ଅଜ୍ଞାନର ଅରାଜକତା ନା ସ୍ୱାର୍ଥର ଶାସନ?

ଦେବେନ୍ଦ୍ର ପୃଷ୍ଟି

ଏକ ମାମଲାର ବିଚାର କରି ସୁପ୍ରିମ କୋର୍ଟ ୨୦୧୯ ମାର୍ଚ୍ଚ ମାସରେ ଭାରତର ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ସେମାନେ କାମଚଳା ପୁଲିସ ମହାନିର୍ଦ୍ଦେଶକ ନିଯୁକ୍ତ କରିପାରିବେ ନାହିଁ। ତଥାପି ଓଡ଼ିଶା ସରକାର ୨୦୧୯ ଅଗଷ୍ଟ ମାସରେ ବିଜୟ କୁମାର ଶର୍ମାଙ୍କୁ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ପଦରେ କାମଚଳା ଭାବେ ଅବସ୍ଥାପିତ କରିଥିଲେ। ସେତେବେଳେ ଜଣାପଡ଼ୁଥିଲା ଯେମିତି ଖାସ୍‌ ବିଜୟ ଶର୍ମାଙ୍କୁ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରିବା ପାଇଁ ହିଁ ପୂର୍ବବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଓଡ଼ିଶା ଲୋକାୟୁକ୍ତର ସଦସ୍ୟ ଭାବେ ସରକାର ମନୋନୀତ କରିଥିଲେ। ଓଡ଼ିଶା ସରକାର ବିଜୟ ଶର୍ମାଙ୍କୁ କାମଚଳା ବା ଇନ୍‌ଚାର୍ଜ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରିବା ଥିଲା ସୁପ୍ରିମ କୋର୍ଟଙ୍କ ଆଦେଶର ଉଲ୍ଲଙ୍ଘନ।

୨୦୧୮ ସେପ୍ଟେମ୍ବର ମାସରେ ସୁପ୍ରିମ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଥିଲେ ଯେ ରାଜ୍ୟଗୁଡ଼ିକର ପୁଲିସ ମହାନିର୍ଦ୍ଦେଶକ ବା ପୁଲିସ ଡିଜି ଏବଂ ଜିଲ୍ଲା ସ୍ତରୀୟ ପୁଲିସ ଅଧିକ୍ଷକ ବା ଏସ୍‌ପିମାନଙ୍କୁ ବାରମ୍ବାର ବଦଳି କରାଯିବ ନାହିଁ। ସେମାନଙ୍କୁ ଏହି ପଦରେ ଅତି କମରେ ୨ ବର୍ଷ କାମ କରିବାର ସୁଯୋଗ ଦିଆଯିବ। ଅଥଚ ବିଜୟ କୁମାର ଶର୍ମା ଏହି ପଦରେ କାମ କଲେ ମାତ୍ର ୪ ମାସ। ଏହା ମଧ୍ୟ ସୁପ୍ରିମ କୋର୍ଟଙ୍କ ଆଦେଶର ଉଲ୍ଲଙ୍ଘନ।

କେବଳ ବିଜୟ କୁମାର ଶର୍ମାଙ୍କ କ୍ଷେତ୍ରରେ ନୁହେଁ, ତାଙ୍କ ପୂର୍ବବର୍ତ୍ତୀ ଅନେକ ପୁଲିସ ମହାନିର୍ଦ୍ଦେଶକଙ୍କ କ୍ଷେତ୍ରରେ ଏପରି ଆଚରଣ ପ୍ରଦର୍ଶନ କରିଛନ୍ତି ରାଜ୍ୟର ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର। ପୁଲିସ ଡିଜି ପରିବର୍ତ୍ତନ ସମୟରେ ସରକାର ପୁଲିସ ପ୍ରଶାସନରେ ପ୍ରାଶାସନିକ ସ୍ଥିରତା ଓ ଆଇନଶୃଙ୍ଖଳା ପରିସ୍ଥିତିରେ ସ୍ଥିରତା ପାଇଁ ଅଦୌ ସମୟ ଦେଇନାହାନ୍ତି। ଯେଉଁ କାରଣରୁ ରାଜ୍ୟରେ ରାଜନୀତିକ ସ୍ଥିରତା ବଜାୟ ରହିଥିଲେ ମଧ୍ୟ ପୁଲିସ ପ୍ରଶାସନରେ ଅସ୍ଥିରତା ଲାଗି ରହିଛି। ଏବଂ ଏହି ଅସ୍ଥିରତା କାରଣରୁ ହିଁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଖରାପରୁ ଅତି ଖରାପ ହେବାରେ ଲାଗିଛି। ପୁଲିସ ମନୋବଳ ଦୁର୍ବଳ ହେଉଛି। ଶୃଙ୍ଖଳା ଓ ନେତୃତ୍ୱ ଅଭାବରୁ ପୁଲିସ ପ୍ରଶାସନର ସ୍ତରେ ସ୍ତରେ ଦୁର୍ନୀତିର ଦୃଢ଼ ଶାସନ ଚାଲିଛି।

ଆଇପିଏସ ଅଫିସର ବିଜୟ କୁମାର ଶର୍ମା ଯେ ଜଣେ ଦକ୍ଷ ଓ ଦୁର୍ନୀତିମୁକ୍ତ ଅଧିକାରୀ ଥିଲେ ତାହା କୁହାଯାଇ ପାରିବ ନାହିଁ। ସେ କ୍ରାଇମ ବ୍ରାଞ୍ଚରେ ଥିଲାବେଳେ ତାଙ୍କ ବିରୋଧରେ ଅନେକ ଅଭିଯୋଗ ଉଠିଥିଲା। ଚିଟ୍‌ ଫଣ୍ଡ ଦୁର୍ନୀତିର ତଦନ୍ତ ସମୟରେ ସେ କେତେ ଜଣ ଅପରାଧୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିଥିଲେ ଏବଂ କେତେକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ବୋଲି ଅଭିଯୋଗ ଉଠିଥିଲା। ସରକାରୀ ଚାକିରିରେ ଥାଇ ଦାପ୍ତରିକ ସମୟ ମଧ୍ୟରେ ସେ କିପରି ଶ୍ରେଣୀରେ ଯୋଗ ଦେଇ ଆଇନ ପାଠ ପଢ଼ିଲେ ସେନେଇ ମଧ୍ୟ ବିବାଦ ଉଠିଥିଲା। ତାଙ୍କ ବିରୋଧରେ ଏଇ ଭଳି ଏକାଧିକ ଅଭିଯୋଗ ରହିଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାସ୍‌ ତାଙ୍କୁ ପୁଲିସ ଡିଜି କରିବା ପାଇଁ ହିଁ ଅବଧି ପୂରଣ କରିବା ପୂର୍ବରୁ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ମନୋନୀତ କରିଥିଲେ। ସେଥିରେ ଉଭୟ ଡକ୍ଟର ଶର୍ମା ଓ ଶ୍ରୀ ଶର୍ମା ଲାଭବାନ ହୋଇଥିଲେ। କାରଣ ପୁଲିସ ଡିଜି ପଦରେ ରହିଥିଲେ ଡକ୍ଟର ଶର୍ମା ଯଥା ସମୟରେ ଅବସର ନେଇଥାନ୍ତେ। ମାତ୍ର ଲୋକାୟୁକ୍ତ ସଦସ୍ୟ ଭାବେ ସେ ଅଧିକ ଦିନ ସରକାରୀ ପଦରେ ରହି ସେହି ଅନୁସାରେ ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ପାଇବେ। ସେହିପରି ବିଜୟ କୁମାର ଶର୍ମା ମଧ୍ୟ ସମୟ ପୂର୍ବରୁ ପୁଲିସ ଡିଜି ପଦରେ ଅବସ୍ଥାପିତ ହୋଇ ପୁଲିସ ପ୍ରଶାସନର ମୁଖ୍ୟ ଭାବେ ଅବସ୍ଥାପିତ ହେଲେ, ଇନ୍‌ଚାର୍ଜ ଭାବେ ହେଲେ ମଧ୍ୟ। କୌଣସି କାରଣରୁ ଉଭୟଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ସେତେବେଳେ ଏହି ନିଷ୍ପତ୍ତି ନେଇଥିଲେ ବୋଲି କୁହାଯାଇପାରେ।

ନବୀନବାବୁଙ୍କ ସମୟରେ ପୁଲିସ ପ୍ରଶାସନରେ ଏହିପରି ଅସ୍ଥିରତା ଲାଗି ରହିଛି। ଅମରାନନ୍ଦ ପଟ୍ଟନାୟକଙ୍କୁ ବିଦା କରି ଗୋପାଳ ନନ୍ଦଙ୍କୁ ଡିଜି କରିବା ନିଷ୍ପତ୍ତି ହେଉ ତ ପ୍ରକାଶ ମିଶ୍ରଙ୍କୁ ବିଦା କରି ସଂଜୀବ ମାରିକଙ୍କୁ ସେହି ପଦବୀରେ ଅବସ୍ଥାପିତ କରିବା ହେଉ, ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟର ଗୃହମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ଅନେକ ନିଷ୍ପତ୍ତି ପୁଲିସ ବିଭାଗରେ ପ୍ରାଶାସନିକ ଅସ୍ଥିରତା ଓ ନେତୃତ୍ୱହୀନ ଅରାଜକତା ସୃଷ୍ଟି କରିଛି।

୨୦୧୫ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିପରି ଭାବେ ସଂଜୀବ ମାରିକଙ୍କୁ ହଠାତ ଛୁଟିରେ ପଠାଇ କେବି ସିଂହଙ୍କୁ ଡିଜି ପଦରେ ଅବସ୍ଥାପିତ କରିଥିଲେ। ସେତେବେଳେ ଆଉ ମାତ୍ର ଦୁଇ ମାସ ପରେ ସଂଜୀବ ମାରିକ ଅବସର ଗ୍ରହଣ କରିଥାନ୍ତେ। ତାଙ୍କ ବିରୋଧରେ ରାଜ୍ୟ ସରକାରଙ୍କର ଅଭିଯୋଗ ଥିଲା ଯେ ସେ କାଳେ ସରକାରଙ୍କ ପୂର୍ବ ଅନୁମତି ନନେଇ ଅନେକ ପୁଲିସ ଅଫିସରଙ୍କ ବଦଳି ଆଦେଶ ବାହାର କରିଥିଲେ। ଏହା ବ୍ୟତିତ ସେ ଜଣେ ବିବାଦୀୟ ଆଇପିଏସ ଅଫିସରଙ୍କୁ ସୁରକ୍ଷା ଦେଇଥିଲେ। ଠିକ ସେହିପରି ୨୦୧୫ ଜୁଲାଇ ମାସରେ ତତ୍କାଳୀନ ଡିଜି ପ୍ରକାଶ ମିଶ୍ରଙ୍କୁ ଡିଜି ପଦରୁ ଅପସାରିତ କରାଯାଇଥିଲା। ତାଙ୍କ ସ୍ଥାନରେ ସଂଜୀବ ମାରିକଙ୍କୁ ଏହି ପଦରେ ଅବସ୍ଥାପିତ କରିଥିଲେ ରାଜ୍ୟ ସରକାର। ପ୍ରକାଶ ମିଶ୍ରଙ୍କ ବିରୋଧରେ ରାଜ୍ୟ ସରକାର ଯେଉଁ ଦୁର୍ନୀତି ଅଭିଯୋଗ ଆଣିଥିଲେ ତାହା ଉଭୟ ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ ଖାରଜ ହୋଇଯାଇଥିଲା। ସେଥିପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ ସୁପ୍ରିମ କୋର୍ଟ ଭର୍ତ୍ସନା କରିଥିଲେ। ୨୦୦୭ ମେ ମାସରେ ନବୀନ ପଟ୍ଟନାୟକଙ୍କ ସରକାର ସଂଜୀବ ମାରିକଙ୍କୁ ସସ୍‌ପେଣ୍ଡ କରିଥିଲେ। କାରଣ ବିହାରର ଏକ ଡକାୟତ ଗ୍ୟାଙ୍ଗ ସହିତ ତାଙ୍କର ସଂପର୍କ ଥିବା ନେଇ ତତ୍କାଳୀନ ଡିଜି ଅମରାନନ୍ଦ ପଟ୍ଟନାୟକ ରିପୋର୍ଟ ଦେଇଥିଲେ। ସେହି ରିପୋର୍ଟ ଭିତ୍ତିରେ ତାଙ୍କର ଚାକିରି ଯିବା କଥା। କିନ୍ତୁ ରାଜ୍ୟ ସରକାର ପରେ ତାଙ୍କୁ ପଦୋନ୍ନତି ଦେଇଥିଲେ। ସଂଜୀବ ମାରିକଙ୍କ ବିରୋଧରେ ରିପୋର୍ଟ ଦେଇଥିବା ଅମରାନନ୍ଦ ପଟ୍ଟନାୟକଙ୍କୁ ୨୦୦୬ ଅଗଷ୍ଟ ୩୧ ତାରିଖରେ ପୁଲିସ ଡିଜି ଭାବେ ନିଯୁକ୍ତ କରାଯାଇଥିଲେ। ସେତେବେଳେ ଡିଜି ଥିଲେ ସୁଚିତ ଦାସ। ତାଙ୍କୁ ଓଡ଼ିଶା ପବ୍ଲିକ ସର୍ଭିସ କମିଶନର ଅଧ୍ୟକ୍ଷ ଭାବେ ବଦଳି କରାଯାଇ ଅମରାନନ୍ଦଙ୍କୁ ଡିଜି ଦାୟିତ୍ୱ ଦିଆଯାଇଥିଲା। ଅଥଚ ବର୍ଷକ ଭିତରେ ୨୦୦୭ ନଭେମ୍ବର ପହିଲାରେ ଅମରାନନ୍ଦଙ୍କୁ ଛୁଟିରେ ପଠାଇ ନବୀନ ପଟ୍ଟନାୟକ ସରକାର ତାଙ୍କ ସ୍ଥାନରେ ଗୋପାଳ ନନ୍ଦଙ୍କୁ ଡିଜି ପଦରେ ଅବସ୍ଥାପିତ କରିଥିଲେ। ନବୀନ ସରକାରଙ୍କ ଅଧୀନରେ ପୂର୍ବତନ ଡିଜି ସୁଚିତ ଦାସ ମଧ୍ୟ ଦୁଇ ବର୍ଷ ପଦରେ ରହି ନଥିଲେ। ତାଙ୍କ ପୂର୍ବରୁ ଡିଜି ଥିବା ବିପିନ ବିହାରୀ ମିଶ୍ରଙ୍କୁ ମଧ୍ୟ ତାଙ୍କର ଅବସରଗ୍ରହଣ ପୂର୍ବରୁ ଅନ୍ୟତ୍ର ଥଇଥାନ କରାଯାଇଥିଲା। ସେହିପରି ମନମୋହନ ପ୍ରହରାଜଙ୍କୁ ମଧ୍ୟ ଅବସରର ଦେଢ଼ ବର୍ଷ ପୂର୍ବରୁ ଡିଜି ପଦରୁ ବିଦା କରାଯାଇଥିଲା। ଏହିପରି ଭାବେ ଦେଖିଲେ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ପୁଲିସ ମୁଖ୍ୟମାନଙ୍କୁ ବାରମ୍ବାର ବଦଳି କରାଯାଇଛି, ସେମାନଙ୍କ ବିରୋଧରେ ସରକାରଙ୍କ ତରଫରୁ ବିଭିନ୍ନ ଅଭିଯୋଗ ଉଠାଯାଇଛି ଏବଂ ସେସବୁ ଅଭିଯୋଗକୁ ପ୍ରମାଣ କରିବାରେ ମଧ୍ୟ ସରକାର ବିଫଳ ହୋଇଛନ୍ତି।

ରାଜ୍ୟରେ ଆଇନର ଶାସନ ପରିଚାଳନା ଓ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ପୁଲିସ ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ବାରମ୍ବାର ଏପରି ପୁଲିସ ମୁଖ୍ୟଙ୍କ ବଦଳି ଓ ସେମାନଙ୍କ ବିରୋଧରେ ଉପରଠାଉରିଆ ଅଭିଯୋଗ ଆଣି ସରକାର କେବଳ ସଂପୃକ୍ତ ପୁଲିସ ଅଧିକାରୀମାନଙ୍କର ନୁହେଁ ସମଗ୍ର ପୁଲିସ ବାହିନୀର ମନୋବଳ ଭାଙ୍ଗି ଦେଇଛନ୍ତି। କେବଳ ଯେ ପୁଲିସ ମୁଖିଆ ସ୍ତରରେ ଏପରି ହଠାତିଆ ବଦଳି ଓ ନିଯୁକ୍ତି ହୋଇଛି ସେକଥା ନୁହେଁ, ଜିଲ୍ଲା ପୁଲିସ ମୁଖ୍ୟ ବା ଏସ୍‌ପି ନିଯୁକ୍ତି ଓ ବଦଳି କ୍ଷେତ୍ରରେ ମଧ୍ୟ ନବୀନ ପଟ୍ଟନାୟକଙ୍କ ସରକାର ଅନେକ ଥର ଏହିପରି ଆଡ଼ବାୟା ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାର କୁପ୍ରଭାବରେ ପୁଲିସ ପ୍ରଶାସନରେ ରହିଥିବା ଶୃଙ୍ଖଳା ଓ ଦାୟିତ୍ୱବୋଧ ଦୁର୍ବଳ ହୋଇଛି। ଯାହାର ଫଳ ହେଉଛି ପୁଲିସ ନିଷ୍କ୍ରିୟତା, ଅପରାଧ ବୃଦ୍ଧି ଏବଂ ତଦନ୍ତରେ ଶିଥିଳତା। ଏକ ଦୃଢ଼ ସରକାରଠାରୁ କ’ଣ ଏହିପରି ନିଷ୍ପତ୍ତି ଆଶା କରାଯାଏ? ସରକାର ଯଦି ଜ୍ଞାନ ଆଧାରିତ ବିଚାରବନ୍ତ ଭାବେ କାର୍ଯ୍ୟ ନିର୍ବାହ କରୁଥାନ୍ତେ ଦକ୍ଷତା, ସାଧୁତା ଓ ନିଷ୍ଠାପରତା ଆଧାରରେ ଡିଜି ପୁଲିସ ନିଯୁକ୍ତ କରୁଥାନ୍ତେ। ତା’ପରିବର୍ତ୍ତେ ଏ ସରକାରଙ୍କ ସମୟରେ ଅଜ୍ଞାନତା ବଶତଃ ତଥା ରାଜନୀତିକ ସ୍ୱାର୍ଥ ଆଧାରରେ ଡିଜି ନିଯୁକ୍ତି ଓ ବଦଳି ହେଉଥିବା ଏହିପରି ଅନେକ ଘଟଣାରୁ ଜଣାପଡ଼େ। ଏପରିସବୁ ନିଷ୍ପତ୍ତିରେ ରାଜ୍ୟ ଶାସନର ଅବସ୍ଥା ଯାହା ହେଉ ନହେଉ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ହିଁ କ୍ଷତିଗ୍ରସ୍ତ ହେଉଛି। ତେବେ ରାଜ୍ୟବାସୀ ଏହା ବୁଝନ୍ତି ନାହିଁ, ସେ ନିଜେ ବି ଏହା ବୁଝୁଥିବେ କି ନାହିଁ କିଏ କହିବ?