କେତେ ଯଥାର୍ଥ ନିଯୁକ୍ତିହୀନ ଶିଳ୍ପ-ସମୃଦ୍ଧି?

ଦେବେନ୍ଦ୍ର ପୃଷ୍ଟି

୨୦୦୦ ମସିହାରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ରାଜ୍ୟର ବେକାରୀ ସମସ୍ୟା ଦ୍ରୁତ ଦୂର କରିବା ସହିତ ଦ୍ରୁତ ସମୃଦ୍ଧି ପାଇଁ ଦ୍ରୁତ ଶିଳ୍ପାୟନ ଉପରେ ଗୁରୁତ୍ୱ ଦେଉଛନ୍ତି। ତାଙ୍କ ଅମଳରେ ଆରମ୍ଭ ହୋଇଥିବା ମେମୋରାଣ୍ଡମ ଅଫ୍‌ ଅଣ୍ଡରଷ୍ଟାଣ୍ଡିଂ ବା ମୋଉ ପର୍ବ ପରେ ୨୦୧୬ ମସିହାରୁ କେନ୍ଦ୍ର ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନ ପରି ମେକ୍‌ ଇନ୍‌ ଓଡ଼ିଶା ଅଭିଯାନ ଆରମ୍ଭ ହୋଇଛି। ଏହି ୨୦ ବର୍ଷ ଭିତରେ ରାଜ୍ୟ ସରକାର ଶତାଧିକ କମ୍ପାନୀ ସହିତ ଶିଳ୍ପ ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରିସାରିଛନ୍ତି। ୨୦୧୬ ପୂର୍ବରୁ ଅର୍ଥାତ ମେକ୍‌ ଇନ୍‌ ଓଡ଼ିଶା ପର୍ବ ପୂର୍ବରୁ ବିଭିନ୍ନ ବୁଝାମଣାପତ୍ର ଜରିଆରେ ରାଜ୍ୟରେ ପ୍ରାୟ ୧୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ସୃଷ୍ଟି ହୋଇଥିଲା ବୋଲି କୁହାଯାଉଥିଲା। ୨୦୧୬ ମେକ୍‌ ଇନ୍‌ ଓଡ଼ିଶା ପର୍ବ ପରେ କୁହାଗଲା ଯେ ୨.୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ସମ୍ଭାବନା ସୃଷ୍ଟି ହୋଇଛି। ସେହିପରି ୨୦୧୮ ମେକ୍‌ ଇନ୍‌ ଓଡ଼ିଶା ପର୍ବ ପରେ କୁହାଗଲା ୪.୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ସୃଷ୍ଟି ହୋଇଛି। ଏହି ପୁଞ୍ଜିନିବେଶ ହେଲେ ରାଜ୍ୟର ୫.୯ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ ବୋଲି ସରକାରୀ ଭାବେ ଘୋଷଣା କରାଗଲା। ୨୦୧୯ ନଭେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ବସି ୨୭ଟି ଶିଳ୍ପ ପ୍ରକଳ୍ପ ଉଦଘାଟନ କଲେ। ଏସବୁଥିରେ ୮୯୩୨ କୋଟି ଟଙ୍କା ନିବେଶ ହେବ ଏବଂ ଏଥିରେ ୧୨ ହଜାର ଲୋକ ନିଯୁକ୍ତି ପାଇବେ ବୋଲି ଘୋଷଣା କରାଗଲା। ଏହି ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ଏକ ପ୍ରେସ ରିଲିଜ୍‌ରେ କୁହାଗଲା ଏହା ଭିତରେ ରାଜ୍ୟର ସିଙ୍ଗଲ ଉଇଣ୍ଡୋ କମିଟି ୩,୬୮,୧୫୮ କୋଟି ଟଙ୍କାର ବିଭିନ୍ନ ଶିଳ୍ପ ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରିଛନ୍ତି ଏବଂ ଏସବୁ ପ୍ରକଳ୍ପରେ ୧,୬୭,୯୭୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏତେ ସବୁ ଶିଳ୍ପ, ପୁଞ୍ଜିନିବେଶ ଓ ନିଯୁକ୍ତି ସମ୍ଭାବନା ଦୃଷ୍ଟିରୁ ରାଜ୍ୟବାସୀ ଘିଅମହୁରେ ଭାସୁଛନ୍ତି ବୋଲି ଯେକୌଣସି ଲୋକ ବୁଝିବେ ଓ ଖୁସି ହେବେ। ଏହି ଖୁସି ଭିତ୍ତିରେ ସମ୍ଭବତଃ ଲୋକମାନେ ନବୀନ ପଟ୍ଟନାୟକଙ୍କୁ ଅଧିକରୁ ଅଧିକ ଭୋଟ ଦେଇ ୨୦ ବର୍ଷ ହେଲା ସରକାରରେ ଅବ୍ୟାହତ ରଖିଛନ୍ତି। ଲୋକେ ଭାବୁଛନ୍ତି ସରକାରୀ ହିସାବରେ ରାଜ୍ୟ ଜାତୀୟ ହାର ଅପେକ୍ଷା ଅଧିକ ହାରରେ ଅଭିବୃଦ୍ଧି ହାସଲ କରୁଛି। ସରକାର ତାହା ହିଁ କହୁଛନ୍ତି। ରାଜ୍ୟର ପ୍ରଗତି ହାର ୮ ପ୍ରତିଶତରୁ ଅଧିକ ବୋଲି କୁହାଯାଉଛି। ରାଜ୍ୟର ମୋଟ ଘରୋ ଉତ୍ପାଦକୁ ଶିଳ୍ପ କ୍ଷେତ୍ରର ଅବଦାନ ୩୯ ପ୍ରତିଶତ ଟପି ସାରିଛି। ସେବା କ୍ଷେତ୍ରର ଅବଦାନ ୪୧ ପ୍ରତିଶତ ଟପିଛି। ଏସବୁ ପରିସଂଖ୍ୟାନ କିନ୍ତୁ ରାଜ୍ୟର ନିଯୁକ୍ତି ହାର ନେଇ ଖୁସିର ସଂକେତ ଦେଉନାହିଁ। ଏଇ ନିକଟରେ ପ୍ରକାଶ ପାଇଥିବା ଅନ୍ୟ ଏକ ପରିସଂଖ୍ୟାନ ଅନୁସାରେ ବେରୋଜଗାର ବା ବେକାରୀ ସମସ୍ୟା ଦୃଷ୍ଟିରୁ ଓଡ଼ିଶା ଭାରତବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହାର ବେକାରୀ ହାର ୭ ପ୍ରତିଶତ ଟପିଛି। ଶିଳ୍ପାୟନ ଲକ୍ଷ୍ୟ ଅନୁସାରେ ସଫଳ ହୋଇଥିଲେ ନିଶ୍ଚିତ ଭାବେ ଓଡ଼ିଶାର ଅଧିକ ଲୋକ ଏହି କ୍ଷେତ୍ରରେ ପ୍ରତ୍ୟକ୍ଷ ନିଯୁକ୍ତି ପାଇଥାନ୍ତେ। କିନ୍ତୁ ତାହା ପ୍ରାୟ ହୋଇନାହିଁ। ଏବେ ବି ରାଜ୍ୟର ଗ୍ରାମାଞ୍ଚଳ ଶ୍ରମବଳର ଅଧାରୁ ଅଧିକ କୃଷି କ୍ଷେତ୍ରରେ ନିୟୋଜିତ। ଏହି ସମୟ ମଧ୍ୟରେ ନିଯୁକ୍ତି ପାଇଥିବା ଲୋକଙ୍କ ମଧ୍ୟରୁ ଅଧାରୁ ଅଧିକ ଆତ୍ମନିଯୁକ୍ତ ବୋଲି ମଧ୍ୟ ରାଜ୍ୟର ସର୍ବଶେଷ ଆର୍ଥନୀତିକ ସର୍ବେକ୍ଷଣ ରିପୋର୍ଟରେ ଉଲ୍ଲେଖ ଅଛି। ତେବେ କାହା ପାଇଁ ନିଯୁକ୍ତି ଓ ରୋଜଗାର ସୁଯୋଗ ସୃଷ୍ଟି କରିଛି ନବୀନ ସରକାରଙ୍କ ଶିଳ୍ପାୟନ ଅଭିଯାନ?

ରାଜ୍ୟ ସରକାରଙ୍କ ସିଙ୍ଗଲ ଉଇଣ୍ଡୋ କମିଟି ମଝିରେ ମଝିରେ ଅନୁମୋଦନ କରୁଥିବା ଶିଳ୍ପ ପ୍ରକଳ୍ପର ହିସାବ ତର୍ଜମା କଲେ ଜଣାଯାଏ ଯେ ଏହି କ୍ଷେତ୍ରରେ ଗୋଟିଏ ଗୋଟିଏ ନିଯୁକ୍ତି ପାଇଁ ୭ ଲକ୍ଷରୁ ୨ କୋଟି ଟଙ୍କା ଯାଏଁ ନିବେଶ କରାଯାଉଛି। ଯଦି ସରକାର ଏହି ଅର୍ଥ କୃଷି କ୍ଷେତ୍ରରେ ନିବେଶ କରିଥାନ୍ତେ ତେବେ କେତେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାନ୍ତା? ସରକାର ଏ ହିସାବ କରିବା ଉଚିତ ନା ନୁହେଁ? କୃଷି କ୍ଷେତ୍ରରେ ୧ ଲକ୍ଷ ଟଙ୍କାର ନିବେଶରେ ଅନ୍ୟୁନ ୫ ଜଣ ଲୋକ ନିଯୁକ୍ତି ପାଇବେ ବା ରୋଜଗାରକ୍ଷମ ହେବେ। ସରକାର ଯଦି ଶିଳ୍ପ କ୍ଷେତ୍ର ପାଇଁ ଯେମିତି ଶିଳ୍ପପତିମାନଙ୍କୁ ଡାକି ଆଣି ଜମି, ଜଳ ଓ ଖଣି ଆଦି ଯୋଗାଇ ଦେଉଛନ୍ତି ଠିକ ସେହିପରି ଯଦି କୃଷି କ୍ଷେତ୍ରର ଉଦ୍ୟୋଗୀମାନଙ୍କୁ ଜମି ଓ ଜଳ ଯୋଗାଇ ଦିଅନ୍ତେ ତେବେ ରାଜ୍ୟର ଚାଷଜମିରେ ଆଉ ଜଳାଭାବ ସମସ୍ୟା ରହନ୍ତା ନାହିଁ। ଏବେ ବି ରାଜ୍ୟର ୭୨ ପ୍ରତିଶତ ଚାଷଜମିକୁ ସବୁଦିନିଆ ଜଳସେଚନ ସୁବିଧା ନାହିଁ। ରାଜ୍ୟର ନଦୀଗୁଡ଼ିକରେ ପ୍ରତି ୫ କିଲୋମିଟର ଅନ୍ତରରେ ଗୋଟିଏ ଲେଖାଏଁ ୪-୫ ଫୁଟ ଉଚ୍ଚତା ବିଶିଷ୍ଟ ଛୋଟଛୋଟ ବନ୍ଧ ତିଆରି ହୁଅନ୍ତା ତେବେ ରାଜ୍ୟ ସରକାର ଶତାଧିକ ବନ୍ଧ ଯୋଗୁଁ ସୃଷ୍ଟି ଜଳ ଭଣ୍ଡାରରେ ବର୍ଷ ସାରା ଉଦବୃତ୍ତ ବର୍ଷା ଜଳ ସଂରକ୍ଷିତ ରହନ୍ତା। ତାହା ନିକଟସ୍ଥ ଜମିଗୁଡ଼ିକୁ ସବୁଦିନିଆ ଚାଷୋପଯୋଗୀ କରିପାରନ୍ତା। ରାଜ୍ୟ ସରକାର ଶସ୍ତା ଚାଉଳ, କାଳିଆ ଆଦି ଯୋଜନାରେ ଏତେ ଟଙ୍କା ଲେଖାଏଁ ଖର୍ଚ୍ଚ ନକରି ଯଦି ଛୋଟ ଛୋଟ ଜଳ ଅମଳ ପ୍ରକଳ୍ପ ଓ ନଦୀଜଳ ସଂରକ୍ଷଣ ପ୍ରକଳ୍ପରେ ପୁଞ୍ଜିନିବେଶ କରନ୍ତେ ତେବେ ଅଧିକ ଲୋକ ନିଯୁକ୍ତି ଓ ରୋଜଗାରକ୍ଷମ ହୋଇ ରାଜ୍ୟର ମୋଟ ଘରୋଇ ଉତ୍ପାଦର ଅଭିବୃଦ୍ଧି ହାକୁ ଅଧିକ ତ୍ୱରାନ୍ୱିତ କରନ୍ତେ ଓ ସରକାରଙ୍କ ମାଗଣା କାର୍ଯ୍ୟକ୍ରମ ଉପରେ ଅଦୌ ନିର୍ଭରଶୀଳ ହୁଅନ୍ତେ ନାହିଁ। ତଦ୍ୱାରା ଲୋକମାନଙ୍କର ଜୀବନ ଧାରଣର ମାନ ମଧ୍ୟ ସ୍ୱତଃ ଉନ୍ନତ ହୁଅନ୍ତା। ଲୋକେ ନିଜ ଟଙ୍କାରେ ସ୍ୱାସ୍ଥ୍ୟ ଓ ଜୀବନ ବୀମା କରନ୍ତେ। ନିଜ ଖର୍ଚ୍ଚରେ ନିଜ ପିଲାମାନଙ୍କୁ ଉନ୍ନତ ମାନର ଶିକ୍ଷା ସୁବିଧା ଯୋଗାଇ ଦିଅନ୍ତେ। ନିଜ ଖର୍ଚ୍ଚରେ ଉନ୍ନତ ପୁଷ୍ଟିଯୁକ୍ତ ଖାଦ୍ୟ ଖାଇ ରକ୍ତହୀନତା ଓ ଅପପୁଷ୍ଟି ସମସ୍ୟା ଦୂର କରନ୍ତେ। ଏସବୁ ପାଇଁ ସରକାରଙ୍କୁ ଶହଶହ କୋଟି ଟଙ୍କା ଅଯଥାର ଖର୍ଚ୍ଚ କରିବାକୁ ପଡ଼ନ୍ତା ନାହିଁ।

ପ୍ରସଙ୍ଗକ୍ରମେ ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକ ୧୯୬୦ ଦଶକରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ରାଜ୍ୟରେ ଶିଳ୍ପାୟନର ଯୁଗ ଆରମ୍ଭ କରିଥିଲେ। ସେତେବେଳେ ପ୍ରାଥମିକ ଶିକ୍ଷାରେ ମଧ୍ୟ ଶିଳ୍ପବାଦୀ ସ୍ଲୋଗାନକୁ ଅନ୍ତର୍ଭକ୍ତ କରାଯାଇଥିଲା। ସେପରି ଏକ ସ୍ଲୋଗାନ ଥିଲା ‘ଟାଇଲ ଛପର ଘର, ନିଆଁକୁ ନଥିବ ଡର’। ଆଉ ଗୋଟିଏ ସ୍ଲୋଗାନ ହେଲା ‘ଟେଲିଫୋନର ମଜା, ଶହେ କୋଶରୁ ଆଈ ସାଥୀରେ କଥା ହେଉଛି ଅଜା’। ୧୯୮୦ ଦଶକରେ ବିଜୁବାବୁଙ୍କ ପ୍ରତିଦ୍ୱନ୍ଦ୍ୱୀ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ଆରମ୍ଭ କରିଥିଲେ ‘ହଜାରେ ଦିନରେ ହଜାରେ କୋଟି ଟଙ୍କାରେ ହଜାରେ ଶିଳ୍ପ’ ଅଭିଯାନ। ୧୯୯୦ ଦଶକରେ ପୁଣି ଥରେ ବିଜୁବାବୁ ମୁଖ୍ୟମନ୍ତ୍ରୀ ହେବା ପରେ ଦ୍ୱିତୀୟ ଇସ୍ପାତ କାରଖାନା ପାଇଁ ଅନେକ ଉଦ୍ୟମ କରିଥିଲେ। ସେହି ସମୟରେ ସୃଷ୍ଟି ହୋଇଥିଲା ଯାଜପୁରର କଳିଙ୍ଗନଗର ଶିଳ୍ପାଞ୍ଚଳ। ପରେ ପୁଣ ଥରେ ଜାନକୀବାବୁ ଓ ଗଲା ୨୦ ବର୍ଷ ଧରି ନବୀନବାବୁ ଶିଳ୍ପାୟନ ଉପରେ ଜୋର୍‌ ଦେଇ ଚାଲିଛନ୍ତି। ମୋଟ ଉପରେ ଦେଖିଲେ ଗଲା ୬ ଦଶନ୍ଧି ଧରି ରାଜ୍ୟ ସରକାରଙ୍କର ମୁଖ୍ୟ ଇସ୍ତାହାର ହୋଇଛି ଶିଳ୍ପ। ତଥାପି କାହିଁକି ରାଜ୍ୟରେ ଏତେ ବେକାର ଓ ବେରୋଜଗାର? କାହିଁକି ଏତେ ରିଲିଫ-ପ୍ରାର୍ଥୀ ଓ ହିତାଧିକାରୀ?

ସମସ୍ତ ଜାଣନ୍ତି, ଯନ୍ତ୍ରଭିତ୍ତିକ ଶିଳ୍ପ ଅଧିକ ନିଯୁକ୍ତି ସୃଷ୍ଟି କରେ ନାହିଁ। ବରଂ ନିଯୁକ୍ତି ସୁଯୋଗ ନଷ୍ଟ କରେ। ଆଧୁନିକ ଯୁଗରେ ଗୋଟିଏ ଗୋଟିଏ ମେସିନ ବା ଯନ୍ତ୍ର ଶହଶହ ମଣିଷଙ୍କ କାମ କରିପାରୁଛି। ଶିଳ୍ପପତିମାନେ ଯନ୍ତ୍ର ଉପରେ ଅଧିକ ଭରସା କରନ୍ତି। ସେମାନେ ଧର୍ମଘଟ ଓ ଦୁର୍ନୀତି କରନ୍ତି ନାହିଁ। ଯନ୍ତ୍ର କମ୍‌ ସମୟରେ ଅଧିକ କାମ କରେ। ସେପରି ସ୍ଥଳେ ଭାରତ ପରି ଏକ ଜନବହୁଳ ଦେଶରେ ଶିଳ୍ପାୟନ ଜରିଆରେ କେତେ ଲୋକଙ୍କୁ ନିଯୁକ୍ତି ମିଳିବ? ଶିଳ୍ପାୟନ ଯୋଗୁଁ ତ ତେଲି, ତନ୍ତୀ, କାଚରା, ବଣିଆ, ପାଟରା, କୁମ୍ଭାର, କମ୍ମାର ଆଦି ବହୁ ଜାତିର କୌଳିକ ବୃତ୍ତି ଅପହୃତ ହୋଇଛି। ସେମାନଙ୍କୁ କେଉଁ ଶିଳ୍ପରେ ନିଯୁକ୍ତି ମିଳିବ? ସେମାନଙ୍କ ନିକଟରେ ବିକଳ୍ପ ଆର୍ଥିକ ବୃତ୍ତିର ସୁଯୋଗ କାହିଁ? ସେମାନଙ୍କୁ ନୂଆ ଶିଳ୍ପରେ ନିଯୁକ୍ତିକ୍ଷମ କରିବାକୁ ହେଲେ ଯେଉଁ ପ୍ରକାର ବୈଷୟିକ ଶିକ୍ଷା ଓ ତାଲିମ ଆଦି ଦରକାର ତାହା ସେମାନେ ଖରିଦ କରିପାରିବେ ନାହିଁ। ସରକାର ସେମାନଙ୍କୁ ସାନ୍ତ୍ୱନା ଦେବା ଭଳି ମେଡିକାଲ ଓ ଇଂଜିନିଅରିଂ ଶିକ୍ଷାକୁ ପ୍ରୋତ୍ସାହିତ କରୁଛନ୍ତି। ତାହା କିନ୍ତୁ ବ୍ୟୟବହୁଳ। ସରକାରୀ ବ୍ୟବସ୍ଥାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଚାଲିଛି। ସେଥିରୁ ବି ସୁଫଳ ମିଳୁ ନାହିଁ। ନିକଟରେ ପ୍ରକାଶ ପାଇଥିବା ଏକ ସରକାରୀ ପରିସଂଖ୍ୟାନ ଅନୁସାରେ ଓଡ଼ିଶାରେ ୬୯ କୋଟି ଟଙ୍କା ବ୍ୟୟରେ ୫୫,୬୭୦ ଜଣଙ୍କର ଦକ୍ଷତା ବିକାଶ ହୋଇଥିଲା। ସେମାନଙ୍କ ମଧ୍ୟରୁ ନିଯୁକ୍ତି ପାଇଲେ ମାତ୍ର ୧୩ ହଜାର ବା ପ୍ରାୟ ୨୪ ପ୍ରତିଶତ। ଇଂଜିନିଅରିଂ କଲେଜ୍‌ଗୁଡ଼ିକରୁ ପ୍ରତି ବର୍ଷ ପ୍ରାୟ ୨୦ ହଜାର ପିଲା ବାହାରୁଛନ୍ତି। କେତେ ନିଯୁକ୍ତି ପାଉଛନ୍ତି ଓ କେତେ ବେକାର? ଗଲା ବର୍ଷର ହିସାବ ଅନୁସାରେ ପାସ୍‌ କରିଥିବା ୧୫,୯୧୭ ବିଟେକ୍‌ ପିଲାଙ୍କ ଭିତରୁ ୧୧୪୭ ଜଣ କ୍ୟାମ୍ପସ୍‌ ନିଯୁକ୍ତି ପାଇଛନ୍ତି। ଏହି ପ୍ରକ୍ରିୟାରେ ଦାରିଦ୍ର୍ୟ ହଟିବ ନା ଧନୀ-ଗରୀବ ତାରତମ୍ୟ ବୃଦ୍ଧି ପାଇବ?