ଦେବେନ୍ଦ୍ର ପୃଷ୍ଟି
ଗୁଇନ୍ଦା ବ୍ୟୁରୋ ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ପାଇଁ ପୁଲିସ ଓ ଆମ୍ ଆଦମୀ ପାର୍ଟିକୁ ଦାୟୀ କରିଛନ୍ତି ତାଙ୍କ ପରିବାର। ତାଙ୍କ ମା’ ଗଣମାଧ୍ୟମକୁ ଦେଇଥିବା ବୟାନ ଅନୁସାରେ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ କେତେକ ଲୋକ ନେଇଯାଇଥିଲେ। ସେ ଖବର ପାଇବା ପରେ ପରିବାର ଲୋକେ ପୁଲିସରେ ଏତଲା ଦେବାକୁ ଯାଇଥିଲେ। କିନ୍ତୁ ପୁଲିସ ଏତଲା ରଖି ନଥିଲା। ଆଜି ସକାଳୁ ଅର୍ଥାତ ବୁଧବାର ପୁଲିସ ଏତଲା ଦାଏର କଲା। ସେତେବେଳକୁ ଅଙ୍କିତଙ୍କୁ ସେମାନେ ହତ୍ୟା କରିସାରିଥିଲେ। ଆମ୍ ଆଦମୀ ପାର୍ଟିର ଲୋକମାନେ ତାଙ୍କୁ ହତ୍ୟା କରିଛନ୍ତି ବୋଲି ଅଙ୍କିତଙ୍କ ମା’ ଅଭିଯୋଗ କରିଛନ୍ତି। ତେବେ, ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ଟୁଇଟ୍ କରି ଅଙ୍କିତଙ୍କ ମୃତ୍ୟୁ ପାଇଁ ଶୋକ ପ୍ରକାଶ କରିବା ସହିତ ଏହି ଘଟଣାକୁ ନିନ୍ଦା କରିଛନ୍ତି।
ସେହିପରି ଦଙ୍ଗାରେ ପ୍ରାଣ ହରାଇଥିବା ମହମ୍ମଦ ଫୁର୍କାନଙ୍କ ଭାଇ ଗଣମାଧ୍ୟମ ଆଗରେ କହିଛନ୍ତି ଯେ ଫୁର୍କାନ ତାଙ୍କ ପିଲାମାନଙ୍କ ପାଇଁ ଖାଦ୍ୟ କିଣିବାକୁ ଯାଇଥିବାବେଳେ ଦଙ୍ଗାକାରୀଙ୍କ ହାବୁଡ଼ରେ ପଡ଼ିଲେ। ସେମାନେ କୌଣସି କାରଣ ନଥାଇ ତାଙ୍କୁ ପିଟିପିଟି ମାରିଦେଲେ।
ଏନଡିଟିଭିର ସାମ୍ବାଦିକ ସୌରଭ ଶୁକ୍ଳା ଲେଖିଛନ୍ତି, ତାଙ୍କୁ ପଞ୍ଝାଏ ଦଙ୍ଗାକାରୀ ଘେରିଥିଲେ। ସେମାନଙ୍କ କବଳରୁ ମୁକୁଳିବା ପାଇଁ ସେ ସେମାନଙ୍କୁ ପିନ୍ଧିଥିବା ରୁଦ୍ରାକ୍ଷ ଦେଖାଇବାକୁ ପଡ଼ିଥିଲା। ରୁଦ୍ରାକ୍ଷ ଦେଖେଇ ନଥିଲେ ହୁଏତ ସେମାନେ ତାଙ୍କୁ ମାରିଦେଇଥାନ୍ତେ। ସେହିପରି ଇଣ୍ଡିଆନ ଏକ୍ସପ୍ରେସର ଜଣେ ସାମ୍ବାଦିକ ଲେଖିଛନ୍ତି ଯେ ସେ ବି କେତେକ ଦଙ୍ଗାକାରୀଙ୍କ କବଳରେ ପଡ଼ିଥିଲେ। ସେମାନେ ‘ଜୟ ଶ୍ରୀରାମ’ ନାରା ଦେଉଥିଲେ।
ପୁଲିସ ହେଡ଼୍ କନଷ୍ଟେବଳ ରତନଲାଲଙ୍କ ସମେତ ଅନ୍ୟ କେତେ ଜଣ ହିନ୍ଦୁ ମଧ୍ୟ ଏହି ଦଙ୍ଗାରେ ନିହତ ହୋଇଛନ୍ତି। ୨୦୨୦ ଫେବୃଆରୀ ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଏହି ଦଙ୍ଗାରେ ୨୩ ଜଣ ନିହତ ହୋଇଥିବା ଖବର ମିଳିଲାଣି। ସେମାନେ ସମସ୍ତେ ଗୋଟିଏ ଧର୍ମର ନୁହନ୍ତି। ନିହତ ଲୋକଙ୍କ ମଧ୍ୟରେ ହିନ୍ଦୁ ଅଛନ୍ତି, ମୁସଲମାନ ବି ଅଛନ୍ତି। ଏଥିରୁ ଏହା ଜଣାପଡ଼ୁଛି ଯେ ଏହା ଏକ ସାଂପ୍ରଦାୟିକ ଦଙ୍ଗା। ହିନ୍ଦୁ ଓ ମୁସଲମାନଙ୍କ ମନରେ ପରସ୍ପର ବିରୋଧରେ ରହିଥିବା ପୁଞ୍ଜିଭୂତ ଅସନ୍ତୋଷ, ଘୃଣା ଓ କ୍ରୋଧର ପରିପ୍ରକାଶ ହେଉଛି ଏହି ଦଙ୍ଗା। ଭାରତବର୍ଷରେ ଏଭଳି ଦଙ୍ଗା ନୂଆ ନୁହେଁ। ସ୍ୱାଧୀନତା ପୂର୍ବରୁ ଓ ପରେ ମଧ୍ୟ ଭାରତବର୍ଷର ଅନେକ ରାଜ୍ୟରେ ଏଭଳି ଦଙ୍ଗା ଘଟିଛି ଓ ସେଥିରେ ଉଭୟ ସଂପ୍ରଦାୟର ବହୁ ଧନଜୀବନ ହାନୀ ଘଟିଛି। ତଥାପି, ସେଥିରୁ କିଛି ଶିଖି ନାହାନ୍ତି ଏହି ଦୁଇ ସଂପ୍ରଦାୟର ଲୋକମାନେ। ଅନ୍ୟମାନଙ୍କର ରାଜନୀତିକ ଫାଇଦା ପାଇଁ ପାରସ୍ପରିକ ଘୃଣା ଓ କ୍ରୋଧର ନିଆଁରେ ଏମାନେ ଛଟପଟ ହୋଇ ମରୁଛନ୍ତି। ହିନ୍ଦୁ ହିନ୍ଦୁଙ୍କ ପାଇଁ ମରୁଛନ୍ତି ଓ ମୁସଲମାନ ମୁସଲମାନଙ୍କ ପାଇଁ।
ଆମ୍ ଆଦମୀ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ଦିଲ୍ଲୀ ବିଧାୟକ କପିଳ ମିଶ୍ର ଦଙ୍ଗା ଘଟିବା ପୂର୍ବରୁ ରବିବାର ଉତ୍ତେଜନ ଭାଷଣ ଦେଇଥିଲେ। ତାହାର ଭିଡ଼ିଓ ଭାଇରାଲ ହୋଇଛି। ତଥାପି ତାଙ୍କ ବିରୋଧରେ ଦିଲ୍ଲୀ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଏଥିପାଇଁ ବିରକ୍ତି ପ୍ରକାଶ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ପୁଲିସ ଓ ସଲିସିଟର ଜେନେରାଲଙ୍କୁ ଏହି ଭିଡ଼ିଓ ଦେଖେଇ ବିଚାରପତି କହିଛନ୍ତି ଯେ ତୁରନ୍ତ ଏଭଳି ଭାଷଣ ପାଇଁ କପିଳଙ୍କ ବିରୋଧରେ ଏତଲା ନିଷ୍ପତ୍ତି ନିଅ। ଯଦି ରବିବାର ତାଙ୍କ ବିରୋଧରେ ଏତଲା ହୋଇଥାନ୍ତା ଓ ତାଙ୍କୁ ପୁଲିସ କଷ୍ଟୋଡ଼ିକୁ ନିଆଯାଇଥାନ୍ତା ତେବେ ହୁଏତ ଘଟଣା ଭିନ୍ନ ମୋଡ଼ ନେଇଥାନ୍ତା, ଦଙ୍ଗା ବ୍ୟାପୀ ନଥାନ୍ତା ଓ ଏତେ ମଣିଷଙ୍କ ଜୀବନ ସୁରକ୍ଷିତ ରହିଥାନ୍ତା।
ଦିଲ୍ଲୀ ବିଧାନସଭା ନିର୍ବାଚନ ପରିଣାମ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଘନିଷ୍ଟ ସହଯୋଗୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଏହା ସ୍ୱୀକାର କରିଛନ୍ତି ଯେ ଘୃଣା-ଭାଷଣ ବା ହେଟ୍ ସ୍ପିଚ୍ ପାଇଁ ବିଜେପି ହାରିଲା। ‘ଗଦ୍ଦାରୋଁ କୋ ଗୋଲି ମାରୋ’ ଭଳି କଥା କହିବାର ନଥିଲା। ଏହା ପରେ ମଧ୍ୟ ଘୃଣା ଓ କ୍ରୋଧର ରାଜନୀତି କରୁଥିବା ଲୋକମାନେ ନିଜ ଭୁଲ ବୁଝିଲେ ନାହିଁ। ଦିଲ୍ଲୀ ନିର୍ବାଚନ ପ୍ରଚାର ବେଳେ ଶାହିନବାଗରେ ଯେଉଁ ଦୁଇ ଜଣ ଗୁଳି ଫୁଟାଇ ଧରା ପଡ଼ିଥିଲେ ସେମାନଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ତେଣୁ ଅନ୍ୟମାନେ ବି ବନ୍ଧୁକ ଉଠାଇବା ପାଇଁ ସାହସ କରିଥିବେ। ପୁଲିସ ନିଜର ଏହି ବିଫଳତା ସ୍ୱୀକାର କରିନାହିଁ।
ଦଙ୍ଗାରେ ପ୍ରାୟ ଦୁଇ ଡଜନ ଜୀବନ ଯିବା ପରେ ଭାରତ ସରକାର ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କୁ ଦଙ୍ଗା ପ୍ରଶମନର ଦାୟିତ୍ୱ ଦେଇଛନ୍ତି। ଡୋଭାଲ ବୁଧବାର ଉତ୍ତରପୂର୍ବ ଦିଲ୍ଲୀର ଗଳି ଗଳି ବୁଲି ଲୋକଙ୍କୁ ବୁଝାଇଛନ୍ତି। ଏଥିରୁ କ’ଣ ବୁଝାପଡ଼ୁଛି? ପୁଲିସ ବିଫଳ ହୋଇନଥିଲେ ଦିଲ୍ଲୀର ଗୋଟିଏ ଜିଲ୍ଲାର ଦାୟିତ୍ୱ ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟାଙ୍କ ଉପରେ ନ୍ୟସ୍ତ କରାଯାଇଥାନ୍ତା! ଏହାକୁ ଅନ୍ୟ ପ୍ରକାରେ ମଧ୍ୟ ଅନୁଶୀଳନ କରାଯାଇପାରେ। ଭାରତ ସରକାର ଦିଲ୍ଲୀ ଦଙ୍ଗାକୁ ଏତେ ଅଧିକ ଗୁରୁତ୍ୱ ଦେଇଛନ୍ତି ଯେ ତାହାର ପ୍ରଶମନ ପାଇଁ ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟାଙ୍କୁ ନିଯୁକ୍ତ କରାଯାଇଛି। ଭଲ କଥା। ଯେଉଁ ବାଗରେ ବୁଝିଲେ ବି ଏହା ପୁଲିସର ବିଫଳତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ସେ ଯାହା ହେଉ ଡୋଭାଲ ଦଙ୍ଗାଞ୍ଚଳରେ ଶାନ୍ତି ପ୍ରତିଷ୍ଠା କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେଉଁମାନେ ନିଜ ଦେଶକୁ ଭଲ ପାଆନ୍ତି ସେମାନେ ନିଜ ସମାଜ ଓ ନିଜ ପଡ଼ୋଶୀଙ୍କୁ ମଧ୍ୟ ଭଲ ପାଆନ୍ତି। ସମସ୍ତେ ସମସ୍ତଙ୍କ ସହିତ ସ୍ନେହ ଓ ସଙ୍ଗତିର ସହିତ ରହିବା ଉଚିତ। ଲୋକମାନେ ପରସ୍ପରର ସମସ୍ୟା ସମାଧାନ କରିବା ଉଚିତ, ସମସ୍ୟା ବଢ଼େଇବା ଉଚିତ ନୁହେଁ। ଏହି ସମୟରେ ଏହିପରି ବାର୍ତ୍ତା ଚାଲିବା ଉଚିତ। ଯେଉଁ ସରକାରର ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ହେଉଛନ୍ତି ଅଜିତ ଡୋଭାଲ ସେହି ସରକାରର ସମର୍ଥକମାନେ ତାଙ୍କର ଏହି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଉଚିତ। ପ୍ରତିପକ୍ଷ ମଧ୍ୟ ଏଥିରୁ ସେମାନଙ୍କ ପ୍ରତି ଭାରତ ସରକାରଙ୍କ ଆଭିମୁଖ୍ୟ କ’ଣ ତାହା ବୁଝିବା ଦରକାର।
ଏ ପ୍ରସଙ୍ଗରେ ସୁପ୍ରିମ କୋର୍ଟ ୨୦୨୦ ଫେବୃଆରୀ ୨୬ ତାରିଖରେ ଦେଇଥିବା ଅନ୍ୟ ଏକ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ। ଶାହିନବାଗ ଆନ୍ଦୋଳନ ଓ ରାସ୍ତା ଅବରୋଧ ମାମଲାର ଶୁଣାଣି ସମୟରେ ବିଚାରପତି ଏସକେ କାଉଲ ଓ କେଏମ ଯୋଶାଫ କହିଛନ୍ତି ଯେ ଆମେ ବାରମ୍ବାର କହିବୁ ନାହିଁ ଯେ ଲୋକମାନଙ୍କର ପ୍ରତିବାଦ କରିବାର ଅଧିକାର ଅଛି। ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ସହିତ ଏକମତ ହୋଇ ବିଚାରପତି ଦ୍ୱୟ କହିଛନ୍ତି ଯେ ପ୍ରତିବାଦର କୌଶଳ ସଭ୍ୟ ହେବା ଦରକାର। ଲୋକେ ଭିନ୍ନ ମତ ପୋଷଣ କରିପାରିବେ। ତା’ ଉପରେ ବିତର୍କ ହୋଇପାରିବ। କିନ୍ତୁ ବିତର୍କ ପଦ୍ଧତି ଭଦ୍ର ହେବା ଉଚିତ। ସବୁ ପକ୍ଷ ଏହା ବୁଝିବା ଦରକାର।
ସବୁ ପକ୍ଷ ଏହା ମଧ୍ୟ ବୁଝିବା ଦରକାର ଯେ ରାଜନୀତି କରିବା ଓ ସେଥିପାଇଁ ଜନମତ ସଂଗଠିତ କରିବା ଭିନ୍ନ କଥା, କିନ୍ତୁ ଦେଶ ଚଳେଇବା ସ୍ୱତନ୍ତ୍ର ଦକ୍ଷତା ଆବଶ୍ୟକ କରେ। ଭୋଟ ପାଇଁ ଆପଣ ଯାହା ପାର୍ ତାହା କହିପାରିବେ। କିନ୍ତୁ ସେହି କଥାର ପ୍ରଭାବ, ପ୍ରତିକ୍ରିୟା ଓ ପରିଣାମ ହେବ ତାହା କହିବା ପୂର୍ବରୁ ଅନୁଶୀଳନ କରିବା ଦରକାର। ଯିଏ ଯେଉଁ ବର୍ଗର କଥା କହନ୍ତୁ ନା କାହିଁକି ସମସ୍ତେ ଦେଶ ଓ ଦେଶର ସମ୍ବିଧାନ ପ୍ରତି ଆନୁଗତ୍ୟ ପ୍ରକାଶ କରିବା କଥା। ଦେଶ କହିଲେ କେବଳ ଏକ ଭୋଗୋଳିକ ପରିସୀମା ନୁହେଁ। ଦେଶ କହିଲେ ଏହାର ସମସ୍ତ ଅଧିବାସୀ, ଜନ୍ତୁଜାନୁଆର, ପରିବେଶ ଓ ପରିବେଷ୍ଟନୀ ଆଦିକୁ ବୁଝାଏ। କାହାର ଅମଙ୍ଗଳ କରିବାର ଅଧିକାର ସମ୍ବିଧାନ କାହାକୁ ଦେଇନାହିଁ। ହିନ୍ଦୁ ଧର୍ମ ମଧ୍ୟ ନୁହେଁ। ବରଂ ହିନ୍ଦୁ ଭାବେ ପରିଚିତ ହୋଇଥିବା ପୂର୍ବର ସନାତନ ଧର୍ମ ସମସ୍ତଙ୍କର ମଙ୍ଗଳ ଉପରେ ଗୁରୁତ୍ୱ ଦେଇ ଆସିଛି। ସମସ୍ତେ କହିଲେ ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗ ବା ସଂପ୍ରଦାୟ ନୁହେଁ। ଯେଉଁମାନେ ନିର୍ଦ୍ଦିଷ୍ଟ ବର୍ଗ ଓ ସଂପ୍ରଦାୟର ସ୍ୱାର୍ଥ ପାଇଁ ଅନ୍ୟ ବର୍ଗ ବା ସଂପ୍ରଦାୟ ବିରୋଧରେ ଘୃଣା ଓ କ୍ରୋଧ ପ୍ରସାରଣ କରନ୍ତି ସେମାନେ ସନାତନ ସଂସ୍କୃତିର ‘ସର୍ବେ ଭବନ୍ତୁ ସୁଖିନୋ ସର୍ବେ ଶନ୍ତୁ ନିରାମୟା’ ପରି ସହସ୍ରାଧିକ ମନ୍ତ୍ରର ଅବମାନନା କରୁଛନ୍ତି। ଇସଲାମ ଧର୍ମର ଲୋକମାନେ ମଧ୍ୟ ଏହା ବୁଝିବା ଦରକାର ଯେ ଇସ୍ଲାମର ମୂଳ ଅର୍ଥ ‘ପୂର୍ଣ୍ଣତା, ସମର୍ପଣ, ନିଷ୍ଠା, ନିରାପତ୍ତା ଓ ଶାନ୍ତି’ ହୋଇଥିବାବେଳେ ହିଂସା ଓ ଦଙ୍ଗା ଜରିଆରେ ଏହି ଲକ୍ଷ୍ୟ ହାସଲ କରି ହେବ କି?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।