ରେଜଲ୍ଟର ଚାପ..

ଅପୂର୍ବ ରଞ୍ଜନ ପଣ୍ଡା

ଧୀରେ ଧୀରେ ପ୍ରାୟ ସବୁ ବୋର୍ଡର ପରୀକ୍ଷା ଫଳ ବାହାରିବାରେ ଲାଗିଛି। ଛାତ୍ରଛାତ୍ରୀମାନେ ବର୍ଷ ବର୍ଷ ଧରି କରିଥିବା ପରିଶ୍ରମର ଫଳ ବାହାରୁଥିବା ବେଳେ, କିଏ କେତେ ମାର୍କ ରଖିଲା ତାକୁ ନେଇ ଚର୍ଚ୍ଚା ହୁଏ। କିଏ ୭୦% ତ କିଏ ୯୦% ଏବଂ କିଏ ୫୦% ନମ୍ବର ରଖି ପାସ୍‌ ହେଉଛନ୍ତି।

ପରୀକ୍ଷାଫଳକୁ ନେଇ ପିଲାମାନେ ଯେତିକି ଚାପଗ୍ରସ୍ତ, ସେମାନଙ୍କଠାରୁ ଅଧିକ ଚାପଗ୍ରସ୍ତ ଅଭିଭାବକମାନେ। କହିବାକୁ ଗଲେ କିଛି କିଛି ଅଭିଭାବକମାନେ ତ ସେମାନଙ୍କ ପିଲାଙ୍କ ମାର୍କକୁ ନିଜ ଘରର ଇଜ୍ଜତ ସହିତ ତୁଳନା କରନ୍ତି। ଏଇ ଯେମିତି ତା ପୁଅ/ଝିଅ ଏତେ ମାର୍କ ରଖି ତାଙ୍କ ଘର ପାଇଁ ଗୌରବ ଆଣିଲା, କିନ୍ତୁ ତୁ ମାତ୍ର ଏତିକି ମାର୍କ ରଖିଲୁ? ଆମ ଘରେ ଆଗରୁ କେହି ଏତେ କମ ନମ୍ବର ରଖିନଥିଲେ, ତୋରି ପାଇଁ ଆମେ ସମସ୍ତଙ୍କ ଠାରୁ ପଛରେ ପଡ଼ିଗଲୁ!! ତୋ ଭଳିଆ କୁଳଙ୍ଗାର ଜନ୍ମ ହେଇ ଆମ ପରିବାରର ମନ ସମ୍ମାନ ମାଟିରେ ମିଶିଗଲା। ଏମିତି ଅନେକ କିଛି!!!

ଏମିତିକି ଆମର ଏଠି ତ ଭଲ ନମ୍ବର ରଖୁଥିବା ପିଲାଙ୍କୁ ଭଲ ପିଲା ଏବଂ ଖରାପ ନମ୍ବର ରଖୁଥିବା ପିଲାଙ୍କୁ ଖରାପ ପିଲା ବୋଲି କୁହାଯାଏ ! ଆଜ୍ଞା ସତ କହିବେ କଣ ଗୋଟେ ପିଲାର ନମ୍ବର ତାକୁ ଭଲ ଏବଂ ଖରାପ ହେବ ନେଇ ସାର୍ଟିଫିକେଟ ପ୍ରଦାନ କରେ? ଅନେକ ପିଲା ଅଛନ୍ତି ଯେଉଁମାନେ କି ଭଦ୍ର, ନମ୍ର ଏବଂ ଶାନ୍ତଶିଷ୍ଟ ହୋଇଥାନ୍ତି, କିନ୍ତୁ ପଢ଼ାପଢିରେ ଟିକେ ଦୁର୍ବଳ ହୋଇଥାନ୍ତି। ସେହିପରି ଅନେକ ପିଲା ଥା’ନ୍ତି ଯେଉଁମାନେ ଦୁଷ୍ଟ ହୋଇଥାନ୍ତି କିନ୍ତୁ ପଢ଼ାପଢ଼ିରେ ଭଲ ଥାଆନ୍ତି।

ନୁହେଁ କି??

ଆମେ ବେଶ କିଛି ଘଟଣା ବାବଦରେ ଜାଣିଛେ, ଯେଉଁଥିରେ କିଛି ପିଲା ଖରାପ ମାର୍କ ରଖିବାକୁ ନେଇ ଆତ୍ମହତ୍ୟାର ବାଟ ମଧ୍ୟ ବାଛିନେଇଛନ୍ତି।

ଉଭୟ ଅଭିଭାବକ ଏବଂ ପିଲା ବୁଝିବା ଦରକାର ଯେ ଗୋଟିଏ ପରୀକ୍ଷା ସବୁକିଛି ନୁହେଁ। ଜୀବନ ରାସ୍ତାରେ ଆଗକୁ ଆହୁରି ଅନେକ ପରୀକ୍ଷା ଦେବାର ଅଛି। ଏମିତିକି ଉଦାହରଣ ମଧ୍ୟ ଅଛି ଯେ ,ନିଜ କ୍ୟାରିୟରର ପ୍ରାଥମିକ ପର୍ଯ୍ୟାୟରେ କମ ମାର୍କ ରଖିଥିବା ପିଲା ମଧ୍ୟ ପରବର୍ତ୍ତୀ ସମୟରେ ବହୁତ ଭଲଭଲ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି।

ଉଦାହରଣ ହେଲେ ଆଇଏଏସ୍‌ ନୀତୀନ୍ ସାଙ୍ଗୱାନ। ସେ କିଭଳି ନିଜେ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ କେମେଷ୍ଟ୍ରିରେ ପାସ୍ ମାର୍କଠାରୁ ମାତ୍ର ୧ ନମ୍ବର ଅଧିକ ରଖି ପାସ୍ କରିଥିଲେ ତାହା ନିଜ ଟ୍ୱିଟର ରେ ଶେୟାର କରିଛନ୍ତି। ଏହା ମଧ୍ୟ କହିଛନ୍ତି ଯେ “Life is much More Than Board Exams”।

ତେଣୁ ଯଦି ଆପଣଙ୍କ ପିଲା ବୋର୍ଡ ପରୀକ୍ଷାରେ କମ ମାର୍କ ରଖୁଛି, ତାହେଲେ ତାକୁ ବୁଝେଇ ଶୁଝେଇ ପରବର୍ତ୍ତୀ ପରୀକ୍ଷା ପାଇଁ ପ୍ରସ୍ତୁତ କରନ୍ତୁ। ନୁହେଁକି ଗାଳିମନ୍ଦ କରି ତାକୁ ଅନ୍ୟମାନଙ୍କ ଠାରୁ ନୀଚ୍ଚ ଦେଖାନ୍ତୁ।

ମନେ ରଖନ୍ତୁ, ପ୍ରତିଟି ଭୁଲକୁ ସଜାଡ଼ିବା ପାଇଁ ଜୀବନ ଦ୍ଵିତୀୟ ସୁଯୋଗ ଦେଇଥାଏ। ଆଉ ଏ ପରୀକ୍ଷା ଶେଷ ପରୀକ୍ଷା ନୁହେଁ…