/odisha-reporter/media/post_attachments/uploads/2018/01/Mousumi-Das.jpg)
Mousumi Das
ଫେରିବାକୁ ହେବ
ମୌସୁମୀ ଦାସ
ଗୋଠ ବାହୁଡ଼ା ବେଳ ହେଲାଣି
ସୂର୍ଯ୍ୟ ବି ଆଖି ମଳିଲାଣି
ହାଇ ମାରି ମହଳଣ ଦିଶିଲାଣି।
ଦର୍ପଣର ମଥାରେ
ବୟସର ରେଖାସବୁ ଉଦାସ
ପୌଷ ଶେଷର ଧୂସର ରଙ୍ଗ
ଝରା ପତ୍ରରେ।
ଫେରିବା କଥା କହିଲ ଯେ
ଧମନୀରେ ଶୀତ ଶିହରି ଗଲା,
ଅଳସୀ ଫୁଲର କିଆରୀରେ
ହଳଦୀ ରଙ୍ଗର ଓଢ଼ଣି ପିନ୍ଧା ଝିଅର
ଆଖିରେ କାକର ବୁନ୍ଦାମାନେ
ଜମାଟ ବାନ୍ଧିଲେ।
ସତେ ଫେରିବା ବେଳ ହେଲା
ରୁହ ଆଉ କିଛି କ୍ଷଣ
ବିଛେଇ ପଡ଼ିଥିବା ସ୍ମୃତି ସବୁକୁ
ସଜାଡି ରଖେ
ଆଲମାରୀର ଚୋରା ଥାକରେ,
ଯେଉଁଠି ଏବେ ବି ସାଇତିଛି
କୁଆଁରୀ ଲୁହମାନଙ୍କୁ, କାଇଁଚ ପେଡ଼ିରେ
ମାଟିଆ ଧରି ଆସିଥିବା
ଛଳଛଳ ଶବ୍ଦ ମାନଙ୍କୁ
ତୁମ ପ୍ରଥମ ଗୋଲାପର ପାଖୁଡାମାନଙ୍କୁ।
ଫେରିବା ତ !
ଆସ ଘେରାଏ ଘୂରି ଆସିବା
ସ୍ପର୍ଶ ଅସ୍ପର୍ଶର ସହରରେ ଶେଷଥର ପାଇଁ
ବାଣ୍ଟିନେବା ନିଜ ଭିତରେ ଶିହରଣ ମାନଙ୍କୁ,
ନା, ଜଣେଇବାନି ପରସ୍ପରକୁ ବିଦାୟ
ଆମ ଫେରିବା ରାସ୍ତାରେ ।
ଏଇ ତ ଯାତ୍ରାର ଆରମ୍ଭ,
ଯାହାର ଅନ୍ତିମ ବିନ୍ଦୁରେ ଦିଗ୍ ବଳୟ।
ଫୋନ୍- ୯୪୩୮୩୬୨୪୬୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
