ହାଇଦ୍ରାବାଦ: ତେଲେଙ୍ଗାନାରେ ଆଜି ପୁଣି ଦୁଇ ବନ ଅଧିକାରୀ ଆକ୍ରମଣର ଶିକାର ହୋଇଛନ୍ତି। କୋଠଗୁଡେମ୍ ଜିଲ୍ଲାର ଭଦ୍ରାଦ୍ରିର ଗୁଣ୍ଡଲପଡୁ ନିକଟରେ ଦୁଇ ବନ କର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି।
ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟବ୍ୟାପୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲିଛି। ଏ ନେଇ ଆଜି ଗୁଣ୍ଡଲପଡୁରେ ବନ କର୍ମଚାରୀ ବୃକ୍ଷ ରୋପଣ କରୁଥିଲେ। କିନ୍ତୁ ସ୍ଥାନୀୟ ଲୋକେ ସରକାରଙ୍କ ଏପରି କାର୍ଯ୍ୟକୁ ବିରୋଧ କରିଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ ବନ ଅଧିକାରୀ ନୀଲମଇହା ଏବଂ ଭାସ୍କର ରାଓ। ଏହି ଦୁଇ ବନ କର୍ମଚାରୀ ଲୋକଙ୍କ ଆକ୍ରୋଶର ଶିକାର ହୋଇ ଆହତ ହୋଇଛନ୍ତି। ଏ ନେଇ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କୁ ଖୋଜୁଥିବା ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ଜୁନ୍ ୩୦ ତାରିଖରେ ତେଲେଙ୍ଗାନାର ଆସିଫାବାଦ ଜିଲ୍ଲାରେ ମହିଳା ପୁଲିସ କର୍ମୀ ଏବଂ ବନ କର୍ମଚାରୀଙ୍କୁ ସାଧାରଣ ଲୋକେ ନିର୍ଧୁମ ପିଟିଥିଲେ। ସରକାରଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବନ କର୍ମଚାରୀ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲେ। ସେମାନଙ୍କୁ ବାଡ଼େଇଥିବା ଲୋକଙ୍କ ନେତୃତ୍ୱ ନେଇଥିଲେ ଶାସକ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି ନେତା ତଥା ସ୍ଥାନୀୟ ବିଧାୟକଙ୍କ ଭାଇ। ପୁଲିସ ତାଙ୍କ ସମେତ ମାଡ଼ ମାରିଥିବା ସମସ୍ତଙ୍କୁ ଗିରଫ କରିଛି।
ପ୍ରକାଶ ଥାଉ କି ତେଲେଙ୍ଗାନା ସରକାର ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିଛନ୍ତି। ବନ ବିଭାଗର ସହଯୋଗରେ ଗତକାଲି ଆସିଫାବାଦ ଜିଲ୍ଲାର ସିରପୁର-କଘଜନଗରରେ ୨୦ ଏକର ଜମିରେ ଗଛଲଗା କାର୍ଯ୍ୟକ୍ରମ ଚାଲିଥିଲା। ଏହି ଗଛଲଗା କାର୍ଯ୍ୟକ୍ରମ ତେଲେଙ୍ଗାନା ସରକାର ଆରମ୍ଭ କରିଥିବା ବିଶ୍ୱର ସବୁଠୁ ବଡ଼ ଜଳସେଚନ ଯୋଜନା କାଲେଶ୍ୱରମ ପ୍ରକଳ୍ପର ଏକ ଅଂଶ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।