ଭିଡ଼ତନ୍ତ୍ର, ଭିଡ଼ହତ୍ୟା, ଭିଡ଼ବୁଦ୍ଧି

ଦେବେନ୍ଦ୍ର ପୃଷ୍ଟି

ନ୍ୟାୟ ହେଲା। ଅପରାଧୀ ଦଣ୍ଡ ପାଇଲେ। ପ୍ରିୟଙ୍କାର ଆତ୍ମା ଶାନ୍ତ ହେଲା। ହାଇଦ୍ରାବାଦ ପୁଲିସ ହିରୋ। ସାରା ଦେଶରେ ପୁଲିସ ହାଇଦ୍ରାବାଦ ପୁଲିସଠାରୁ ଶିଖୁ।

୨୦୧୯ ନଭେମ୍ବର ୨୭ ତାରିଖ ସନ୍ଧ୍ୟାରେ ହାଇଦ୍ରାବାଦ ପ୍ରାଣୀ ଚିକିତ୍ସକ ପ୍ରିୟଙ୍କା ରେଡ୍ଡିର ଧର୍ଷଣ ଓ ହତ୍ୟା ଅପରାଧରେ ସନ୍ଦେହରେ ଧରାପଡ଼ିଥିବା ୪ ଜଣଙ୍କୁ ଡିସେମ୍ବର ୬ ତାରିଖ ପ୍ରତ୍ୟୁଷରେ ପୁଲିସ ଏନ୍‌କାଉଣ୍ଟରେ ନିପାତ କରାଯିବା ପରେ ସାରା ଦେଶରେ ଏହିଭଳି ବହୁ ମତ ପ୍ରକାଶ ପାଇଛି। ଏନକାଉଣ୍ଟର ସ୍ଥାନରେ ହଜାର ହଜାର ଲୋକ ରୁଣ୍ଡ ହୋଇ ପୁଲିସ ଉପରେ ପୁଷ୍ପବର୍ଷଣ କରିଛନ୍ତି। ଦେଶର ବହୁ ନେତା, ଅଭିନେତା ଓ ସେଲିବ୍ରିଟି ଏହି ଏନ୍‌କାଉଣ୍ଟରକୁ ସମର୍ଥନ କରିଛନ୍ତି। ଏମିତିକୁ ଓଡ଼ିଶାର ଆଇନ ମନ୍ତ୍ରୀ ପ୍ରତାପ ଯେନା ମଧ୍ୟ ଗଣମାଧ୍ୟମରେ ଏହି ଏନ୍‌କାଉଣ୍ଟର ସପକ୍ଷରେ ମତ ଦେଇଛନ୍ତି। ଟୁଇଟର ଓ ଫେସ୍‌ବୁକ୍‌ ଭଳି ସାମାଜିକ ଗଣମାଧ୍ୟମରେ ଏହା ସପକ୍ଷରେ ମତର ବନ୍ୟା ବହିଛି। କେବଳ ଟୁଇଟରରେ ବିଭିନ୍ନ ହାଶ୍‌ଟ୍ୟାଗରେ ୩ ଲକ୍ଷରୁ ଅଧିକ ମତ ପ୍ରକାଶ ପାଇଛି। ଏଭଳି ଏନ୍‌କାଉଣ୍ଟର ଓ ତୁରନ୍ତ ନ୍ୟାୟ ବିରୋଧରେ ଖୁବ କମ ସ୍ୱର ଉଠିଛି, ଯାହା ଅତ୍ୟନ୍ତ ନଗଣ୍ୟ।

ଜଣେ ମହିଳାଙ୍କୁ ଜଘନ୍ୟ ଭାବେ ଗଣଧର୍ଷଣ କରିବା ପରେ ହତ୍ୟା କରି ପୋଡ଼ିଦେବା ଭଳି ଅପରାଧକୁ କେହି ସମର୍ଥନ କରିପାରିବେ ନାହିଁ। ଏଭଳି ନରପିଶାଚମାନଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଘଟଣା ପରେ ପରେ ବହୁ ମତ ପ୍ରକାଶ ପାଇଛି। ତାହା ଯଥାର୍ଥ। କିନ୍ତୁ ଏହି ଅପରାଧୀମାନଙ୍କୁ ନ୍ୟାୟିକ ପ୍ରକ୍ରିୟାରେ ଦଣ୍ଡ ଦେବା ଓ ଏନ୍‌କାଣ୍ଟରରେ ହତ୍ୟା କରିବା ସମାନ କଥା ନୁହେଁ। ପ୍ରିୟଙ୍କାକୁ ନ୍ୟାୟ ଦେବାକୁ ଯାଇ ତେଲେଙ୍ଗାନା ପୁଲିସ ଅପରାଧ କରିନାହିଁ ତ? ପ୍ରିୟଙ୍କା ଦୁଷ୍କର୍ମ ଓ ହତ୍ୟା ପରେ ସଂଗଠିତ ହୋଇଥିବା ଉଗ୍ର ଜନମତକୁ ଶାନ୍ତ କରିବାକୁ ଯାଇଁ ଏହା ପୁଲିସର ଏକ ଯୋଜନାବଦ୍ଧ ଏନ୍‌କାଉଣ୍ଟର ନୁହେଁ ତ? ଅଳ୍ପସଂଖ୍ୟକ ହେଲେ ମଧ୍ୟ ଏପରି କିଛି ମତ ଏହି ‘ଏନ୍‌କାଉଣ୍ଟର ନ୍ୟାୟ’କୁ ସନ୍ଦେହ ଘେରକୁ ଟାଣି ନେଇଛି।

ପ୍ରିୟଙ୍କାର ଅପରାଧୀମାନେ ଭୟଙ୍କର ଆତଙ୍କବାଦୀ ନୁହନ୍ତି। ସେମାନେ ମଧ୍ୟ ପୂର୍ବରୁ ଏପରି କୌଣସି ଧର୍ଷଣ ଓ ହତ୍ୟା କରିଥିବାର ପ୍ରମାଣ ଏଯାଏଁ ପୁଲିସର ହସ୍ତଗତ ହୋଇନାହିଁ। ସେମାନେ ସମାଜର ନିମ୍ନ ବର୍ଗର ଲୋକ। ଟ୍ରକ୍‌ ଚାଳକ ଓ କ୍ଲିନର। ନଭେମ୍ବର ୨୭ ତାରିଖରେ ଅପରାଧ ଘଟାଇବାର ଦିନକ ପରେ ସେମାନଙ୍କୁ ୨୮ ତାରିଖରେ ଗିରଫ କରାଯାଇଥିଲା। ଡିସେମ୍ବର ୪ ତାରିଖରେ ସେମାନଙ୍କୁ ୭ ଦିନ ପାଇଁ ପୁଲିସ ରିମାଣ୍ଡରେ ନେଇଥିଲା। ଡିସେମ୍ବର ୬ ତାରିଖ ରାତି ପାହିବା ବେଳକୁ ସେମାନଙ୍କର ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଥିବା ଖବର ମିଳିଲା। ଖବର ସହିତ ଯେଉଁ ଫଟୋ ପୁଲିସ ତରଫରୁ ଗଣମାଧ୍ୟମରେ ଜାରି କରାଯାଇଛି ସେଥିରୁ ସ୍ପଷ୍ଟ ହୋଇଛି ଯେ ଅପରାଧୀମାନଙ୍କ ହାତରେ ହାତକଡ଼ି ନଥିଲା। ଯଦି ବି ପୁଲିସ ସେମାନଙ୍କୁ ଧର୍ଷଣ ଓ ହତ୍ୟା ଘଟଣାର ଦୃଶ୍ୟ ପୁନଃସର୍ଜନ ପାଇଁ ଘଟଣାସ୍ଥଳକୁ ନେଇଥିଲା ତେବେ ସେମାନଙ୍କୁ ସମ୍ମାନାସ୍ପଦ ଅପରାଧୀ ପରି କାହିଁକି ବ୍ୟବହାର ଦେଖାଇଥିଲା? ହାତକଡ଼ି ପକାଇ ତ ଘଟଣାସ୍ଥଳକୁ ନିଆଯାଇ ପାରିଥାନ୍ତା? ଯଦି ହାତକଡ଼ି ପଡ଼ିଥାନ୍ତା ସେମାନେ ହୁଏତ ଖସିଯିବାକୁ ଉଦ୍ୟମ କରିନଥାନ୍ତେ। କରିଥିଲେ ବି ସଫଳ ହୋଇନଥାନ୍ତେ ବୋଲି ପୁଲିସ ନିଶ୍ଚିତ ଥାଆନ୍ତା। ଏଭଳି ଅପରାଧୀ ଖସିଯିବାକୁ ଚେଷ୍ଟା କରିବା ସମୟରେ ପୁଲିସ ସେମାନଙ୍କ ଗୋଡ଼କୁ ଗୁଳି କରି ଅଖଞ୍ଜ କରିପାରିଥାନ୍ତା। କୁହାଯାଉଛି ଅପରାଧୀମାନେ ପୁଲିସକୁ ଢେଲାପଥର ଫିଙ୍ଗିଲେ, ପୁଲିସ ହାତରୁ ବନ୍ଧୁକ ଛଡ଼େଇ ନେଲେ। ଏସବୁ କଥା ସତ ହୋଇଥିବ। କିନ୍ତୁ ୧୦ ଜଣ ସଶସ୍ତ୍ର ପୁଲିସ ଘେରରେ ଥାଇ ଏହି ଅପରାଧୀମାନେ ଏପରି ଦୁଃସାହସ କରିବା ବାସ୍ତବ ବୋଧ ହେଉନାହିଁ। ଯଦି ବାସ୍ତବ ତେବେ ସେମାନେ ଯେ ବୁଦ୍ଧିହୀନ ଓ ଆଇନ ସହ ଲଢ଼ିବାରେ ଅନନ୍ୟୋପାୟ ତାହା ମଧ୍ୟ ବୁଝାପଡ଼ୁଛି। ପୁଲିସର ୧୦ ଜଣିଆ ଦଳରେ ଜଣେ ଏନ୍‌କାଉଣ୍ଟର ବିଶେଷଜ୍ଞ ଥିଲେ ବୋଲି କୁହାଯାଉଛି। ସେ ତ ଲକ୍ଷ୍ୟଭେଦ କରିବାରେ ଓସ୍ତାଦ ଥିବା କଥା। ଏଭଳି ପରିସ୍ଥିତିରେ ପୁଲିସର ପ୍ରଥମ କର୍ତ୍ତବ୍ୟ କଥା ସେ ବା କେମିତି ଭୁଲିଗଲେ?

ପ୍ରିୟଙ୍କା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଜନ ଆକ୍ରୋଶକୁ ଦେଖି ତେଲେଙ୍ଗାନା ସରକାର ଏହି ମାମଲାର ବିଚାର ପାଇଁ ଫାଷ୍ଟ ଟ୍ରାକ୍‌ ଗଠନ କରିବାକୁ ଅନୁମତି ଦେଇଥିଲେ। ଫାଷ୍ଟ ଟ୍ରାକ୍‌ କୋର୍ଟରେ ଏଭଳି ମାମଲାର ବିଚାର ୭-୧୫ ଦିନ ଭିତରେ ହୋଇଥାଏ। ପୁଲିସ ନିକଟରେ ଯଦି ସେମାନଙ୍କ ବିରୋଧରେ ଠୋସ୍‌ ପ୍ରମାଣ ଥିଲା ତେବେ ତାହା ଭିତ୍ତିରେ ସେମାନଙ୍କୁ ଫାଶୀ ହିଁ ହୋଇଥାନ୍ତା। ସେ ଯାଏଁ ଅପେକ୍ଷା କରିଥିଲେ କ’ଣ ପ୍ରିୟଙ୍କାର ପ୍ରେତ ସାଇବରାବାଦ ପୁଲିସକୁ ରାତିରେ ଡରେଇଥାନ୍ତା? ପ୍ରିୟଙ୍କା ଓ ପ୍ରିୟଙ୍କାର ପରିବାରକୁ ନ୍ୟାୟ ଦେବାକୁ ଯାଇଁ ପୁଲିସ ହତ୍ୟା ଅପରାଧ ମୁଣ୍ଡକୁ ଆଣିନାହିଁ ତ? ପୁଲିସ ତରଫରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ସେମାନେ ଆତ୍ମରକ୍ଷା କରିବାକୁ ଗୁଳି ଚଳେଇଥିଲେ। ସେଥିରେ ସମସ୍ତ ୪ ସନ୍ଦିଗ୍ଧ ଅପରାଧୀଙ୍କର ମୃତ୍ୟୁ ହୋଇଛି। ମେଡିକାଲ ନେବାକୁ ସମୟ ମିଳି ନାହିଁ। ଏଥିରୁ ପୁଲିସ କିଭଳି ଗୁଳି ଚଳାଇଥିଲା ଅନୁମାନ କରିହେବ।

ପୁଲିସ ଯାହା କହୁଛି ତାହା ସତ ହୋଇଥିଲେ ସେମାନଙ୍କ ପାଇଁ ଭଲ। ଭାରତୀୟ ନ୍ୟାୟ ବ୍ୟବସ୍ଥା ପାଇଁ ମଧ୍ୟ ଭଲ। କିନ୍ତୁ ଯଦି ମିଛ ହୋଇଥାଏ? ସେମାନଙ୍କୁ ଯଦି ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ପ୍ରମାଣ ମିଳେ ତେବେ କ’ଣ ହେବ? ୨୦୧୨ ଜୁନ ୨୮ ତାରିଖ ରାତିରେ ଛତିଶଗଡ଼ର ସାର୍କେଗୁଡ଼ାରେ ଏକ ଏନ୍‌କାଉଣ୍ଟର ହୋଇଥିଲା। ସେଥିରେ ୧୭ ଜଣ ଆଦିବାସୀ ନିହତ ହୋଇଥିଲେ। ପୁଲିସର ଦାବି ଥିଲା ସେମାନେ ଥିଲେ ନକ୍ସଲ। ସେତେବେଳେ ଛତିଶଗଡ଼ରେ ରମଣ ସିଂହ ମୁଖ୍ୟମନ୍ତ୍ରୀ ଥିଲେ। କିନ୍ତୁ ଏହି ଘଟଣା ବିରୋଧରେ ଜନମତ ସୃଷ୍ଟି ହେବାରୁ ସେ ତାହାର ତଦନ୍ତ ପାଇଁ ଏକ ନ୍ୟାୟିକ କମିଶନ ଗଠନ କରିଥିଲେ। ଏବେ ସେହି କମିଶନ ତାଙ୍କର ରିପୋର୍ଟ ଦେଇଛନ୍ତି। ସେଥିରେ କୁହାଯାଉଛି ଯେ ନିହତ ଆଦିବାସୀମାନେ ନକ୍ସଲ ଥିଲେ ବୋଲି କୌଣସି ପ୍ରମାଣ ନାହିଁ। ଏବେ ସେହି ମିଛ ଏନ୍‌କାଉଣ୍ଟରକୁ ଏକ ଗଣହତ୍ୟା ଦର୍ଶାଇ ସଂପୃକ୍ତ ପୁଲିସ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଏତଲା ଦାଏର କରିବାକୁ ପ୍ରସ୍ତୁତି ଚାଲିଲାଣି। ପ୍ରିୟଙ୍କାର ଅପରାଧୀମାନଙ୍କ କ୍ଷେତ୍ରରେ ଯଦି ସେହିପରି ମିଛ ଏନ୍‌କାଉଣ୍ଟର ହୋଇଥିବ ତେବେ ସେହିଭଳି ମାମଲା ରୁଜୁ ହେବ। ଏ ଖବର ପ୍ରକାଶ ପାଇଲାବେଳକୁ ଜାତୀୟ ମାନବାଧିକାର କମିଶନ ଏହା ଉପରେ ତଦନ୍ତ ନିର୍ଦ୍ଦେଶ ଦେଇସାରିଲେଣି। ତଦନ୍ତରୁ ଯଦି ପୁଲିସ କଥା ମିଛ ପ୍ରମାଣିତ ହୁଏ ତେବେ କ’ଣ କୁହାଯିବ ଏହି ଏନ୍‌କାଉଣ୍ଟର ‘ନ୍ୟାୟ’ ଥିଲା?

ସେଭଳି ସ୍ଥଳେ ହାଇଦ୍ରାବାଦ ପୁଲିସ ଯାହା କରିଛି ତାହା ଭିଡ଼ହତ୍ୟା ବା ଲିଂଚିଂ ପର୍ଯ୍ୟାୟଭୁକ୍ତ ହୋଇପାରେ। ଭିଡ଼ତନ୍ତ୍ରର ଭିଡ଼ହତ୍ୟା ଆଇନର ଶାସନ ନୁହେଁ। ଏକଥା ସତ ଯେ ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଏଭଳି ଅନେକ ଘଟଣାରେ ତ୍ୱରିତ ନ୍ୟାୟ ସମ୍ଭବ ନୁହେଁ। ସେଥିପାଇଁ ବିଚାରପତିମାନଙ୍କ ଅପେକ୍ଷା ପୁଲିସ ଅଧିକ ଦାୟୀ। ପୁଲିସ ଯଦି ସବୁ ମାମଲାରେ ଦକ୍ଷତା ଓ ନିରପେକ୍ଷତାର ସହିତ ତଦନ୍ତ ଭିତ୍ତିରେ ରିପୋର୍ଟ ପ୍ରସ୍ତୁତ କରନ୍ତା ତେବେ ଅନେକ ଦୋଷୀ ତୁରନ୍ତ ଦଣ୍ଡ ପାଆନ୍ତେ। ମାତ୍ର, ତାହା ସମ୍ଭବ ହେଉନାହିଁ। ତେଣୁ ଅନେକ ସମୟରେ ସାଧାରଣ ଲୋକମାନଙ୍କର ପୁଲିସ ପ୍ରଶାସନ ଓ ନ୍ୟାୟ ବ୍ୟବସ୍ଥା ଉପରୁ ବିଶ୍ୱାସ ତୁଟି ଯାଉଛି। ତ୍ୱରିତ ନ୍ୟାୟ ଆଶା କରୁଥିବା ଲୋକମାନେ ଭିଡ଼ହତ୍ୟା ସପକ୍ଷରେ ମତ ଦେଉଛନ୍ତି, ଭିଡ଼ହତ୍ୟା କରୁଛନ୍ତି ମଧ୍ୟ। ୨୦୧୭ ଜାନୁଆରୀ ୪ ତାରିଖରେ ଓଡ଼ିଶାର ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ଥାନା ଅଧୀନ କଷଣ୍ଡାରେ ଏଭଳି ଏକ ଘଟଣା ଘଟିଥିଲା। ତିନି ଜଣ ଡକାୟତ କାନାରା ବ୍ୟାଙ୍କ ଶାଖାରୁ ୩ ଲକ୍ଷ ଟଙ୍କା ଲୁଟିନେଇ ପଳାଥିବା ସମୟରେ ଭିଡ଼ ଆଗରେ ଧରାପଡ଼ିଥିଲେ। ଲୋକେ ସେମାନଙ୍କୁ ନିଷ୍ଠୁର ଭାବେ ପିଟାପିଟି କରିଥିଲେ। ପୁଲିସ ଉପସ୍ଥିତ ଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ଅଟକାଇ ନଥିଲା। ତିନି ଜଣ ଡକାୟତଙ୍କ ମଧ୍ୟରୁ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ତାହା ନ୍ୟାୟ ଥିଲା ନା ଭିଡ଼ହତ୍ୟା?

ଆଶା କରାଯାଉ, ହାଇଦ୍ରାବାଦ ଏନ୍‌କାଉଣ୍ଟର ସେପରି ‘ଭିଡ଼ନ୍ୟାୟ’ ନହୋଇଥାଉ। ଗଣତନ୍ତ୍ରରେ ଆଇନର ଶାସନ ସୁଦୃଢ଼ ହେବା ଦରକାର, ଭିଡ଼ମତର ଶାସନ ନୁହେଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।