ସହିତ ଯଦି ଦେଣ-ନେଣ ଯୋଡ଼ି ରଖାଯାଏ ସେଥିପାଇଁ ମଧ୍ୟ ସରକାରଙ୍କ ଦୂରଦୃଷ୍ଟିହୀନତା, ନୀତିରେ ତୃଟି, ପୂର୍ଣ୍ଣମାତ୍ରାରେ ଦାୟୀ। ଆତ୍ମନିର୍ଭରଶୀଳ ଭାରତର ସ୍ଲୋଗାନ ଦେଉଥିବା ସରକାର ସବୁ ଜିନିଷ ପାଇଁ ବିଦେଶ ଉପରେ ନିର୍ଭରଶୀଳତା ବୃଦ୍ଧି ଘଟାଇବା ଦେଖାଯାଉଛି। ଅନ୍ୟପକ୍ଷରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଅହେତୁକ ବୃଦ୍ଧି ପାଉଥିବା ଯୋଗୁ ବିଦେଶରୁ ଆସୁଥିବା ସମସ୍ତ ଆମଦାନୀ ପଦାର୍ଥ ବଜାରରେ ପହଂଚିବାବେଳକୁ ଦରବୃଦ୍ଧି ଘଟିଛି। ସବୁକୁ ଯୋଡ଼ାଯୋଡ଼ି କରି ଦେଖିଲେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ହରାଇବା, ଦରଦାମ୍‍ ବୃଦ୍ଧି ଘଟିବା ଏବଂ ସର୍ବଶେଷରେ ସାଧାରଣ ଲୋକଙ୍କ ଉପରେ ଆର୍ଥିକ ଚାପ ଲଦିଦେବା ପଛରେ ସରକାରଙ୍କ ତୃଟିପୂର୍ଣ୍ଣ ଅର୍ଥନୀତି ହିଁ ଦାୟୀ।

ଅତୀତରେ ଯେ ମୁଦ୍ରାସ୍ଫୀତି ଓ ଦରଦାମ ବୃଦ୍ଧି ଘଟି ନଥିଲା ତା ନୁହେଁ। ୧୯୭୩ ମସିହାରେ ଏହି ବୃଦ୍ଧି ହାର ୧୬୯୪% ଓ ୧୯୭୪ ମସିହାରେ ୨୮.୬୦% ଥିଲା। ଦେଶର ଆର୍ଥିକ ସ୍ଥିତି ଅତ୍ୟନ୍ତ ଅସ୍ଥିର ହୋଇ ପଡ଼ିଥିଲା। ମାତ୍ର ଏହାର କାରଣ ଥିଲା ଭାରତର ପାକିସ୍ଥାନ, ଯୁଦ୍ଧ ଯେଉଁଥିରେ  ବାଂଲାଦେଶ ଅଲଗା ହେଲା ସେଥିରେ ଭାରତର ପ୍ରତ୍ୟକ୍ଷ ଅଂଶଗ୍ରହଣ। ଅପ୍ରତ୍ୟାଶିତ ଭାବେ ଅନେକ ବ୍ୟୟର ବାଧା ବାଧ୍ୟକତା ଥିଲା। ମାତ୍ର ପରବର୍ତ୍ତୀ ଅବସ୍ଥାରେ ଏହା ନିୟନ୍ତ୍ରିତ ହେଲା ଓ ସାଧାରଣ ଲୋକେ ଭାରତର ବିଜୟ ପାଇଁ ସବୁ ସହି ଯାଇଥିଲେ। ଅନ୍ୟ ଏକ ସମୟରେ ୨୦୦୮ରୁ ୨୦୦୩ ପର୍ଯ୍ୟନ୍ତ ଲଗାତର ଭାବେ ମୁଦ୍ରାସ୍ଫୀତି ଯଥାକ୍ରମେ ୮.୩୫%, ୧୦.୮୮%, ୧୧.୦%, ୮.୯୧%, ୯.୫୫%, ୧୦.୦୨% ଥିଲା। କିନ୍ତୁ ଅନେକ ସୁଚିନ୍ତିତ ଅର୍ଥନୈତିକ ପଦକ୍ଷେପ ସେ ସମୟର ବିଶିଷ୍ଟ ଅର୍ଥଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନେବା ଫଳରେ ୨୦୧୪ ମୁଦ୍ରାସ୍ଫୀତି ହାର ୬.୬୭% ରେ ପହଂଚିଥିଲା। ଭାରତୀୟ ବଜାର ସେ ସମୟରେ ଏପରି ଅସ୍ଥିର ହୋଇ ପଡ଼ିଥିବାର ମୁଖ୍ୟକାରଣ ବିଦେଶ ଅର୍ଥନୀତିର ପ୍ରଭାବ ତୀବ୍ର ଥିଲା, ଯାହାକି ଅତ୍ୟନ୍ତ ମାନ୍ଦା ଅବସ୍ଥା ଦେଇ ଗତି କରୁଥିଲା। ଅନ୍ୟ ଏକ କାରଣ ଥିଲା ଆମଦାନୀ ହେଉଥିବା ଅଶୋଧିତ ତୈଳଦର ବ୍ୟାରେଲ୍‍ ପିଛା ୧୦୦ରୁ ୧୪୦ ଡଲାର ମଧ୍ୟରେ ପ୍ରବେଶ କରିଥିଲା। ଆଭ୍ୟନ୍ତରୀଣ ଆର୍ଥନୀତିକୁ ସଜାଡ଼ି ରଖିବାପାଇଁ ଅର୍ଥଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ୬ ଦରମା କମିଶନକୁ ପୂର୍ଣ୍ଣଭାବରେ ଲାଗୁକରି ସମସ୍ତ ସମାଲୋଚନା ସତ୍ତ୍ୱେ ଦେଶର ମଧ୍ୟବିତ୍ତ ବର୍ଗଙ୍କ ଆର୍ଥିକ ସ୍ୱଚ୍ଛଳତା ସହ ବଜାରରେ କାରବାର ବୃଦ୍ଧି ଘଟାଇଥିଲେ। ଏଥିସହିତ ଅନେକ କାର୍ଯ୍ୟକ୍ରମ ଜରିଆରେ ତଳବର୍ଗ, ଖଟିଖିଆଙ୍କ ହାତରେ ଟଙ୍କା ପହଞ୍ଚାଇବାର କାର୍ଯ୍ୟ ବ୍ୟାପକ ଭିତ୍ତିଭୂମି ପ୍ରସାରରେ ବହୁଳ ଅର୍ଥବ୍ୟୟ କରାଇ ବଜାରକୁ ଚଳଚଞ୍ଚଳ ରଖିବା ସହିତ ସମୟଭିତ୍ତିକ ତୈଳବଣ୍ଡ୍‍ ପ୍ରଚଳନ କରି ଦରଦାମ ନିୟନ୍ତ୍ରଣରେ ରଖିଲେ।

ସେଥିପାଇଁ ସେ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ବିଶେଷତଃ ବର୍ତ୍ତମାନର ଶାସକ ବର୍ଗଙ୍କ ଦ୍ୱାରା ସମାଲୋଚନାର ସାମନା କରିଥିଲେ। ତେବେ ସେ ଅର୍ଥନୀତିକୁ ସଜାଡ଼ି ତାଙ୍କର ଶେଷବର୍ଷ ୨୦୧୪ ମସିହାରେ ମୁଦ୍ରାସ୍ଫୀତିକୁ ଆୟତ୍ତରେ ରଖି ପାରିଥିଲେ ଓ ତାଙ୍କ ପ୍ରବର୍ତ୍ତୀତ କାର୍ଯ୍ୟକ୍ରମ ଚାଲୁ ରହିବା ଫଳରେ ୨୦୧୫ ଓ ୨୦୧୬ରେ ଦେଶର ମୁଦ୍ରାସ୍ଫୀତି ଯଥାକ୍ରମେ ୪.୮୧% ଓ ୪.୯୫% ରହିଥିଲା। ତେବେ ତାହା ପୁଣି ନିୟନ୍ତ୍ରଣ ହରାଇ ଗତ ସାତବର୍ଷରେ ବର୍ଷକୁ ହାରାହାରି ୬.୭% ରହିଛି  ଓ ଚଳିତ ବର୍ଷ ରିଜର୍ଭ ବ୍ୟାଙ୍କର ନୀତି ନିର୍ଦ୍ଧାରକମାନେ ଯେତେସବୁ ଉଦ୍ୟମ କଲେ ମଧ୍ୟ ଦରଦାମ ବୃଦ୍ଧି, ବ୍ୟକ୍ତି ଆୟରେ କ୍ଷୟ ତଥା ବଜାରକୁ ଅର୍ଥ କାରବାର କ୍ଷୀପ୍ରତା କମିବା ଦ୍ୱାରା ସ୍ଥିତି ଅଧିକ ଗମ୍ଭୀର ହୋଇଚାଲିଛି। ଅନେକ ଅର୍ଥଶାସ୍ତ୍ରୀଙ୍କ ମତରେ ୨୦୨୩ରେ ଜାତୀୟ ସମୃଦ୍ଧି ହାର (ଜିଡିପି) ପୂର୍ବ କଳ୍ପନାରୁ ଯଥେଷ୍ଟ ତଳେ, ଅର୍ଥାତ୍‍ ୭%ରେ ପାଖାପାଖି ରହିବ ଓ ମୁଦ୍ରାସ୍ଫୀତି ହାର ନିଶ୍ଚୟ ପୁନଃ ସରକାରୀ ଆକଳନ ୬%ରୁ ଯଥେଷ୍ଟ ଉପରେ ରହିବ। ଏ ସମସ୍ତଙ୍କୁ ମୋଟାମୋଟି ଭାବେ ଲକ୍ଷ୍ୟ କଲେ ଜନସାଧାରଣ ଦରଦାମ ବୃଦ୍ଧି, ଋଣର ସୁଧବୃଦ୍ଧି, ରୋଜଗାର କ୍ଷୟ, ବେରୋଜଗାରୀ ବୃଦ୍ଧି ଆଦିର ଚାପ ଅନୁଭବ କରିବେ।

ବାସ୍ତବ ବିକାଶର ଧାରା କ୍ଷୀପ୍ର ଓ ବ୍ୟାପକ କରାଗଲାବେଳେ ମଧ୍ୟ ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିଥାଏ। କାରଣ ବଜାରକୁ ବହୁ ପରିମାଣରେ ଅର୍ଥ ପ୍ରବାହିତ ହୋଇଥାଏ। ତେବେ ଏହି ଅର୍ଥ ଲୋକଙ୍କ ରୋଜଗାର ଓ ଦେଶର ସଂପତ୍ତି ବୃଦ୍ଧିରେ ସହାୟକ ହୋଇଥିଲେ ମୁଦ୍ରାସ୍ଫୀତି କ୍ଷତି ଘଟାଇ ନଥାଏ।

ଏକ ସୁଚିନ୍ତିତ ଅର୍ଥନୀତି ହେତୁ ୨୦୦୪ରୁ ୨୦୧୨ ସମୟରେ ମଧ୍ୟମ ଆୟକାରୀ ବର୍ଗ ୨୦୦୪-୦୫ ଆକଳନ ଅନୁସାରେ (ବାର୍ଷିକ ୨ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ଆୟ ଭିତରେ) ୩୧.୪ ନିୟୁତରୁ ୫୩.୩ ନିୟୁତକୁ ବୃଦ୍ଧି ପାଇଥିଲା। ଗରିବଙ୍କ ହାତରେ ମହାତ୍ମା ଗାନ୍ଧି ନାରେଗା, ବ୍ୟାପକ ଗୃହନିର୍ମାଣ (ସରକାରୀ ଓ ବେସରକାରୀ ସ୍ତରରେ) ଓ ରାସ୍ତା ପୋଲ ନିର୍ମାଣରେ ଖଟୁଥିବାମାନଙ୍କୁ ନିଶ୍ଚିତ ମଜୁରୀର ବ୍ୟବସ୍ଥା ଏହି ସମୟରେ ବ୍ୟାପକ ଥିଲା। ଗତ ୨୦୧୬ର ବିମୁଦ୍ରାୟନ ପରଠାରୁ ମଧ୍ୟବିତ୍ତ ବର୍ଗର ସଂଖ୍ୟା ଓ ଆୟ ଯଥେଷ୍ଟ ପରିମାଣରେ ସଂକୁଚିତ ହୋଇଛି। କେବଳ ମୁଷ୍ଟିମେୟ କିଛି ଧନୀକଙ୍କ ଧନବୃଦ୍ଧି ହେତୁ ବଜାର ଚଳଚଞ୍ଚଳ ରହିବା କଥା ଯେଉଁମାନେ ଭାବନ୍ତି ସେମାନେ ବାସ୍ତବତାଠାରୁ ବହୁ ଦୂରରେ ରହି ସ୍ୱପ୍ନ କେବଳ ବାଣ୍ଟନ୍ତି।

ଫୋ- ୯୪୩୮୩୬୦୮୪୯

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।