ସୂର୍ଯ୍ୟମଣି ମିଶ୍ର
କଂଗ୍ରେସ ପାଇଁ ଏପରି କୌଣସି ଗୋଟିଏ ଦିନ ନାହିଁ ଯେଉଁଦିନ ସୁଖବର ଆସୁଛି। ୨୦୧୪ ମସିହାରୁ କେନ୍ଦ୍ର କ୍ଷମତାଠାରୁ ବାହାରେ ରହିଛି କଂଗ୍ରେସ। ରାଜ୍ୟସ୍ତରରେ କଂଗ୍ରେସ ସରକାର ଗୋଟିଏ ପରେ ଗୋଟିଏ ଭାଙ୍ଗିଯାଉଛି। କର୍ଣ୍ଣାଟକ ଗଲା, ମଧ୍ୟପ୍ରଦେଶ ଗଲା, ଏବେ ରାଜସ୍ଥାନ ସରକାରର ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି। ଏହାର କାରଣ ହେଉଛି ଦଳ ଭିତରେ ଥିବା ନେତା ନିଜ ନିଜ ମଧ୍ୟରେ ଲଢୁଛନ୍ତି।
ବର୍ତ୍ତମାନର ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ନରେନ୍ଦ୍ର ମୋଦି ତ ପ୍ରାୟ ସମୟରେ କଂଗ୍ରେସ-ମୁକ୍ତ ଭାରତ ପାଇଁ ଆବେଦନ କରୁଛନ୍ତି। ଭାରତର ସାଧାରଣ ନାଗରିକଙ୍କ ମନରେ ଏ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, କଂଗ୍ରେସ ଧୀରେ-ଧୀରେ ବିଲୁପ୍ତ ହୋଇଯିବ? ମୋର ଅନୁଭବ ହେଉଛି ଏବଂ ଭାବୁଛି ମଧ୍ୟ ସମ୍ଭବତଃ ମୋ ବିଚାର ଏବଂ ମୋ ଅନୁମାନ ଭୁଲ ହୋଇଯାଇପାରେ। କିନ୍ତୁ ଏହାକୁ ପ୍ରକାଶ କରିବା ଭୁଲ୍ ହେବନାହିଁ।
କଂଗ୍ରେସର ଇତିହାସ ବହୁତ ଲମ୍ବା। ୧୮୮୩ରେ ଜଣେ ଇଂରେଜ ଅଧିକାରୀ ଆଲାନ ଅକ୍ଟାଭିଅନ ହ୍ୟୁମ୍ କଲିକତାରେ ଏକ ଚିଠି ଲେଖି କଂଗ୍ରେସ ନାମକ ଏକ ସଂଗଠନର ଆବଶ୍ୟକତା ଉପରେ ସୂଚନା ଦେଇଥିଲେ। ସେ ନିଜ ଚିଠିରେ କହିଥିଲେ, ଇଂରେଜ ଶାସନ ଏବଂ ଭାରତର ପ୍ରତିନିଧିଙ୍କ ମଧ୍ୟରେ ଏଇ ସଂଗଠନ ଆଲୋଚନାର ମାଧ୍ୟମ ହୋଇପାରିବ। ଏହାର ଦୁଇବର୍ଷ ପରେ ୧୮୮୫ରେ ମୁମ୍ବାଇଠାରେ ୨୮ରୁ ୩୧ ଡିସେମ୍ବର ମଧ୍ୟରେ ୭୨ ଜଣ ପ୍ରତିନିଧିଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହେଲା। ଏହି ସଭାରେ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଗଲା। ଉମେଶ ଚନ୍ଦ୍ର ବାନାର୍ଜୀଙ୍କୁ ଏହାର ପ୍ରଥମ ଅଧ୍ୟକ୍ଷ ଭାବେ ମନୋନୀତ କରାଗଲା। ଦାଦାଭାଇ ନାଓରୋଜୀ ଏବଂ ଦିନେଶ ବାଚାଙ୍କ ଭଳି ବ୍ୟକ୍ତି ଏହାର ପ୍ରତିଷ୍ଠାତା ସଦସ୍ୟ ହେଲେ। ପରବର୍ତ୍ତୀ ସମୟରେ ବାଲ୍ ଗଙ୍ଗାଧର ତିଲକ୍ ଏବଂ ମହାଦେବ ଗୋବିନ୍ଦ ରାନାଡେ ଏହା ସହ ଯୋଡ଼ି ହେଲେ। ଦୁଇବର୍ଷ ଭିତରେ ଏଇ ସଂଗଠନରେ ତୋଷାମଦ ଓ ପ୍ରିୟାପ୍ରୀତିକୁ ନେଇ ଝଗଡ଼ା ଆରମ୍ଭ ହେଲା। ଡକ୍ଟର ଆମ୍ବେଦକର ନିଜର ପ୍ରସିଦ୍ଧ ପୁସ୍ତକ ‘ହ୍ୱାଟ୍ କଂଗ୍ରେସ ଆଣ୍ଡ୍ ଗାନ୍ଧି ହ୍ୟାଭ୍ ଡନ୍ ଟୁ ଦ ଅନ୍ଟଚେବଲସ୍’ର ଆରମ୍ଭରେ ଏକଥା ସୂଚାଇଛନ୍ତି।
୧୮୯୫ରେ ଅନୁଷ୍ଠିତ ପୁନେ କଂଗ୍ରେସରେ ପୂର୍ବରୁ ଘଟିଥିବା ସାଂଗଠନିକ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ସଂଗଠନରେ ସାମାଜିକ ସମ୍ମିଳନୀକୁ କଂଗ୍ରେସ ମଞ୍ଚ କରିବା ଉଦ୍ୟମ ଉପରେ ତିଲକଙ୍କ ଦ୍ୱାରା କଟକଣା ଲଗାଗଲା। ବିଂଶ ଶତାବ୍ଦୀର ଆରମ୍ଭରେ କଂଗ୍ରେସ ଭିତରେ ନରମପନ୍ଥୀ ଏବଂ ଚରମପନ୍ଥୀ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳିଲା। ୧୯୦୬ରେ ଚରମପନ୍ଥୀଙ୍କୁ କଂଗ୍ରେସରୁ ବାହାର କରିଦିଆଗଲା। ଏହି ନେତାଙ୍କ ମଧ୍ୟରେ ଥିଲେ ତିଲକ। ଏହାର କିଛିବର୍ଷ ପରେ ପୁଣି ଥରେ ଉଭୟ ପନ୍ଥୀ କଂଗ୍ରେସରେ ମିଳିତ ହେଲେ।
୧୯୧୫ରେ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଲେ ଏବଂ କଂଗ୍ରେସ ସହ ନିଜକୁ ଯୋଡ଼ିଲେ। ୧୯୧୭ରେ ଗାନ୍ଧିଜୀ ଚମ୍ପାରନରେ କୃଷକ ଆନ୍ଦୋଳନକୁ ସଂଯୋଜିତ କଲେ। ୧୯୨୦ରେ କଂଗ୍ରେସ ତାଙ୍କ ନେତୃତ୍ୱକୁ ଆସିଲା। ଗାନ୍ଧିଜୀଙ୍କ ନେତୃତ୍ୱରେ କଂଗ୍ରେସ କୃଷକ, ଶ୍ରମିକ ଏବଂ ସାଧାରଣ ନାଗରିକଙ୍କୁ ପ୍ରଥମ ଥର ପାଇଁ ଯୋଡ଼ାଗଲା। ଏହା ପୂର୍ବରୁ କିଛି ଓକିଲଙ୍କର ଦଳ ଥିଲା କଂଗ୍ରେସ। ଯେଉଁଥିପାଇଁ ସଂଗଠନ ନିଷ୍ପ୍ରାଣ ଥିଲା। କଂଗ୍ରେସ ପାଇଁ ଗାନ୍ଧିଜୀ ସୂତା କାଟିବାକୁ ଅତି ଆବଶ୍ୟକ ବୋଲି ମନେକଲେ ଏବଂ ଏହାକୁ କାର୍ଯ୍ୟକାରୀ କଲେ।
ମୋତିଲାଲ୍ ନେହେରୁ, ସର୍ଦ୍ଦାର ପଟେଲ ଏବଂ ରାଜାଜୀ ମଧ୍ୟ ଏନେଇ ସହମତି ପ୍ରକାଶ କଲେ। ଖଦୀ ସୂତା ରାଷ୍ଟ୍ରୀୟତାର ନୂଆ ପରିଚୟ ହେଲା। ସଂଗଠନରେ ଶ୍ରମ ସଂସ୍କୃତିର ପୁନଃ ନିର୍ମାଣ କରାଗଲା। ଏହା ସହ ମଧ୍ୟଯୁଗୀୟ ଭକ୍ତି ଆନ୍ଦୋଳନ ଉପରେ ମଧ୍ୟ ଗୁରୁତ୍ୱ ଦିଆଗଲା। ଏହି ସମୟରେ ଖିଲାପତ ଆନ୍ଦୋଳନ ଏବଂ ଅନ୍ୟ କିଛି ପ୍ରସଙ୍ଗକୁ ନେଇ କଂଗ୍ରେସ ଭିତରେ ମତଭେଦ ଥିଲା। ୧୯୨୩ରେ ମୋତିଲାଲ୍ ନେହେରୁ, ଚିତ୍ତରଞ୍ଜନ ଦାସ ଏବଂ ଆନ୍ନିବେସାନ୍ତ କଂଗ୍ରେସରୁ ବାହାରି ଯାଇ ସ୍ୱରାଜ ପାର୍ଟି ଗଢିଲେ। କିନ୍ତୁ କିଛି ଦିନ ପରେ ଏହି ନେତା ପୁଣି କଂଗ୍ରେସକୁ ଫେରିଥିଲେ। ୧୯୨୯ରେ କଂଗ୍ରେସର ଅଧ୍ୟକ୍ଷ ହେଲେ ଜବାହରଲାଲ୍ ନେହେରୁ। ସେତେବେଳକୁ ତାଙ୍କର ବୟସ ହୋଇଥିଲା ୪୦। ୧୯୩୦, ୨୬ ଜାନୁଆରୀରେ ଦଳ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହେଲା ‘ପୂର୍ଣ୍ଣ ସ୍ୱରାଜ’। ସୁଶାସନ ସ୍ଥାନରେ ପୂର୍ଣ୍ଣ ସ୍ୱାଧୀନତା ଲକ୍ଷ୍ୟକୁ ଦଳ ଆପଣେଇଲା।
ପୁଣି ଥରେ ଏହାକୁ ନେଇ ୧୯୦୬ରେ ନରମ ଏବଂ ଚରମ ପନ୍ଥୀଙ୍କ ମଧ୍ୟରେ ମତଭେଦ ଦେଖାଦେଲା। ୧୯୩୯ରେ ଦଳ ଭିତରେ ଥିବା ନରମ ପନ୍ଥୀ ଗ୍ରୁପ୍କୁ ଚରମପନ୍ଥୀ ଗ୍ରୁପ ପରାଜିତ କଲେ। ଏହି ଲଢେଇରେ ସୁବାସ ବୋଷ ଏବଂ ପଟ୍ଟାଭି ସୀତାରମେୟା ଥିଲେ। ରମେୟାଙ୍କ ପ୍ରତି ଗାନ୍ଧିଜୀଙ୍କର ଖୋଲା ସମର୍ଥନ ଥିଲା। ଗାନ୍ଧିଜୀ କିନ୍ତୁ କଂଗ୍ରେସର ମେମ୍ବର ନଥିଲେ। କିନ୍ତୁ କଂଗ୍ରେସ ତାଙ୍କ ଦ୍ୱାରା ଚାଲୁଥିଲା। ସୁବାସ ବୋଷ ନିର୍ବାଚନରେ ଜିତି ମଧ୍ୟ କଂଗ୍ରେସ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ସ୍ୱାଧୀନତା ପୂର୍ବଯାଏ କଂଗ୍ରେସ ଭିତରେ ମତଭେଦ ଥିଲା। କଂଗ୍ରେସର ଆରମ୍ଭିକ ଇତିହାସର ୨-୩ ତଥ୍ୟ ଉପରେ ଧ୍ୟାନ ଦେବା ଉଚିତ୍ ହେବ। ୧୯୨୦ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଥିଲେ ତିଲକ। ତାଙ୍କ ବିଚାର ଯାହା ହୋଇଥାଉନା କାହିଁକି କଂଗ୍ରେସର ଅର୍ଥ ତିଲକଙ୍କୁ ହିଁ ବୁଝାଯାଉଥିଲା। ୧୯୨୦ ପରେ କଂଗ୍ରେସ କହିଲେ ଗାନ୍ଧିଜୀଙ୍କୁ ବୁଝାଗଲା। ଏହା ସେତେଦିନ ପର୍ଯ୍ୟନ୍ତ ଚାଲିଲା ଯେତେଦିନ ଯାଏ ପଣ୍ଡିତ ନେହେରୁ ପ୍ରଧାନମନ୍ତ୍ରୀ ହୋଇନଥିଲେ। ପଣ୍ଡିତ ନେହେରୁ ପ୍ରଧାନମନ୍ତ୍ରୀ ହେବା ପରେ କଂଗ୍ରେସ କହିଲେ ନେହେରୁଙ୍କୁ ହିଁ ବୁଝାଗଲା। କଂଗ୍ରେସ ଅର୍ଥାତ୍ ନେହେରୁ ଏହି ପରିଚୟକୁ ନେଇ କଂଗ୍ରେସ ଆଗକୁ ବଢିଲା। ଯିଏ ନେହେରୁଙ୍କୁ ସମର୍ଥନ ନକଲେ ସିଏ ଦଳରେ ତିଷ୍ଠି ପାରିଲେ ନାହିଁ। ଏହା ପରେ ଇନ୍ଦିରା ଗାନ୍ଧିଙ୍କ ସମୟ ଆସିଲା।
ଏଠାରେ ଉଲ୍ଲେଖ କରିବା ଉଚିତ୍ ହେବ ଯେ, ଦୁଇଥର ଇନ୍ଦିରାଜଙ୍କୁ କଂଗ୍ରେସ ଦଳରୁ ବହିଷ୍କୃତ ହେବାକୁ ପଡ଼ିଥିଲା। ୧୯୭୦ରେ ଯେତେବେଳେ ଇନ୍ଦିରାଜୀଙ୍କ ମନୋନୀତ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଦଳ ଦ୍ୱାରା ଗ୍ରହଣ କରାଗଲା ନାହିଁ, ସେତେବେଳେ ଇନ୍ଦିରାଙ୍କୁ ଦଳରେ ନଥିବା ଅନ୍ୟ ନେତାମାନେ ସୂଚନା ଦେଲେ। ଇନ୍ଦିରାଙ୍କ ଦ୍ୱାରା ରାଷ୍ଟ୍ରପତି ପ୍ରାର୍ଥୀ ଜଗତ୍ଜୀବନ ରାମଙ୍କ ନାମ ପ୍ରଚାର ହେଲା। କିନ୍ତୁ ସିଣ୍ଡିକେଟ୍ ସଞ୍ଜୀବ ରେଡ୍ଡୀଙ୍କୁ ପ୍ରାର୍ଥୀକଲେ। ଦ୍ୱିତୀୟ ଥର ୧୯୭୮-୭୯ରେ ଦେବରାଜ ଉର୍ସଙ୍କ ନେତୃତ୍ୱରେ କଂଗ୍ରେସ ଦୁଇଭାଗ ହେଲା। କିନ୍ତୁ ଶେଷରେ କଂଗ୍ରେସ ସେଠାରେ ରହିଲା ଯେଉଁଠି ଇନ୍ଦିରା ରହିଲେ।
୧୯୯୦ ଦଶକରେ ରାଜୀବ ଗାନ୍ଧି ହତ୍ୟାର ଶିକାର ହେଲେ। କଂଗ୍ରେସ ଦୁର୍ବଳ ହେବାକୁ ଲାଗିଲା। ୧୯୯୧ରେ ଲୋକସଭାରେ ୨୪୪ ଆସନ ପାଇଥିବା କଂଗ୍ରେସ ୧୯୯୬ ଏବଂ ୧୯୯୮ରେ ୧୪୦ ଏବଂ ୧୪୧ ଆସନରେ ଅଟକିଗଲା। ଏହା ପରେ ରାଜୀବଜୀଙ୍କ ପତ୍ନୀ ସୋନିଆଜୀଙ୍କୁ କଂଗ୍ରେସରେ ସକ୍ରିୟ ହେଉଥିବା ଦେଖିବାକୁ ମିଳିଲା। କଂଗ୍ରେସ ନିଷ୍ପ୍ରାଣ ଥିଲା। ଦେଶର ସାଧାରଣ ନାଗରିକ କଂଗ୍ରେସ ଦଳର ଶେଷ ନିଃଶ୍ୱାସ ଗଣିବାକୁ ଲାଗିଲେ। କଂଗ୍ରେସର ମୃତ୍ୟୁକୁ ନେଇ ମଧ୍ୟ ଭବିଷ୍ୟବାଣୀ କଲେ ଏବଂ ମୃତପ୍ରାୟ ଦଳର ନେତୃତ୍ୱ ନେଲେ ସୋନିଆଜୀ। ୧୯୯୯ ଲୋକସଭା ନିର୍ବାଚନରେ ଦଳକୁ ୧୪୪ ଆସନ ମିଳିଲା। ୨୦୦୪ରେ କଂଗ୍ରେସ ପାଇଲା ୧୪୫ ଆସନ। ବିଜେପି ଜିତିଲା ୧୩୮ ଆସନରେ। ତାଳମେଳ ଏବଂ କୂଟନୀତି ଅନୁଯାୟୀ କଂଗ୍ରେସ ଦଳ ଅଟଳବିହାରୀ ବାଜପେୟୀଙ୍କ ସରକାରକୁ ଗାଦିଚ୍ୟୁତ କରିବାରେ ସଫଳ ହେଲା। ଏହି କରିସ୍ମା ଦେଖାଇଲେ ସୋନିଆଜୀ। ଏଥିରୁ ଜଣାପଡ଼ିଲା ଯେ, ଦେଶର ରାଜନୀତିର ଚରିତ୍ର କ’ଣ? ଗଣତାନ୍ତ୍ରିକ ଢାଞ୍ଚା ମଧ୍ୟରେ କରିସ୍ମା ଦେଖିବାକୁ ଚାହାଁନ୍ତି । ଏହା କେବଳ କଂଗ୍ରେସ ଦଳ ପାଇଁ ନୁହେଁ, କ୍ଷମତା ଦୌଡ଼ରେ ଥିବା ତଥା ସଂସଦୀୟ ରାଜନୀତିରେ ଭାଗ ନେଉଥିବା ସବୁ ରାଜନୈତିକ ଦଳର ଚରିତ୍ର ହୋଇଛି। କିନ୍ତୁ ଏହା ସତ୍ୟ ଯେ, ଦେଶର ଭୋଟର କାଲି ଯାହାଙ୍କୁ ଦେବତା ବୋଲି ନିର୍ବାଚନରେ ବିଜୟୀ କରି ପୂଜା କରିଥାନ୍ତି ତାହାଙ୍କୁ ମଧ୍ୟ କିପରି ହଟାଯାଇପାରିବ ତାହା ଜାଣିଥାନ୍ତି। ଯେପରି ଇନ୍ଦିରାଜୀ, ରାଜୀବଜୀ, ଭିପି ସିଂହ, ଏବଂ ଅଟଳବିହାରୀ ବାଜପେୟୀ ପୁଣି ସୋନିଆଜୀଙ୍କ ନେତୃତ୍ୱକୁ ଲୋକେ ହଟେଇ ଦେଇଥିଲେ। ଏହି ନେତାମାନଙ୍କୁ ଲୋକ ଦେବତା ଆସନରେ ବସାଇ ପୁଣି ହଟାଇ ଦେଇଥିଲେ। ୨୦୦୯ରେ କଂଗ୍ରେସକୁ ୨୦୬, ବିଜେପିକୁ ୧୧୬ ଆସନ ମିଳିଲା। ବିଶ୍ଲେଷଣରୁ ଜଣାଯାଏ ଯେ, ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୯୭୦-୭୧ରେ ଇନ୍ଦିରା ଗାନ୍ଧିଙ୍କ ରାଜନୈତିକ ସୂତ୍ରକୁ ପୁଣି ଆପଣେଇଲେ ।
ଆଶ୍ଚର୍ଯ୍ୟଜନକ ଭାବେ ୨୦୧୪ରେ ମୋଦିଙ୍କ ସପକ୍ଷରେ ଲହର ସୃଷ୍ଟିହେଲା। ମୋଦିଜୀ କ୍ଷମତା ହାସଲ କଲେ। ଏହା ପରେ ଦେଖାଗଲା ଯେ, ୨୦୦୬ରୁ କଂଗ୍ରେସ ଦଳ ଅଚାନକ ୪୪ ଆସନରେ ସୀମିତ ରହିଲା। ରାଜନୀତିରେ କ୍ଷମତା ହାସଲ ଉଦ୍ଦେଶ୍ୟ ଅବଶ୍ୟ ସବୁ ଦଳରେ ରହିଛି। ପାୱାର ଦୌଡ଼ରେ କୌଣସି ଦଳ ପଛରେ ପଡ଼ିନାହାନ୍ତି। କିନ୍ତୁ ବିଚାର ବା କାର୍ଯ୍ୟକ୍ରମକୁ ପୂରଣ କରିବା ଉପରେ କୌଣସି ଦଳ ଗୁରୁତ୍ୱ ଦେଉନାହାନ୍ତି। କେବଳ କ୍ଷମତା ହାସଲ ହିଁ ମୁଖ୍ୟ ଲକ୍ଷ୍ୟ ହୋଇଛି। ପ୍ରଶ୍ନ ହେଉଛି କ୍ଷମତା ନା ପଦ କେଉଁଟା ବଡ଼? ବିଜେପି ନେତାଙ୍କୁ ଏକଦା କଂଗ୍ରେସ ନେତା କମ୍ ଆସନ ପାଉଥିବାକୁ ନେଇ ବ୍ୟଙ୍ଗ କରୁଥିଲେ। କିନ୍ତୁ ସେ ଜାଣିପାରୁନଥିଲେ ଯେ ଦିନେ ବିଜେପି ଲୋକଙ୍କ ଆସ୍ଥା ଜିତିବ। ଯେଉଁ ବିଜେପି ୧୯୮୪ରେ ମାତ୍ର ଦୁଇଟି ଆସନରେ ବିଜୟୀ ହୋଇଥିଲେ ଆଜି ଏହି ଦଳ ଲୋକସଭାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିଛି। କିନ୍ତୁ କଂଗ୍ରେସ ପାଖରେ ରହିଛି ମାତ୍ର ୫୨ ଆସନ। ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ କଂଗ୍ରେସ ଦୁଇଦଶନ୍ଧି ଧରି କ୍ଷମତା ଠାରୁ ଦୂରରେ। ଗୋଟିଏ ପରେ ଗୋଟିଏ ରାଜ୍ୟରେ କଂଗ୍ରେସ ସଂଗଠନ ଦୁର୍ବଳ ହେବାରେ ଲାଗିଛି। ଜାତୀୟ ସ୍ତରରେ ମଧ୍ୟ ନିଷ୍ପ୍ରାଣ ଅବସ୍ଥାରେ। ଏଥିରେ ଏ ଦଳର ଭବିଷ୍ୟତ କ’ଣ?
ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
ଦୂରଭାଷ: ୯୪୩୮୦୦୬୨୧୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।