Advertisment

ଟନେଲ ଟ୍ରାଜେଡି: ହୀରାକୁଦରୁ ଗଲା ଅଗର ଖନନ ମେସିନ୍

ସୁଡ଼ଙ୍ଗ ଭିତରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କରିବା ପାଇଁ ଚାଲିଥିବା କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।

author-image
Tapaswini Nayak
machine

machine

୧୩ ଦିନ ହେବ ଜୀବନ ମରଣ ସହ ସଂର୍ଘଷ କରୁଛନ୍ତି଼ ଉତ୍ତରାଖଣ୍ଡ ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ଫସିଥିବା ୪୧ ଶ୍ରମିକ। ସେମାନଙ୍କୁ ଉଦ୍ଧାର କରିବାପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତେ ଲାଗିପଡ଼ିଛନ୍ତି। ଏହି ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉତ୍ତରାଖଣ୍ଡ ଉତ୍ତରକାଶୀକୁ ଯାଇଛି ହୀରାକୁଦରୁ ସ୍ୱତନ୍ତ୍ର ଅଗର ମେସିନ।

Advertisment

ଟନେଲ ଟ୍ରାଜେଡିର ଖନନ କାମରେ ଏହି ମେସିନ ଲଗାଯିବ। ଏହି ସ୍ୱତନ୍ତ୍ର ଖନନ ମେସିନଟି ହୀରାକୁଦ ହିଣ୍ଡାଲକୋ କମ୍ପାନୀରେ କାମ କରୁଥିବା ଏକ ଠିକା ସଂସ୍ଥାର। ମେସିନକୁ ହୀରାକୁଦରୁ ଟ୍ରେନରେ ରାୟପୁର ନିଆଯାଇଥିଲା। ସେଠାରୁ ଏକ ଟ୍ରଲରରେ ଗ୍ୱାଲିୟର ନିଆଯାଇଥିଲା। ଗ୍ୱାଲିୟରରୁ ବାୟୁସେନାର ବିମାନରେ ଉତ୍ତରକାଶୀକୁ ନିଆଯାଇଛି। ଏହାର ଓଜନ ହେଉଛି ୩୮୦ ଟନ। ତେଣୁ ଭାଗ ଭାଗ କରି ନିଆଯାଇଛି। ଉତ୍ତରକାଶୀରେ ପୁଣି ଆସେମ୍ବୁଲ୍ କରି କାମରେ ଲଗାଯିବ।

ଅନ୍ୟପକ୍ଷରେ ସୁଡ଼ଙ୍ଗ ଭିତରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କରିବା ପାଇଁ ଚାଲିଥିବା କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏପର୍ଯ୍ୟନ୍ତ ସମୁଦାୟ ୪୮ ମିଟର ପାଇପ୍‌ ଡ୍ରିଲିଂ କରାଯାଇ ସରିଛି। ଶ୍ରମିକଙ୍କ ନିକଟରେ ପହଞ୍ଚିବା ନିମନ୍ତେ ଆଉ ୧୬.୨ ମିଟର ଡ୍ରିଲିଂ ବାକି ଥିବା ଜଣାଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ। ୪୧ ଶ୍ରମିକଙ୍କ ସହ କଥା ହୋଇ ଆଶ୍ୱାସନା ଦେଇଥିଲେ। ଏଥିସହ ଟନେଲ୍ ବାହାରେ କ୍ୟାମ୍ପ ଅଫିସ୍ କରି ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍।

Advertisment

ଗତ ରାତିରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଆମେରିକାରୁ ଅସିଥିବା ଅଗର ଡ୍ରିଲିଂ ମେସିନ ଭାଙ୍ଗି ଯାଇଛି। ଫଳରେ ଡ୍ରିଲିଂ ବନ୍ଦ ରହିଛି। ତେଣୁ ଆଜି ସେମାନଙ୍କୁ ଉଦ୍ଧାର କରାଯିବା ଆଶା କରାଯାଉଛି। ଗୁରୁବାର ସକାଳ ସୁଦ୍ଧା ଶ୍ରମିକମାନେ ବାହାରକୁ ଆସିଯିବେ ବୋଲି କୁହାଯାଉଥିଲା। କିନ୍ତୁ ଡ୍ରିଲିଂରେ ସମସ୍ୟା ଓ ମେସିନ୍ ଖରାପ ହେବା ଯୋଗୁଁ ମିଶନ୍ ବନ୍ଦ ରହିଥିଲା।

ସୁଡ଼ଙ୍ଗ ଭିତରୁ ଶ୍ରମିକମାନେ ବାହାରିବା ପରେ ସେମାନଙ୍କର ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଅସୁସ୍ଥ ଥିବା ଶ୍ରମିକଙ୍କୁ ହସ୍ପିଟାଲରେ ଚିକିତ୍ସିତ କରାଯିବ। ସେଥିପାଇଁ ଆମ୍ବୁଲାନ୍ସ ପ୍ରସ୍ତୁତ କରି ରଖାଯାଇଛି।

ଟନେଲ ମଧ୍ୟରୁ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବା ଉଦ୍ଧାର କାର୍ଯ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୯ ଏଜେନ୍ସି ନିୟୋଜିତ ଅଛନ୍ତି। ସୁଡ଼ଙ୍ଗ ଭିତରକୁ ଡ୍ରୋନ୍ ଛଡାଯାଇ ଶ୍ରମିକଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି।

Sambalpur