ସହରୀକରଣ ଏବଂ ସହର ତଳିର ବନ୍ୟା

ଋୁଦ୍ର ପ୍ରସନ୍ନ ରଥ

ଚଳିତ ବନ୍ୟାରେ ଭୁବନେଶ୍ୱରର ସାମାନ୍ୟ ବାହାରେ ଥିବା ସୁନ୍ଦରପଦାରେ ବନ୍ୟା ପାଣି ପଶିଥିବାର ଦୃଶ୍ୟ ଅନେକଙ୍କୁ ବ୍ୟଥିତ କରିଛି। ଏଠାରେ ଥିବା ବହୁତଳ ବିଶିଷ୍ଟ କୋଠା ଗୁଡ଼ିକର ପ୍ରଥମ ମହଲାଯାଏ ବନ୍ୟାଜଳ ମାଡ଼ି ଆସିଥିବାବେଳେ ଲୋକମାନେ ଘୋର ଦୁର୍ଦ୍ଦଶା ଦେଇ  କେଇ ଦିନ ହେବ ପାଣି ଭିତରେ ସମୟ କାଟୁଛନ୍ତି। ନା ସେମାନେ ବାହାରକୁ ବାହାରି ପାରୁଛନ୍ତି ନା ସେମାନଙ୍କ ଆବଶ୍ୟକତା ପାଇଁ ଦରକାରୀ ନିତ୍ୟ ବ୍ୟବହାର୍ଯ୍ୟ ସାମାଗ୍ରୀ ସେମାନେ ବାହାରୁ ମଗାଇ ପାରୁଛନ୍ତି! କିଛି ଅଂଚଳରେ ବିଦ୍ୟୁତ୍ ଦ୍ୱାରା ଜଳ ଯୋଗାଣ ସମସ୍ୟା ବି ବାଧିତ ହୋଇଛି। ପୂରା ଓଡ଼ିଶାର ଅଧା ବନ୍ୟାଜଳରେ ବୁଡ଼ିଥିବାବେଳେ ସହରାଂଚଳରେ ଏହି ନିମ୍ନ ଧରଣର ଅଥଚ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଥିବା ବନ୍ୟା ନୀତି ନିର୍ଦ୍ଧାରକମାନଙ୍କ ପାଇଁ ବିଶେଷ ଆଲୋଚନାର ପ୍ରସଙ୍ଗ ହୋଇ ନାହିଁ ଅବଶ୍ୟ।

ଗତ କିଛି ଦଶନ୍ଧି ମଧ୍ୟରେ ସାରା ଭାରତରେ ସହରୀକରଣ ଆଶାତୀତ ଭାବେ ବୃଦ୍ଧି ପାଇଛି। ବର୍ତ୍ତମାନ ମୋଟ୍ ଭାରତୀୟ ଜନସଂଖ୍ୟାର ପାଖାପାଖି ୩୫ ପ୍ରତିଶତ ଲୋକ ସହରରେ ବାସ କରୁଛନ୍ତି। କୃଷି ଲାଭଦାୟକ ନ ହେବା, ଯୌଥ ପରିବାର ଭାଙ୍ଗିଯିବା, ଗାଁରେ କୁଶଳୀ କାମ ନ ମିଳିବା ଆଦି କାରଣରୁ ଅନେକ ଗ୍ରାମବାସୀ ସହରମୁହାଁ। ସହର ଅଭିମୁଖେ ଗାଁବାସୀ ଚାଲିଆସିବାରୁ ସହରର କଳେବର ବୃଦ୍ଧି ପାଉଛି। ଭାରତର ଅନେକ ସହରର ଯେଉଁମାନେ ନିଜ ନିଜ ସ୍ଥାପନାର ୫୦ ବର୍ଷ ପାଳନ କରୁଛନ୍ତି ତାହାର କେନ୍ଦ୍ର ବହୁ ପୂର୍ବରୁ ତିଆରି ସରିଛି। ସେଥିରେ ଆଉ ଘର କିମ୍ବା ଅଫିସ କରିବାକୁ ଜାଗା ନଥିବାରୁ ଲୋକ ବାଧ୍ୟ ହୋଇ ସହରର ବହୁତ ବାହାରକୁ ଯାଉଛନ୍ତି। ଆଉ ଏଇ ସୁଯୋଗରେ ସହରର ବାହାର ଲମ୍ବି ଲମ୍ବି ଚାଲିଛି।

ଚାଷୀମାନଙ୍କଠାରୁ ଶାଗମାଛ ଦରରେ ଶସ୍ତା ଜମି କିମି ଏହାର କିସମ ବଦଳାଇ ବିଲଡରମାନେ ଏଠାରେ ନିଜର ସମ୍ରାଜ୍ୟ ବିସ୍ତାର କରୁଛନ୍ତି। ଗୋଟିଏ ପରେ ଗୋଟିଏ ଘର ତିଆରି ହେଲା ଭିତରେ ପୋତି ହୋଇ ଯାଉଛି ସହରର ପ୍ରମୁଖ ଜଳାଶୟ, ଜଳାଶୟ ଭିତରକୁ ଆସୁଥିବା ପାଣି ଉତ୍ସ ବି ଶୁଖି ଯାଉଛି। କେଉଁଠି ରାସ୍ତା ନଥାଇ ଘର ନିର୍ମାଣ ହେଲାଣି ତ ଆଉ କେଉଁଠି ନାଳ ବନ୍ଧ ବା କେନାଲ ବନ୍ଧ ଉପରେ କୋଠା ଠିଆ ହେଲାଣି। ପ୍ରାକୃତିକ ଜଳ ଧାରଣର ବ୍ୟବସ୍ଥାରେ ବ୍ୟତିକ୍ରମ ଏବଂ ଜଳର ବାଟ ଅବରୋଧ ହେବାରୁ ଏ ସବୁ ଅଂଚଳରେ ବର୍ଷା ପରେ ଜଳ ନିଷ୍କାସନ ସହଜ ହେଉ ନାହିଁ। ଲଗାଣ ବର୍ଷା ପରେ ଏଠାରେ ପରିସ୍ଥିତି ଅସମ୍ଭାଳ ହେଉଛି। ବିନା କାରଣରେ ଲୋକ ଏଠାରେ ନିଜର ସର୍ବସ୍ୱ ଦେଇ ଘର ଖଣ୍ଡିଏ କିଣୁଥିବା ବେଳେ ବର୍ଷାଦିନେ ଏଠାରେ ଲୋକମାନେ ଅଯଥାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯୋଜନା ଅନୁଯାୟୀ ଜଳ ନିଷ୍କାସନର ବ୍ୟବସ୍ଥା ନଥିବା ବେଳେ ପ୍ରାକୃତିକ ଜଳ ନିଷ୍କାସନ ପ୍ରଣାଳୀକୁ ଅବରୋଧ କରିବା କିମ୍ବା ବଦଳାଇ ଦେବା ଫଳରେ ମଣିଷ ଏହି ସବୁ ଅଂଚଳରେ ନିଜ ଗୋଡରେ ନିଜେ କୁରାଢ଼ୀ ମାରୁଛି ବୋଲି କୁହାଯାଇ ପାରିବ।

ଭୁବନେଶ୍ୱରରେ ଏଭଳି ଘଟଣା ଯେ ପ୍ରଥମ ଥର ଘଟୁଛି ତାହା ନୁହେଁ ଏହା ଆଗରୁ ବି ଘଟିଛି। ସମାନ କାରଣ ପାଇଁ ଆମେ ଅତୀତରେ ବାରିପଦା ଏବଂ ପୁରୀରେ ମଧ୍ୟ ଅଚାନକ ବର୍ଷାରେ ବନ୍ୟା ହେବାର ଦେଖିଛେ। ଏହି ବନ୍ୟା ସବୁ ବିଶେଷ ଭାବେ ଜୀବନ ନେଇ ପାରେ ନାହିଁ ସତ ତେବେ ମଣିଷର ଯିବା ଆସିବା ଉପରେ ପ୍ରଭାବ ପକାଏ। ତାର ବହୁ ମୂଲ୍ୟବାନ ଜିନିଷ ଅସମୟରେ ନଷ୍ଟ ହୁଏ। ଜାତୀୟ ବିପର୍ଯ୍ୟୟ କର୍ତ୍ତୃପକ୍ଷଙ୍କ ଅନୁଯାୟୀ ଭାରତର ବିଭିନ୍ନ ସହରରେ ବାର୍ଷିକ ୬୭୦ରୁ ୩୦୦୦ ମିଲିମିଟର ଯାଏ ବର୍ଷା ହୁଏ। ତେବେ ଏତିକି ବର୍ଷାଜଳକୁ ତ୍ୱରିତ୍ ଭାବେ ନଦୀ କିମ୍ବା ନିକଟସ୍ଥ ଜଳଧାରଣର ଅନ୍ୟାନ୍ୟ ଉତ୍ସଯାଏ ନେଇ ଯିବାକୁ ବ୍ୟବସ୍ଥା ନଥିବାରୁ ଲୋକମାନେ ଅଯଥା ବନ୍ୟାର ଶୀକାର ହୁଅନ୍ତି। ଅତୀତରେ ଆମେ ପାଟନା ପରି ପୁରୁଣା ସହର ଏବଂ ଗୁରୁଗ୍ରାମ ପରି ନୂଆ ସହରରେ ମଧ୍ୟ ଏପରି ବନ୍ୟା ଦେଖିଛେ। ଏହା ବେଶ୍ ଚିନ୍ତାଜନକ ଏବଂ ଏକ ବୃହତର ଜନସଂଖ୍ୟାକୁ ସହରରେ ସଠିକ୍ ଭାବରେ ବସବାସ କରିବାର ସୁଯୋଗ ପ୍ରଦାନ କରିବାରେ ଆମେ ବିଫଳ ହୋଇଛୁ ତାହା ଦର୍ଶାଉଛି।

ସହର ତଳି ଅଂଚଳରେ ଅନିୟନ୍ତ୍ରିତ ନିର୍ମାଣ, ଜନ ସଂଖ୍ୟାରେ ବ୍ୟାପକ ବୃଦ୍ଧି, ଏହି ସବୁ ଅଂଚଳ ପାଇଁ କୌଣସି ଦୂରଦୃଷ୍ଟି ବିଶିଷ୍ଟ ସ୍ଥାୟୀ ସରକାରୀ ଯୋଜନାର ଅଭାବ ଆଦି କାରଣରୁ ଏହି ସମସ୍ୟା ଜଟିଳ ହେବାର ଲାଗିଛି। ଏହି ଅଂଚଳ ସବୁ ସହରର କରପୋରେସନ୍ ବ୍ୟବସ୍ଥା ଭିତରେ ଆସୁ ନଥିବାରୁ ଏ ଦିଗରେ ସହରର ନଜର ନାହିଁ। ଏହି ଅଂଚଳରେ ବ୍ଲକ୍ କିମ୍ବା ପଂଚାୟତ ଅଫିସ୍ ଆଦିଙ୍କ ପାଖରେ ଅନିୟନ୍ତ୍ରିତ ନିର୍ମାଣ ରୋକିବାକୁ ଆବଶ୍ୟକୀୟ ମାନବ ସମ୍ବଳ ନାହିଁ। ସେପଟେ ଲୋକ ନିଜ ପସନ୍ଦର ଜାଗାଟିଏ କିଣି ଘର ଖଣ୍ଡେ ତୋଳିବାକୁ ଡହଳ ବିକଳ ହେଉଥିବାରୁ ସେଠାରେ ବିଲଡର ଜାଲରେ ଫସି ଯାଉଛନ୍ତି। ଖାଲୁଆ ବୁଡ଼ି ଅଂଚଳରେ ଘର କିମ୍ବା ଜମି କିଣିବାକୁ ବାଧ୍ୟ ହେଉଛନ୍ତି।

ଆଗକୁ ଯେ ଏହି ସମସ୍ୟା ଆହୁରି ଜଟିଳ ହେବ ତାହା ମଧ୍ୟ ଜଳ ଜଳ କରି ଦେଖାଯାଉଛି। ତୁରନ୍ତ ସରକାର ଏ ଦିଗରେ ପଦକ୍ଷେପ ନ ନେଲେ ଆଗକୁ ଏହି ଅଂଚଳ ଦେଇ ମୁଖ୍ୟ ସହର ମଧ୍ୟକୁ ବନ୍ୟା ପଶିବାର ଆଶଙ୍କା ରହିଛି। “ମୋତେ ଏହା ପ୍ରଭାବିତ କରୁନାହିଁ, ତେଣୁ ମୁଁ କାହିଁକି ଚିନ୍ତା କରିବି” ବୋଲି ସରକାରୀ ଲୋକମାନେ ଚିନ୍ତ। ନ କରି ସରକାର ତୁରନ୍ତ ଏ ସବୁ ସହର ତଳିରେ କିପରି ବନ୍ୟାଜଳ ନିଷ୍କାସନ କରି ହେବ ସେ ନେଇ ତୁରନ୍ତ ମାଷ୍ଟର ପ୍ଲାନ କରିବା ଦରକାର। ଏତେ ସବୁ ବୈଧ ଏବଂ ଅବୈଧ ନିର୍ମାଣ ସତ୍ତ୍ୱେ ଯେଉଁ କିଛି ପାନୀୟ ଜଳର ସୂତ୍ର ତଥାପି ବଂଚିଯାଇଛି ସରକାର ସେଗୁଡିକର ରକ୍ଷଣାବେକ୍ଷଣ କରିବାସହ ଏ ଅଂଚଳରେ ଚାଲିଥିବା ଅବୈଧ ନିର୍ମାଣକୁ ତୁରନ୍ତ ରୋକିବା ଦରକାର। ଏପରି ନ ହେଲେ ଆଗକୁ ଏ ବିପର୍ଯ୍ୟୟ ବହୁତ ବଡ଼ ହେବ।

ଧବଳଗିରି, ଯାଜପୁର ରୋଡ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।